/odisha-reporter/media/media_files/2025/10/10/trump-2025-10-10-19-51-31.jpg)
ମାରିଆ ଓ ଟ୍ରମ୍ପ
ନୋବେଲ ଶାନ୍ତି ପୁରସ୍କାର ପାଇବାରୁ ବଞ୍ଚିତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଖମରେ ମଲମ ଲଗାଇଛନ୍ତି ମାରିଆ କୋରିନା ମାଚାଡୋ। ହତାଶ ହେବା ପରେ ଫଁଫଁ ହେଉଥିବା ଟ୍ରମ୍ପଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି ମାରିଆ। ଏକଛତ୍ରବାଦ ଶାସନ ଭିତରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଥିବା ଭେନେଜୁଏଲାର ନାଗରିକ ମାରିଆଙ୍କଚୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ହେଲେ ଏହାକୁ ସେ ଟ୍ରମ୍ପଙ୍କୁ ଉତ୍ସର୍ଗ କରିଦେଇଛନ୍ତି।
କାରଣ ନୋବେଲ ଶାନ୍ତି ପୁରସ୍କାର( Nobel Peace Prize) ଦୌଡ଼ିରେ ଥିବା ୩୩୮ ଜଣଙ୍କ ମଧ୍ୟରେ ଟ୍ରମ୍ପଙ୍କ ନାଁ ଥିଲା। କିନ୍ତୁ ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ ନୋବେଲ ଶାନ୍ତି ପୁରସ୍କାର ଜିତିଥିବାରୁ ହତାଶ ହୋଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱର ତଥାକଥିତ ୮ଟି ଯୁଦ୍ଧ ବନ୍ଦ କରିଥିବା ଦାବି କରି ଟ୍ରମ୍ପ ନିଜ ପାଇଁ ନୋବେଲ ଶାନ୍ତି ପୁରସ୍କାର ମାଗୁଥିଲେ।
ନୋବେଲ କମିଟି ମାରିଆଙ୍କୁ ନୋବେଲି ଶାନ୍ତି ପୁରସ୍କାର ଦେବାରୁ ହ୍ୱାଇଟ ହାଉସ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଲା। ନୋବେଲ କମିଟି ଶାନ୍ତି ଉପରେ ରାଜନୀତିକୁ ଅଗ୍ରାଧିକାର ଦେଇ ମାରିଆଙ୍କୁ ନୋବେଲ ପୁରସ୍କାର ଦେଇଥିବେ ହ୍ୱାଇଟ ହାଉସ ମୁଖପାତ୍ର କହିଥିଲେ।
ସେ ନିଜର ନୋବେଲ ଶାନ୍ତି ପୁରସ୍କାରକୁ ଟ୍ରମ୍ପଙ୍କୁ ଉତ୍ସର୍ଗ କରିଛନ୍ତି। ଭେନେଜୁଏଲାରେ ମାରିଆ ଯେଉଁ କାରଣ ପାଇଁ ଲଢ଼ୁଛନ୍ତି ତା’କୁ କୁଆଡ଼େ ଟ୍ରମ୍ପ ସମର୍ଥନ କରୁଛନ୍ତି। ଖାସ ଏହି କାରଣ ପାଇଁ ମାରିଆ ନିଜର ନୋବେଲ ପୁରସ୍କାରକୁ ଟ୍ରମ୍ପଙ୍କୁ ଉତ୍ସର୍ଗ କରିଛନ୍ତି।
ଭେନେଜୁଏଲାରେ ଗଣତନ୍ତ୍ର ସପକ୍ଷରେ ଲଢ଼େଇ କରୁଥିବାରୁ ମାରିଆଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ସେ ଗୋଟିଏ ବର୍ଷ ହେବ ଅଜଣା ସ୍ଥାନରେ ଆତ୍ମଗୋପନ କରିଛନ୍ତି। ସେଠାରେ ରହି ନୋବେଲ ଶାନ୍ତି ପୁରସ୍କାର ଜିତିବା ପରେ ସେ ନିଜର ବୟାନ ରଖିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ “ସମସ୍ତ ଭେନେଜୁଏଲାବାସୀଙ୍କ ସଂଘର୍ଷକୁ ମିଳିଥିବା ଏହି ମାନ୍ୟତା ଆମ କାମକୁ ପୂରା କରିବା ପାଇଁ ଓ ସ୍ୱାଧୀନତା ହାସଲ ପାଇଁ ଗୋଟିଏ ପ୍ରୋତ୍ସାହନ।
ଆମେ ଜିତିବାର ଅତି ନିକଟରେ ରହିଛୁ। ଆଜି ଆମେ ଅଧିକ ନିକଟରେ ପହଞ୍ଚିଛୁ। ଆମେ ରାଷ୍ଟ୍ରପତି ଟ୍ରମ୍ପ, ଯୁକ୍ତ ରାଷ୍ଟ୍ର ଆମେରିକାର ଲୋକ, ଲାଟିନ ଆମେରିକାର ଲୋକ ଓ ଦୁନିଆର ଲୋକତାନ୍ତ୍ରିକ ଦେଶଗୁଡ଼ିକ ଉପରେ ଭରସା ରଖିଛୁ। ଆମେ ନିଶ୍ଚିତ ଗଣତନ୍ତ୍ରକୁ ପ୍ରତିଷ୍ଠା କରି ସ୍ୱାଧୀନତା ହାସଲ କରିବୁ। ଏହି ପୁରସ୍କାର ଭେନେଜୁଏଲାର ସମସ୍ତ ପୀଡ଼ିତ ଲୋକ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆମର ନିର୍ଣ୍ଣାୟକ ଉଦ୍ଦେଶ୍ୟ ପ୍ରତି ସମର୍ଥନ ପାଇଁ ସମର୍ପିତ କରୁଛୁ।”
ଭେନେଜୁଏଲାର ଆଇରନ ଲେଡି ଭାବେ ପରିଚିତ ୫୮ ବର୍ଷୀୟ ମାରିଆ ୨୦୨୫ରେ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଟାଇମ୍ସ ମାଗାଜିନରେ ସ୍ଥାନ ପାଇଥିଲେ। ଗତବର୍ଷ ଭେନେଜୁଏଲାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଚାଲିଥିବା ଆନ୍ଦୋଳନର ନେତୃତ୍ ମାରିଆ ନେଉଥିଲେ।
ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି କାରଣରୁ ସେ ପ୍ରାୟ ଗୋଟିଏ ବର୍ଷ ହେଲା ଅଜଣା ସ୍ଥାନରେ ଆତ୍ମଗୋପନ କରିଛନ୍ତି। ଜୀବନ ପ୍ରତି ବିପଦ ରହିଥିବାରୁ ସେ ଅଜଣା ସ୍ଥାନରେ ରହିଛନ୍ତି। ତଥାପି ସେ ଦେଶରୁ ଏକଛତ୍ରବାଦ ଶାସନର ମୂଳପୋଛ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ମୋଟ ୩୩୮ ଜଣ ଆଶାୟୀ ରହିଥିଲେ। ଏମାନଙ୍କ ମଧ୍ୟରେ ଟ୍ରମ୍ପ( Donald Trump)ଙ୍କ ନାଁ ମଧ୍ୟ ରହିଥିଲା। ଟ୍ରମ୍ପଙ୍କ ନାଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଥିବାରୁ ସେ ଏନେଇ ଜୋରଦାର ପ୍ରଚାର କରିଥିଲେ। ଟ୍ରମ୍ପ ନିଜେ ନୋବେଲ ଶାନ୍ତି ପୁରସ୍କାର ହକଦାର ବୋଲି ମଧ୍ୟ କହିଥିଲେ। ହେଲେ ନୋବେଲ କମିଟି ତାଙ୍କୁ କୌଣସି ପ୍ରକାରର ପୁରସ୍କାର ଦେଇ ନାହିଁ।
ନୋବେଲ ଟ୍ରମ୍ପ ପୁରସ୍କାର ମିଳି ନଥିବାରୁ ନିରାଶ ଓ ହତାଶ ହୋଇଛନ୍ତି। କିନ୍ତୁ ଏହା ତାଙ୍କୁ ସଂପୂର୍ଣ୍ଣ ଭାବେ ବ୍ୟଥିତ କରିବ ନାହିଁ। କାରଣ ନିକଟରେ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ। ମାଦୁରୋ ନିଶା ଚୋରା ଚାଲାଣ କରୁଥିବା ବେଳେ ଏକଛତ୍ରବାଦ ଶାସନ ଚଳାଇଥିବାରୁ ଟ୍ରମ୍ପ ଭେନେଜୁଏଲା ସହ ସମସ୍ତ ପ୍ରକାରର କୂଟନୀତିକ ସମ୍ପର୍କରେ ରୋକ ଲଗାଇଥିଲେ।
ନୋବେଲ ଶାନ୍ତି ବିଜେତା ମାରିଆ ମଧ୍ୟ ମାଦୁରୋଙ୍କ ବିରୋଧୀ। ତେଣୁ ତାଙ୍କୁ ନୋବେଲ ମିଳିଥିବାରୁ ଟ୍ରମ୍ପଙ୍କୁ କିଛି ମାତ୍ରାରେ ଆଶ୍ସ୍ତି ମିଳିପାରେ। ନୋବେଲ କମିଟି ଶାନ୍ତି ପୁରସ୍କାର ପାଇଁ ମାରିଆଙ୍କ ନାଁ ଘୋଷଣା କରିବା ବେଳେ ତାଙ୍କୁ ଶାନ୍ତି ପ୍ରତିଷ୍ଠାର ସାହାସୀ ଓ ପ୍ରକୃତ ଚାମ୍ପିୟନ ଭାବେ ଆଖ୍ୟା ଦେଇଛି। ବର୍ଦ୍ଧିତ ଅନ୍ଧକାର ମଧ୍ୟରେ ସେ ଗଣତନ୍ତ୍ରର ନିଆଁକୁ ତେଜିବାରେ ଲାଗିଥିବା ମଧ୍ୟ କମିଟି କହିଛି।
ଭେନେଜୁଏଲାରେ ଚାଲିଥିବା ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନର ପ୍ରମୁଖ ଚେହେରା ରହି ଆସିଛନ୍ତି ମାରିଆ। ମାଦୁରୋ ଶାସନର ଅନେକ କଟକଣା ସତ୍ତ୍େ ସେ ଲଢ଼େଇ କରିଛନ୍ତି। ଏଥିପାଇଁ ତାଙ୍କ ଜୀବନ ପ୍ରତି କେବଳ ବିପଦ ସୃଷ୍ଟି ହୋଇନାହିଁ, ବରଂ ତାଙ୍କୁ ଗିରଫ କରି ରାଜନୀତିକ ବନ୍ଦୀ ଭାବେ ନିର୍ଯାତନା ମଧ୍ୟ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
