Advertisment

ଛୋଟ ବିମାନ ଓ ଝରକା ବନ୍ଦ, କେମିତି ଗୁପ୍ତ ଭାବେ ୟୁକ୍ରେନରେ ପହଞ୍ଚିଲେ ରାଷ୍ଟ୍ରପତି ବାଇଡେନ?

ସାଧାରଣତଃ ଆମେରିକାର ରାଷ୍ଟ୍ରପତି ଯୁଆଡ଼େ ଯାଆନ୍ତି, ତାଙ୍କୁ ଗଣାମଧ୍ୟମ ପ୍ରତିନିଧି ଅନୁସରଣ କରନ୍ତି। ସେ କହୁଥିବା ପ୍ରତ୍ୟେକ ଶବ୍ଦ ରେକର୍ଡ କରାଯାଇ ସର୍ବସାଧାରଣରେ ପ୍ରକାଶିତ କରାଯାଏ।

Ukraine

Ukraine

Advertisment

ସମସ୍ତଙ୍କୁ ଚକିତ କରି ସୋମବାର ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନର ରାଜଧାନୀ କିଭ୍‌ରେ ପହଞ୍ଚିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଦୁଇ ଦିନ ପରେ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରିବ। ଏହାପୂର୍ବ ରାଷ୍ଟ୍ରପତି ବାଇଡେନ ଅତ୍ୟନ୍ତ ଗୁପ୍ତ ଭାବେ କିଭ୍‌ରେ ପହଞ୍ଚି ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭ୍ଲୋଦମିର ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ପ୍ରତିରକ୍ଷା ସହାୟତା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି।

Advertisment

ତେବେ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ବାଇଡେନ ୟୁକ୍ରେନ ଗସ୍ତ କରିଥିଲେ ମଧ୍ୟ କେମିତି କେହି ଆଗରୁ ଏକଥା ଜାଣିପାରିଲେ ନାହିଁ? କେମିତି ଛୋଟ ବିମାନ ଓ ଝରକା ବନ୍ଦ କରି ବାଇଡେନ କିଭ୍‌ରେ ଅତ୍ୟନ୍ତ ଗୁପ୍ତ ଭାବେ ପହଞ୍ଚିଲେ, ଏବେ ତା’ର ତଥ୍ୟ ସାମ୍ନାକୁ ଆସିଛି।

ପୂରା ମିଶିନ ୱାଶିଂଟନ ବାହାରେ ଥିବା ସାମରିକ ବିମାନବନ୍ଦର ହ୍ୟାଙ୍ଗରରୁ ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା। ରବିବାର ଭୋର ୪ଟାରେ ବିଶ୍ୱ ମିଡିଆ, ଆମେରିକାର ରାଜନୀତିକ ବ୍ୟକ୍ତିବିଶେଷ ଓ ସାଧାରଣ ଲୋକଙ୍କୁ ନ ଜଣାଇ ଆରମ୍ଭ ହୋଇଥିବା ମିଶନ ୟୁକ୍ରେନ। ୮୦ ବର୍ଷୀୟ ବାଇଡେନ ବାୟୁସେନାର ବୋଇଂ 757ରେ ବସିଥିଲେ। ଏହା C-32 ଭାବେ ମଧ୍ୟ ଜଣାଶୁଣା।

Advertisment

ବିଦେଶ ଗସ୍ତରେ ଯିବା ବେଳେ ସାଧାରଣ ଭାବେ ଆମେରିକା ରାଷ୍ଟ୍ରପତି ସି-୩୨ର ବଡ଼ ବିମାନ ବ୍ୟବହାର କରନ୍ତି। ହେଲେ ତା’ଠାରୁ ଛୋଟ ବିମାନରେ ବାଇଡେନ ବସିଥିଲେ। ଏଥିରେ ଲାଗିଥିବା ଝରକାର ପରଦା ବନ୍ଦ କରି ଦିଆଯାଇଥିଲା। ୧୫ ମିନିଟ ପରେ ବାଇଡେନଙ୍କ ସହ ସାମିଲ ହୋଇଥିଲେ କିଛି ହାତ ଗଣତି ସୁରକ୍ଷାକର୍ମୀ, ଡାକ୍ତରୀ ଦଳ, ଘନିଷ୍ଠ ପରାମର୍ଶଦାତା ଓ ଦୁଇ ଜଣ ସାମ୍ବାଦିକ। ସେମାନେ ଗସ୍ତ ନ ସରିବା ଯାଏ କାହାକୁ କିଛି କହିବେ ନାହିଁ ବୋଲି ଶପଥ ନେବା ପରେ ବିମାନଟି ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।

ସାଧାରଣତଃ ଆମେରିକାର ରାଷ୍ଟ୍ରପତି ଯୁଆଡ଼େ ଯାଆନ୍ତି, ତାଙ୍କୁ ଗଣାମଧ୍ୟମ ପ୍ରତିନିଧି ଅନୁସରଣ କରନ୍ତି। ସେ କହୁଥିବା ପ୍ରତ୍ୟେକ ଶବ୍ଦ ରେକର୍ଡ କରାଯାଇ ସର୍ବସାଧାରଣରେ ପ୍ରକାଶିତ କରାଯାଏ। ହେଲେ ଏଥର ତାଙ୍କ ଗସ୍ତ ସମ୍ପର୍କରେ କେହି ବି ଜାଣି ପାରି ନାହାନ୍ତି। ବିଦେଶ ଗସ୍ତରେ ଯିବା ବେଳେ ବାଇଡେନଙ୍କ ସହ ୧୩ ଜଣ ରେଡିଓ, ଟିଭି, ଫଟୋ ଓ କେବଳ ସ୍ପ୍ରିପ୍ଟ ଲେଖୁଥିବା ସଂସ୍ଥାର ସାମ୍ବାଦିମାନେ ଯାଆନ୍ତି। ହେଲେ ୟୁକ୍ରେନ ଗସ୍ତ ବେଳେ କେବଳ ଜଣେ ଫଟୋଗ୍ରାଫର ଓ ଜଣେ ସ୍ପ୍ରିପ୍ଟ ସାମ୍ବାଦିକ ରହିଥିଲେ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ସାମ୍ବାଦିକ ସାବ୍ରିନା ସିଦ୍ଦିକି ଗସ୍ତ ସମ୍ପର୍କରେ କହିଛନ୍ତି, ହ୍ୱାଇଟ ହାଉସ ପକ୍ଷରୁ ତାଙ୍କୁ ଓ ଆଉ ଜଣେ ଫଟୋଗ୍ରାଫରଙ୍କୁ ବିଳମ୍ବିତ ରାତି ପ୍ରାୟ ୨.୧୫ରେ ୱାଶିଂଟନ୍ ବାହାରେ ଥିବା ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁସକୁ ଡକାଯାଇଥିଲା। ସେମାନେ ପହଞ୍ଚିବା ପରେ ସୁରକ୍ଷାକର୍ମୀ ତାଙ୍କ ଫୋନକୁ ଜବତ କରି ନେଇଥିଲେ। ପ୍ରାୟ ୨୪ ଘଣ୍ଟା ପରେ ବାଇଡେନ ୟୁକ୍ରେନର ରାଜଧାନୀ କିଭ୍‌ରେ ପହଞ୍ଚିବା ଯାଏ ସେମାନଙ୍କ ଫୋନ ସୁରକ୍ଷାକର୍ମୀଙ୍କ ପାଖରେ ରହିଥିଲା।

ସେମାନେ ୱାଶିଂଟନ୍ ଠାରୁ ଉଡ଼ାଣ ଭରି ୭ ଘଣ୍ଟା ପରେ ଜର୍ମାନୀର ରାମଷ୍ଟାଇନରେ ଥିବା ଆମେରିକାର ସାମରିକ ବେସରେ ପହଞ୍ଚିଥିଲେ। ଏଠାରେ ବିମାନରେ ଇନ୍ଧିନ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ମଧ୍ୟ ଉକ୍ତ ବିମାନ ଝରକାର ପରଦା ଖୋଲା ଯାଇ ନଥିଲା। କାହାକୁ ବିମାନ ମଧ୍ୟରୁ ବାହାରିବାକୁ ମଧ୍ୟ ଅନୁମତି ମିଳି ନଥିଲା।

ରାମଷ୍ଟାଇନରୁ ବିମାନ ଉଡ଼ାଣ ଭରି ପୋଲାଣ୍ଡର ରେଜେଜୋ-ଜେସିଓଙ୍କା ବିମାନବନ୍ଦରରେ ଅବତରଣ କରିଥିଲା। ଏହା ପୋଲାଣ୍ଡର ବିମାନବନ୍ଦର ହୋଇଥିଲେ ମଧ୍ୟ ରୁଷର ଯୁଦ୍ଧ ପରଠାରୁ ଏହି ସ୍ଥାନଟି ଅନ୍ତର୍ଜାତୀୟ ବିଶେଷ କରି ଆମେରିକାର ପ୍ରମୁଖ ସ୍ଥାନ ପାଲଟିଛି। କାରଣ ୟୁକ୍ରେନକୁ ମିଳୁଥିବା ସାମରିକ ସହାୟତା ପ୍ରଥମେ ଏହି ସ୍ଥାନରେ ହିଁ ପହଞ୍ଚିଥାଏ।

ବିମାନ ପୋଲାଣ୍ଡରେ ପହଞ୍ଚି ସାରିଥିଲେ ମଧ୍ୟ ସିଦ୍ଦିକି କିମ୍ବା ଆସୋସିଏଟ ପ୍ରେସର ଫଟୋଗ୍ରାଫର ଇଭାନ ଭୁସି ସେଯାଏ ବାଇଡେନଙ୍କୁ ଦେଖି ନଥିଲେ। ଆମେରିକାର ରାଷ୍ଟ୍ରପତି ୟୁକ୍ରେନ ସୀମା ନିକଟରେ ଥିବା ପୋଲାଣ୍ଡର ରେଳ ଷ୍ଟେସନ ପ୍ରଜେମିସଲ ଗ୍ଲୋନି ଅଭିମୁଖେ ଯାତ୍ରା କରିଥିଲେ ବି ଏକଥା କାହାକୁ ଜଣା ନଥିଲା।

କାରଣ କୌଣସି ପ୍ରକାରର ସାଇରନ ବଜାଯାଇ ନଥିଲା। ସ୍ଥାନୀୟ ସମୟ ରାତି ୯.୧୫ ବେଳକୁ ସମସ୍ତେ ଟ୍ରେନରେ ବସିଥିଲେ। ଏହି ସମୟରେ ଦୁଇ ସାମ୍ବାଦିମାନଙ୍କୁ ମଧ୍ୟ ଏଥିରେ ବସିବାକୁ କୁହାଯାଇଥିଲା। ବାଇଡେନଙ୍କର ସେଯାଏ ଦେଖା ନଥିଲା। ଟ୍ରେନରେ ପ୍ରାୟ ୮ଟି ବଗି ରହିଥିଲା। ଟ୍ରେନରେ ବସିଥିବା ଅଧିକାଂଶ ଅତ୍ୟନ୍ତ ସୁରକ୍ଷା ସରଞ୍ଜାମ ସବୁ ଧରିଥିଲେ। ୟୁକ୍ରେନକୁ ଏହି ଯାତ୍ରା ଆମେରିକାର ଅନ୍ୟ ରାଷ୍ଟ୍ରପତିଙ୍କ ତୁଳନାରେ ବାଇଡେନଙ୍କ ପାଇଁ ଭିନ୍ନ ଥିଲା।

ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ସେଠାରେ ସୁରକ୍ଷା ପାଇଁ ଆମେରିକାର କୌଣସି ପ୍ରକାରର ସୁରକ୍ଷାକର୍ମୀ ନାହାନ୍ତି। ତଥାପି ବାଇଡେନ କିଭ୍‌ ଗସ୍ତରେ ଯାଇଥିଲେ। ପ୍ରାୟ ୧୦ ଘଣ୍ଟାର ଟ୍ରେନ ଯାତ୍ରା ପରେ ଗାଡ଼ିଟି କିଭ୍‌ରେ ପ୍ରବେଶ କରିଥିଲା। ଏହି ସମୟରେ ବାଇଡେନ ସାମ୍ନାକୁ ଆସିବା ସହ କିଭ୍‌କୁ ଫେରି ଭଲ ଲାଗୁଛି ବୋଲି କହିଥିଲେ।

ବାରାକ ଓବାମା ରାଷ୍ଟ୍ରପତି ଥିବା ବେଳେ ବାଇଡେନ ତାଙ୍କ ଡେପୁଟି ରହିଥିଲେ। ଏହି ସମୟରେ ହିଁ ସେ ଶେଷ ଥର ପାଇଁ କିଭ ଗସ୍ତ କରିଥିଲେ। ଠିକ୍‌ ସକାଳ ୮.୦୭ରେ ଟ୍ରେନ ବାଇଡେନ ଓ ଅନ୍ୟମାନଙ୍କୁ ଧରି କିଭ୍‌ରେ ପ୍ରବେଶ କରିଥିଲା।

Russia-Ukraine War Joe Biden USA Volodymyr Zelenskyy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe