Imran Khan
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି। ଗୁରୁବାର ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ବେଆଇନ ବା ଅବୈଧ କହିଥିବା ବେଳେ ଆଜି ଇସଲାମାବାଦ ହାଇକୋର୍ଟ ତାଙ୍କୁ ଅଲ କାଦିର ଟ୍ରଷ୍ଟ ମାମଲାରେ ୨ ସପ୍ତାହର ଜାମିନ ଦେଇଛନ୍ତି।
ଏଥିସହ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କୁ ବୁଧବାର ଯାଏ କୌଣସି ନୂଆ ମାମଲାରେ ଗିରଫ କରାଯାଇ ପାରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଆବେଦନକୁ ଗ୍ରହଣ କରି ତାଙ୍କ ଗିରଫଦାରୀକୁ ବେଆଇନ କହିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ତାଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଥିଲା। କିନ୍ତୁ ଶୁକ୍ରବାର ଶୁଣାଣି ପ୍ରାୟ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା।
ସୁରକ୍ଷା ଦୃଷ୍ଟିରୁ ଇମ୍ରାନ ଠିକଣା ସମୟରେ କୋର୍ଟରେ ପହଞ୍ଚି ପାରି ନଥିଲେ। ଏହାପରେ ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀର କନଭୟ ମଧ୍ୟରେ ସେ କୋର୍ଟ ପରିସରକୁ ଚାଲିଚାଲି ଯାଇଥିଲେ। ଏହାପରେ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଜାମିନ ଦେଇଛନ୍ତି।
ଇମ୍ରାନ ଖାନଙ୍କ ଓକିଲ ଖ୍ୱାଜା ହରିଶ କହିଛନ୍ତି, “କୋର୍ଟ ଇମ୍ରାନଙ୍କୁ ୨ ସପ୍ତାହର ଅନ୍ତରୀଣ ଜାମିନ ଦେଇଛନ୍ତି। ତାଙ୍କୁ ଦୁର୍ନୀତି ମାମଲାରେ ଗିରଫ ନ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି।” ହାଇକୋର୍ଟ ରାୟ ଦେବା ପୂର୍ବରୁ ଇମ୍ରାନ ପୁଣି ଗିରଫ କଲେ ପୂରା ଦେଶରେ ବିଦ୍ରୋହ ସୃଷ୍ଟି ହେବ ବୋଲି ସମସ୍ତଙ୍କୁ ଚେତାବନୀ ଦେଇଥିଲେ।
ମଙ୍ଗଳବାର ଇସଲାମାବାଦ ହାଇକୋର୍ଟରୁ ଗରିଫ ହୋଇଥିବା ଇମ୍ରାନ ଖାନକୁ ସ୍ୱତନ୍ତ୍ର ଡିଭିଜନ ବେଞ୍ଚର ଦୁଇ ଜଣ ବିଚାରପତି ଜଷ୍ଟିସ ମିଙ୍ଗାଲୁ ହାସନ ଔରଙ୍ଗଜେବ ଓ ଜଷ୍ଟିସ ରାଫତ ଇମତିଆଜ ୧୫ ଦିନର ଅନ୍ତରୀଣ ଜାମିନ ଦେଇଛନ୍ତି।
ଏହି ସ୍ୱତନ୍ତ୍ର ବେଞ୍ଚକୁ ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆମୀର ଫାରୁକ ଗଠନ କରିଥିଲେ। ଇମ୍ରାନ ଖାନଙ୍କ ଆବେଦନର ଶୁଣାଣି ପାଇଁ ଏହି ବେଞ୍ଚ ସ୍ୱତନ୍ତ୍ର ଭାବେ ଗଠନ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Imran_Khan_1683893107.jpg)