Advertisment

ଏବେ ଗିରଫ ହେବେନି ଇମ୍ରାନ ଖାନ, ଦିନ ୧୦ଟା ଯାଏ ମିଳିଲା ଆଶ୍ୱସ୍ତି

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଇମ୍ରାନ ଖାନଙ୍କ ଘର ପାଖରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ସେହିପରି ଦିନ ତମାମ ଇମ୍ରାନଙ୍କ ଘର ବାହାରେ ଉପସ୍ଥିତ ଥିବା ତାଙ୍କ ସମର୍ଥକମାନେ ନାରାବାଜୀ କରି କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

author-image
Hemant Lenka
Imran Khan

Imran Khan

ଦିନ ତମାମର ଛକାପଞ୍ଝା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ତାଙ୍କୁ ପୁଲିସ୍‌ ଓ ପାକିସ୍ତାନ ରେଞ୍ଜର୍ସ ଗିରଫ କରିବା ପାଇଁ ତାଙ୍କ ଘର ପାଖରେ ଡେରା ପକାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନି। ଲାହୋର ହାଇକୋର୍ଟ ବୁଧବାର ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଆସନ୍ତାକାଲି ଦିନ ୧୦ ଯାଏ ଇମ୍ରାନଙ୍କ ଜମାନ ପାର୍କ ଘର ନିକଟରେ ଚାଲିଥିବା ପୁଲିସ୍‌ ଅପରେସନ ଉପରେ କୋର୍ଟ ରୋକ ଲଗାଇ ଦେଇଛନ୍ତି।

Advertisment

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଇମ୍ରାନ ଖାନଙ୍କ ଘର ପାଖରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ସେହିପରି ଦିନ ତମାମ ଇମ୍ରାନଙ୍କ ଘର ବାହାରେ ଉପସ୍ଥିତ ଥିବା ତାଙ୍କ ସମର୍ଥକମାନେ ନାରାବାଜୀ କରି କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଗତକାଲି ଠାରୁ ପୁଲିସ୍‌ ତାଙ୍କ ବାସଭବନରେ ପହଞ୍ଚିଥିବା ବେଳେ ତାଙ୍କ ଦଳର ସମର୍ଥକମାନେ ଏହାକୁ ବିରୋଧ କରିଥିଲେ। ଏହାର ମୁକାବିଲା କରିବା ପାଇଁ ଆଜି ପୁଲିସ୍‌ ସହ ପଞ୍ଜାବ ରେଞ୍ଜର୍ସମାନେ ମଧ୍ୟ ଜମାନ ପାର୍କ ନିକଟରେ ପହଞ୍ଚିଥିଲେ। ତେବେ ସେମାନେ ଗିରଫଦାରୀ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେଠାରୁ ଫେରି ଆସିଛନ୍ତି।

Advertisment

ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ କର୍ମଚାରୀମାନେ ମଙ୍ଗଳବାର ତାଙ୍କ ବାସଭବନରେ ପହଞ୍ଚିଥିଲେ। କିନ୍ତୁ ଇମ୍ରାନ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଥିଲା। ଏଥିରେ ୫୪ ଜଣ ପୁଲିସ୍‌ କର୍ମଚାରୀ ଓ ୮ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି।

ମଙ୍ଗଳବାର ରାତି ତମାମ ଇମ୍ରାନଙ୍କ ସମର୍ଥକ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଇମ୍ରାନ ସମର୍ଥକମାନେ ହିଂସାତ୍ମକ ପଦକ୍ଷେପ ଗ୍ରହଣ କରିବାରୁ ପୁଲିସ୍‌ ସେମାନଙ୍କ ଉପରେ ଲାଠି ପ୍ରହାର କରିଥିଲା। ଏଥିସହ ଲୁହ ବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା।

ଆଜି ସନ୍ଧ୍ୟାରେ ସୁରକ୍ଷାକର୍ମୀମାନେ ଚାଲି ଯିବା ପରେ ଇମ୍ରାନ ଖାନ ଗ୍ୟାସ ମାସ୍କ ପରିଧାନ କରି ବାହାରକୁ ଆସିଥିଲେ ଓ ଦଳୀୟ କର୍ମୀଙ୍କୁ ଭେଟିଥିଲେ।

Pakistan Imran Khan