ସେକ୍ସ କଲେ ମିଳୁଥିଲା ଖାଦ୍ୟ; ଯୁଦ୍ଧ ସମୟର ଦୁଃଖଦ କାହାଣୀ ବଖାଣିଲେ ସୁଦାନ ମହିଳା

ଖାଦ୍ୟ ପାଇଁ ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା କହିଛନ୍ତି ସୁଦାନ ମହିଳା

ପ୍ରତିକାତ୍ମକ ଚିତ୍ର

  • Published: Monday, 22 July 2024
  • , Updated: 22 July 2024, 04:07 PM IST

ଯୁଦ୍ଧଗ୍ରସ୍ତ ଆଫ୍ରିକା ଦେଶ ସୁଦାନରେ ମହିଳାମାନେ ଭୋଗିଛନ୍ତି ଅକଥନୀୟ ଯନ୍ତ୍ରଣା। ଖାଦ୍ୟ ପାଇଁ ସେମାନଙ୍କୁ ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିବା  The Guardian ରିପୋର୍ଟରେ ଦର୍ଶାଯାଇଛି। 

ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ସୁଦାନ ସହର ଓମଡୁରମାନରୁ ପଳାୟନ କରିଥିବା ମହିଳାମାନଙ୍କ ପାଇଁ ଜୀବନ ବଞ୍ଚାଇବାର ଏକମାତ୍ର ବିକଳ୍ପ ଥିଲା ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା। ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ହିଁ ସେମାନଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦିଆଯାଉଥିଲା, ଯାହାକୁ ସେମାନେ ବିକ୍ରି କରି ପରିବାର ଚଳାଉଥିଲେ। 

ପ୍ରକାଶ ଥାଉକି, ଗତ ବର୍ଷ ଏପ୍ରିଲ 15ରେ ସୁଦାନରେ ବିବାଦ ସୃଷ୍ଟି ହୋଇଥିଲା। କ୍ଷମତା ହାସଲ ପାଇଁ ସୁଦାନ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଆକଳନ ଅନୁସାରେ, ପ୍ରାୟ 1,50,000 ଲୋକ ପ୍ରାଣ ହରାଇଥିବେ। ଅନେକ ଲୋକ ବିସ୍ଥାପିତ ହେବା ସହ ଖାଦ୍ୟ, ବାସଗୃହ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲେ। 

ଯୁଦ୍ଧ ଆରମ୍ଭର କିଛି ଦିନ ମଧ୍ୟରେ ମହିଳାମାନଙ୍କୁ ଏପରି ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରା ଯାଇଥିବା ରିପୋର୍ଟ ହୋଇଛି। The Guardian ରିପୋର୍ଟ ଅନୁସାରେ, ଖାଦ୍ୟ ପାଇଁ ମହିଳାମାନଙ୍କୁ ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଛି। ସୁଦାନ ମହିଳାମାନେ ହିଏ ଏହି ଅଭିଯୋଗ କରିଛନ୍ତି।

ନ୍ୟୁଜ୍ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ଜଣେ ମହିଳା କହିଛନ୍ତି, ଯୁଦ୍ଧ ସମୟରେ ସହରରେ ଖାଦ୍ୟ ସଂଗ୍ରହ କରାଯାଉଥିବା କାରଖାନାଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା। ଅନେକ ଲୋକେ ଖାଇବାକୁ ପାଇନଥିଲେ। ମୋର ରୋଗୀଣା ବାପାମାଆ ସାଙ୍ଗକୁ ଜଣେ ଝିଅ ଥିଲା। ଖାଦ୍ୟ ପାଇଁ ଝିଅକୁ ବାହାରକୁ ପଠାଇବା ଠିକ୍ ହେବନି ଭାବି ମୁଁ ସୈନିକମାନଙ୍କ ପାଖକୁ ଯାଉଥିଲି, ଜୀବନ ବଞ୍ଚାଇବାକୁ ଏହା ହିଁ ମୋ ପାଇଁ ଏକମାତ୍ର ବିକଳ୍ପ ଥିଲା।

ସେ ଆହୁରି କହିଛନ୍ତି ଯେ, ଆନ୍ଦୋଳନକାରୀମାନେ ଖାଦ୍ୟ କାରଖାନାର ଚାରି ପଟୁ ଜଗି ରହିଥିଲେ। ସେମାନେ ମୋତେ ସୈନିକମାନଙ୍କ ସର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ତା ପରେ ଯାଇ ମୋତେ ଖାଇବାକୁ ଦେଇଥିଲେ। ଏହି ଘଟଣା ଗତ ବର୍ଷ ମେ'ର ବୋଲି ସେ କହିଛନ୍ତି। 

କେବଳ ଏହି ଗୋଟିଏ କାହାଣୀ ନୁହେଁ। ଅନେକ ମହିଳା ଖାଦ୍ୟ ପାଇଁ ନିୟମିତ ଭାବେ ଏପରି କାର୍ଯ୍ୟ କରିଥିବା କହିଛନ୍ତି। 

ଅନ୍ୟ ଜଣେ ମହିଳା କହିଛନ୍ତି, ସେ ସେକ୍ସ କରିବାକୁ ମନା କରିବାରୁ ତାଙ୍କ ଗୋଡ଼ ଜାଳି ଦେଇଥିଲେ। ସେହିପରି ଅନ୍ୟ ଜଣେ 21 ବର୍ଷୀୟ ଯୁବତୀ କହିଛନ୍ତି, "ସେ ସୈନିକଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କ ଘର ଏବଂ ଜିନିଷ ପତ୍ର ଫେରି ପାଇଥିଲେ। କିନ୍ତୁ ସେ ପୁନର୍ବାର ଏପରି କରିବାକୁ ମନା କରିବାରୁ ତାଙ୍କୁ ଓଲଟା ଟାଙ୍ଗି ଗୋଡ଼ ଜାଳି ଦେଇଥିଲେ।"

ସହରର ଜଣେ ବାସିନ୍ଦା କହିଛନ୍ତି, "ସୈନିକମାନେ ମହିଳାମାନଙ୍କୁ ପରିତ୍ୟକ୍ତ ଘରକୁ ଆଣନ୍ତି। ସେଠାରେ ସେମାନଙ୍କୁ ଧାଡ଼ିରେ ଛିଡ଼ା କରାଯାଏ। ଯିଏ ସୁନ୍ଦର ଲାଗନ୍ତି, ସେମାନଙ୍କୁ ନିଅନ୍ତି। ଅନେକ ମହିଳାଙ୍କ ଚିତ୍କାର ଆମେ ଶୁଣିଛୁ, ହେଲେ ଆମ ପାଖରେ କିଛି କରିବାର ଉପାୟ ନଥାଏ।" 

ମହିଳାମାନଙ୍କ ସହ ଏପରି ଦୁର୍ବ୍ୟବହାରର ସାମିଲ ହୋଇନଥିବା ଜଣେ ସୈନିକ କହିଛନ୍ତି, "ତାଙ୍କ ସାଥୀ ସୈନ୍ୟମାନେ ଏପରି କରିବାର ସେ ନିଜେ ଦେଖିଛନ୍ତି। ଏହା ଅତ୍ୟନ୍ତ ଭୟଙ୍କର। ସହରରେ ଯେଉଁପରି ଭାବେ ପାପ କରାଯାଇଛି ତାହା କେବେ ଭୁଲି ହେବନି।" 

Related story