/odisha-reporter/media/post_attachments/uploadimage/library/16_9/16_9_0/China_1738066607.jpg)
China
ସୋଭିଏତ ୟୁନିୟନ ୧୯୫୭ ମସିହାରେ ସଫଳତାର ସହ ପ୍ରଥମ ପୃଥିବୀ-ଅର୍ବିଟିଂ ସ୍ୟାଟେଲାଇଟ ଲଞ୍ଚ କରି ଆମେରିକା ଓ ପୂରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଏହା ସେତେବେଳେ ସ୍ପୁଟନିକ ବିପ୍ଳବ ଭାବେ ବେଶ ପରିଚିତ ହୋଇଥିଲା। ଏହି ଘଟଣା ଆମେରିକାକୁ ଚେତାଇ ଦେଇଥିଲା ଯେ ସୋଭିଏତ ପାଖରେ ମଧ୍ୟ ୱାଶିଂଟନ ଠାରୁ ଭଲ ବୈଜ୍ଞାନିକ ଓ ଇଞ୍ଜନିୟର ରହିଛନ୍ତି। କେବଳ ଆମେରିକା ନୁହେଁ, ସ୍ୟାଟେଲାଇଟ ଜଗତରେ ନିଜର ଦକ୍ଷତାକୁ ନେଇ ଗର୍ବ କରୁଥିବା ସବୁ ରାଷ୍ଟ୍ରକୁ ସୋଭିଏତର ସ୍ପୁଟନିକ ଦୋହଲାଇ ଦେଇଥିଲା।
ଏବେ ସ୍ପୁଟନିକ ମୁଭମେଣ୍ଟ ଭଳି ସମାନ ଘଟଣା ଘଟିଛି। ଏଥର କିନ୍ତୁ ଚାଇନା ପୂରା ବିଶ୍ୱକୁ ଦୋହଲାଇ ଦେଇଛି। ଯୁଦ୍ଧ ବିମାନ ଓ କୃତ୍ରିମ ବୃଦ୍ଧି(ଏଆଇ)ର ବିକଶିତ କରି ଚାଇନା ସମସ୍ତଙ୍କୁ ସ୍ତବ୍ଧ କରିଛି। ଗତ ମାସରରେ ସମସ୍ତଙ୍କୁ ଚକିତ କରି ଚାଇନା ୬ଷ୍ଠ ପିଢ଼ିର ଅତ୍ୟାଧୁନିକ ଯୁଦ୍ଧ ବିମାନ ଲଞ୍ଚ କରିଥିଲା। ଏହି ଯୁଦ୍ଧ ବିମାନ ଆମେରିକା ପାଇଁ ଝଟକା ସଦୃଶ ହୋଇଥିଲା। କାରଣ ଆକାଶ ମାର୍ଗରେ ଆମେରିକା ସମସ୍ତଙ୍କ ଠାରୁ ଦୀର୍ଘ ଦଶନ୍ଧି ଧରି ଆଗୁଆ ରହିଥିଲା।
ହେଲେ ଚାଇନା ୬ଷ୍ଠ ପିଢ଼ିର ଲଢ଼ୁଆ ବିମାନ ଲଞ୍ଚ କରି ଆମେରିକାର ଦବଦବାକୁ ହ୍ରାସ କରି ଦେଇଥିଲା। ଏହି ଘଟଣା କିଛି ସପ୍ତାହ ପରେ ଏସିଆ ମହାଦେଶ ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ପୁଣି ସମସ୍ତଙ୍କୁ ସ୍ତବ୍ଧ କରିଛି। ଆମେରିକାର ଟେକ୍ ବା ବୈଷୟିକ ଶିଳ୍ପ ଜଗତ ଓ ଆର୍ଥିକ ମାର୍କେଟ ଚାଇନାର ସ୍ୱଳ୍ପ ଦାମର ଏଆଇ ଚାଟବୋଟ ଡିପସିକ ଦ୍ୱାରା ଜଳକା ହୋଇ ଯାଇଛନ୍ତି। ଏହି ଏଆଇ ଚାଟବୋଟକୁ ବର୍ଷକ ତଳେ ଆରମ୍ଭ ହୋଇଥିବା ଗୋଟିଏ ଷ୍ଟାର୍ଟଅପ ଲଞ୍ଚ କରିବା ସମସ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଛି।
ସାମରିକ ଓ ଟେକ୍ନୋଲୋଜିକାଲ କ୍ଷେତ୍ରରେ ଚାଇନାର ଏପରି ଦ୍ରୁତ ଉପଲବ୍ଧିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଶ ଗୁରୁତ୍ୱର ସହ ନେଇଛନ୍ତି। ଚାଇନାର ଏହି ସଫଳତା ଆମେରିକୀୟ ବ୍ୟବସାୟ ପାଇଁ ଜାଗ୍ରତ ହେବାର ସତର୍କ ଘଣ୍ଟି ବୋଲି ସେ କହିଛନ୍ତି।
ଚାଇନାର ଡିପସିକ ସମସ୍ତଙ୍କୁ କଲା ଜଳକା
ଡିପସିକକୁ ନେଇ କାହିଁକି ନିବେଶକାରୀ ଓ ଆମେରିକାର ଟେକ ଜାଏଣ୍ଟମାନେ ଆତଙ୍କିତ ହୋଇପଡ଼ିଛନ୍ତି? ଏହାର କାରଣ ହେଲା ଓପନ ଏଆଇର ଚାଟଜିପିଟି ତୁଳନାରେ ଡିପସିକ ପାଇଁ ଅତ୍ୟନ୍ତ କମ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଏଆଇ ଆପ୍କୁ ବିକଶିତ କରିବା ପାଇଁ ମାତ୍ର ୬ ମିଲିୟନ ଡଲାର ଖର୍ଚ୍ଚ ହୋଇଥିବା ବେଳେ ଆମେରିକୀୟ କମ୍ପାନୀ ଓପନ ଏଆଇ, ଗୁଗଲ କିମ୍ବା ମେଟା ପ୍ରସ୍ତୁତ କରୁଥିବା ଆପ ପାଇଁ ବିଲିୟନ ବିଲୟନ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଛି।
ଆପ୍କୁ ବିକଶିତ କରିବା ପାଇଁ କମ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଏଆଇ ଇଣ୍ଡଷ୍ଟ୍ରୀରେ ଛାପ ଛାଡ଼ିଥିବା ମଡେଲଗୁଡ଼ିକ ଭଳି ଏହା କାମ କରୁଛି। ଆପଲର ଆମେରିକା ଆପ୍ରେ ଏହାକୁ ସର୍ବାଧିକ ଲୋକ ମାତ୍ର କିଛି ସମୟ ମଧ୍ୟରେ ଡାଉନଲୋଡ କରିସାରିଲେଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲଞ୍ଚ ହେବାର ମାସକ ମଧ୍ୟରେ ଡିପସିକ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା, ଚାଇନା ଓ ସିଙ୍ଗାପୁରରେ ଓପନ ଏଆଇର ଚାଟଜିପିଟିର ଡାଉନଲୋଡ ସଂଖ୍ୟାକୁ ପଛରେ ପକାଇ ଦେଇଛି।
ଡିପସିକରେ ଦୈୟଯୁକ୍ତ ସବସ୍କ୍ରିପସନ ମଧ୍ୟ ମାସିକ ୦.୫୦ ଡଲାର ରହିଛି। ହେଲେ ଚାଟଜିପିଟିର ସବସ୍କ୍ରିପସନର ଦାମ ମାସିକ ୨୦ ଡଲାର ଅଛି। ଚାଇନା ସହ ଆମେରିକାର ଶିଳ୍ପ ଯୁଦ୍ଧ ବେଶ ପୁରୁଣା। ଏଥିପାଇଁ ଆମେରିକା ପକ୍ଷରୁ ଚାଇନାକୁ ଅତ୍ୟାଧୁନିକ ଚିପ୍ସ ରପ୍ତାନୀ ଉପରେ କଟକଣା ଲଗାଯାଇଛି। ତଥାପି ଚାଇନାର ଗୋଟିଏ ଷ୍ଟାର୍ଟଅପ ଅତ୍ୟନ୍ତ କମ ସମ୍ବଳରେ ଅତ୍ୟାଧୁନିକ ଏଆଇ ମଡେଲ ବିକଶିତ କରିପାରିଛି।
ସୋମବାର ଆମେରିକାର Nvidia ତା’ର ମାର୍କେଟ ଭାଲ୍ୟୁ ୫୮୯ ବିଲିୟନ ଡଲାର ହରାଇଥିଲା। ଆମେରିକା ଷ୍ଟକ ମାର୍କେଟରେ କୌଣସି କମ୍ପାନୀ ଗୋଟିଏ ଦିନରେ ଏତେ କ୍ଷତି ସହିବା ପ୍ରଥମ ଘଟଣା। କେବଳ ଆମେରିକା ନୁହେଁ, ଏସିଆ ଓ ୟୁରାପରେ ଥିବା ଏଆଇ ଓ ସେମି କଣ୍ଡକ୍ଟରର ସହ ଜଡ଼ିତ ଷ୍ଟକ ଗୁଡ଼ିକ ମଧ୍ୟ ଡିପସିକ ପାଇଁ ବ୍ୟାପକ କ୍ଷତି ସହିଛନ୍ତି।
ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏଆଇ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଆଇର ଭିତ୍ତିଭୂମି ପାଇଁ ସେ ବିଲିୟନ ବିଲୟନ ଡଲାରର ପାଣ୍ଠି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି। ଏଆଇ କାର୍ଯ୍ୟକ୍ରମ ଷ୍ଟାରଗେଟ ପାଇଁ ଟ୍ରମ୍ପ ୫୦୦ ବିଲିୟନ ଡଲାରର ଅନୁଦାନ ଘୋଷଣା କରିଥିବା ବେଳେ ଚାଇନାର ଏପରି ପଦକ୍ଷେପ ଆମେରିକା ସମେତ ପୂରା ବିଶ୍ୱକୁ ଝଟକା ଦେଇଛି।
ଫାଇଟର ଜେଟ୍ରେ କମାଲ କରିଥିଲା ଚାଇନା
ବିଶ୍ୱର ଏଆଇ ବୋଟକୁ ନିଜର ଡିପସିକ ଦ୍ୱାରା ଏକ ପ୍ରକାରର ବୁଡ଼ାଇ ଦେଇଥିବା ଚାଇନା ଗତ ମାସରେ ସାମରିକ କ୍ଷେତ୍ରରେ ନିଜର ଦବଦବା ଦେଖାଇଥିଲା। ଦେଶ ପକ୍ଷରୁ ୨ଟି ଷଷ୍ଠ ପିଢ଼ିର ଯୁଦ୍ଧ ବିମାନକୁ ପରୀକ୍ଷା କରାଯାଇଥିଲା। ଏହା ଯୁଦ୍ଧାସ୍ତ୍ର ରେସ୍ରେ ଚାଇନାକୁ ଆଉ ପାଦେ ଆଗକୁ ନେଇ ଯାଇଛି। ଏଆଇ ଟେକ୍ନୋଲୋଜି ବ୍ୟତୀତ ଯୁଦ୍ଧ ବିମାନରେ ବଡ଼ବଡ଼ ପେଲୋଡ ବହନ କରାଯାଇ ପାରିବ।
ସେହିପରି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ଯୁଦ୍ଧ ବିମାନ ଠାରୁ ଚାଇନାର ଜେଟ ଅଧିକ ସମୟ ଉଡ଼ାଣ କରିବାକୁ ମଧ୍ୟ ସକ୍ଷମ। ଆମେରିକାର ପ୍ରଥମ ଷଷ୍ଠ ପିଢ଼ି ଯୁଦ୍ଧ ବିମାନ କାର୍ଯ୍ୟକ୍ଷମ ହେଲା ବେଳକୁ ୨୦୩୦ ହୋଇ ସାରିଥିବ। କିନ୍ତୁ ତା’ ପୂର୍ବରୁ ଚାଇନା ଷଷ୍ଠ ପିଢ଼ିର ଯୁଦ୍ଧ ବିମାନକୁ ପରୀକ୍ଷା କରି ନେଇଛି। ସେହିପରି ଭାରତ ଏବେ ବି ୫ମ ପିଢ଼ିର ଯୁଦ୍ଧ ବିମାନ ଡିଜାଇନ କାମରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
