Advertisment

El Mencho: କେମିତି ଡ୍ରଗ ମାଫିଆ ଏଲ ମେଞ୍ଚୋକୁ ମାରିଲା ମେକ୍ସିକୋ ସେନା?

ମେକ୍ସିକୋର ସବୁଠାରୁ ଶକ୍ତିଶାଳୀ କାର୍ଟେଲ୍ ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍ (CJNG)ର ସେ ମୁଖିଆ ଥିଲା। ସେ ଦେଶର ସବୁଠାରୁ ହିଂସ୍ର ଅପରାଧୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ।

author-image
Hemant Lenka
Mencho

ଏଲ ମେଞ୍ଚୋ

ମେକ୍ସିକୋ(Mexico)ର ମୋଷ୍ଟୱାଣ୍ଟେଡ ଡ୍ରଗ ବସ୍‌ ଏଲ ମେଞ୍ଚୋର ଖେଳ ଖତମ। ମେକ୍ସିକୋ ସୁରକ୍ଷାକର୍ମୀ ସ୍ୱତନ୍ତ୍ର ଅପରେସନ ଦ୍ୱାରା କାର୍ଟେଲ ଗ୍ୟାଙ୍ଗର ବସ୍‌କୁ ନିପାତ କରିଛନ୍ତି। ମେଞ୍ଚୋ ନିହତ ଖବର ସାମ୍ନାକୁ ଆସିବା ପରେ ମେକ୍ସିକର ଅନେକ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। କାର୍ଟେଲ୍ ସଦସ୍ୟମାନେ ପ୍ରତିଶୋଧ ନେବାକୁ ଓ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ମେକ୍ସିକୋ ସରକାର ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ନେମେସିଓ ଓସେଗୁଏରା ରୁବେନ୍ ସର୍ଭାଣ୍ଟେସ୍ ପୂରା ବିଶ୍ୱରେ "ଏଲ୍ ମେଞ୍ଚୋ" ନାମରେ ପରିଚିତ। ମେକ୍ସିକୋର ସବୁଠାରୁ ଶକ୍ତିଶାଳୀ କାର୍ଟେଲ୍ ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍ (CJNG)ର ସେ ମୁଖିଆ ଥିଲା। ସେ ଦେଶର ସବୁଠାରୁ ହିଂସ୍ର ଅପରାଧୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ତା’କୁ ଗିରଫ କରିବା ପାଇଁ ଆମେରିକା ଚାହୁଁଥିବା ବେଳେ ସୂଚନା ହାସଲ ପାଇଁ ୧୫ ମିଲିୟନ୍ ଡଲାରର ପୁରସ୍କାର ମଧ୍ୟ ଘୋଷଣା କରିଥିଲା।

ଏକ୍ସରେ ଗୋଟିଏ ପୋଷ୍ଟ କରି ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେଇନ୍‌ବାଉମ୍ ସେନା ଅପରେସନ୍‌କୁ ପ୍ରଶଂସା କରିଛନ୍ତି ଓ ଜନସାଧାରଣଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି। ସମସ୍ତ ରାଜ୍ୟର ସରକାରମାନଙ୍କ ସହିତ ସମ୍ପୂର୍ଣ୍ଣ ସମନ୍ୱୟ ରଖାଯାଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସବୁ କିଛି ସ୍ୱାଭାବିକ ରହିଥିବା ସେ ଏକ୍ସ ପୋଷ୍ଟରେ ଦାବି କରିଛନ୍ତି। କିନ୍ତୁ ବାସ୍ତବରେ ମେକ୍ସିକୋର ପ୍ରାୟ ୨୦ଟି ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। 

Advertisment

ଏଲ୍ ମେଞ୍ଚୋ କିପରି ନିହତ ହେଲା? 

ମେକ୍ସିକୋର ଜାତୀୟ ପ୍ରତିରକ୍ଷା ସଚିବାଳୟ ଅନୁଯାୟୀ, ସର୍ଭାଣ୍ଟେସ୍‌କୁ ପଶ୍ଚିମ ଉପକୂଳୀୟ ରାଜ୍ୟ ଜାଲିସ୍କୋର ଟାପାଲ୍ପା ନାମକ ଏକ ଛୋଟ ସହରରେ ଧରାଯାଇଥିଲା। ଏହି ସ୍ଥାନରେ ହିଁ ତା’ର କାର୍ଟେଲ୍ ପ୍ରତିଷ୍ଠିତ ଓ ମୁଖ୍ୟାଳୟ ରହିଛି। ସୁରକ୍ଷାକର୍ମୀଙ୍କ ସହ ରବିବାର ମେଞ୍ଚୋ ଓ ତା’ ଗ୍ୟାଙ୍ଗର ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ମେଞ୍ଚୋ ଆହତ ହୋଇଥିଲା। ଗୁରୁତର ଆହତ ଅବସ୍ଥାରେ ତା’କୁ ମେକ୍ସିକୋ ସିଟିକୁ ଚିକିତ୍ସା ପାଇଁ ନିଆଯିବା ସମୟରେ ତା’ର ମୃତ୍ୟୁ ହୋଇଥିଲା। 

ଅପରେସନ୍ ସମୟରେ ସୁରକ୍ଷାକର୍ମୀମାନେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ମେଞ୍ଚୋ ଗ୍ୟାଙ୍ଗର ସଦସ୍ୟମାନଙ୍କ ସହ ମୁହାମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ଯୋଗୁ ଘଟଣା ସ୍ଥଳରେ ୪ ଜଣ ପ୍ରାଣ ହରାଇଥିଲେ। ଆଉ ହୋଇଥିବା ଆଉ ୩ ଜଣଙ୍କ ମଧ୍ୟରେ ସର୍ଭାଣ୍ଟେସ୍ ମଧ୍ୟ ଥିଲା। ପରବର୍ତ୍ତୀ ସମୟରେ ତା’ର ମୃତ୍ୟୁ ହୋଇଥିବା ସଚିବାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ବିବୃତିରେ ଆହୁରି କୁହାଯାଇଛି ଯେ ଅପରେସନ ସମୟରେ ଘଟଣା ସ୍ଥଳରୁ ଆଉ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେହିପରି ସଶସ୍ତ୍ର ଗାଡ଼ି, ରକେଟ୍ ଲଞ୍ଚର୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଅପରେସନରେ ସାମିଲ ଥିବା ସେନାବାହିନୀର ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି।  

ମିଡିଆ ରିପୋର୍ଟ୍ ଅନୁଯାୟୀ ଅପରେସନ୍‌ରେ ଅତି କମରେ ୯ ଜଣ କାର୍ଟେଲ୍ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ସର୍ଭାଣ୍ଟେସ୍ ବର୍ଷ ବର୍ଷ ଧରି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚାଲିଥିଲା। ସେ ଜାଲିସ୍କୋରେ ପୁଲିସ୍‌କୁ ଲାଞ୍ଚ ଦେଇ ନିଜର ଅପରାଧ ସାମ୍ରାଜ୍ୟକୁ କାର୍ଯ୍ୟକାରୀ କରୁଥିଲା। ସେ ରାଜନୀତିକ ସୁରକ୍ଷା ମଧ୍ୟ ପାଉଥିଲା। 

୨୦୧୫ ମେ’ରେ ଯେତେବେଳେ ମେକ୍ସିକୋ ବାହିନୀ ତା’କୁ ଧରିବାକୁ ଯାଉଥିଲା ସେତେବେଳେ ଏହାର ସୂଚନା ଗ୍ୟାଙ୍ଗ ସଦସ୍ୟଙ୍କ ପାଖରେ ପହଞ୍ଚି ଯାଇଥିଲା। ଏଥିଯୋଗୁ ମେଞ୍ଚୋର ସମର୍ଥକମାନେ ଗୋଟିଏ ରକେଟ୍-ପ୍ରପେଲ୍ଡ୍ ଗ୍ରେନେଡ୍ ଦ୍ୱାରା ସେନା ହେଲିକପ୍ଟର୍‌ ଉଡ଼ାଇ ଦେଇଥିଲେ। ଏଥିଯୋଗୁ ମେଞ୍ଚୋ ଖସି ଯିବାକୁ ସକ୍ଷମ ହୋଇଥିଲା। ଏବେ କିନ୍ତୁ ମେଞ୍ଚୋ ସୁରକ୍ଷାକର୍ମୀଙ୍କ ଗୁଳିରୁ ରକ୍ଷା ପାଇ ନାହିଁ।

ଏହି ଘଟଣା ମେକ୍ସିକୋର ଡ୍ରଗ୍ କାର୍ଟେଲ୍ ବିରୋଧରେ ଆରମ୍ଭ ହୋଇଥିବା ଅପରେସନକୁ ବଡ଼ ସଫଳତା ଦେଇଛି। ଏଥିସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ମେକ୍ସିକୋ ଉପରେ ନିଶା କାରବାରକୁ ନେଇ ପଡ଼ୁଥିବା ଚାପକୁ ମଧ୍ୟ ଏହି ଅପରେସନ ହ୍ରାସ କରିବ। ମେକ୍ସିକୋରୁ ବେଧଡ଼କ ନିଶା ଦ୍ରବ୍ୟ ଆମେରିକାକୁ ଚାଲାଣ ହେଉଥିବାରୁ ଟ୍ରମ୍ପ ବାରମ୍ବାର ଏହା ବିରୋଧରେ ଗର୍ଜନ କରୁଥିଲେ। ଏପରି କି ସେ ମେକ୍ସିକୋରେ ଆକ୍ରମଣ କରିବାକୁ ଧମକ ଦେଉଥିଲେ।

ମେକ୍ସିକୋ ସରକାର କହିଛନ୍ତି ଯେ ଆମେରିକା ପକ୍ଷରୁ ଏହି ଅପରେସନ୍‌ ପାଇଁ ଗୁଇନ୍ଦା ତଥ୍ୟ ପ୍ରଦାନ କରାଯାଇଥିଲା। ତଥାପି ଏହା ସଂପୂର୍ଣ୍ଣ ଭାବେ ମେକ୍ସିକୋ ସେନାର ଅପରେସନ୍ ଥିଲା। ଏଥିରେ କୌଣସି ଆମେରିକୀୟ ସୈନ୍ୟ ସାମିଲ୍ ହୋଇ ନଥିଲେ। ମେଞ୍ଚୋ ଉଭୟ ମେକ୍ସିକୋ ଓ ଆମେରିକା ସରକାରଙ୍କ ଟପ୍ ଟାର୍ଗେଟ୍ ଥିଲା। ସେ ନିହତ ହେବା ପରେ ହ୍ୱାଇଟ ହାଉସ ପକ୍ଷରୁ ମେକ୍ସିକୋ ସେନାର କାର୍ଯ୍ୟକୁ ପ୍ରଶଂସା କରାଯାଇଛି। 

ଆମେରିକାର ଚାପ

ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ଏଲ୍ ମେଞ୍ଚୋର ଗିରଫଦାରୀ ପାଇଁ ୧୫ ମିଲିୟନ୍ ଡଲାରର ପୁରସ୍କାର ଘୋଷଣା କରିଥିଲା। ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍ ୨୦୦୯ରେ ନିଜର ଦବଦବା ଦେଖାଇଥିଲା। ଏହା ମେକ୍ସିକୋର ସବୁଠାରୁ ଶକ୍ତିଶାଳୀ ଓ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅପରାଧୀ ସଂଗଠନମାନଙ୍କ ମଧ୍ୟରୁ ଅନ୍ୟତମ। ଫେବୃଆରୀ ୨୦୨୫ରେ ଟ୍ରମ୍ପ ପ୍ରଶାସନ କାର୍ଟେଲ୍‌କୁ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲା। 

୨୦୨୦ରେ ଏହି ସଂଗଠନ ମେକ୍ସିକୋ ସିଟିର ଗ୍ରେନେଡ୍ ଓ ଉଚ୍ଚ-ଶକ୍ତିଶାଳୀ ରାଇଫଲ୍ ଦ୍ୱାରା ତତ୍କାଳୀନ ପୁଲିସ୍ ମୁଖ୍ୟଙ୍କୁ (ବର୍ତ୍ତମାନ ଫେଡେରାଲ୍ ସୁରକ୍ଷା ସଚିବ) ହତ୍ୟା ଉଦ୍ୟମ କରିଥିଲା। ଡିଇଏ (DEA) ଏହି କାର୍ଟେଲ୍‌କୁ ସିନାଲୋଆ କାର୍ଟେଲ୍ ପରି ଶକ୍ତିଶାଳୀ ବିବେଚନା କରେ ଯାହାର ଉପସ୍ଥିତି ସମସ୍ତ ୫୦ଟି ରାଜ୍ୟରେ ରହିଛି। ଆମେରିକା ବଜାରକୁ କୋକେନ୍‌ର ମୁଖ୍ୟ ଯୋଗାଣକାରୀ ହେଉଛି ମେଞ୍ଚୋ। 

Mexico