India Day
ଆମେରିକାର ନ୍ୟୁୟର୍କ ସହରରେ ଭାରତୀୟ କଳା ସଂସ୍କୃତିର ଝଲକ। ରାମ ମନ୍ଦିର ଢାଞ୍ଚାର ପ୍ରଜ୍ଞାପନ ମେଢ଼ ସହ ପାରମ୍ପରିକ ବାଦ୍ୟ ଗୀତରେ କଂପିଲା ନ୍ୟୁୟର୍କ ସହର। ୪୨ ତମ ବାର୍ଷିକ ଇଣ୍ଡିଆ ଡେ' ପରେଡରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
ଶତାଧିକ ପ୍ରବାସୀ ଭାରତୀୟ ତ୍ରିରଙ୍ଗା ପତାକା ଧରି ପରେଡରେ ସାମିଲ ହେବା ସହ ଢୋଲ ବଜାଇ ନାଚଗୀତରେ ମସଗୁଲ୍ ହୋଇଥିବା ଦେଖିବାକୁ ମିଳିଛି। ଯାହା ଭାରତର କଳା ସଂସ୍କୃତି ପ୍ରତି ପ୍ରବାସୀ ଭାରତୀୟଙ୍କ ଭଲପାଇବାକୁ ଦର୍ଶାଉଛି।
ନ୍ୟୁୟର୍କରେ ଆୟୋଜିତ ହୋଇଥିବା ଏହି ଇଣ୍ଡିଆ ଡେ' ପରେଡ୍ରେ ଅଯୋଧ୍ୟାର ରାମ ମନ୍ଦିର ସମେତ ୪୦ରୁ ଅଧିକ ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲା। ତେବେ ରାମ ମନ୍ଦିର ଢାଞ୍ଚାର ପ୍ରଜ୍ଞାପନ ମେଢ଼ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୧୮ ଫୁଟ ଲମ୍ବା, ୯ ଫୁଟ୍ ଚଉଡ଼ା ଓ ୮ ଫୁଟ୍ ଉଚ୍ଚତାର ଏହି ପ୍ରଜ୍ଞାପନ ମେଢ଼କୁ ଭାରତରେ ତିଆରି କରାଯାଇଥିଲା।
ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆସୋସିଏସନ୍ ଅନୁଯାୟୀ, ପ୍ୟାରେଡରେ ଅନେକ ବଲିଉଡ ସେଲିବ୍ରିଟିଙ୍କ ବ୍ୟତୀତ ୫୦ରୁ ଅଧିକ ମାର୍ଚିଂ ଗ୍ରୁପ୍ ଏବଂ ୩୦ରୁ ଅଧିକ ମାର୍ଚିଂ ବ୍ୟାଣ୍ଡ ମଧ୍ୟ ଅଂଶଗ୍ରହଣ କରିଥିଲେ। ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଗ୍ରାଣ୍ଡ ମାର୍ଶଲ ଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଅଭିନେତା ପଙ୍କଜ ତ୍ରିପାଠୀ ଏବଂ ବିଜେପି ସାଂସଦ ମନୋଜ ତିୱାରୀ ମଧ୍ୟ ଉପସ୍ଥିତ ଥିଲେ।
ଭାରତର ସ୍ୱାଧୀନତାକୁ ପାଳନ କରିବା ପାଇଁ ପ୍ରତିବର୍ଷ ନ୍ୟୁୟର୍କରେ ଇଣ୍ଡିଆ ଡେ' ପ୍ୟାରେଡ୍ ଅନୁଷ୍ଠିତ ହୁଏ। ଏହି ପରମ୍ପରା ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us