/odisha-reporter/media/media_files/2026/01/21/trump-2026-01-21-12-33-10.jpg)
ମାକ୍ରନ, ଟ୍ରମ୍ପ ଓ କାର୍ନୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କ ଗ୍ରୀନଲାଣ୍ଡ ଲୋଭ ଥମୁ ନଥିବା ବେଳେ ୱାଶିଂଟନର କିଛି ଘନିଷ୍ଠ ସହଯୋଗୀ ବଡ଼ ବୟାନ ଦେଇଛନ୍ତି। ଆମେରିକା ନେତୃତ୍ୱାଧୀନ ବିଶ୍ୱସ୍ତରୀୟ ନିର୍ଦ୍ଦେଶର ପରିସମାପ୍ତି ଘଟିଥିବା ସେମାନେ ଘୋଷଣା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆରମ୍ଭ ହୋଇଥିବା ବିଶ୍ୱ ଅର୍ଥନୀତିକ ମଞ୍ଚରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଟ୍ରମ୍ପଙ୍କ ଗ୍ରୀନଲାଣ୍ଡ ଆଭିମୁଖ୍ୟ ବିରୋଧରେ ଏକାଠି ହୋଇଛନ୍ତି।
ସେମାନେ ଖୋଲା ଖୋଲି ଭାବେ ଟ୍ରମ୍ପଙ୍କ ଗ୍ରୀନଲାଣ୍ଡ ଯୋଜନାକୁ ବିରୋଧ କରିଛନ୍ତି। ଏକଦା ପୂରା ବିଶ୍ୱ ଟ୍ରମ୍ପ ଓ ଆମେରିକା କଥାରେ ପରିଚାଳିତ ହେଉଥିଲା। ହେଲେ ଏବେ ସେ ସମୟ ଶେଷ ହୋଇ ସାରିଥିବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଡାଭୋସରେ ଏକାଠି ହୋଇ ସଙ୍କେତ ଦେଇଛନ୍ତି।
ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ କହିଛନ୍ତି “ୟୁରୋପୀୟ ସଂଘ କେବେ ହେଲେ ବି ଶକ୍ତିଶାଳୀ ରାଷ୍ଟ୍ରର ଆଇନ ଆଗରେ ନଇଁବା କଥା ନୁହେଁ। ଆମେ ସମସ୍ତେ ଅଧିକ ଅଭିବୃଦ୍ଧିରେ ବିଶ୍ୱାସ କରୁ। ଆମେ ବିଶ୍ୱରେ ଅଧିକ ସ୍ଥିରତା ଚାହୁଁଛୁ। କିନ୍ତୁ ଆମେ ଧମକ ଦେଉଥିବା ଲୋକଙ୍କୁ ସମ୍ମାନ କରିବାକୁ ଉଚିତ ମଣୁଛୁ। ଏଥିସହ ଆମେ କ୍ରୁରତା ବଦଳରେ ଆଇନର ଶାସନକୁ ପ୍ରାଥମିକ ଦେଉଛେ।” ମାକ୍ରନ ନିଜର ଭାଷଣ ବେଳେ ଆଭିଏଟର ସନଗ୍ଲାସ ପିନ୍ଧିଥିଲେ। ନିଜ ଆଖିର ସୁରକ୍ଷା ପାଇଁ ସେ ଏହାକୁ ପରିଧାନ କରିଥିଲେ। କାରଣ ତାଙ୍କର ଗୋଟିଏ ରକ୍ତ ବାହିକା ଫାଟି ଯାଇଛି।
ବୁଧବାର ବିଶ୍ୱ ଅର୍ଥନୀତିକ ସମ୍ମିଳନୀରେ ଯୋଗଦେବେ। ଏହାପୂର୍ବରୁ ମାକ୍ରନ ଏପରି ବୟାନ ଦେଇଛନ୍ତି। ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ ଡେର ଲେୟିନ ମଧ୍ୟ ଟ୍ରମ୍ପଙ୍କ ନାଁ ସିଧାସଳଖ ନ ନେଇ ଦୁନିଆରେ ଘଟୁଥିବା ବଡ଼ ପରିବର୍ତ୍ତନ ଉପରେ ପ୍ରତିକ୍ରିୟା ଦେବାର ଆବଶ୍ୟକତା ରହିଛି ଓ ପରିବର୍ତ୍ତନର ଗତି ଏବଂ ପ୍ରଭାବ ଯୋଗୁ ୟୁରୋପର ସ୍ୱତନ୍ତ୍ରତା ପାଇଁ ସହମତିକୁ ଜନ୍ମ ଦେଇଥିବା ସେ କହିଛନ୍ତି।
ସେ କହିଛନ୍ତି, “ଏବେ ଏହି ସୁଯୋଗର ଫାଇଦା ଉଠାଇବାର ଅଛି ଓ ଗୋଟିଏ ନୂଆ ସ୍ୱାଧୀନ ୟୁରୋପ ଗଠନ କରିବାର ସମୟ ଆସି ଯାଇଛି।” ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡେ ୱେଭର କହିଛନ୍ତି ଯେ ୨୭ ସଦସ୍ୟ ବିଶିଷ୍ଟ ସାମ୍ମୁଖ୍ୟ ଗୋଟିଏ ଦୋଛକିରେ ରହିଛି। ଏପରି ସ୍ଥିତିରେ ଗୋଟିଏ ଖରାପ ସ୍ଥିତିରୁ କେମିତି ମୁକୁଳିବାକୁ ପଡ଼ିବ, ତା’ ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ।
ସେ କହିଛନ୍ତି, “ଖୁସିର ଜାଗିରଦାର ହେବା ଗୋଟିଏ କଥା। ଦୁଃଖର ଗୁଲାମ ବନିବା ସଂପୂର୍ଣ୍ଣ ଅଲଗା କଥା।” ଡେ ୱେଭର ଗ୍ରୀନଲାଣ୍ଡ ପ୍ରସଙ୍ଗରେ ଟ୍ରମ୍ପଙ୍କ ଟାରିଫ ଧମକକୁ ନେଇ ଏପରି କହିଛନ୍ତି। ସେ ଆହୁରି କହିଛନ୍ତି, “ଯଦି ଆପଣ ଏବେ ପଛକୁ ହଟିବେ, ତା’ହେଲେ ଆପଣ ନିଜର ସମ୍ମାନ ହରାଇବେ। ତେଣୁ ଆମକୁ ଏକାଠି ହେବାକୁ ପଡ଼ିବ। ଏକାଠି ହୋଇ ଆମକୁ ଡୋନାଲ୍ଡ ଟ୍ରମ୍ପଙ୍କ କହିବାକୁ ପଡ଼ିବ ଯେ ଆପଣ ଏଠାରେ ନାଲି ଗାର ଅତିକ୍ରମ କରୁଛନ୍ତି। ଆମକୁ ଏକାଠି ଛିଡ଼ା ହେବାକୁ ପଡ଼ିବ ନଚେତ ଅଲଗା ଅଲଗା ହୋଇ ରହିବା।”
ଆଲୋଚନା ବେଳେ ସବୁଠାରୁ ବଡ଼ କଥା କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ। ସେ ଡାଭୋସରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ କହିଛନ୍ତି ଯେ ଆମେରିକା ନେତୃତ୍ୱାଧୀନ ବିଶ୍ୱ ଶାସନ ପ୍ରଣାଳୀ ଗୋଟିଏ ଫାଟର ସାମ୍ନା କରୁଛି। ସେ କହିଛନ୍ତି, “ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆମେ ଗୋଟିଏ ପରିବର୍ତ୍ତନ ପର୍ଯ୍ୟାୟରେ ରହିଛୁ। ବିଶେଷ କରି ଗୋଟିଏ ବଡ଼ ଅଦଳବଦଳ ସ୍ଥିତିରେ ରହିଛେ। ଆମେ ଜାଣିଥିଲେ ଯେ ଅନ୍ତର୍ଜାତୀୟ ନିୟମ ଉପରେ ଆଧାରିତ ବ୍ୟବସ୍ଥାର କାହାଣୀ ଆଂଶିକ ରୂପରେ ମିଛ ଥିଲା।
ସବୁଠାରୁ ଶକ୍ତିଶାଳୀ ଲୋକମାନେ ନିଜର ସୁବିଧା ଅନୁସାରେ ସବୁ ପ୍ରକାରର ନିୟମକୁ ବାଇପାସ କରୁଥିଲେ। ବ୍ୟବସାୟ ଜନିତ ନିୟମ ଅସମାନ ରୂପରେ ଲାଗୁ କରାଯାଉଥିଲା। ଅନ୍ତର୍ଜାତୀୟ ଆଇନକୁ ଅଭିଯୁକ୍ତ କିମ୍ବା ପୀଡ଼ିତଙ୍କ ପରିଚୟ ଆଧାରରେ ଅଲଗା ଅଲଗା ଭାବେ ଲାଗୁ କରାଯାଉଥିଲା।”
ଗତବର୍ଷ କାନାଡା ରାଜନୀତିରେ ପ୍ରବେଶ କରିବା ଦିନ ଠାରୁ ଟ୍ରମ୍ପଙ୍କ ପୂର୍ବରୁ ଦୁନିଆ ଦେଖିଥିବା ସାମାନ ସ୍ଥିତିକୁ ଫେରିବ ନାହିଁ ବୋଲି ଚେତାବନୀ ଦେଉଥିବା କାର୍ନୀ କହିଛନ୍ତି ଯେ ପୂର୍ବରୁ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଯୋଗୁ ବେଶ ଫାଇଦା ମିଳୁଥିଲା। ହେଲେ ଏବେ ସ୍ଥିତି ବଦଳି ଯାଇଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
