ପାର୍ଲେ-ଜି ବିସ୍କୁଟ ଭାରତର ପ୍ରତିଟି ଘରେ ପରିଚିତ। ଆମେ ପିଲା ବେଳୁ ଏହି ବିସ୍କୁଟ ସହ ଜଡ଼ିତ। ଏହାର ଦାମ ବହୁତ କମ ଓ ସ୍ୱାଦ ବେଶ ଅଧିକ। ସମସ୍ତେ ଏହାକୁ ବେଶ ସହଜରେ କିଣିବାକୁ ସକ୍ଷମ ହୁଅନ୍ତି। ପାର୍ଲେ-ଜି ବିସ୍କୁଟ ଆଦୌ ଦାମୀ ନୁହେଁ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ଏବେ ଖାଦ୍ୟ ସଙ୍କଟର ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲର ଘନଘନ ଆକ୍ରମଣ ଯୋଗୁ ଗାଜା ସହର ଛିନଛତ୍ର ହୋଇଯାଇଛି। ଏପରି ସ୍ଥିତିରେ ପାର୍ଲେ-ଜି ବିସ୍କୁଟ ତା’ର ମୂଳ ଦର ଠାରୁ ବିଭିନ୍ନ ସ୍ଥାନରେ ୫୦୦ ଗୁଣ ଅଧିକ ଟଙ୍କାରେ ବିକ୍ରି ହେଉଛି।
ନିକଟରେ ସାମ୍ନାକୁ ଆସିଥିବା ଗୋଟିଏ ଭାଇରାଲ ପୋଷ୍ଟ ଗାଜାର ବାସ୍ତବ ସ୍ଥିତିକୁ ବୟାନ କରିଛି। ଭାଇରାଲ ହେଉଥିବା ପୋଷ୍ଟରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ମମ୍ବାଇରେ ଉତ୍ପାଦିତ ହେଉଥିବା ପାର୍ଲେ ଜି ବିସ୍କୁଟ ପ୍ୟାକେଟ ପିଛା ୨୪ ୟୁରୋ ବା ୨୩୪୨ ଟଙ୍କାରେ ବିକ୍ରି ହେଉଛି। ଭାରତୀୟ ମାର୍କେଟରେ ପାର୍ଲେ-ଜି ସବୁଠାରୁ ଶସ୍ତା ବିସ୍କୁଟ ହୋଇଥିବା ବେଳେ ଏହାର ଦାମ ଗାଜାରେ ଏତେ ଅଧିକ ରହିବା କାହାକୁ ବି ବିଶ୍ୱାସ ହେଉନି। କିନ୍ତୁ ଗାଜାର ଜଣେ ବ୍ୟକ୍ତି ତାଙ୍କ ପୋଷ୍ଟରେ ଏପରି କିଛି ଦାବି କରିଛନ୍ତି।
ଭାଇରାଲ ହେଉଥିବେ ପୋଷ୍ଟରେ ବ୍ୟକ୍ତି ଜଣଙ୍କ ଦାବି କରିଛନ୍ତି ଯେ “ଦୀର୍ଘ ତଥା ଲମ୍ବା ଅପେକ୍ଷା ପରେ ମୁଁ ଶେଷରେ ରାଫିଫକୁ ତା’ର ପସନ୍ଦର ବିସ୍କୁଟ ଆଜି ଦେଇ ପାରିଛି। ଯଦିଓ ଏହାର ଦାମ ୧.୫ ୟୁରୋରୁ ୨୪ ୟୁରୋକୁ ବୃଦ୍ଧି ପାଇଛି, ତଥାପି ମୁଁ ରାଫିଫକୁ ତା’ର ପସନ୍ଦର ଟ୍ରିଟ ଦେବାକୁ ମନା କରିପାରିନି।”
ଅକ୍ଟୋବର ୨୦୨୩ ଇସ୍ରାଏଲ ଓ ହମାସ ଲଢ଼େଇର କିଛି ଦିନ ପରେ ଗାଜାର ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିଲା। ଗାଜାକୁ ମିଳିଥିବା ଖାଦ୍ୟ ଧୀରେଧୀରେ ହ୍ରାସ ପାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୨ରୁ ମେ’ ୧୯ ମଧ୍ୟରେ ଗାଜାକୁ ଖାଦ୍ୟ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। କେବଳ ସୀମିତ ମାନବୀୟ ସହାୟତା ରହିଥିବା ସାମଗ୍ରୀର ଟ୍ରକକୁ ଗାଜାରେ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଏଥିଯୋଗୁ ଗାଜାରେ ଉତ୍କଟ ଖାଦ୍ୟାଭାବ ଦେଖାଯାଇଛି।
ଅନ୍ତର୍ଜାତୀୟ ଚାପରେ ଇସ୍ରାଏଲ ଗାଜାକୁ ଖାଦ୍ୟ ଯୋଗାଣ ଟ୍ରକ ଛାଡ଼ିଛି। ହେଲେ ପ୍ରକୃତରେ ଭୋକିଲା ଥିବା ଲୋକଙ୍କ ପାଖରେ ଏହା କେତେ ମାତ୍ରାରେ ପହଞ୍ଚିଛି, ତା’ର ତଥ୍ୟ କାହା ପାଖରେ ନାହିଁ। ସେହିପରି ସାମଗ୍ରୀଗୁଡ଼ିକର କଳାବଜାରୀ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ବିଭିନ୍ନ ସାମଗ୍ରୀର ଦାମ ସାମ୍ନାକୁ ଆସିବା ପରେ ଗାଜାର ବାସ୍ତବ ଚିତ୍ର ପୂରା ବିଶ୍ୱ ଜାଣିବାକୁ ସକ୍ଷମ ହୋଇଛି।
କଳା ବଜାରୀର ବାସ୍ତବତା
ଭୟଙ୍କର ଦର ବୃଦ୍ଧି କେବଳ ପାର୍ଲେ-ଜି ବିସ୍କୁଟରେ ସୀମିତ ନାହିଁ। ଆଳୁ, ପିଆଜ, ଚିନି ଓ କଫିର ଦାମ ମଧ୍ୟ ଆଶା ଠାରୁ ଯଥେଷ୍ଟ ଅଧିକ ରହିଛି। ଗାଜା ସହରରେ ରହିଥିବା ୩୧ ବର୍ଷୀୟ ଡାକ୍ତର ଖାଲେଦ ଅଲଶାୱା କହିଛନ୍ତି, “ଦର ବୃଦ୍ଧି ସମସ୍ୟା ପ୍ରକୃତରେ ଯୋଗାଣକାରୀ କିମ୍ବା ଟିକସ ପାଇଁ ସୃଷ୍ଟି ହୋଇ ନାହିଁ। ଏହି ସବୁ ସାମଗ୍ରୀ ସାଧାଣତଃ ମାନବୀୟ ସହାୟତା ରୂପରେ ମାଗଣାରେ ଗାଜାରେ ପ୍ରବେଶ କରିଥାଏ। କିନ୍ତୁ ଏହା ମଧ୍ୟରୁ ସ୍ୱଳ୍ପ ସଂଖ୍ୟକ ଜିନିଷ ଲୋକଙ୍କ ପାଖରେ ପହଞ୍ଚେ। ଜିନିଷର ଅଭାବ ଯୋଗୁ ଲୋକମାନେ କଳା ବଜାରୀର ଶିକାର ହୋଇ ଅଧିକ ଦାମରେ ଏହାକୁ କିଣୁଛନ୍ତି।”
ଡାକ୍ତର ଖାଲେଦ ବହୁତ କଷ୍ଟରେ ଗୋଟିଏ ପାର୍ଲେ-ଜି ବିସ୍କୁଟର ପ୍ୟାକେଟ କିଣିବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ଏହି ପ୍ୟାକେଟ ପାଇଁ ପ୍ରାୟ ୨୪୦ ଟଙ୍କା ଦେବାକୁ ପଡ଼ିଛି। ଅନ୍ୟ କିଛି ସ୍ଥାନରେ ଏହାର ଦାମ ୨୦୦୦ ଟଙ୍କା ଥିବା ବେଳେ ଖାଲେଦ ଗାଜାର ମୁଖ୍ୟ ସହରରୁ ଏହାକୁ ୨୪୦ ଟଙ୍କାରେ ପାଇ ଯାଇଛନ୍ତି। ତାଙ୍କ କହିବା କଥା ଯେ ବିଭିନ୍ନ ସ୍ଥାନରେ ବିସ୍କୁଟ ପ୍ୟାକେଟର ଦାମ ଭିନ୍ନ ରହିଛି। ପାର୍ଲେ-ଜି ପ୍ୟାକେଟ ଉପରେ ଏକ୍ସପୋର୍ଟ ପ୍ୟାକ୍ର ଚିହ୍ନ ରହିଛି। ଏଥିରେ ଦାମ ଉଲ୍ଲେଖ କରାଯାଇ ନାହିଁ।
After a long wait, I finally got Ravif her favorite biscuits today. Even though the price jumped from €1.5 to over €24, I just couldn’t deny Rafif her favorite treat. pic.twitter.com/O1dbfWHVTF
— Mohammed jawad 🇵🇸 (@Mo7ammed_jawad6) June 1, 2025
ଖାଲେଦ କହିଛନ୍ତି ଯେ “୩ ମାସ ହେଲା ସୀମା ବନ୍ଦ ରହିଥିଲା। ଏବେ କେବଳ କିଛି ଅତି ଆବଶ୍ୟକ ଜିନିଷର ପ୍ରବେଶକୁ ଅନୁମତି ଦିଆଯାଇଛି। ଏହା ୨ ନିୟୁତ ଲୋକଙ୍କ ପାଇଁ ଯଥେଷ୍ଟ ହେଉ ନାହିଁ। କିଛି ଲୋକ ଜିନିଷ ପାଉଥିବା ବେଳେ ଆଉ କିଛି ଲୁଟପାଟ କରୁଛନ୍ତି। ଫଳ ସ୍ୱରୂପ ସାଧାରଣ ଲୋକ ବାଧ୍ୟ ହୋଇ ଅତ୍ୟନ୍ତ ଉଚ୍ଚ ଦରରେ ଏହାକୁ କିଣୁ ଛନ୍ତି।
ବିସ୍କୁଟ ପ୍ୟାକ୍ଟେଟ ପିଛା ୨୪ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାକି ଜିନିଷ ଦାମ ମଧ୍ୟ ଆଶା ଠାରୁ ଅଧିକ ରହିଛି। ଗାଜର ଅନେକ ସ୍ଥାନରେ ୧ କେଜି ଚିନିର ଦାମ ୪,୯୧୪ ଟଙ୍କା ଥିବା ବେଳେ ୧ ଲିଟର ରନ୍ଧନ ତେଲର ଦାମ ୪,୧୭୭ ଟଙ୍କା ରହିଛି। ସେହିପରି ଆଳୁ କେଜି ପିଛା ୧୯୬୫ ଟଙ୍କା, ପିଆଜ ୪୪୨୩ ଟଙ୍କା ଓ ଗୋଟିଏ କଫ କନି ପାଇଁ ଲୋକଙ୍କୁ ୧୮ଶହ ଟଙ୍କା ଦେବାକୁ ପଡ଼ୁଛି।
ଏହାବାଦ ଅତ୍ୟାବଶ୍ୟକ ସାମଗ୍ରୀ ଓ ଗ୍ରୋସରୀ ମଧ୍ୟ ଅଧିକ ଦାମରେ ବିକ୍ରି ହେଉଛି। ଯାହାକୁ ସାଧାରଣ ଗାଜାବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପାର୍ଲେ-ଜିର ଗୁରୁତ୍ୱ
ପାର୍ଲେ-ଜି ଖାଦ୍ୟ ଠାରୁ ବହୁତ କିଛି। ୧୯୩୮ ମସିହାରେ ଏହି ପାର୍ଲେ-ଜି ବିସ୍କୁଟକୁ ଲଞ୍ଚ କରାଯାଇଥିଲା। ଏହା ସ୍ୱଦେଶୀ ଜାଗରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବ୍ରିଟିଶ ସ୍ନାକ୍ସର ବିକଳ୍ପ ଭାବେ ଏହା ଉଭା ହୋଇଥିଲା। ଏହା ଏମିତି ଏକ ବିସ୍କୁଟ ଥିଲା ଯାହା ସବୁଠାରୁ ଶସ୍ତାରେ ଲୋକଙ୍କ ପାଖରେ ପହଞ୍ଚି ପାରିଥିଲା।
ସମୟକ୍ରମେ ପାର୍ଲେ-ଜି ନିଜର କମ ଦାମର ଟ୍ୟାଗକୁ ବଜାୟୀ ରଖି ପାରିଥିଲା। ପ୍ରଥମେ କମ୍ପାନୀ ମାତ୍ର ୫ ଟଙ୍କାରେ ୧୦୦ ଗ୍ରାମ ଓଜନର ବିସ୍କୁଟ ପ୍ୟାକେଟ ମାର୍କେଟକୁ ଛାଡ଼ୁଥିଲା। କିନ୍ତୁ ଏବେ ୫ ଟଙ୍କାରେ ୫୫ ଗ୍ରାମ ଓଜନର ବିସ୍କୁଟ ପାକେଟ ଆସୁଛି। ତଥାପି ଏହା ଭାରତରେ ସବୁ ଠାରୁ ଶସ୍ତା ବିସ୍କୁଟ ପ୍ୟାକେଟ ହୋଇ ରହିଛି।
୨୦୧୩ରେ ପାର୍ଲେ-ଜି ପ୍ରଥମ ଭାରତୀୟ ଏଫଏମସଜି ବ୍ରାଣ୍ଡ ଯାହା ବିକ୍ରିରେ ୫୫ କୋଟି ଟଙ୍କା ଅତିକ୍ରମ କରିବାର ରେକର୍ଡ କରିଥିଲା। ୨୦୧୧ ସୁଦ୍ଧା ପାର୍ଲେ-ଜି ବିଶ୍ୱର ସବୁଠାରୁ ଅଧିକ ବିକ୍ରି ହେଉଥିବା ବିସ୍କୁଟରେ ପରିଣତ ମଧ୍ୟ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।