Advertisment

Imran Khan: ଜେଲରେ ଇମ୍ରାନ ଖାନ ଜୀବିତ ଓ ସୁରକ୍ଷିତ, ଭେଟିବା ପରେ ସୂଚନା ଦେଲେ ଭଉଣୀ

ଏକାଧିକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୨୩ ଅଗଷ୍ଟ ମାସରୁ ଇମ୍ରାନ ଖାନ ଜେଲରେ ରହିଛନ୍ତି। ଏହାର ବର୍ଷକ ପୂର୍ବରୁ ଅର୍ଥାତ ୨୦୨୨ ମସିହା ଏପ୍ରିଲ ମାସରେ ଇମ୍ରାନ ଖାନ ଅନାସ୍ଥା ଭୋଟ ମାଧ୍ୟମରେ ଗାଦିଚ୍ୟୁତ ହୋଇଥିଲେ।

author-image
Hemant Lenka
Imran

ଇମ୍ରାନ ଖାନଙ୍କ ସମର୍ଥକ

ଜେଲରେ ବନ୍ଦୀ ଜୀବନ କାଟୁଥିବା ପାକିସ୍ତାନ(Pakistan)ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ(Imran Khan)ଙ୍କୁ ନେଇ ଲାଗି ରହିଥିବା ସସପେନ୍ସ ଉପରକୁ ପରଦା ହଟିଛି। ଦୀର୍ଘ ୨୫ ଦିନର ଛକାପଞ୍ଝା ପରେ ଆଜି ଜେଲ ଭିତରୁ ଯାଇ ଇମ୍ରାନଙ୍କୁ ଭେଟିଛନ୍ତି ତାଙ୍କ ଭଉଣୀ ଡା ଉଜମା ଖାନୁମ। ଜେଲରେ ଇମ୍ରାନ ଜୀବିତ ଓ ସୁରକ୍ଷିତ ରହିଛନ୍ତି। କିନ୍ତୁ ତାଙ୍କୁ ସେଠାରେ ମାନସିକ ନିର୍ଯାତନା ମିଳୁଛି। ଜେଲ ଭିତରେ ଭାଇଙ୍କୁ ଭେଟିବା ପରେ ଏପରି ସୂଚନା ଦେଇଛନ୍ତି ଉଜମା। 

Advertisment

ବେଶ କିଛି ସପ୍ତାହ ହେଲା ଖବର ପ୍ରକାଶ ପାଉଥିଲା ଯେ ଜେଲରେ ଇମ୍ରାନ ଖାନଙ୍କୁ ନିର୍ଯାତନା ଦିଆଯାଉଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଖବର ପରେ ପରିବାର ଲୋକ ତାଙ୍କୁ ଜେଲରେ ଭେଟିବାକୁ ଚାହିଁଥିଲେ। ତଥାପି ରାୱଲପିଣ୍ଡିର ଆଦିଆଲା ଜେଲ ପକ୍ଷରୁ କାହାକୁ ବି ଇମ୍ରାନ ଖାନଙ୍କୁ ଭେଟିବାକୁ ଦିଆଯାଇ ନଥିଲା।

 ଏହାକୁ ନେଇ ସନ୍ଦେହ ବଢ଼ିବା ସହ ଇମ୍ରାନଙ୍କ ସମର୍ଥକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ। ଆଜି ସେମାନେ ରାୱଲପିଣ୍ଡିରେ ଏକାଠି ହେଉଥିବା ବେଳେ ହଠାତ୍ ଜେଲ କର୍ତ୍ତୃପକ୍ଷ ଉଜମାଙ୍କୁ ଜେଲ ଭିତରୁ ଯାଇ ଭାଇ ଇମ୍ରାନଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ।

Advertisment

ମଧ୍ୟାହ୍ନ ସମୟରେ ତାଙ୍କୁ ଇମ୍ରାନଙ୍କୁ ଭେଟିବା ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଲ ଭିତରକୁ ନିଆଯାଇଥିଲା। ସେଠାରେ ସେ ଇମ୍ରାନଙ୍କୁ ଭେଟିବା ସହ ବେଶ କିଛି ସମୟ କଥା ହୋଇଥିଲେ। ଏହାପରେ ସେ ବାହାରକୁ ଆସି ଇମ୍ରାନ ସୁସ୍ଥ ଓ ସୁରକ୍ଷିତ ଥିବା ସମସ୍ତଙ୍କୁ ଜଣାଇଛନ୍ତି।

ସେ କହିଛନ୍ତି, “ଜେଲ ଭିତରେ ଇମ୍ରାନଙ୍କୁ ଭୟଙ୍କର ମାନସିକ ନିର୍ଯାତନା ଦିଆଯାଉଛି। ତାଙ୍କୁ ଗୋଟିଏ ବନ୍ଦ କଠୋରୀ ମଧ୍ୟରେ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖାଯାଇଛି। କାହା ସହ ତାଙ୍କୁ ଯୋଗାଯୋଗ କରିବାକୁ ଦିଆଯାଉ ନାହିଁ କିମ୍ବା କାହାକୁ ଭେଟିବାକୁ ସେ ଅନୁମତି ପାଉ ନାହାନ୍ତି। ସେ ବହୁତ ରାଗରେ ରହିଛନ୍ତି ଓ ତାଙ୍କ ସହ ଯାହା ବି ସବୁ ଘଟୁଛି, ସେସବୁ ଆସୀମ ମୁନିରଙ୍କ ପାଇଁ ହେଉଛି। ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ସେ ମୋତେ କହିଛନ୍ତି।” 

ଏକାଧିକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୨୩ ଅଗଷ୍ଟ ମାସରୁ ଇମ୍ରାନ ଖାନ ଜେଲରେ ରହିଛନ୍ତି। ଏହାର ବର୍ଷକ ପୂର୍ବରୁ ଅର୍ଥାତ ୨୦୨୨ ମସିହା ଏପ୍ରିଲ ମାସରେ ଇମ୍ରାନ ଖାନ ଅନାସ୍ଥା ଭୋଟ ମାଧ୍ୟମରେ ଗାଦିଚ୍ୟୁତ ହୋଇଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଠାରୁ ଆରମ୍ଭ କରି ଅନେକ ମାମଲା ରହିଛି। 

Pakistan Imran Khan