/odisha-reporter/media/media_files/2026/02/07/trump-2026-02-07-14-02-55.jpg)
ଆମେରିକା ଜାରି କରିଥିବା ମାନଚିତ୍ର
ନୂଆଦିଲ୍ଲୀ ଓ ୱାଶିଂଟନ ଶନିବାର ବାଣିଜ୍ୟ ଡିଲର ଢଞ୍ଚା ଘୋଷଣା କରିଛନ୍ତି। ଏଥିସହ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଶେୟାର କରାଯାଇଛି ଭାରତର ମାନଚିତ୍ର। ଆମେରିକା ପ୍ରଶାସନ ଜାରି କରିଥିବା ଭାରତ(India)ର ମାନଚିତ୍ର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋଶାଲ ମିଡିଆରେ ମଧ୍ୟ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି ପାକିସ୍ତାନ ଏହି ମାନଚିତ୍ରକୁ ଦେଖି ଦୋହଲି ଯାଇଛି। ପାକିସ୍ତାନ ଲୋକହସାର ସମ୍ମୁଖୀନ ହୋଇଛି।
ବାଣିଜ୍ୟ ଡିଲ ସମ୍ପର୍କିତ ବିବରଣୀ ସାର୍ବଜନୀନ କରିବା ସମୟରେ ଆମେରିକାର ବ୍ୟବସାୟ ପ୍ରତିନିଧି କାର୍ଯ୍ୟାଳୟ ଭାରତ ମାନଚିତ୍ର ଜାରି କରିଛି। ଏହି ମାନଚିତ୍ରରେ ସମଗ୍ର ଜମ୍ମୁ–କାଶ୍ମୀର ଅର୍ଥାତ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ଭାରତର ଅଂଶ ଭାବେ ଚିତ୍ରିତ କରାଯାଇଛି। ଏହାସହିତ ଚାଇନା ପକ୍ଷରୁ ଭାରତର ଯେଉଁ ଭୂଭାଗକୁ ନିଜର ବୋଲି ଦାବି କରାଯାଉଛି, ତା’କୁ ମଧ୍ୟ ନୂଆଦିଲ୍ଲୀର ଅଂଶ ଭାବେ ଆମେରିକା ଦର୍ଶାଇଛି। ଅର୍ଥାତ ଅକ୍ସାଇ ଚାଇନାକୁ ଆମେରିକା ଭାରତର ବୋଲି ମାନଚିତ୍ରରେ ଉଲ୍ଲେଖ କରିଛି।
ତେବେ ଭାରତର ଭୂମିସ୍ୱାଧୀନତାକୁ ଆମେରିକାର ସ୍ୱୀକୃତି ଆବଶ୍ୟକ ବୋଲି ଭାବିବା ଉଚିତ ନୁହେଁ। ଭାରତ ସବୁବେଳେ ଦୃଢ଼ ଭାବେ କହିଆସିଛି ଯେ ପୂରା କଶ୍ମୀର ଦେଶର ଅଭିନ୍ନ ଅଂଶ। ତଥାପି ଏହି ମାନଚିତ୍ର ଆମେରିକାର ପୂର୍ବ ଆଭିମୁଖ୍ୟ ତୁଳନାରେ ଭିନ୍ନ। ଭାରତର ମାନଚିତ୍ରକୁ ନେଇ ଆମେରିକା ନିଜର ଆଭିମୁଖ୍ୟ ବଦଳାଇଥିବା କୁହାଯାଉଛି।
ଇଚ୍ଛାକୃତ ହେଉ କି ଅଜାଣତରେ ଏହା ପାକିସ୍ତାନ(Pakistan) ପାଇଁ ଗୋଟିଏ ଶକ୍ତିଶାଳୀ କୂଟନୀତିକ ସଙ୍କେତ। କାରଣ ଆମେରିକୀୟ ନେତୃତ୍ୱ ସହ ଭାରତର ଏହି ମାନଚତ୍ରର ଲିଙ୍କ ରହିଛି। ଭାରତ ନିଜର ଭୂଭାଗକୁ ନେଇ କରୁଥିବା ଦାବିକୁ ଆମେରିକା ମାନଚିତ୍ର ଦ୍ୱାରା ସ୍ୱୀକୃତି ଦେଇଛି।
ଆମେରିକାର ଭାରତ ମାନଚିତ୍ର କାହିଁକି ଗୁରୁତ୍ୱପୂର୍ଣ୍ଣ?
ପୂର୍ବରୁ ଆମେରିକା କିମ୍ବା ଦେଶର ବିଦେଶ ବିଭାଗ ପ୍ରକାଶ କରୁଥିବା ମାନଚିତ୍ର ଗୁଡ଼ିକରେ ପିଓକେକୁ ସ୍ପଷ୍ଟ ଭାବେ ଅଲଗା କରି ଦର୍ଶାଯାଉଥିଲା। ପାକିସ୍ତାନ କରୁଥିବା ଦାବିକୁ ଧ୍ୟାନରେ ରଖି ଆମେରିକା ଏପରି ପଦକ୍ଷେପ ନେଉଥିଲା। କିନ୍ତୁ ଟ୍ରମ୍ପ ପ୍ରଶାସନ ଏବେ ଜାରି କରିଥିବା ନୂଆ ମାନଚିତ୍ର ପାକିସ୍ତାନର ଦାବିକୁ ଅଗ୍ରାହ୍ୟ କରିଛି।
ଏପରି ମାନଚିତ୍ର ଜାରି କରାଯିବାର ସମୟ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଅସ୍ଥିର ସମୟରେ ଟ୍ରମ୍ପଙ୍କ ନେତୃତ୍ୱରେ ଭାରତ–ଆମେରିକା ସମ୍ପର୍କ ପୁନଃସ୍ଥାପିତ ହେଉଛି। ବ୍ୟବସାୟ ଚୁକ୍ତିକୁ ଲାଗି ରହିଥିବା ଅଚଳାବସ୍ଥା ସମୟରେ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଥିଲେ। ଏହା ଆମେରିକାର ସହଯୋଗୀ ଦେଶମାନଙ୍କ ମଧ୍ୟରେ ସର୍ବାଧିକ ଥିଲା। ହେଲେ ନୂଆ ଟ୍ରେଡ ଡିଲ୍ ଅନୁଯାୟୀ ଟ୍ରମ୍ପ ପ୍ରଶାଦନ ଏହାକୁ କମାଇ ୧୮% କରିଛି। ଏବେ ଏହା ଏସିଆର ବିଭିନ୍ନ ଦେଶ ଉପରେ ଲାଗୁ ହେଉଥିବା ସବୁଠାରୁ କମ ଟାରିଫ।
ମାନଚିତ୍ରରେ ଉତ୍ତର–ପୂର୍ବ ଲାଦାଖରେ ଅବସ୍ଥିତ ବିବାଦୀୟ ଅକ୍ସାଇ ଚାଇନା ଅଞ୍ଚଳକୁ ମଧ୍ୟ ଭାରତର ଅଂଶ ଭାବେ ଦର୍ଶାଯାଇଛି। ଚାଇନା ଏହି ଅଞ୍ଚଳ ଉପରେ ଦାବି କରିଆସୁଥିବା ସତ୍ତ୍ୱେ ଭାରତ ଏହାକୁ ସବୁବେଳେ ଅସ୍ୱୀକାର କରିଛି। ପୂର୍ବରୁ ଭାରତର ବିଦେଶ ମନ୍ତ୍ରଣାଳୟ ଆମେରିକା(USA)ର ବିଦେଶ ବିଭାଗ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ଭାରତର ସୀମାକୁ ଭୁଲ୍ ଭାବେ ଦର୍ଶାଯାଇବାକୁ ନେଇ ଆପତ୍ତି ଜଣାଇଆସୁଥିଲା।
ବିଶେଷକରି ଜମ୍ମୁ-ଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ନେଇ ଭାରତ ଆପତ୍ତି କରୁଥିଲା। ତେଣୁ ଏବେ ଭାରତର ଦାବିକୁ ଆମେରିକା ପରୋକ୍ଷରେ ମାନଚତ୍ର ଦ୍ୱାରା ସ୍ୱୀକୃତି ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
