/odisha-reporter/media/media_files/2025/10/07/un-2025-10-07-13-27-54.jpg)
ସାଇମା ଓ ହରିଶ
ମିଳିତ ଜାତିସଂଘରେ ଭାରତର ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ଅପଦସ୍ଥ ହୋଇଛି ଆତଙ୍କୀସ୍ତାନ ପାକିସ୍ତାନ। ମହିଳା ଅଧିକାର ପ୍ରସଙ୍ଗରେ ପାକିସ୍ତାନର ନିରାଶଜନକ ରେକର୍ଡକୁ ସମାଲୋଚନା କରିବା ସହ ୧୯୭୧ରେ ଅପରେସନ ସର୍ଚ୍ଚଲାଇଟ ସମୟରେ କେମିତି ୪ ଲକ୍ଷ ମହଳାଙ୍କୁ ସାମୂହିକ ଦୁଷ୍କର୍ମ କରାଯାଇଥିଲା ସେକଥା ଉଠାଇଛି ଭାରତ।
ଜାତିସଂଘରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇ ସେଠାରେ ମହିଳାମାନେ ଅତ୍ୟନ୍ତ କଷ୍ଟରେ ଜୀବନ କାଟୁଥିବା କହିଥିଲା। ଏହାର ଜବାବରେ ଭାରତ ସିଧା ପାକିସ୍ତାନ(Pakistan)ର କଳା ଇତିହାସର ଚିଠା ଖୋଲି ଦେଇଛି।
ମିଳିତ ଜାତିସଂଘର ସୁରକ୍ଷା ପରିଷଦ(UNSC)ରେ ମହିଳା ଓ ସୁରକ୍ଷା ସମ୍ପର୍କିତ ବିତର୍କରେ ପ୍ରଥମେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତ(India)କୁ ଘେରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସୁରକ୍ଷା ପରିଷଦରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ପାକିସ୍ତାନର ଧଜିଆ ଉଡ଼ାଇଛନ୍ତି। ପାକିସ୍ତାନ ଜମ୍ମୁ-କଶ୍ମୀର ସମ୍ପର୍କରେ ଭ୍ରମାତ୍ମକପୂର୍ଣ୍ଣ ହମଲା ଜାରି ରଖୁଥିବା ଶ୍ରୀ ହରିଶ ଜାତିସଂଘରେ ଏହାକୁ ସମାଲୋଚନା କରିଛନ୍ତି।
ସେ କହିଛନ୍ତି, “ମହିଳା, ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଆମ ରେକର୍ଡ ଅତ୍ୟନ୍ତ ସ୍ୱଚ୍ଛ ଓ ଅକ୍ଷତ। ଯେଉଁ ଦେଶ ନିଜ ଲୋକଙ୍କ ଉପରେ ବୋମା ମାଡ଼ କରୁଛି ଓ ବ୍ୟବସ୍ଥିତ ନରସଂହାର କାର୍ଯ୍ୟରେ ଲିପ୍ତ ରହିଛି, ସେ ହିଁ କେବଳ ପୂରା ବିଶ୍ୱକୁ ମିଛ କଥା କହି ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି।”
ନିକଟରେ ପାକିସ୍ତାନ ବାୟୁସେନା ଖାୟବର ଫାଖତୁନଖ୍ୱାରେ ବୋମା ମାଡ଼ କରିଥିଲା। ଏଥିରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲା। ଏହାକୁ ଆଧାର କରି ହରିଶ ପାକିସ୍ତାନ ନିଜ ଲୋକଙ୍କ ଉପରେ ବୋମା ବର୍ଷଣ କରୁଥିବା କଥା କହିଛନ୍ତି।
ଅପରେସନ ସର୍ଚ୍ଚଲାଇଟ୍
୧୯୭୧ରେ ପାକିସ୍ତାନ କରିଥିବା ଅପରେସନ ସର୍ଚ୍ଚଲାଇଟ କଥା ମିଳିତ ଜାତିସଂଘରେ ଉଠାଇଛନ୍ତି ଭାରତୀୟ ପ୍ରତିନିଧି ହରିଶ। ତତ୍କାଳୀନ ପୂର୍ବ ପାକିସ୍ତାନରେ ରହୁଥିବା ବେଙ୍ଗଲୀଙ୍କ ବିରୋଧରେ ପାକିସ୍ତାନ ଆର୍ମି ଦମନଲୀଳା ପ୍ରଦର୍ଶନ କରିଥିଲା। ଅପରେସନ ସମୟରେ ହଜାର ହଜାର ମହିଳାଙ୍କୁ ପାକିସ୍ତାନ ସେନା ବନ୍ଧକ ରଖିଥିଲା ଓ ସେମାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଦୁଷ୍କର୍ମ କରିଥିଲା। ଏହି ଅପରେସନର ମାଷ୍ଟରମାଇଣ୍ଡ ଥିଲେ ପାକିସ୍ତାନର ନୃଶଂସ ସାମାରିକ କମାଣ୍ଡର ଜେନେରାଲ ଟିକ୍କା ଖାନ। ତାଙ୍କୁ ବେଙ୍ଗଲର କଂସେଇ ମଧ୍ୟ କୁହାଯାଉଥିଲା।
ଏପରି ଭୟଙ୍କର ଘଟଣା ୧୯୭୧ ମସିହା ମୁକ୍ତି ସଂଗ୍ରାମ ବେଳେ ଘଟିଥିଲା। ଏହି ସଂଗ୍ରାମ ଯୋଗୁ ସ୍ୱତନ୍ତ୍ର ବାଂଲାଦେଶ ଗଠନ ହୋଇଥିଲା। ଭାରତର ହସ୍ତକ୍ଷେପ ଫଳରେ ପାକିସ୍ତାନ ପରାଜୟ ସ୍ୱୀକାର କରିଥିଲା ଓ ଢାକାରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା।
ଏବେ ମିଳିତ ଜାତିସଂଘରେ ପାକିସ୍ତାନର ଏହି କଳା ଚିଠାକୁ ହରିଶ ଖୋଲିବା ସହ ଅନ୍ତର୍ଜାତୀୟ ସମୂହ ପାକିସ୍ତାନର ଅପ୍ରଚାରକୁ ଭଲ ଭାବେ ଦେଖନ୍ତୁ ବୋଲି କହିଛନ୍ତି। ସେ କହିଛନ୍ତି, “ଏହି ଦେଶ ଯିଏ ୧୯୭୧ ଅପରେସନ ସର୍ଚ୍ଚଲାଇଟ କରିଥିଲା ଓ ବେଶ ବ୍ୟବସ୍ଥିତ ଢଙ୍ଗରେ ନିଜ ଆର୍ମି ଦ୍ୱାରା ୪ ଲକ୍ଷ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଅନୁମତି ଦେଇଥିଲା। ପୂରା ବିଶ୍ୱ ପାକିସ୍ତାନର ଅପ୍ରଚାରକୁ ଦେଖିବା ଦରକାର।”
ଏପରି ବୟାନ ପୂର୍ବରୁ ପାକିସ୍ତାନ ପ୍ରତିନିଧି ସାଇମା ସଲୀମ ନିଜ ଭାଷଣରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କଶ୍ମୀରରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଦିଆଯାଇ ଯୁଦ୍ଧର ଗୋଟିଏ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବା କହିଥିଲେ। କିନ୍ତୁ ସେ ଏନେଇ କୌଣସି ପ୍ରକାରର ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
