/odisha-reporter/media/media_files/2025/10/13/trump-2025-10-13-19-50-54.jpg)
ଇସ୍ରାଏଲ ସଂସଦରେ ଟ୍ରମ୍ପ
ନୋବେଲ ଶାନ୍ତି ପୁରସ୍କାର ପାଇବାରୁ ଚଳିତ ବର୍ଷ ବଞ୍ଚିତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ନିଜ ଯୁଦ୍ଧ ବନ୍ଦ ଦାବିକୁ ଦୋହରାଇବାରେ ଲାଗିଛନ୍ତି। ପୁଣିଥରେ ଭାରତ-ପାକିସ୍ତାନ ଲଢ଼େଇକୁ ଟ୍ରମ୍ପ ବନ୍ଦ କରିଥିବା କଥା କହିଛନ୍ତି। ପୂର୍ବରୁ ହ୍ୱାଇଟ ହାଉସ ଠାରୁ ଆରମ୍ଭ କରି ମିଳିତ ଜାତିସଂଘରେ ଟ୍ରମ୍ପ ଏକଥା କହିଥିଲେ। ଆଜି ସେ ଇସ୍ରାଏଲ(Israel) ସଂସଦରେ ନିଜ ପୁରୁଣା ଦାବିକୁ ଦୋହରାଇଛନ୍ତି।
ଇସ୍ରାଏଲ ଓ ହମାସ(Hamas) ମଧ୍ୟରେ ୨ ବର୍ଷ ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ଆଜି ଗାଜା ଶାନ୍ତି ଡିଲ ଯୋଗୁ ସମ୍ଭବ ହୋଇପାରିଛି। ହମାସ ପକ୍ଷରୁ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ଇସ୍ରାଏଲ ଏହାକୁ ବେଶ ଉତ୍ସବ ଭାବେ ପାଳନ କରିଛି। ଏହି ଅବସରରେ ଟ୍ରମ୍ପ ମଧ୍ୟ ଇସ୍ରାଏଲରେ ପହଞ୍ଚଇଥିଲେ।
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଷ୍ଟ୍ରପତି ଓ ଅନ୍ୟ ରାଜନେତାମାନେ ଟ୍ରମ୍ପଙ୍କୁ ସଂସଦ ଭିତରେ ସ୍ୱାଗତ କରି ପ୍ରଶଂସାରେ ପୋତି ପକାଇଛନ୍ତି। ଟ୍ରମ୍ପ ମଧ୍ୟ ଇସ୍ରାଏଲ ସଂସଦକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧ ସେ ବନ୍ଦ କରିଥିବା କଥା କହିଛନ୍ତି।
ସେ କହିଛନ୍ତି, “ତେଲ ଅଭିଭରୁ ଦୁବାଇ, ହାଇଫାରୁ ବିରୁଟ, ଇସ୍ରାଏଲରୁ ଇଜିପ୍ଟ, ସାଉଦିରୁ କତର, ଭାରତରୁ ପାକିସ୍ତାନ, ତୁର୍କୀରୁ ଜୋର୍ଡାନ, ୟୁଏଇରୁ ଓମାନ ଓ ଆର୍ମେନିଆରୁ ଅଜରବୈଜାନକୁ ଆମେ ଯୋଡ଼ିବୁ- ଆଉ ଏକ ଯୁଦ୍ଧ ଯାହା ମୁଁ ବନ୍ଦ କରିଛି।” ଏହା ଶୁଣି ଇସ୍ରାଏଲ ସାଂସଦମାନେ କର ତାଲି ଦେଇ ଟ୍ରମ୍ପଙ୍କୁ ଆହୁରି ଉତ୍ସାହିତ କରିଥିଲେ।
ଭାରତର ଅପରେସନ ସିନ୍ଦୂର(Operation Sindoor) ପରେ ପାକିସ୍ତାନ ସହ ସାମରିକ ଲଢ଼େଇ ଆରମ୍ଭ ହୋଇଥିଲା। ପ୍ରାୟ ୯୬ ଘଣ୍ଟା ଧରି ଦୁଇ ଦେଶ ପରସ୍ପର ସହ ଲଢ଼େଇ କରିଥିଲା। ଶେଷରେ ଦୁଇ ଦେଶ ମଧ୍ୟରେ ମେ’ ୧୦ରେ ଯୁଦ୍ଧ ବିରତି ଲାଗୁ ହୋଇଥିଲା। ଭାରତ କିମ୍ବା ପାକିସ୍ତାନ ଏ ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ଟ୍ରମ୍ପ ନିଜ ଆଡ଼ୁ ସେ ଲଢ଼େଇ ବନ୍ଦ କରିଥିବା ପୂରା ବିଶ୍ୱକୁ ଜଣାଇଥିଲେ।
କିନ୍ତୁ ଭାରତ ଏଯାଏ ଟ୍ରମ୍ପଙ୍କ କଥାରେ ଏକମତ ହୋଇନାହିଁ। ଭାରତର କହିବା କଥା ଯେ ପାକିସ୍ତାନର ଡିଜିଏମ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରିବାରୁ ନୂଆଦିଲ୍ଲୀ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଥିଲା। ଏଥିରେ କେହି ବି ମଧ୍ୟସ୍ଥତା କରି ନଥିବା ଭାରତ ବାରମ୍ବାର କହି ଆସିଛି। ତଥାପି ଟ୍ରମ୍ପ ଭାରତ-ପାକିସ୍ତାନ ସାମରିକ ଲଢ଼େଇ ବନ୍ଦ କରିଥିବା କହି ଚାଲିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
