Imran Khan
ଶେଷରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆଜି ସେ ଗୋଟିଏ ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ବାହାରେ ହିଁ ପୁଲିସ୍ ତାଙ୍କୁ ଗିରଫ କରିଛି। ଏହାକୁ ନେଇ ତାଙ୍କ ଦଳ ପିଟିଆଇର କର୍ମୀ ଓ ନେତାମାନେ ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନ ରେଞ୍ଜର୍ସ ଇମ୍ରାନ ଖାନଙ୍କୁ ଗିରଫ କରିଛି। ଅଲ-କାଦିର ଟ୍ରଷ୍ଟ ମାମଲାରେ ଏପରି ଗିରଫଦାରୀ ହୋଇଛି। ଇମ୍ରାନ ଖାନଙ୍କ ନାଁରେ ଏକାଧିକ ଏଫଆଇଆର ରୁଜୁ ହୋଇଥିଲା। ଏହି ଘଟଣାରେ ସେ ଜାମିନ ପାଇବା ପାଇଁ ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ।
କିନ୍ତୁ ସେ କୋର୍ଟ ବାହାରେ ଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଗିରଫ କରିବା ସହ ଗୋଟିଏ କଳା ରଙ୍ଗର ଭିଗୋରେ ଅନ୍ୟତ୍ର ନେଇଯାଇଛନ୍ତି।
ପିଟିଆଇ ପକ୍ଷରୁ କୁହାଯାଇଛି ଯେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟର ବାୟୋମେଟ୍ରିକ ରୁମରେ ରହିଥିଲେ। ଏହି ସମୟରେ ହଠାତ୍ ରେଞ୍ଜର୍ସମାନେ ଧସେଇ ପଶିଥିଲେ। ଏହାପରେ ତାଙ୍କ ଓକିଲଙ୍କୁ ମାଡ଼ ମାରି ଇମ୍ରାନ ଖାନଙ୍କୁ ଅପହରଣ କରି ନେଇଛନ୍ତି।
କୋର୍ଟ ରୁମର କାଚ ଓ ଇମ୍ରାନ ଖାନଙ୍କ ଗାଡ଼ିକୁ ମଧ୍ୟ ସେମାନେ ଭାଙ୍ଗି ଦେଇଥିବା ଦଳ ଅଭିଯୋଗ କରିଛି। ଏଥିସହ ପିଟିଆଇର ସମସ୍ତ କର୍ମୀ ଓ ସାଧାରଣ ଲୋକଙ୍କୁ ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଦଳ ଆହ୍ୱାନ ମଧ୍ୟ ଦେଇଛି।
ଗିରଫଦାରୀ ଖବରକୁ ନିଶ୍ଚିତ କରି ପିଟିଆଇ ନେତା ମୁସାରତ ଚୀମା କହିଛନ୍ତିଳ “ସେମାନେ ଏବେ ଇମ୍ରାନ ଖାନଙ୍କୁ ନିର୍ଯାତନା ଦେଉଛନ୍ତି। ସେମାନେ ଖାନ ସାହେବଙ୍କୁ ମାଡ଼ ମାରୁଛନ୍ତି। ସେମାନେ ନିଶ୍ଚିତ ଭାବେ ଖାନ ସାହେବଙ୍କ ସହ କିଛି କରିବେ।”
ଗତବର୍ଷ ଏପ୍ରିଲ ମାସରେ ଆସ୍ଥା ଭୋଟ ଜରିଆରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିଲେ। ଏହାପରେ ତାଙ୍କ ନାଁରେ ଏକାଧିକ ଦୁର୍ନୀତି ଠାରୁ ଆରମ୍ଭ କରି ପଦର ଅପବ୍ୟହାର ଓ ଉପହାର ଲୁଟ ଭଳି ମାମଲା ରୁଜୁ କରାଯାଇଛି। ବିଭିନ୍ନ ମାମଲାରେ ସେ ଜାମିନ ମଧ୍ୟ ପାଇଛନ୍ତି। ତେବେ ଏସବୁ ଘଟଣା ପଛରେ ଇମ୍ରାନ ଖାନ ଆମେରିକାର ଷଡ଼ଯନ୍ତ୍ର ରହିଥିବା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Imran_Khan_1683625534.jpg)