Advertisment

ତାଲିବାନର ନୂଆ ସର୍ଭେଲାନ୍ସ ନେଟୱର୍କ: କେମିତି ଲକ୍ଷାଧିକ ଲୋକଙ୍କ ଉପରେ ରଖୁଛି ନଜର?

ଅପରାଧକୁ ରୋକିବାରେ ଏପରି ସର୍ଭେଲାନ୍ସ ସହାୟତା କରୁଥିବା ତାଲିବାନ କହୁଥିଲେ ହେଁ ସମାଲୋଚକମାନେ କହିଛନ୍ତି ଯଦି କଠୋର ଶରିଆ ଆଇନ ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତା’କୁ ଜାଣିବା ପାଇଁ ଏପରି ବ୍ୟବସ୍ଥା କରଯାଇଛି।

author-image
Hemant Lenka
Taliban

Taliban

ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ସର୍ଭେଲାନ୍ସ ନେଟୱର୍କ ସମ୍ପର୍କରେ ବଡ଼ ଖବର ସାମ୍ନାକୁ ଆସିଛି। ଆଫଗାନିସ୍ତାନକୁ ଦଖଲ କରିବା ପରେ ମହିଳାଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରି ଦେଇଥିବା ତାଲିବାନ ଏବେ ଦେଶର ନାଗରିକଙ୍କ ଉପରେ କଡ଼ା ନଜର ରଖୁଛି। ଏଥିପାଇଁ ତାଲିବାନ ପୁଲିସ୍‌ ପକ୍ଷରୁ ୯୦, ୦୦୦ ସିସିଟିଭି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ଦ୍ୱାରା ୬୦ ଲକ୍ଷ ଲୋକଙ୍କ ଦୈନିନ୍ଦିନ କାର୍ଯ୍ୟକଳାପ ଓ ଚାଲି ଚଲଣ ଉପରେ ତାଲିବାନ ସିଧାସଳଖ ନଜର ରଖୁଛି। ଲାଇସେନ୍ସ ପ୍ଲେଟ ଠାରୁ ଆରମ୍ଭ କରି ମୁଖ ଭଙ୍ଗି କିଛି ବି ତାଲିବାନ ଆଖିରୁ ବାଦ ପଡ଼ୁ ନାହିଁ। କଡ଼ା ନିୟମ ପ୍ରଣୟନ କରିଥିବା ତାଲିବାନ ଏହାକୁ ଆଧାର କରି ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରୁଛି।

Advertisment

ତାଲିବାନ ପୁଲିସ୍‌ ମୁଖ୍ୟଙ୍କ ଜଣେ ମୁଖପାତ୍ର ଖାଲିଦ ଜଦ୍ରାନ କହିଛନ୍ତି, “ଆମେ ଗୋଟିଏ ସ୍ଥାନରେ ବସି ପୂରା କାବୁଲ ସହରକୁ ଏଠାରୁ ମନିଟରିଂ କରୁଛୁ। ସେହିପରି କିଛି ପଡ଼ୋଶୀ ମଧ୍ୟ ଯଦି କୌଣସି ସନ୍ଦେହଜନକ ଘଟଣା କିମ୍ବା ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଉଛନ୍ତି, ତା’ହେଲେ ସେମାନେ ସ୍ଥାନୀୟ ପୁଲିସ୍‌ ସହ ଯୋଗାଯୋଗ କରୁଛନ୍ତି।”

ଅପରାଧକୁ ରୋକିବାରେ ଏପରି ସର୍ଭେଲାନ୍ସ ସହାୟତା କରୁଥିବା ତାଲିବାନ କହୁଥିଲେ ହେଁ ସମାଲୋଚକମାନେ କହିଛନ୍ତି ଯଦି କଠୋର ଶରିଆ ଆଇନ ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତା’କୁ ଜାଣିବା ପାଇଁ ଏପରି ବ୍ୟବସ୍ଥା କରଯାଇଛି। ତାଲିବାନ ନିଜ ଇଚ୍ଛାରେ ପ୍ରଣୟନ କରିଥିବା ଆଇନକୁ କାର୍ଯ୍ୟକାରୀ କରିବା ଓ ଲୋକଙ୍କ ଉପରେ ନଜର ରଖିବା ପାଇଁ ଏପରି ପଦକ୍ଷେପ ନେଇଛି।

Advertisment

ତାଲିବାନ ପୁଲିସ୍‌ ଲଗାଇଥିବା କ୍ୟାମେରା ଲୋକଙ୍କ ମୁହଁ ଦେଖି ଟ୍ରାକ କରିବାକୁ ସକ୍ଷମ। ସ୍କ୍ରିନର ଗୋଟିଏ କୋଣରେ ଥିବା ଇମେଜ ପପ୍ ଅପରେ ବୟସ, ଲିଙ୍ଗ ଓ ସେମାନେ ଦାଢ଼ି କିମ୍ବା ମାସ୍କ ଭଳି ବର୍ଗୀକରଣ ରହିଛି। ସ୍ପଷ୍ଟ ଆଲୁଅରେ କ୍ୟାମେରା ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ବହୁ କିମି ଦୂରରୁ ମଧ୍ୟ ଜୁମ କରି ଚିହ୍ନଟ କରିବାରେ ତାଲିବାନ କ୍ୟାମେରା ସକ୍ଷମ।

ମାନବାଧିକାର ଉପରେ ଗୁରୁତ୍ୱ ଦେଉଥିବା ଏନଜିଓ ଆମନେଷ୍ଟୀ ଇଣ୍ଟରନ୍ୟାଶନାଲ କହିଛି ଯେ ଜାତୀୟ ସୁରକ୍ଷା ଆଳରେ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି। କିନ୍ତୁ ଲୋକଙ୍କ ମୌଳିକ ଅଧିକାରୀକୁ ସଙ୍କୁଚିତ କରିବା ହିଁ ତାଲିବାନର ଉଦ୍ଦେଶ୍ୟ। ବିଶେଷ କରି ସର୍ବସାଧାରଣରେ ମହିଳାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ତାଲିବାନ ଏପରି କ୍ୟାମେରା ଲଗାଇଛି। ମହିଳାମାନେ ଭୟ କରୁଛନ୍ତି ଯେ ସର୍ଭେଲାନ୍ସ ବ୍ୟବସ୍ଥା ହିଜାବ ନିୟମକୁ ମନିଟର କରିବ। ସର୍ଭେଲାନ୍ସ ବ୍ୟବସ୍ଥା ଦ୍ୱାରା ତାଲିବାନ ମହିଳାଙ୍କ ଉପରେ ନଜର ରଖୁଛି।

କେନ୍ଦ୍ରୀୟ କାବୁଲରେ ରହୁଥିବା ଜଣେ ମହିଳା କହିଛନ୍ତି, ତାଲିବାନ ପକ୍ଷରୁ ଲୋକଙ୍କ ଘର ପାଖରେ ଲାଗିଥିବା କ୍ୟାମେରା ବାବଦରେ ଟଙ୍କା ମଗାଯାଉଛି। ଯଦି କୌଣସି ପରିବାର ଟଙ୍କା ଦେବାକୁ ମନା କରୁଛନ୍ତି, ତା’ହେଲେ ୩ ଦିନ ମଧ୍ୟରେ ପାଣି ଓ ବିଜୁଳି କାଟି ଦେବାକୁ ଧମକ ଦିଆଯାଉଛି। କ୍ୟାମେରା ବାବଦରେ ଆମେ ଋଣ କରି ଟଙ୍କା ଦେଇଛୁ। ଲୋକମାନେ ଏଠାରେ ଭୋକ ଉପାସରେ ରହିଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଏହି କ୍ୟାମେରା କେତେ ଭଲ ବୋଲି ମହିଳା ଜଣଙ୍କ ପ୍ରଶ୍ନ କରିଛନ୍ତି।

ତାଲିବାନ କ୍ଷମତା ଦଖଲ କରିବା ଦିନ ଠାରୁ ଅନ୍ତର୍ଜାତୀୟ ପାଣ୍ଠି ଆଫଗାନିସ୍ତାନକୁ ମିଳୁନାହିଁ। ଫଳରେ ଏଠାରେ ରହୁଥିବା ୩୦ ମିଲିୟନ ଲୋକ ବହୁତ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି।

Taliban Recapture Afghanistan Taliban Talibani Punishment