Advertisment

ଶରିଫଙ୍କ ସ୍ୱୀକାରୋକ୍ତି: ପାକିସ୍ତାନ ହମଲା କରିବା ପୂର୍ବରୁ ଏୟାରବେସ୍‌କୁ ବ୍ରହ୍ମୋସ ମାଡ଼ କରି ସାରିଥିଲା ଭାରତ

ଆସିମ ମୁନିରଙ୍କ ନେତୃତ୍ୱାଧୀନ ପାକିସ୍ତାନ ସେନା ସକାଳ ପ୍ରାର୍ଥନା ପରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। କିନ୍ତୁ ଭୋର ହେବା ଆଗରୁ ଏକାଧିକ ଦୂରଗାମୀ ସୁପରସୋନିକ ବ୍ରହ୍ମୋସ କ୍ରୁଜ ମିସାଇଲ ପାକିସ୍ତାନର ବିଭିନ୍ନ ପ୍ରଦେଶରେ ବର୍ଷି ସାରିଥିଲା।

Sharif

Sharif

Advertisment

ଭାରତ କରିଥିବା କାଉଣ୍ଟର ଷ୍ଟ୍ରାଇକ ସମ୍ପର୍କରେ ବଡ଼ ସ୍ୱୀକାରୋକ୍ତି କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ମେ’ ୯ ଓ ୧୦ ତାରିଖ ରାତିରେ ଯେତେବେଳେ ଭାରତ ବ୍ରହ୍ମୋସ ମିସାଇଲ ଦ୍ୱାରା ପାକିସ୍ତାନ ଏୟାରବେସଗୁଡ଼ିକୁ ଟାର୍ଗେଟ କରିଥିଲା ସେତେବେଳେ ପାକସ୍ତାନ ସେନା ଏହାର ଟେର ବି ପାଇ ନଥିଲା ବୋଲି ଶରିଫ ଆଜି କହିଛନ୍ତି।

Advertisment

ଆଜେରବୈଜାନରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଶରିଫ ସ୍ୱୀକାର କରିଛନ୍ତି ଯେ ଆସିମ ମୁନିରଙ୍କ ନେତୃତ୍ୱାଧୀନ ପାକିସ୍ତାନ ସେନା ସକାଳ ପ୍ରାର୍ଥନା ପରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। କିନ୍ତୁ ଭୋର ହେବା ଆଗରୁ ଏକାଧିକ ଦୂରଗାମୀ ସୁପରସୋନିକ ବ୍ରହ୍ମୋସ କ୍ରୁଜ ମିସାଇଲ ପାକିସ୍ତାନର ବିଭିନ୍ନ ପ୍ରଦେଶରେ ବର୍ଷି ସାରିଥିଲା। ଏ ସମ୍ପର୍କରେ ତାଙ୍କୁ ମୁନିର ରାତି ପ୍ରାୟ ଅଢ଼େଟା ବେଳେ କହିଥିଲେ ବୋଲି ଶରିଫ କହିଛନ୍ତି।

ଶରିଫ ନିଜ ଭାଷଣରେ କହିଛନ୍ତି, “ମେ’୯-୧୦ ରାତିରେ ଆମେ ଭାରତର ଆକ୍ରମଣାତ୍ମକ ପଦକ୍ଷେପର ଜବାବ ଦେବାକୁ ନିଷ୍ପତ୍ତି ନେଇଥିଲୁ। ଆମ ସଶସ୍ତ୍ର ବଳ ଫଜର ପ୍ରାର୍ଥନା ପରେ ଅର୍ଥାତ ଭୋର ୪.୩୦ରେ ଜବାବ ଦେବାକୁ ପ୍ରସ୍ତୁତ ହୋଇଥିଲେ। ଭାରତକୁ ଉପଯୁକ୍ତ ଶିକ୍ଷା ଦେବାକୁ ଆମେ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ସେହି ସମୟ ଆସିବା ପୂର୍ବରୁ ଭାରତ ପୁଣି ବ୍ରହ୍ମୋସ ଦ୍ୱାରା ଗୋଟିଏ ମିସାଇଲ ଆଟାକ କରିଥିଲା। ରାୱଲପିଣ୍ତି ଏୟାରପୋର୍ଟ ସମେତ ଏକାଧିକ ପ୍ରଦେଶରେ ମିସାଲ ମାଡ଼ ହୋଇଥିଲା।”

Advertisment

ଏହାପୂର୍ବରୁ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତୀୟ ସେନାର ପ୍ରଚଣ୍ଡ ହମଲାକୁ ସ୍ୱୀକାର କରିଥିଲେ। ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା ପାକିସ୍ତାନର ପ୍ରମୁଖ ଏୟାର ବେସ୍‌କୁ ଧ୍ୱଂସ କରିଥିବା ଶରିଫ ମାନିଥିଲେ।

ପହଲଗାମ ନରସଂହାର ପରେ ଭାରତୀୟ ସେନା ମେ’ ୭ରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ହେଲେ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସମର୍ଥନରେ ଭାରତର ସାମରିକ ପ୍ରତିଷ୍ଠାନ ଓ ଜନବସତିକୁ ଟାର୍ଗେଟ କରିବାରୁ ଦୁଇ ଦେଶ ମଧ୍ୟରେ ୪ ଦିନ ଧରି ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା।

ପାକିସ୍ତାନର ଡ୍ରୋନ ଓ ମିସାଇଲ ହମଲାର ଜବାବ ଦେବାକୁ ଭାରତୀୟ ସେନା କାଉଣ୍ଟର ଆଟାକ କରିଥିଲା। ଏଥିରେ ପାକିସ୍ତାନର ପ୍ରମୁଖ ସହର ଓ ଏୟାରବେସ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଭାରତ ଏହାର ସ୍ୟାଟେଲାଇଟ ଛବି ଜାରି କରିଥିଲେ ହେଁ ପାକିସ୍ତାନ ଏହାକୁ ସ୍ୱୀକାର କରୁ ନଥିଲା। କିନ୍ତୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶରିଫ ଭାରତୀୟ ସେନାର ହମଲାକୁ ୨ ଥର ସ୍ୱୀକାର କରିଛନ୍ତି।

ପ୍ରଥମେ ସେ ପାକିସ୍ତାନର ଇସଲାମାବାଦରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ ଯେ ଜେନେରାଲ ମୁନିର ବ୍ୟକ୍ତିଗତ ଭାବେ ତାଙ୍କୁ ୧୦ ତାରିଖ ଭୋର ୨.୩୦ରେ ଗୋଟିଏ ସୁରକ୍ଷିତ ଫୋନ ଲାଇନରେ ଯୋଗାଯୋଗ କରିଥିଲେ। ଏହି ଫୋନରେ ସେ ତାଙ୍କୁ ଭାରତ ତା’ର ବାଲାଷ୍ଟିକ ମିସାଇଲ ମାଡ଼ କରିଥିବା କଥା ଜଣାଇଥିଲେ। କିଛି ମିସାଇଲ ନୁର ଖାନ ଏୟାରବେସ ଓ ଅନ୍ୟ କିଛି ସ୍ଥାନରେ ମାଡ଼ ହୋଇଥିବା ସେ ଅବଗତ କରାଇଥିଲେ। ଏହା ଅତ୍ୟନ୍ତ ଚିନ୍ତାର ମୁହୂର୍ତ୍ତ ଥିଲା ବୋଲି ଶରିଫ କହିଥିଲେ। ଏବେ ସେ ଆଜେରବୈଜାନରେ ମଧ୍ୟ ଭାରତର ମିସାଇଲ ମାଡ଼ କଥା ସ୍ୱୀକାର କରିଛନ୍ତି।

ନୁର ଖାନ ଏୟାରବେସ୍‌ ରାୱଲପିଣ୍ଡି ଓ ଇସଲାମାବାଦ ମଧ୍ୟରେ ରହିଛି। ପାକିସ୍ତାନର ଏୟାର ଅପରେସନରେ ନୁର ଖାନ ଏୟାରବେସ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପୂର୍ବରୁ ଏହା ଚକଲାଲା ଏୟାବେସ ଭାବେ ଏହା ପରିଚିତ ଥିଲା। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଏହି ଏୟାରବେସକୁ ଟାର୍ଗେଟ କରାଯାଇଥିଲା।

ନୁର ଖାନ ବ୍ୟତୀତ ରଫିକ୍ୟୁ, ମୁରିଦ, ରହିମ ୟାର ଖାନ, ସୁକୁର ଓ ଚୁନିଆନ ଏୟାର ବେସ୍‌କୁ ମଧ୍ୟ ଭାରତ ଟାର୍ଗେଟ କରିଥିଲା। ଏହାବାଦ ଭାରତର ଷ୍ଟ୍ରାଇକରେ ସକାରଦୁ, ଭୋଲାରି, ଜକୋବାବାଦ ଓ ସରଗୋଧାରେ ଥିବା ଏୟାର ବେସ୍‌ ବି କ୍ଷତିଗ୍ରସ୍ତ ହୋଇଛି।

Pakistan Shehbaz Sharif India Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe