Advertisment

Imran Khan: ବଢ଼ିଲା ପାକିସ୍ତାନ ସରକାରଙ୍କ ଅଡ଼ୁଆ: ଇମ୍ରାନ ଖାନ ଜୀବିତ ଥିବାର ପ୍ରମାଣ ମାଗିଲେ ପୁଅ କାସିମ

ସେ ତାଙ୍କ ବାପା ଜୀବିତ ଥିବା ପ୍ରମାଣ ସରକାର ଦେବା ସହ କୋର୍ଟର ନିର୍ଦ୍ଦେଶକୁ ଜେଲ କର୍ତ୍ତୃପକ୍ଷ ତୁରନ୍ତ ପାଳନ କରନ୍ତୁ ଓ ଅମାନବୀୟ ଏକାନ୍ତବାସରରେ ପୂର୍ଣ୍ଣଚ୍ଛେଦ ଟଣାଯାଉ ବୋଲି ମଧ୍ୟ ଦାବି କରିଛନ୍ତି।

author-image
Hemant Lenka
Imran-Khan

ଇମ୍ରାନ ଖାନ୍‌

ଜେଲରେ ବନ୍ଦୀ ଜୀବନ କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ(Imran Khan)ଙ୍କୁ ନେଇ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଇବାରେ ଲାଗିଛି। ଜେଲରେ ତାଙ୍କୁ ଅମାନବୀୟ ନିର୍ଯାତନା ଦିଆଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଦାବି କରାଯାଇଛି।

Advertisment

ଆଫଗାନିସ୍ତାନର କିଛି ଗଣମାଧ୍ୟମ ଆଡିଆଲା ଜେଲରେ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ଖବର ପ୍ରକାଶ କରିଛନ୍ତି। ଏସବୁ ଭିତରେ ଇମ୍ରାନ ଖାନ ବଞ୍ଚିଛନ୍ତି ବୋଲି ପ୍ରମାଣ ଦେବାକୁ ପାକିସ୍ତାନ(Pakistan) ସରକାରଙ୍କୁ କହିଛନ୍ତି ପୁଅ କାସିମ ଖାନ। ଏଥିସହ ସେ ଇମ୍ରାନଙ୍କ ରିଲିଜ ଦାବି ମଧ୍ୟ କରିଛନ୍ତି। 

ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କାସିମ କହିଛନ୍ତି ଯେ ତାଙ୍କ ବାପା ୮୪୫ ଦିନ ହେଲା ଜେଲରେ ରହିଛନ୍ତି। ଦେଢ଼ ମାସ ହେଲା ତାଙ୍କୁ ଗୋଟିଏ ମୃତ୍ୟୁ ସେଲରେ ରଖାଯାଇ ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ସେ କହିଛନ୍ତି, ‘‘ଗତ ୬ ସପ୍ତାହ ହେଲାଣି ଗୋଟିଏ ମୃତ୍ୟୁ ସେଲରେ ତାଙ୍କୁ ଏକାକୀ ରଖାଯାଇଛନ୍ତି। ତାଙ୍କୁ ସଂପୂର୍ଣ୍ଣ ଏକାନ୍ତବାସର ପରିବେଶରେ ରହିବାକୁ ବାଧ୍ୟ କରାଯାଉଛି। ତାଙ୍କ ଉଭଣୀମାନଙ୍କୁ ପ୍ରତିଟି ଭେଟଘାଟରୁ ବାରଣ କରାଯାଉଛି।

Advertisment

ଭେଟଘାଟ ପାଇଁ ଅନୁମତି ମିଳିଥିଲେ ହେଁ ଜେଲ କର୍ତ୍ତୃପକ୍ଷ ଏହାକୁ ଖାତିର କରୁ ନାହାନ୍ତି। କୌଣସି ଫୋନ କଲ, କୌଣସି ମିଟିଂ ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ଖବର ନାହିଁ। ମୁଁ ଓ ମୋ ଭାଇ କୌଣସି ବି ପରିସ୍ଥିତିରେ ଆମ ବାପାଙ୍କ ସହ ଯୋଗାଯୋଗ କରିପାରୁ ନାହୁଁ।’

କାସିମ ଅଭିଯୋଗ କରିଛନ୍ତି ଯେ ସଂପୂର୍ଣ୍ଣ ଅନ୍ଧକାର ମଧ୍ୟରେ ରଖାଯିବା କୌଣସି ସୁରକ୍ଷା ପ୍ରୋଟକଲର ଅଂଶବିଶେଷ ନୁହେଁ। ସେ କହିଛନ୍ତି, “ପାକିସ୍ତାନ ସରକାର ଓ ଏହାର ଆକ୍କା ମୋ ବାପାଙ୍କ ସୁରକ୍ଷା ଏବଂ ତାଙ୍କ ଅମାନବୀୟ ଏକାନ୍ତବାସର ସବୁ ପରିଣାମର ଆଇନଗତ, ନୈତିକ ଓ ଅନ୍ତର୍ଜାତୀୟ ଉତ୍ତରଦାୟିତ୍ୱ ନେବେ ବୋଲି ସ୍ପଷ୍ଟ କରାଯାଉ।” 

କାସିମ ପୂରା ଘଟଣାରେ ଅନ୍ତର୍ଜାତୀୟ ସମୂହ ଓ ଅନ୍ତର୍ଜାତୀୟ ମାବାଧିକାର ସଂଗଠନର ହସ୍ତକ୍ଷେପ ଲୋଡ଼ିଛନ୍ତି। ସେ ତାଙ୍କ ବାପା ଜୀବିତ ଥିବା ପ୍ରମାଣ ସରକାର ଦେବା ସହ କୋର୍ଟର ନିର୍ଦ୍ଦେଶକୁ ଜେଲ କର୍ତ୍ତୃପକ୍ଷ ତୁରନ୍ତ ପାଳନ କରନ୍ତୁ ଓ ଅମାନବୀୟ ଏକାନ୍ତବାସରରେ ପୂର୍ଣ୍ଣଚ୍ଛେଦ ଟଣାଯାଉ ବୋଲି ମଧ୍ୟ ଦାବି କରିଛନ୍ତି।

ଇମ୍ରାନଙ୍କ ଭଉଣୀ ଆଲୀମ ଖାନୁମ ମଧ୍ୟ ପରିବାର ଲୋକଙ୍କୁ ତାଙ୍କ ଭାଇଙ୍କ ସମ୍ପର୍କରେ କିଛି ବି କୁହାଯାଉ ନଥିବା ଅଭିଯୋଗ କରିଛନ୍ତି। ତେବେ ଆଡିଆଲା ଜେଲ କର୍ତ୍ତୃପକ୍ଷ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଇମ୍ରାନ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। 

Pakistan Imran Khan