ବେଲୁଚିସ୍ତାନ ବା ବଲୁଚିସ୍ତାନ ପାକିସ୍ତାନରେ ଥିବା ଅନ୍ୟତମ ବଡ଼ ପ୍ରଦେଶ। ଏଠାରେ ରହୁଥିବା ଲୋକମାନେ ଶାନ୍ତି ଓ ବିକାଶକୁ ଖୁବ କମ ଦେଖିଛନ୍ତି। ମାର୍ଚ୍ଚ ୧୧ରେ ବେଲୁଚିସ୍ତାନ ମୁକ୍ତି ସେନା ବା ବିଏଲଏର ବିଦ୍ରୋହୀମାନେ ପାକିସ୍ତାନରୁ ଅଲଗା ହେବା ପାଇଁ କରୁଥିବା ଦାବିକୁ ସଫଳ ରୂପ ଦେବା ପାଇଁ ଭୟଙ୍କର କାଣ୍ଡ ଘଟାଇଥିଲେ। ମଙ୍ଗଳବାର ଦିନ ସେମାନେ କ୍ୱେଟ୍ଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ହାଇଜାକ କରିଥିଲେ। ବେଲୁଚିସ୍ତାନ ପ୍ରଦେଶର ଏକ ଉପାନ୍ତ ଅଞ୍ଚଳ ଦେଇ ଟ୍ରେନଟି ଯାଉଥିବା ବେଳେ ପ୍ରଥମେ ବିଦ୍ରୋହୀମାନେ ରେଳ ଧାରଣାକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ।
ଏଥିଯୋଗୁ ଟ୍ରେନ ଅଟକି ଥିଲା। ଏହାପରେ ବନ୍ଧୁକଧାରୀମାନେ ଏହା ଭିତରେ ପ୍ରବେଶ କରି ଲୋକଙ୍କୁ ପଣବନ୍ଦୀ କରି ରଖିଥିଲେ। ଟ୍ରେନରେ ପ୍ରାୟ ୫୦୦ ଜଣ ଯାତ୍ରୀ ଥିଲେ। ବିଦ୍ରୋହୀମାନେ ମହିଳା, ଛୋଟ ପିଲା, ବୟସ୍କ ଓ ବେଲୁଚି ନାଗରିକଙ୍କୁ ମୁକ୍ତ କରି ଦେଇଥିଲେ। କିନ୍ତୁ ଟ୍ରେନରେ ଥିବା ପାକିସ୍ତାନ ସୁରକ୍ଷାକର୍ମୀଙ୍କ ସଦସ୍ୟମାନଙ୍କୁ ପଣବନ୍ଦୀ କରି ବୁଧବାର ରାତି ଯାଏ ରଖିଥିଲେ।
ବିଏଲଏ ୧୦୦ରୁ ଅଧିକ ପାକ ସେନା କର୍ମଚାରୀଙ୍କୁ ପଣବନ୍ଦୀ ଅବସ୍ଥାରେ ହତ୍ୟା କରିଥିବା କହିଥିଲା। କିନ୍ତୁ ବିଳମ୍ବିତ ରାତିରେ ପାକିସ୍ତାନ ସେନା ପଣବନ୍ଦୀ ହୋଇ ରହିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା କହିଛି। ପାକିସ୍ତାନ ସରକାରଙ୍କ କହିବା କଥା ଯେ ଆତଙ୍କବାଦୀମାନେ ୨୧ ଜଣ ଯାତ୍ରୀଙ୍କୁ ହତ୍ୟା କରିଥିବା ବେଳେ ଅପରେସନ ବେଳେ ୪ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି। କିନ୍ତୁ ପାକିସ୍ତାନ ସେନା ସମସ୍ତ ୩୩ ବିଏଲଏ ଆତଙ୍କବାଦୀଙ୍କୁ ନିପାତ କରି ଟ୍ରେନ ହାଇଜାକ କାଣ୍ଡରେ ପୂର୍ଣ୍ଣଚ୍ଛେଦ ଟାଣିଛି। ପାକ ସେନାର ଏପରି ବୟାନ ପରେ ବିଏଲଏ କୌଣସି ପ୍ରକାରର ବିବୃତି ଜାରି କରି ନାହିଁ।
କିନ୍ତୁ ବେଲୁଚିସ୍ତାନକୁ ପାକିସ୍ତାନରୁ ଅଲଗା କରିବା ପାଇଁ କାହିଁକି ଦାବି ହେଉଛି? କେବଳ ବିଏଲଏ ନୁହେଁ, ସେଠାକାର ସାଧାରଣ ଲୋକ ମଧ୍ୟ ପାକିସ୍ତାନ ସହ ରହିବାକୁ ଚାହୁଁନାହାନ୍ତି। ଏଥିପାଇଁ ସେମାନେ ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ବିପ୍ଳବ ମଧ୍ୟ କରୁଛନ୍ତି। ଏହା ପଛର କାରଣ ହେଲା ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନା ବୁଣିଥିବା ଧୋକାର ମଞ୍ଜି। ସେ ବୁଣି ଥିବା ମଞ୍ଜି ଯୋଗୁ ଆଜି ବିଦ୍ରୋହର ନିଆଁ ତୀବ୍ର ହୋଇଛି।
୧୯୪୮ରୁ ଆରମ୍ଭ ହୋଇଛି ବିଦ୍ରୋହ
ପାକିସ୍ତାନ ୧୯୪୭ରେ ଗଠନ ହୋଇଥିବା ବେଳେ ବେଲୁଚି ଜାତୀୟତାବାଦୀମାନେ ୧୯୪୮ରୁ ବିଦ୍ରୋହ କରି ଚାଲିଛନ୍ତି। ୧୯୫୮-୫୯, ୧୯୬୨-୬୩, ୧୯୭୩-୭୭ ଓ ୨୦୦୩ରୁ ବେଲୁଚିସ୍ତାନବାସୀ ସ୍ୱାଧୀନତା ଆନ୍ଦୋଳନର ହିଂସାତ୍ମକ ରୂପ ଦେଖି ଚାଲିଛନ୍ତି। ମାର୍ଚ୍ଚ ୧୧ ଟ୍ରେନ ହାଇଜାକ ପଛରେ ପାକିସ୍ତାନ ଠାରୁ ବେଲୁଚିସ୍ତାନକୁ ଅଲଗା କରିବା ଦାବି ହିଁ ବିଦ୍ରୋହୀମାନେ ଉପସ୍ଥାପନ କରିଥିଲେ।
ବେଲୁଚିସ୍ତାନ ଗୋଟିଏ ଖଣିଜ ସମ୍ପଦ ପରିପୂର୍ଣ୍ଣ ପ୍ରଦେଶ। କିନ୍ତୁ ପାକିସ୍ତାନର ପଞ୍ଜାବ ବହୁଳ ରାଜନୀତି ପାଇଁ ବେଲୁଚିସ୍ତାନ ସବୁବେଳେ ଅଣଦେଖା ହୋଇ ରହିଛି। ଏଠାରେ ଖଣିଜ ସମ୍ପଦ ରହିଥିବା ବେଳେ ବେଲୁଚିସ୍ତାନ ଲୋକ ଆର୍ଥିକ ସ୍ତରରେ ସବୁବେଳେ ଦୁର୍ବଳ ହୋଇ ରହିଛନ୍ତି। ସଂଘୀୟ ସରକାରର ପାଣ୍ଠିକୁ ଏଠାକାର ଖଣିଜ ପଦାର୍ଥ ମଜବୁତ କରୁଥିଲେ ହେଁ ଲୋକମାନେ ଅବହେଳିତ ହୋଇ ରହିଛନ୍ତି।
ବେଲୁଚିସ୍ତାନ ଲୋକଙ୍କ ବିରକ୍ତର ପ୍ରମୁଖ ଟାର୍ଗେଟ ହେଉଚି ଗ୍ୱାଦର ପୋର୍ଟ। ଏହାକୁ ପାକିସ୍ତାନ ସରକାର ଚାଇନା ସହାୟତାରେ ବିକଶିତ କରୁଛନ୍ତି। ଏହାକୁ ବେଲୁଚିମାନେ ବିରୋଧ କରୁଛନ୍ତି। ଏଥିପାଇଁ ବେଲୁଚି ବିଦ୍ରୋହୀ ସଂଗଠନ ବାରମ୍ବାର ଚାଇନିଜ ଇଞ୍ଜିନରଙ୍କୁ ଆକ୍ରମଣ କରି ଚାଲିଛନ୍ତି। ଗ୍ୱାଦର ପୋର୍ଟ ହେଉଛି ଚାଇନା-ପାକିସ୍ତାନ ଇକୋନୋମିକ କରିଡରର ଅଂଶବିଶେଷ।
ତେବେ ବେଲୁଚିସ୍ତାନ ସ୍ୱାଧୀନତା ସଂଗ୍ରାମର ନେତୃବୃନ୍ଦଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ଏହି କାରଣ ପାଇଁ ବେଲୁଚି ଜାତୀୟତାବାଦ ଆନ୍ଦୋଳନ ମୋଟ ଉପରେ ଏହାର ଲକ୍ଷ୍ୟ ହାସଲ କରିପାରୁ ନାହିଁ କିମ୍ବା ରଣନୀତିକୁ କାର୍ଯ୍ୟକାରୀ କରିପାରୁ ନାହିଁ। ୨୦୦୩ରୁ ସଦ୍ୟତମ ବିଦ୍ରୋହ ଆରମ୍ଭ ହୋଇଛି। ୨୦୦୬ରେ ପାକିସ୍ତାନ ସେନା ବେଲୁଚିସ୍ତାନର ଆଦିବାସୀ ନେତା ଆକବର ଖାନ ବୁଗତିଙ୍କୁ ହତ୍ୟା କରିବା ପରେ ଏହି ବିଦ୍ରୋହ ତୀବ୍ର ରୂପ ଧାରଣ କରିଥିଲା।
ଆକବର ଖାନ ବୁଗତି ଅଧିକମାତ୍ରାର ସ୍ୱତନ୍ତ୍ରତା, ସମ୍ପଦ ଉପରେ ନିୟନ୍ତ୍ରଣ ଓ ବେଲୁଚିସ୍ତାନର ପ୍ରାକୃତି ଗ୍ୟାସରୁ ମିଳୁଥିବା ରାଜସ୍ୱରୁ ଉପଯୁକ୍ତ ଭାଗ ସ୍ଥାନୀୟ ଅଞ୍ଚଳ ପାଇଁ ଦାବି କରୁଥିଲେ। ତେବେ ଏହାପୂର୍ବରୁ ୧୯୭୦ରେ ବେଲୁଚିସ୍ତାନରେ ସବୁଠାରୁ ଭୟଙ୍କର ରକ୍ତାକ୍ତ ଓ ଦୀର୍ଘ କାଳୀନ ସଂଘର୍ଷ ଦେଖିବାକୁ ମିଳିଥିଲା।
ବାଂଲାଦେଶ ଲିଙ୍କ ଓ ୧୯୭୦ ମସିହା ବେଲୁଚ ଆନ୍ଦୋଳନ
୧୯୭୧ ମସିହାରେ ପାକିସ୍ତାନ ଠାରୁ ବାଂଲାଦେଶ(ପୂର୍ବ ପାକିସ୍ତାନ) ସ୍ୱାଧୀନତା ପାଇଥିଲା। ଏହି ସ୍ୱାଧୀନତା ବେଲୁଚିସ୍ତାନ ପାଇଁ ଅଧିକମାତ୍ରାର ସ୍ୱତନ୍ତ୍ରତା ଦାବିକୁ ତୀବ୍ର କରିଥିଲା। ଆନ୍ଦୋଳନ ଜୋରଦାର ହୋଇଥିଲେ ହେଁ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋ ଏହାକୁ ଗ୍ରହଣ କରି ନଥିଲେ।
୧୯୭୩ ମସିହାରେ ଆକବର ଖାନ ବୁଗତିଙ୍କ ନେତୃତ୍ୱରେ ଚାଲିଥିବା ବେଲୁଚିସ୍ତାନ ପ୍ରାଦେଶିକ ସରକାରକୁ ବରଖାସ୍ତ କରିଥିଲେ ଭୁଟ୍ଟୋ। ଏଥିସହ ବେଲୁଚିସ୍ତାନରେ ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୧୯୭୭ ଯାଏ ଏଠାରେ ସାମରିକ ଅପରେସନ ଜାରି ରହିଥିଲା। ବେଲୁଚିସ୍ତାନର ଲୋକମାନେ ଯଥା ସମ୍ଭବ ଏହାର ମୁକାବିଲା କରିବାକୁ ଚେଷ୍ଟା କରିଥିଲେ। ଏହା ୪ର୍ଥ ବେଲୁଚିସ୍ତାନ ବିଦ୍ରୋହ ଭାବେ ପରିଚିତ।
ରିପୋର୍ଟ ଅନୁସାରେ, ପ୍ରାୟ ୫୫ ହଜାର ବେଲୁଚ ଆଦିବାସୀ ୮୦ ହଜାର ପାକିସ୍ତାନ ସୈନ୍ୟଙ୍କ ସହ ଲଢ଼େଇ କରିଥିଲେ। ବେଲୁଚି ଆଦିବାସୀଙ୍କ ନେତୃତ୍ୱ ମାରି ମେଙ୍ଗଲ ଓ ବୁଗତି ନେଇଥିଲେ। ସଂଘର୍ଷ ବେଳେ ପାକିସ୍ତାନ ଏୟାରଫୋର୍ସ ବିଭିନ୍ନ ଗାଁରେ ବୋମା ମାଡ଼ କରିଥିଲା। ଏଥିଯୋଗୁ ହଜାର ହଜାର ବେଲୁଚି ନାଗରିକଙ୍କ ମୃତ୍ୟୁ ହୋଇଥିଲା।
ବିବାଦ ଏତେ ତୀବ୍ର ହୋଇଥିଲା ଯେ ଇରାନ ନିଜ ଦେଶରେ ମଧ୍ୟ ବେଲୁଚି ଆନ୍ଦୋଳନର ଆଶଙ୍କା କରିଥିଲା। ନିଜ ବେଲୁଚି ରିଜନରେ ବିଦ୍ରୋହକୁ ପ୍ରତିହତ କରିବା ପାଇଁ ଇରାନ ପକ୍ଷରୁ ପାକିସ୍ତାନକୁ ସାମରିକ ସହାୟତା ଯୋଗାଇ ଦିଆଯାଇଥିଲା। ଏସବୁ ଭିତରେ ଅର୍ଥାତ ୧୯୭୭ରେ ଜେନେରାଲ ଜିଆ ଉଲ ହକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭୁଟ୍ଟୋଙ୍କୁ ସାମରିକ ବିଦ୍ରୋହ ଜରିଆରେ ଶାସନ ଗାଦିରୁ ହଟାଇ ଦେଇଥିଲେ। ଜିଆ ଉଲ ହକ ଶାସନ ଦଖଲ କରିବା ପରେ ମଧ୍ୟ ବେଲୁଚିସ୍ତାନରେ ବିଦ୍ରୋହ ଜାରି ରହିଥିଲା। ତେବେ ଆଦିବାସୀମାନଙ୍କୁ ସର୍ବ କ୍ଷମା ମିଳିବାରୁ ସାମରିକ ବିଦ୍ରୋହ ବନ୍ଦ ହୋଇଥିଲା। ବେଲୁଚିସ୍ତାନର ପାକିସ୍ତାନ ସୈନ୍ୟ ପ୍ରତ୍ୟାହାର କରିଥିଲା।
ଦ୍ୱିତୀୟ ଓ ତୃତୀୟ ବେଲୁଚିସ୍ତାନ ବିବାଦ
୧୯୫୪ରେ ପାକିସ୍ତାନ ୱାନ ୟୁନିଟ ସ୍କିମ ଲଞ୍ଚ କରିଥିଲା। ଏହି ସ୍କିମ ଜରିଆରେ ପାକିସ୍ତାନ ତା’ର ସମସ୍ତ ପ୍ରଦେଶକୁ ଗୋଟିଏ ପରିଚୟ ଦେବାକୁ ଚାହିଁଥିଲା। ୱାନ ୟୁନିଟ ସ୍କିମ ଦ୍ୱାରା ବେଲୁଚିସ୍ତାନକୁ ଅନ୍ୟ ପ୍ରଦେଶ ସହ ମିଶ୍ରଣ କରାଯିବାରୁ ଏହାର ସ୍ୱତନ୍ତ୍ରତା ହ୍ରାସ ପାଇଥିଲା। ଏପରି ବ୍ୟବସ୍ଥା ବେଲୁଚି ନେତା ଓ ଖାନ ଅଫ କଲାତ ନୱାବ ନୌରଜ ଖାନଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଥିଲା। ୧୯୫୮ରେ ଖାନ ଅଫ କଲାତ ବେଲୁଚିସ୍ତାନକୁ ସ୍ୱାଧୀନ ପ୍ରଦେଶ ଭାବେ ଘୋଷଣା କରିଥିଲେ। ଏହାପରେ ପାକିସ୍ତାନ ସେନା ସହ ଲଢ଼େଇ ଆରମ୍ଭ କରିଥିଲେ।
ତେବେ ୧୯୫୯ରେ ବୁଝାମଣା ନାଁରେ ପାକିସ୍ତାନ ସରକାର ନୱାବ ନୌରଜ ଖାନଙ୍କୁ ଡାକିଥିଲେ। କିନ୍ତୁ ବୁଝାମଣା ନାଁରେ ନୌରଜ ଓ ତାଙ୍କ ପୁଅଙ୍କୁ ଗିରଫ କରିଥିଲେ। ଏଥିସହ ପରିବାରର ୫ ଜଣଙ୍କୁ ହତ୍ୟା କରିଥିଲେ। ପାକିସ୍ତାନ ସରକାରଙ୍କ ଏପରି ଧୋକା ବେଲୁଚିସ୍ତାନବାସୀଙ୍କୁ ଆଘାତ ଦେଇଥିଲା ଓ ବେଲୁଚି ସ୍ୱାଧୀନତା ସଂଗ୍ରାମକୁ ତୀବ୍ର କରିଥିଲା। ବେଲୁଚ ଆଦୌ ୱାନ ୟୁନିଟ ଫର୍ମୁଲାକୁ ଗ୍ରହଣ କଲେ ନାହିଁ। ୫ ବର୍ଷ ପରେ ବେଲୁଚିସ୍ତାନରେ ତୃତୀୟ ବିଦ୍ରୋହ ଭୟଙ୍କର ରୂପ ନେଇଥିଲା। ୧୯୬୩ରେ ତୃତୀୟ ସଂଘର୍ଷର ଜନ୍ମ ହୋଇଥିଲା।
ଏହି ବିଦ୍ରୋହର ନେତୃତ୍ୱ ଶେର ମହମ୍ମଦ ବିଜରାନି ମାରି ନେଇଥିଲେ। ବିଦ୍ରୋହ ଯୋଗୁ ପାକିସ୍ତାନ ସରକାର ବେଲୁଚିସ୍ତାନ ଗ୍ୟାସ ଭଣ୍ଡାରରୁ ପାଉଥିବା ରାଜସ୍ୱକୁ ଭାଗ କରିବାକୁ ବାଧ୍ୟ ହୋଇଥିଲେ। ଏଥିସହ ୱାନ ୟୁନିଟ ସ୍କିମକୁ ରଦ୍ଦ କରିଥିଲେ ଓ ବନ୍ଦୀ ଥିବା ବେଲୁଚ ବିଦ୍ରୋହୀଙ୍କୁ ଜେଲରୁ ମୁକ୍ତ କରିଥିଲେ।
ସାଧାରଣ ସର୍ବ କ୍ଷମା ଓ ବେଲୁଚି ବିଚ୍ଛିନ୍ନତାବାଦୀଙ୍କୁ ମୁକ୍ତି ପରେ ଏହି ବିଦ୍ରୋହ ୧୯୬୯ରେ ଶେଷ ହୋଇଥିଲା। ୱାନ ୟୁନିଟ ନୀତି ରଦ୍ଦ ହେବା ପରେ ୧୯୭୦ରେ ବେଲୁଚିସ୍ତାନ ୪ଟି ପ୍ରଦେଶ ମଧ୍ୟରୁ ଗୋଟିଏର ପରିଚୟ ହାସଲ କରିଥିଲା।
ଧୋକା ବଳରେ କେମିତି ପାକିସ୍ତାନରେ ମିଶିଥିଲା ବେଲୁଚିସ୍ତାନ?
୧୯୪୭ରେ ଭାରତ ଠାରୁ ପାକିସ୍ତାନ ଅଲଗା ହେବା ଦିନ ଠାରୁ ହିଁ ବେଲୁଚିସ୍ତାନ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି। ବେଲୁଚିସ୍ତାନ ୪ଟି ଉପାନ୍ତ ରାଜ୍ୟ କଲାତ, ଖାରାନ, ଲାସ ବେଲା ଓ ମକାରନକୁ ନେଇ ରହିଥିଲା। ସେମାନଙ୍କୁ ସ୍ୱାଧୀନତା ବେଳେ ୩ଟି ବିକଳ୍ପ ଦିଆଯାଇଥିଲା। ସେମାନେ ଭାରତ କିମ୍ବା ପାକିସ୍ତାନରେ ମିଶନ୍ତୁ କିମ୍ବା ନିଜର ସ୍ୱତନ୍ତ୍ରତା ବଜାୟୀ ରଖନ୍ତୁ। ୪ ରାଜ୍ୟ ମଧ୍ୟରୁ ୩ଟି ମହମ୍ମଦ ଅଲୀ ଜିନ୍ନାଙ୍କ ପ୍ରରୋଚନାରେ ପାକିସ୍ତାନ ସହ ମିଶି ଯାଇଥିଲେ। କିନ୍ତୁ ଖାନ ମିର ଅହମଦ ୟାର ଖାନଙ୍କ ନେତୃତ୍ୱରେ କଲାତ ସ୍ୱାଧୀନ ଭାବେ ରହିବାକୁ ଚାହିଁଥିଲା। ମିର ଅହମଦ ଖାନ ଅଫ କଲାତ ଭାବେ ମଧ୍ୟ ପରିଚିତ।
ଏହାପୂର୍ବରୁ ୧୯୪୬ରେ ଖାନ ଅଫ କଲାତ ବ୍ରିଟିଶ କ୍ରାଉନ ନିକଟରେ ନିଜର ସ୍ୱାଧୀନତା ମାମଲାର ପ୍ରତିନିଧିତ୍ୱ କରିବା ପାଇଁ ମହମ୍ମଦ ଅଲୀ ଜିନ୍ନାଙ୍କୁ ନିଜର ଆଇନ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ୧୯୪୭ ମସିହା ଅଗଷ୍ଟ ୪ରେ ଦିଲ୍ଲୀରେ ଲର୍ଡ ମାଉଣ୍ଟବିଟେନ, ଖାନ ଅଫ କଲାତ, ପଣ୍ଡିତ ଜବାହର ଲାଲ ନେହରୁ ଓ ଜିନ୍ନାଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହି ସମୟରେ ଖାନଙ୍କ ସ୍ୱାଧୀନତା ପ୍ରସ୍ତାବକୁ ଜିନ୍ନା ସମର୍ଥନ କରିଥିଲେ। ଜିନ୍ନାଙ୍କ ପ୍ରୋତ୍ସାହନରେ ଖାରାନ ଓ ଲାସ ବେଲା ମଧ୍ୟ କଲାତ ସହ ମିଶି ସଂପୂର୍ଣ୍ଣ ବେଲୁଚିସ୍ତାନ ଗଠନ କରିବେ ବୋଲି କଥା ହୋଇଥିଲା।
୧୯୪୭ ମସିହା ଅଗଷ୍ଟ ୧୫ରେ କଲାତ ସ୍ୱାଧୀନ ପାଇଥିଲା। ଗୋଟିଏ ସ୍ୱାଧୀନ ସାର୍ବଭୌମ ରାଜ୍ୟ ମାନ୍ୟତା ସତ୍ତ୍ୱେ ସେପ୍ଟମ୍ବର ୧୨ରେ ବ୍ରିଟିଶ ସ୍ମାରକପତ୍ରରେ କୁହାଯାଇଥିଲା ଯେ ଗୋଟିଏ ସ୍ୱାଧୀନ ରାଷ୍ଟ୍ର ଭାବେ କଲାତକୁ କୌଣସି ପ୍ରକାରର ଅନ୍ତର୍ଜାତୀୟ ଅଧିକାର ବା ଦାୟିତ୍ୱ ମିଳି ପାରିବ ନାହିଁ।
ବ୍ରିଟିଶ ସ୍ମାରକପତ୍ର ପରେ ଜିନ୍ନା ନିଜର ଚାଲ ଖେଳିଥିଲେ। ସେ ୧୯୪୭ ମସିହା ଅକ୍ଟୋବର ମାସରେ ଖାନ ଅଫ କଲାତଙ୍କ ସହ ବୈଠକ କରିଥିଲେ। ଏହି ସମୟରେ କଲାତକୁ ଶୀଘ୍ର ପାକିସ୍ତାନରେ ମିଶାଇ ଦେବାକୁ କହିଥିଲେ। କିନ୍ତୁ ଜିନ୍ନାଙ୍କ ପ୍ରସ୍ତାବକୁ ଖାନ ଗ୍ରହଣ କରି ନଥିଲେ। ଏଥିସହ ପୂରା ପ୍ରସଙ୍ଗରେ ସେ ଭାରତ ସମେତ ବିଭିନ୍ନ ପକ୍ଷର ସହାୟତା ଲୋଡ଼ିଥିଲେ। କିନ୍ତୁ ତାଙ୍କୁ କୌଣସି ସହାୟତା ମିଳି ନଥିଲା।
୧୯୪୮ ମସିହା ମାର୍ଚ୍ଚ ୨୬ରେ ପାକିସ୍ତାନ ସେନା ବେଲୁଚିର ଉପକୂଳ ରିଜନରେ ପହଞ୍ଚିଥିଲେ। ସେମାନେ ଆକ୍ରମଣ କରିବାରୁ ଖାନ ବାଧ୍ୟ ହୋଇ ଜିନ୍ନାଙ୍କ କଥାରେ ପାକିସ୍ତାନରେ ମିଶିବାକୁ ରାଜି ହୋଇଥିଲେ। ଖାନ ଅଫ କଲାତ ମିଶ୍ରଣ ପାଇଁ ଚୁକ୍ତି କରିଥିଲେ ହେଁ ତାଙ୍କ ଭାଇ ପ୍ରିନ୍ସ ଅବଦୁଲ କରିମ ପ୍ରଥମ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ। ୧୯୪୮ରେ ଏହି ବିଦ୍ରୋହ ଆରମ୍ଭ ହୋଇଥିଲା। ଅବଶ୍ୟ ଏହି ବିଦ୍ରୋହକୁ ତୁରନ୍ତ ଦମନ କରାଯାଇଥିଲା। କିନ୍ତୁ ସେହି ଠାରୁ ହିଁ ବେଲୁଚ ଜାତୀୟତାବାଦ ମଞ୍ଜି ବୁଣା ହୋଇଥିଲା।
ସ୍ୱାଧୀନତାର ୨୨୬ ଦିନ ପରେ ବେଲୁଚିସ୍ତାନ ଯଦିଓ ପାକିସ୍ତାନରେ ମିଶିଥିଲା, କିନ୍ତୁ ଏହା ଲୋକଙ୍କ ଇଚ୍ଛା ବଦଳରେ ଜିନ୍ନାଙ୍କ ଧୋକା ଓ ଇସଲାମାବାଦର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ହୋଇଥିଲା। ଏହି ଧୋକା ୭୫ ବର୍ଷ ହେଲା ଲୋକଙ୍କ ମଧ୍ୟରେ ଥିବା ପଞ୍ଜିଭୂତ ଅସନ୍ତୋଷକୁ ସମୟକ୍ରମେ ବୃଦ୍ଧି କରାବାରେ ଲାଗିଛି।
ବେଲୁଚି ମୁକ୍ତି ବାହିନୀର ଜନ୍ମ
ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବେଲୁଚ ମୁକ୍ତି ସେନା ୨୦୦୦ ମସିହାରୁ ନିଜର ଉପସ୍ଥିତି ଜାହିର କରି ଚାଲିଛି। ଏହି ସଂଗଠନ ଆଫଗାନିସ୍ତାନରେ ଥିବା ବେଲୁଚ୍ ଅଞ୍ଚଳରୁ କାର୍ଯ୍ୟ କରିଥାଏ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ସୀମା ଉଭୟ ଆଫଗାନିସ୍ତାନ ଓ ଇରାନକୁ ଲାଗିଛି। ଇରାନରେ ମଧ୍ୟ ବେଲୁଚି ବିଦ୍ରୋହୀମାନେ ସକ୍ରିୟ ଅଛନ୍ତି। ଆଫଗାନିସ୍ତାନରେ ସୋଭିଏତ ୟୁନିଅନର ପ୍ରଭାବ ଥିଲା ବେଳେ ବେଲୁଚ୍ ବିଦ୍ରୋହୀମାନେ ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ। ୧୯୭୩ରୁ ୧୯୭୭ ମଧ୍ୟରେ ସେମାନେ ସଂଗଠିତ ହେବା ସହିତ ପାକିସ୍ତାନ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେତେବେଳେ ଏମାନଙ୍କ ପଛରେ ସୋଭିଏତ ୟୁନିଅନର ଗୁଇନ୍ଦା ସଂସ୍ଥା କେଜିବିର ସମର୍ଥନ ଥିଲା।
କିନ୍ତୁ ସୋଭିଏତ ୟୁନିଅନ୍ ଆଫଗାନିସ୍ତାନ ଛାଡ଼ିବା ପରେ କିଛି କାଳ ପାଇଁ ଏହି ବିଦ୍ରୋହ ଥମି ଯାଇଥିଲା। ମାତ୍ର ପରେ ୨୦୦୦ ମସିହାରେ ସେମାନେ ସଂଗଠିତ ହୋଇ ବେଲୁଚ ମୁକ୍ତି ବାହିନୀ ନାମରେ ଅଭିଯାନ ଚଳାଇଛନ୍ତି। ପାକିସ୍ତାନରୁ ମୁକ୍ତି ନେବା ଲକ୍ଷ୍ୟରେ ବେଲୁଚିସ୍ତାନରେ ଥିବା ଅଣବେଲୁଚ୍ମାନଙ୍କୁ ହତ୍ୟା କରିବାକୁ ୨୦୦୯ ମସିହାରେ ସେମାନଙ୍କର ନେତା ବ୍ରହମଦାଘ୍ ଖାନ ବୁଗ୍ଟି ଆହ୍ୱାନ ଦେଇଥିଲେ।
ସେବେଠାରୁ ବେଲୁଚ୍ମାନେ ପାକିସ୍ତାନୀ ନାଗରିକ, ସେନା ଓ ଅଧିକାରୀମାନଙ୍କ ଉପରେ ଆକ୍ରମଣ ଚଳାଇଛନ୍ତି। ଚାଇନା ସରକାର ପାକ୍ ସରକାରଙ୍କ ସହଯୋଗରେ ବେଲୁଚିସ୍ତାନରେ ନିର୍ମାଣ କରିଥିବା ଗ୍ୱାଦର ବନ୍ଦର ଉପରେ ଆଧିପତ୍ୟ ଚଳାଇଛି। ଏହାକୁ ମଧ୍ୟ ବେଲୁଚମାନେ ବିରୋଧ କରୁଛନ୍ତି। ଗ୍ୱାଦର ବନ୍ଦରଟି ଆରବ ସାଗର କୂଳରେ ଅବସ୍ଥିତ। ଏହାକୁ ଚାଇନାର ଏକ କମ୍ପାନୀ ପରିଚାଳନା କରୁଛି। ସେହି ବନ୍ଦର ଦେଇ ଚାଇନା ଓ ପାକିସ୍ତାନର ଅନେକ ପ୍ରକାର ଖଣିଜ କାରବାର ହେଉଛି। ପାକିସ୍ତାନ ମଧ୍ୟ ଦେଇ ଯାଇଥିବା ଚାଇନା ପାକିସ୍ତାନ ଇକୋନୋମିକ କରିଡର ମୁଖ୍ୟତଃ ଭାବେ ଏହି ଗ୍ୱାଦର ବନ୍ଦରକୁ ସଂଯୋଗ କରୁଛି। ବେଲୁଚ ବିଦ୍ରୋହୀମାନେ ଚାଇନାର ଆଧିପତ୍ୟକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି।
ବେଲୁଚ୍ ମୁକ୍ତି ବାହିନୀର ଏପରି ହିଂସାତ୍ମକ କାର୍ଯ୍ୟ ପାଇଁ ପାକିସ୍ତାନ ସରକାର ଏହାକୁ ଏକ ଆତଙ୍କବାଦୀ ସଂଗଠନ ଭାବେ ଚିହ୍ନଟ କରିଛନ୍ତି। ଇଂଲଣ୍ଡ, ଆମେରିକା, ଚାଇନା ଓ ୟୁରୋପୀୟ ୟୁନିଅନ ମଧ୍ୟ ଏହାକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି। ଏପରିକି ଇରାନ୍ ମଧ୍ୟ ଏହିପରି ଘୋଷଣା କରିଛି।
ସୋଭିଏତ ରୁଷ ବେଲୁଚ୍ ବିଦ୍ରୋହୀଙ୍କୁ ସମର୍ଥନ କରୁଥିବା ସମୟରେ ଇରାକ୍ ସରକାର ମଧ୍ୟ ଏହି ସଂଗଠନକୁ ଅସ୍ତ୍ରଶସ୍ତ୍ର ସହାୟତା ଦେଉଥିଲେ। ୧୯୭୩ ମସିହାରେ ପାକିସ୍ତାନୀ ସେନା ଇସଲାମାବାଦରେ ଥିବା ଇରାକୀ ଦୂତାବାସରେ ଅତର୍କିତ ଚଢ଼ଉ କରି କିଛି ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ଏହି ଅସ୍ତ୍ର ବେଲୁଚ ବିଦ୍ରୋହ ପାଇଁ ରହିଥିବା ଜଣାପଡ଼ିଥିଲା। ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜୁଲ ଫିକର ଅଲୀ ଭୁଟୋ ଏନେଇ ଭାରତ, ଆଫଗାନିସ୍ତାନ ସୋଭିଏତ ୟୁନିଅନ୍ ଓ ଇରାକ ବିରୋଧରେ ଅଭିଯୋଗ କରିଥିଲେ ଓ ଏହି ବିଦ୍ରୋହ ଦମନ କରିବାକୁ ପାକ୍ ସେନାକୁ ନିର୍ଦ୍ଦେଶ ଦେଇଥିଲେ।
ତଥାପି, ଏହା ଏଯାଏ ଥମି ନାହିଁ। ବରଂ ଅଧିକରୁ ଅଧିକ ସଂଗଠିତ ହେଉଛି ଓ ଅଧିକ ହିଂସାକାଣ୍ଡ ଘଟାଇ ଚାଲିଛି। ଏମାନଙ୍କର ଏକମାତ୍ର ଦାବି ହେଉଛି ପାକିସ୍ତାନରୁ ମୁକ୍ତି। ବେଲୁଚିସ୍ତାନରେ ଥିବା ଖଣିଜ ତଥା ଅନ୍ୟାନ୍ୟ ପ୍ରାକୃତିକ ସଂପଦ ବେଲୁଚ୍ମାନଙ୍କ କାମରେ ଲାଗିବା ପରିବର୍ତ୍ତେ ପାକିସ୍ତାନୀଙ୍କ କାର୍ଯ୍ୟରେ ଲାଗିଥିବାରୁ ସେମାନେ ବିରୋଧ କରୁଛନ୍ତି। ପାକ୍ ସେନା ବୁଗ୍ଟିଙ୍କୁ ହତ୍ୟା କରିବା ପରେ ମଧ୍ୟ ତାଙ୍କର ଅନୁଗତମାନେ ସଂଗଠିତ ହୋଇ ସଶସ୍ତ୍ର ବିଦ୍ରୋହ ଚଳାଇଛନ୍ତି।
ଖାୟବର ପାଖ୍ତୁନ୍ଖାୱାରେ ବି ଜାରି ରହିଛି ବିଦ୍ରୋହ
ଦକ୍ଷିଣ-ପଶ୍ଚିମ ସୀମାନ୍ତରେ ଥିବା ବେଲୁଚିସ୍ତାନର ଏକ ଶକ୍ତିଶାଳୀ ଗୋଷ୍ଠୀ ପାକିସ୍ତାନ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିଥିବାବେଳେ ଉତ୍ତର-ପଶ୍ଚିମ ସୀମାନ୍ତରେ ଥିବା ଖାୟବର ପାଖ୍ତୁନ୍ଖାୱାରେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ବ୍ରିଟିଶ ଶାସନ କାଳରୁ ଏହି ଅଞ୍ଚଳ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ନାମରେ ନାମିତ ଥିଲା। ଏହି ଅଞ୍ଚଳର ନେତା ଥିଲେ ସୀମାନ୍ତ ଗାନ୍ଧି ଖାନ୍ ଓରଫ ଅବ୍ଦୁଲ ଗଫର ଖାନ।
ସୀମାନ୍ତ ଗାନ୍ଧି ଭାରତ ବିଭାଜନକୁ ବିରୋଧ କରୁଥିଲେ। ପାକିସ୍ତାନରେ ପାସ୍ତୁନମାନଙ୍କର ସଂସ୍କୃତି ଓ ଐତିହ୍ୟ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସେ ଯୁକ୍ତି କରୁଥିଲେ। ତା’ଛଡ଼ା ପାକିସ୍ତାନରେ ମିଶିବା ଆଶାଙ୍କାରେ ସେ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସକୁ ସହଯୋଗ କରୁ ନଥିଲେ ବୋଲି ଦାବି କରୁଥିଲେ। ତେବେ ବ୍ରିଟିଶ ସରକାର, କଂଗ୍ରେସ ଓ ମୁସଲିମ ଲିଗ୍ର ସହମତିରେ ଭାରତ ବିଭାଜନ ହେଲା ଓ ଗଫର ଖାନ ବିଶ୍ୱାସଘାତର ଶିକାର ହେଲେ ବୋଲି ଅନୁଭବ କରି ବିଭାଜନକୁ ବାଧ୍ୟବାଧକତା ବଶତଃ ମାନିଥିଲେ।
ଇତିମଧ୍ୟରେ ବିତି ଯାଇଥିବା ୭୭ ବର୍ଷର ଅନୁଭବ ପରେ ଖାଇବର ପାଖ୍ତୁନ୍ଖାୱାରେ ମଧ୍ୟ ବିଦ୍ରୋହ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ପାସ୍ତୁନମାନେ ପାକିସ୍ତାନ ବିରୋଧରେ ଆତଙ୍କବାଦୀ ଅଭିଯାନ ଆରମ୍ଭ କରିଛନ୍ତି। ସେପଟେ ଭାରତଠାରୁ କପଟତାର ସହିତ ଛଡ଼ାଇ ନେଇଥିବା କାଶ୍ମୀର ଅଂଶ ବା ପାକ୍ ଅଧିକୃତ କାଶ୍ମୀରରେ ମଧ୍ୟ ଅସନ୍ତୋଷ ବ୍ୟାପିବାରେ ଲାଗିଲାଣି। ସେଠାକାର ଲୋକମାନେ ଆଜାଦ କାଶ୍ମୀର ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି।
ସେମାନେ ପାକିସ୍ତାନର ଏକ ପ୍ରଦେଶ ହେବାକୁ ଭାରତରୁ ଅଲଗା ହେବାକୁ ଚାହିଁ ନଥିଲେ ବୋଲି ଦାବି କଲେଣି। ପାକିସ୍ତାନ ସେନା ସେଠାରେ ଚଳାଇଥିବା ଅତ୍ୟାଚାରକୁ ସେଠା ଲୋକେ ଆଉ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି। ତେଣୁ ସେମାନେ ସେଠାକାର ସରକାର ବିରୋଧରେ ସଶକ୍ତ ଆନ୍ଦୋଳନ ଜରିଆରେ ଜନମତ ସଂଗଠିତ କଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।