Advertisment

ବ୍ୟାପକ ହିଂସା ଭିତରେ ଆଜି କୋର୍ଟରେ ହାଜର ହେବେ ଇମ୍ରାନ ଖାନ୍‌

ତେବେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ପୂରା ଦେଶରେ ଇମ୍ରାନଙ୍କ ରାଜନୀତିକ ଦଳ ପିଟିଆଇ ଲଙ୍କାକାଣ୍ଡ ଘଟାଇଛି। ଲାହୋର ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ପିଟିଆଇ କର୍ମୀମାନେ ପୋଡ଼ାଜଳା କରିଛନ୍ତି।

Imran Khan

Imran Khan

Advertisment

ଦୁର୍ନୀତି ମାମଲାରେ ନାଟକୀୟ ଢଙ୍ଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରାଯିବ। ମଙ୍ଗଳବାର ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟରେ ଥିବା ବେଳେ ତାଙ୍କୁ ପାକିସ୍ତାନ ରେଞ୍ଜର୍ସମାନେ ତଣ୍ଟିଆ ମାରି ଗିରଫ କରିଥିଲେ। ସେ ଗୋଟିଏ ରାତି ପୁଲିସ୍‌ ହେପାଜତରେ ବିତାଇଥିବା ବେଳେ ତାଙ୍କୁ ଜେରା ମଧ୍ୟ କରାଯାଇଥିଲା। 

Advertisment

ତେବେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ପୂରା ଦେଶରେ ଇମ୍ରାନଙ୍କ ରାଜନୀତିକ ଦଳ ପିଟିଆଇ ଲଙ୍କାକାଣ୍ଡ ଘଟାଇଛି। ଲାହୋର ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ପିଟିଆଇ କର୍ମୀମାନେ ପୋଡ଼ାଜଳା କରିଛନ୍ତି। ଏପରି କି ସେମାନେ ଦେଶର ଆର୍ମି ମୁଖ୍ୟାଳୟ ଭିତରେ ଧସେଇ ପଶି ପଥର ମାଡ଼ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବୈଧ କହିବା ପରେ ପିଟିଆଇର କର୍ମୀମାନେ ଆହୁରି ଉଗ୍ର ହୋଇ ଉଠିଛନ୍ତି।

ଏସବୁ ଭିତରେ ଆଜି ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର କରାଯିବ। କିନ୍ତୁ ଦେଶରେ ହିଂସାତ୍ମକ ପରିସ୍ଥିତି ଲାଗି ରହିଥିବାରୁ ରାଜଧାନୀ ଇସଲାମାବାଦରେ ଥିବା ପୁଲିସ୍‌ ଲାଇନରେ ହିଁ ସ୍ୱତନ୍ତ୍ର କୋର୍ଟ ବସିବ। ଏହି ସମୟରେ ଅଲ କାଦିର ଟ୍ରଷ୍ଟ ଦୁର୍ନୀତି ବ୍ୟତୀତ ତୋଷଖାନା ମାମଲାର ମଧ୍ୟ ବିଚାର କରାଯାଇ ପାରେ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।

Advertisment

ଅନ୍ୟପକ୍ଷରେ ଗିରଫଦାରୀ ପରେ ଇମ୍ରାନ ଖାନଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ବେଶ ଚିନ୍ତିତ ଭାବେ ଗୋଟିଏ ଚେୟାର ଉପରେ ବସି ରହିଥିବା ଦେଖିବାକୁ ମିଳୁଛି। ଇମ୍ରାନ ଖାନଙ୍କୁ ଖଲାସ ନ କରିବା ଯାଏ ପିଟିଆଇ ପୂରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବ ବୋଲି କହିଛି। ଦଳ ପକ୍ଷରୁ ସମସ୍ତ ନେତା, କର୍ମୀ ଓ ସମର୍ଥକମାନଙ୍କୁ ଇସଲାମାବାଦର ଜୁଡିସିଆଲ କମ୍ପ୍ଲେକ୍ସରେ ଉପସ୍ଥିତ ରହିବାକୁ ଆହ୍ୱାନ ଦିଆଯାଇଛି।

ପିଟିଆଇ ତା’ର ଟ୍ୱିଟର ହ୍ୟାଣ୍ଡେଲରେ କହିଛି ଯେ ପାର୍ଟି ନେତୃତ୍ୱବୃନ୍ଦଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ତେହରିକ-ଇ-ଇନସାଫାର ବରିଷ୍ଠ ନେତା, କର୍ମୀ ଓ ସମର୍ଥକମାନେ ଇସଲାମାବାଦର ଜୁଡିସିଆଲ କମ୍ପ୍ଲେକ୍ସକୁ ଆସିବେ। ସମଗ୍ର ଦେଶରେ ଆରମ୍ଭ ହୋଇଥିବା ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିବ।

ଇମ୍ରାନ ଖାନଙ୍କୁ ମୁକ୍ତ ନ କରିବା ଯାଏ ଆନ୍ଦୋଳନ ବନ୍ଦ ହେବନି ବୋଲି ଦଳ କହିଛି। ଏହାବାଦ ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବୈଧ କହିଥିବାରୁ ଏହା ବିରୋଧରେ ପିଟିଆଇ ସୁପ୍ରିମକୋର୍ଟ ଯିବ ବୋଲି ମଧ୍ୟ କହିଛି।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe