Advertisment

କାହିଁକି ଜେଲେନସ୍କି ଉପରେ ବିଗିଡ଼ି ଗଲେ ଟ୍ରମ୍ପ? ହସ ଖୁସିରେ ଆରମ୍ଭ, ଯୁକ୍ତିତର୍କରେ ଶେଷ

ଟ୍ରମ୍ପଙ୍କ ସହ ଆଲୋଚନା କରିବା ପାଇଁ ଜେଲେନସ୍କି ଶୁକ୍ରବାର ହ୍ୱାଇଟ ହାଉସକୁ ଆସିଥିଲେ। କିନ୍ତୁ ହସଖୁସିରେ ଆରମ୍ଭ ହୋଇଥିବା ଆଲୋଚନା ଶେଷରେ ଯୁକ୍ତିତର୍କରେ ଶେଷ ହୋଇଛି।

author-image
Hemant Lenka
Trump

Trump

ବିଶ୍ୱ ଇତିହାସରେ ପ୍ରଥମ। କ୍ୟାମେରା ସାମ୍ନାରେ କଥା କଟାକଟି ହେଲେ ଦୁଇ ଦେଶର ରାଷ୍ଟ୍ରପତି। ହସଖୁସିରେ ଆରମ୍ଭ ହୋଇଥିବା ଆଲୋଚନା ବିସ୍ଫୋରକ ରୂପ ନେଲା। ଶେଷରେ ନିମନ୍ତ୍ରିତ ରାଷ୍ଟ୍ରର ରାଷ୍ଟ୍ରପତି ଓ ତାଙ୍କ ଟିମକୁ ଆଲୋଚନା ସ୍ଥଳରୁ ଚାଲି ଯିବାକୁ କୁହାଗଲା। ଏପରି ଏକ ଘଟଣା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ମଧ୍ୟରେ ଘଟିଛି।

Advertisment

ଟ୍ରମ୍ପଙ୍କ ସହ ଆଲୋଚନା କରିବା ପାଇଁ ଜେଲେନସ୍କି ଶୁକ୍ରବାର ହ୍ୱାଇଟ ହାଉସକୁ ଆସିଥିଲେ। କିନ୍ତୁ ହସଖୁସିରେ ଆରମ୍ଭ ହୋଇଥିବା ଆଲୋଚନା ଶେଷରେ ଯୁକ୍ତିତର୍କରେ ଶେଷ ହୋଇଛି। ଜେଲେନସ୍କିଙ୍କୁ ଚମତ୍କାର ବ୍ୟକ୍ତି କହି କ୍ୟାମେରା ସାମ୍ନାରେ ଆଲୋଚନା କରିଥିବା ଟ୍ରମ୍ପ ତାଙ୍କୁ ଶେଷରେ ମନଇଚ୍ଛା ଗାଳି ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତିଙ୍କୁ ସମ୍ମାନ ଦେବା ଜେଲେନସ୍କିଙ୍କୁ ଜଣା ନଥିବା ମଧ୍ୟ ଟ୍ରମ୍ପ କ୍ୟାମେରା ସାମ୍ନାରେ କହିଛନ୍ତି। ଆମେରିକାର ଉପ ରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଆଲୋଚନା ବେଳେ ଉପସ୍ଥିତ ଥିଲେ। ସେ ବି ଜେଲେନସ୍କିଙ୍କ ଉପରେ ଅସନ୍ତୋଷ ଝାଡ଼ିବାକୁ ପଛାଇ ନାହାନ୍ତି।

ଶୁକ୍ରବାର ଆମେରିକା-ୟୁକ୍ରେନ ମଧ୍ୟରେ ଆଲୋଚନା ବେଶ ସକାରାତ୍ମକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା। ଗୋଟିଏ ସମୟରେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ଜଣେ ଚମତ୍କାର ବ୍ୟକ୍ତି' ବୋଲି କହିଥିଲେ। ଟ୍ରମ୍ପ କହିଥିଲେ, “ମୁଁ ଭାବୁଛି ସେ ଜଣେ ମହାନ ବ୍ୟକ୍ତି।"  ୪୦ ମିନିଟର ଆଲୋଚନାର ଶେଷ ଭାଗରେ ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଥାବାର୍ତ୍ତା ନାଟକୀୟ ମୋଡ଼ ନେଇଥିଲା।

Advertisment

ୟୁକ୍ରେନ ଓ ରୁଷ ମଧ୍ୟରେ ଶାନ୍ତି କଥାବାର୍ତ୍ତାକୁ ଆଗକୁ ବଢ଼ାଇବା ପାଇଁ ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ କୂଟନୀତିକ ସ୍ତରରେ ଉଦ୍ୟମ ହେଉଥିବା ପ୍ରଥମେ କୁହାଯାଉଥିଲା। କିନ୍ତୁ ଏହା ଗୋଟିଏ ଭୟଙ୍କର ଯୁକ୍ତିତର୍କର ସ୍ଥିତି ସୃଷ୍ଟି କରିଥିଲା। ଏଥିସହ ରୁଷ ସହ ଯୁଦ୍ଧ ବିରତି ପାଇଁ ଚାଲିଥିବା ଆଲୋଚନା ମଧ୍ୟ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ୟୁକ୍ରେନର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରୁଷ ପ୍ରତି ଟ୍ରମ୍ପଙ୍କ ଆଭିମୁଖ୍ୟ ଓ ଗତ ସପ୍ତାହରେ ଜେଲେନସ୍କିଙ୍କୁ ସେ "ଏକଛତ୍ରବାଦୀ" ବୋଲି କହିବା ସତ୍ତ୍ୱେ ଶୁକ୍ରବାର ଆଲୋଚନାର ପ୍ରଥମ ୪୦ ମିନିଟ ବେଶ ସକାରାତ୍ମକ ରହିଥିଲା। ଟେଲିଭିଜନକୁ ଭଲ ଭାବେ ବୁଝିଥିବା ଉଭୟ ନେତା କ୍ୟାମେରା ସାମ୍ନାରେ କେମିତି ବ୍ୟବହାର କରିବାକୁ ପଡ଼ିବ, ସେକଥା ଭଲ ଭାବେ ବୁଝିଥିଲେ। ପରସ୍ପର ସହ ହାତ ମିଳାଇଥିଲେ ଓ ଟ୍ରମ୍ପ ଥଟାରେ ଜେଲେନସ୍କିଙ୍କ ପୋଷାକ ଉପରେ ମନ୍ତବ୍ୟ ଦେଇଥିଲେ।

ଜେଲେନସ୍କି ବିରଳ ଖଣିଜ ପଦାର୍ଥ ଉପରେ ଆମେରିକା ସହ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଆସିଥିଲେ। ପ୍ରଥମେ ଟ୍ରମ୍ପଙ୍କ ପକ୍ଷରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ଟ୍ରମ୍ପ ତାଙ୍କୁ ଯୁଦ୍ଧ ବିରତିରେ ରାଜି ହେବାକୁ କହିଥିଲେ। ଏଥିସହ ଏକତରଫା ଭାବେ ୟୁକ୍ରେନର ବିରଳ ଖଣିଜ ପଦାର୍ଥର ମାଲିକାନା ପରୋକ୍ଷରେ ଆମେରିକାକୁ ଦେଇ ଦେବାକୁ କହିଥିଲେ। କିନ୍ତୁ ଜେଲେନସ୍କି ଏଥିରେ ରାଜି ହୋଇ ନଥିଲେ। ରୁଷ ସହ ଯୁଦ୍ଧ ବିରତି ଓ ଖଣିଜ ପଦାର୍ଥ ଚୁକ୍ତି ପାଇଁ ସେ ଆମେରିକା ଠାରୁ ସୁରକ୍ଷା ଗ୍ୟାରେଣ୍ଟୀ ଚାହିଁଥିଲେ।

ଜେଲେନସ୍କି କହିଥିଲେ ରୁଷ୍ ଆମ ଦେଶର ଅଧିକାଂଶ ଅଞ୍ଚଳକୁ କବଜା କରିଛି। ଆଗୁଆ ଆକ୍ରମଣ କରି ଆମ ନାଗରିକଙ୍କୁ ହତ୍ୟା କରିଛି। ୨୦୧୪ ଠାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମନଇଚ୍ଛା କାମ କରୁଛନ୍ତି। ଏବେ ଯୁଦ୍ଧ ବିରତି ଲଗାଇଲେ ୟୁକ୍ରେନକୁ ଆମେରିକା ସିକ୍ୟୁରିଟି ଗ୍ୟାରେଣ୍ଟୀ ଦେବ କି ବୋଲି ଜେଲେନସ୍କି ପ୍ରଶ୍ନ କରିଥିଲେ। ସେହିପରି ବିନା ସୁରକ୍ଷା ଗ୍ୟାରେଣ୍ଟୀରେ ଏକତରଫା ଭାବେ ୟୁକ୍ରେନ ତା’ର ବିରଳ ଖଣିଜ ପଦାର୍ଥକୁ ଆମେରିକା ହାତରେ ଦେଇ ପାରିବ ନାହିଁ। 

ବାସ୍‌ ଏହା ପରେ ବଦଳି ଯାଇଥିଲା ସବୁ କିଛି। ପ୍ରଥମେ ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଓ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାମେରା ସାମ୍ନାରେ ଜେଲେନସ୍କିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଓଭାଲ୍ ଅଫିସରେ ପୂର୍ବରୁ କେବେ ଘଟି ନଥିବା ଘଟଣା ଘଟିଥିଲା। ଗୋଟିଏ ବିଦେଶ ରାଷ୍ଟ୍ରର ମୁଖ୍ୟଙ୍କୁ ଆମେରିକାର ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ମନଇଚ୍ଛା ଗାଳି ଦେଇଥିଲେ। ପ୍ରବଳ ଯୁକ୍ତିତର୍କ ଦେଖାଯାଇଥିଲା।

ୟୁକ୍ରେନର ରାଷ୍ଟ୍ରପତି ଭାବିଥିଲେ ଯେ ତାଙ୍କର ହ୍ୱାଇଟ୍ ହାଉସ ଗସ୍ତ ଓ ଟ୍ରମ୍ପଙ୍କ ସହ ଆଲୋଚନା ସକାରାତ୍ମକ ରହିବ। ଖଣିଜ ପଦାର୍ଥ ଚୁକ୍ତି ସ୍ୱାକ୍ଷର ସହିତ ଏହା ଶେଷ ହେବ। ଏହି ଚୁକ୍ତି ଦ୍ୱାରା ୟୁକ୍ରେନର ଭବିଷ୍ୟତ ଗଠନରେ ଆମେରିକା ଗୋଟିଏ ବଡ଼ ଭୂମିକା ନିର୍ବାହ କରିବ। କିନ୍ତୁ ଏହା ବଦଳରେ ଟ୍ରମ୍ପ ଓ ଉପ ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଦ୍ୱାରା ଜେଲେନସ୍କି ସର୍ବସମ୍ମୁଖରେ ସମାଲୋଚନାର ଶିକାର ହୋଇଛନ୍ତି। ଟ୍ରମ୍ପ ଆଶା କରୁଥିଲେ ଯେ ରୁଷ ସହ ଯୁଦ୍ଧ ସମୟରେ ୟୁକ୍ରେନକୁ ଆମେରିକା ବର୍ଷବର୍ଷ ଧରି ଯୋଗାଇ ଦେଇଥିବା ସହାୟତା ପାଇଁ ଜେଲେନସ୍କି ସର୍ବସମ୍ମୁଖରେ ତାଙ୍କୁ କୃତଜ୍ଞତା ଜଣାଇବେ। ସେହିପରି ବିନା ସର୍ତ୍ତରେ ୟୁକ୍ରେନର ଖଣିଜ ପଦାର୍ଥ ଆମେରିକା ହାତରେ ଟେକି ରୁଷ ସହ ଯୁଦ୍ଧ ବିରତି ଆଲୋଚନା ଆଗକୁ ବଢ଼ାଇବେ। 

କିନ୍ତୁ ଭ୍ଲାଦିମିର ପୁଟିନଙ୍କ ସହିତ ଯୁଦ୍ଧ ବିରତି ଆଲୋଚନା ପାଇଁ ଜେଲେନସ୍କି ଅଧିକ ପ୍ରୟାସ କରିବା ଉଚିତ ବୋଲି ଟ୍ରମ୍ପଙ୍କ ପରାମର୍ଶକୁ ସେ ବିରୋଧ କରିଥିଲେ। ଏହା ଶୁଣି ଟ୍ରମ୍ପ ଓ ଭାନ୍ସ ଏହା "ଅସମ୍ମାନଜନକ" ବୋଲି ମତ ରଖିଥିଲେ। ଯୁକ୍ତିତର୍କ ସହ ବୈଠକ ଶେଷ ହୋଇଥିଲା। ଏହାପରେ ଜେଲେନସ୍କିଙ୍କୁ ଏକ ନିର୍ଦ୍ଧାରିତ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ହ୍ୱାଇଟ ହାଉସରୁ ଚାଲିଯିବାକୁ କୁହାଯାଇଥିଲା।

ଉଭୟ ପକ୍ଷଙ୍କ ଦ୍ୱାରା ଆଲୋଚନା ହୋଇଥିବା ଖଣିଜ ଚୁକ୍ତି ସ୍ୱାକ୍ଷରିତ ହୋଇ ନାହିଁ। ଜେଲେନସ୍କି ଯିବାର କିଛି ସମୟ ପରେ ଟ୍ରମ୍ପ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ "ଶାନ୍ତି ପାଇଁ ପ୍ରସ୍ତୁତ ହେଲେ ତୁମେ ଆସି ପାରିବ।”

ଜେଲେନସ୍କି ଓ ଭାନ୍ସଙ୍କ ମଧ୍ୟରେ ଯୁକ୍ତିତର୍କ

ବୈଠକର ପ୍ରାୟ ୩୦ ମିନିଟ ଆନୁଷ୍ଠାନିକ ଆଲୋଚନା ଓ ସୌଜନ୍ୟପୂର୍ଣ୍ଣ ଆଦାନପ୍ରଦାନ ହୋଇଥିଲା। ଉପ ରାଷ୍ଟ୍ରପତି ଜେଡି ଭାନ୍ସ କହିଥିଲେ ଯେ "ଶାନ୍ତିର ପଥ ଓ ସମୃଦ୍ଧିର ପଥ ସମ୍ଭବତଃ କୂଟନୀତିକ ସ୍ତରରେ ବାସ୍ତବ ରୂପ ନେଇ ପାରିବ। ଠିକ ଏହି କାମ ରାଷ୍ଟ୍ରପତି ଟ୍ରମ୍ପ କରୁଛନ୍ତି।” ଜେଲେନସ୍କି ଏହାର ଜବାବ ରୁଷ ପୂର୍ବରୁ ସୃଷ୍ଟି କରିଥିବା ଉତ୍ତେଜନାର ତାଲିକା ଦ୍ୱାରା ଦେଇଥିଲେ।

୨୦୧୯ରେ ହୋଇଥିବା ଯୁଦ୍ଧ ବିରତିକୁ ଉଲ୍ଲଙ୍ଘନ କରି ରୁଷ ୩ ବର୍ଷ ତଳେ କେମିତି ପୂର୍ଣ୍ଣକାଳୀନ ଆକ୍ରମଣ କରିଥିଲା, ସେକଥା ଦୋହରାଇଥିଲେ। ଭାନ୍ସଙ୍କୁ ଜବାବ ଦେଇ ଜେଲେନସ୍କି କହିଥିଲେ ଯେ "ଜେଡି, ଆପଣ କି ପ୍ରକାରର କୂଟନୀତି ବିଷୟରେ କହୁଛନ୍ତି? ଆପଣ କହୁଥିବା କଥାର ଅର୍ଥ କ’ଣ?” ଭାନ୍ସ ଏଥିରେ ରାଗି ଯାଇଥିଲେ। ଜେଲେନସ୍କି ସମସ୍ତଙ୍କୁ ଅପମାନିତ କରୁଛନ୍ତି ଓ ଆମେରିକା ମିଡିଆ ସାମ୍ନାରେ ସେ ଯୁକ୍ତିତର୍କ କରିବାକୁ ଚାହୁଁଥିବା ସେ କହିଥିଲେ।

ଭାନ୍ସ କହିଛନ୍ତି, “ମିଷ୍ଟର ପ୍ରେସିଡେଣ୍ଟ। ମୁଁ ସମ୍ମାନର ସହିତ କହିବାକୁ ଚାହୁଁଛି ଯେ ଏହା ସଂପୂର୍ଣ୍ଣ ଭାବେ ଅସମ୍ମାନ କରିବା ଭଳି କଥା। ମୁଁ ଭାବୁଛି ଆପଣ ଓଭାଲ ଅଫିସକୁ ଆସି ଆମେରିକୀୟ ଗଣମାଧ୍ୟମ ସମ୍ମୁଖରେ ଗୋଟିଏ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହା ଅସମ୍ମାନଜନକ ବ୍ୟବହାର। ବର୍ତ୍ତମାନ ଆପଣମାନେ ଏଣେତେଣେ ବୁଲି ବୁଲି ଲୋକଙ୍କୁ ଆଗ ଧାଡ଼ି ଯୁଦ୍ଧ କରିବାକୁ ବାଧ୍ୟ କରୁଛନ୍ତି। କାରଣ ଆପଣଙ୍କର ମାନବ ସମ୍ବଳ ସମସ୍ୟା ରହିଛି ବୋଲି ସଫେଇ ଦେଉଛନ୍ତି। ଆପଣ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଉଚିତ। ଆପଣ ଆମକୁ କୁହନ୍ତୁ ନାହିଁ ଯେ ଆମେ କ’ଣ ଅନୁଭବ କରିବୁ।”

ଭାନ୍ସ ଆଲୋଚନା ବେଳେ ଜେଲେନସ୍କିଙ୍କୁ ୟୁକ୍ରେନର ସାମରିକ ବାହିନୀର ଚ୍ୟାଲେଞ୍ଜ ବିଷୟରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଜେଲେନସ୍କି କହିଥିଲେ, "ଯୁଦ୍ଧ ସମୟରେ ସମସ୍ତଙ୍କର ସମସ୍ୟା ଅଛି। ଏପରି କି ଆପଣର ମଧ୍ୟ ସମସ୍ୟା ହୋଇପାରେ। କିନ୍ତୁ ଆପଣଙ୍କର ଏବେ ଗୋଟିଏ ସୁନ୍ଦର ସମୁଦ୍ର ଅଛି। ବର୍ତ୍ତମାନ ସମସ୍ୟା ଆପଣ ଅନୁଭବ କରୁନାହାନ୍ତି। କିନ୍ତୁ ଆପଣ ଭବିଷ୍ୟତରେ ଏହା ଅନୁଭବ କରିପାରିବେ।"

ବାସ୍‌ ଏହା ଶୁଣିବା ପରେ ଟ୍ରମ୍ପ ମୁହଁ ଖୋଲି ଥିଲେ। ଏଯାଏ ଚୁପ ବସିଥିବା ଟ୍ରମ୍ପ ବିଗିଡ଼ି ଯାଇ କହିଥିଲେ ଯେ “ ଆମେ କ’ଣ କ'ଣ ଅନୁଭବ କରିବୁ, ସେକଥା ଆମକୁ କୁହନ୍ତୁ ନାହିଁ। ଆପଣ ଏବେ ଆମକୁ ହୁକୁମ ଦେବା ସ୍ଥିତିର ନାହାନ୍ତି। ଆପଣ ପାଖରେ ବର୍ତ୍ତମାନ କାର୍ଡ ନାହିଁ। ଆପଣ ଲକ୍ଷ ଲକ୍ଷ ଜୀବନ ସହ ଖେଳୁଛନ୍ତି। ଆପଣ ତୃତୀୟ ବିଶ୍ୱ ଯୁଦ୍ଧ ସହ ଖେଳୁଛନ୍ତି।”

ବୈଠକ ପରେ ଜେଲେନସ୍କି କହିଥିଲେ, "ଯୁଦ୍ଧ ଆରମ୍ଭରୁ ଆମେ ଏକା ଥିଲୁ ଓ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।” ଏପରି ବୟାନକୁ ଟ୍ରମ୍ପ ସହଜରେ ଗ୍ରହଣ କରି ନାହାନ୍ତି। ସେ ଏହାର ଦୃଢ଼ ଜାବବ ଦେଇ କହିଛନ୍ତି, “ଆପଣ ଏକା ନଥିଲେ। ଆପଣ ଆଦୌ ଏକା ନଥିଲେ। ଆମେ ଆପଣଙ୍କୁ ଏହି ମୂର୍ଖ ରାଷ୍ଟ୍ରପତି (ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଉଲ୍ଲେଖ କରି)ଙ୍କ ଜରିଆରେ ୩୫୦ ବିଲିୟନ ଡଲାରର ସାମରିକ ସହାୟତା କରିଛୁ। ଆପଣ ଆଦୌ ଜିତୁ ନାହାନ୍ତି। ଆଜି ଆପଣଙ୍କ ସ୍ଥିତି ଯାହା ବି ରହିଛି, ସେସବୁ ଆମ ପାଇଁ।”

ତା'ପରେ ଭାନ୍ସ ପ୍ରଶ୍ନ କରିଥିଲେ ଯେ ଜେଲେନସ୍କି ଆମେରିକାର ସହାୟତା ପାଇଁ ଠିକ୍ ଭାବରେ କୃତଜ୍ଞତା ପ୍ରକାଶ କରିଥିଲେ କି ନାହିଁ? ଏଥିସହ ବାଇଡେନଙ୍କ ଡେମୋକ୍ରାଟିକ ପାଇଁ ସେ କେମିତି ପ୍ରଚାର କରୁଥିଲେ, ସେକଥା ମଧ୍ୟ କହିଥିଲେ।

ଯୁକ୍ତିତର୍କ ପରେ ଜେଲେନସ୍କି ଆମେରିକା ସହ କୌଣସି ପ୍ରକାରର ଖଣିଜ ପଦାର୍ଥ ଚୁକ୍ତି କରି ନାହାନ୍ତି। ଏପରି ସ୍ଥିତିରେ ବ୍ୟବସାୟ କରିବା ବେଶ କଷ୍ଟକର। ଆମେରିକାର ଆଭିମୁଖ୍ୟ ଓ ବ୍ୟବହାର ବଦଳି ଯାଇଛି।” ଗୋଟିଏ ପଏଣ୍ଟରେ ଭାନ୍ସ ସର୍ବସମ୍ମୁଖରେ ଜେଲେନସ୍କିଙ୍କୁ ଧନ୍ୟବାଦ ଣାଇବାକୁ କହିଥିଲେ। କିନ୍ତୁ ଜେଲେନସ୍କି ନିଜ ଜିଦରେ ଅଟଳ ରହିବା ସହ ୟୁକ୍ରେନର ପକ୍ଷ ରଖି ଚାଲିଥିଲେ।

ସେହିପରି ଟ୍ରମ୍ପ-ଭାନ୍ସ-ଜେଲେନସ୍କି ଯୁକ୍ତିତର୍କ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ପୂରା ଚକିତ ହୋଇ ଯାଇଥିଲେ। ହ୍ୱାଇଟ ହାଉସରେ ଜେଲେନସ୍କି ଓ ତାଙ୍କ ଟିମ ପାଇଁ ନୈଶ ଭୋଜିର ଆୟୋଜନ ହୋଇଥିଲା। କିନ୍ତୁ ସେମାନେ ଏହାକୁ ଗ୍ରହଣ ନ କରି ଚାଲି ଯାଇଛନ୍ତି। ଟ୍ରମ୍ପ ମଧ୍ୟ ସେମାନଙ୍କୁ ଅଟକାଇ ନାହାନ୍ତି।

Russia-Ukraine War Donald Trump Volodymyr Zelenskyy JD Vance