Thai
ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ମଧ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଥାଇଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ୭ଟି ପ୍ରଦେଶକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଦୀର୍ଘ ସମୟ ଧରି କମ୍ବୋଡିଆ ଓ ଥାଇଲ୍ୟାଣ୍ଡ ମଧ୍ୟରେ ଥିବା ସୀମା ବିବାଦ ଏବେ ସାମରିକ ଲଢ଼େଇର ରୂପ ନେବାରୁ ଭାରତୀୟଙ୍କ ପାଇଁ ଏପରି ସତର୍କତା ଜାରି କରାଯାଇଛି।
ଦୂତାବାସ ପକ୍ଷରୁ କୁହାଯାଇଛି ଯେ “ଥାଇଲ୍ୟାଣ୍ଡ-କମ୍ବୋଡିଆ ସୀମାରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଥାଇଲ୍ୟାଣ୍ଡ ଆସୁଥିବା ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଥାଇ ଅଧିକାରୀଙ୍କ ସୂତ୍ରରୁ ସ୍ଥିତି ସମ୍ପର୍କରେ ଅପଡେଟ ନିଅନ୍ତୁ। ଟିଏଟି ନ୍ୟୁଜରୁମରୁ ସେମାନେ ପରିସ୍ଥିତି ସମ୍ପର୍କରେ ତଥ୍ୟ ହାସଲ କରିପାରିବେ।”
ଥାଇଲ୍ୟାଣ୍ଡର କାମଚଳା ପ୍ରଧାନମନ୍ତ୍ରୀ ଫୁମଥାମ ୱେଚାୟାଚାଇ ସ୍ଥିତି ଭୟଙ୍କର ଭାବେ ବିଗିଡ଼ି ସାରିଥିବା କହିବା ପରେ ଭାରତୀୟଙ୍କ ପାଇଁ ଏଭଳି ସତର୍କତା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଫୁମଥାମ ୱେଚାୟାଚାଇ କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ଦେଖା ଯାଇଥିବା ଅନୁପ୍ରବେଶ ଓ ଉତ୍ତେଜନା ଲୋକଙ୍କ ଜୀବନକୁ ପ୍ରଭାବିତ କରିବା ସହ ବିପଦ ସୃଷ୍ଟି କରିଛି। ସ୍ଥିତି ବିଗିଡ଼ି ଯାଇଛି ଓ ଏହା ଗୋଟିଏ ବଡ଼ ଯୁଦ୍ଧର ମଧ୍ୟ ରୂପ ନେଇ ପାରେ। ବର୍ତ୍ତମାନ ବଡ଼ବଡ଼ ଯୁଦ୍ଧାସ୍ତ୍ରରେ ଲଢ଼େଇ ଚାଲିଛି।”
ଉବୋନ ରାତଚାଥାନି, ସୁରିନ, ସିସାକେଟ, ବୁରିରାମ, ସା କାଇଓ, ଚାନ୍ଥାବୁରୀ ଓ ତ୍ରାଟ ଭଳି ୭ଟି ପ୍ରଦେଶର ୨୦ରୁ ଅଧିକ ସ୍ଥାନକୁ ନ ଯିବା ପାଇଁ ସାଧାରଣ ଲୋକଙ୍କୁ କୁହାଯାଇଛି।ବୁଧବାର ଠାରୁ ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସୀମାରେ ସଂଘର୍ଷ ଭୟଙ୍କର ରୂପ ନେଇଥିଲେ। ଏଥିରେ ୧୬ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ଜଣେ ସୈନ୍ୟ ରହିଛନ୍ତି। ସେହିପରି ୧୫ ଜଣ ସୈନ୍ୟ ଓ ୩୦ ସାଧାରଣ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଲଢ଼େଇ ତୀବ୍ର ହେଉଥିବାରୁ ସୀମାନ୍ତ ଅଞ୍ଚଳରେ ରହୁଥିବା ହଜାର ହଜାର ଲୋକ ନିଜର ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।
ଦୁଇ ଦେଶ ପରସ୍ପର ଉପରେ ଗୁଳି ବର୍ଷା କରୁଥିବା ବେଳେ ରକେଟ ଦ୍ୱାରା ଆକ୍ରମଣ କରୁଛନ୍ତି। ଥାଇଲ୍ୟାଣ୍ଡ ପକ୍ଷରୁ କମ୍ବୋଡିଆର କିଛି ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଥିବା ଜଣାପଡ଼ିଛି। ୪ ସୀମାନ୍ତ ପ୍ରଦେଶରେ ଦୁଇ ଦେଶର ସେନା ମଧ୍ୟରେ ଆଜି ସକାଳୁ ଗୁଳି ବିନିମୟ ଜାରି ରହିଛି।
ତା ମ୍ୟୁନ ଓ ତା ମୋନ ଥୋମ ମନ୍ଦିର ନିକଟରେ ଗୁରୁବାର ସକାଳୁ ଲଢ଼େଇ ଆରମ୍ଭ ହୋଇଛି। ଏହା ଏକ ଶିବ ମନ୍ଦିର। ଏହି ଅଞ୍ଚଳକୁ ଉଭୟ ଦେଶ ନିଜର ବୋଲି ଦୀର୍ଘ ସମୟ ହେଲା ଦାବି କରି ଆସୁଛନ୍ତି। ଥାଇ ଆର୍ମିର କହିବା କଥା ଯେ କମ୍ବୋଡିଆ ପକ୍ଷରୁ ପ୍ରଥମେ ଗୁଳି ମାଡ଼ କରାଯାଇଥିଲା। ଏହାପୂର୍ବରୁ ସୀମାନ୍ତ ଅଞ୍ଚଳରେ ଗୋଟିଏ ଡ୍ରୋନ ଦେଖିବାକୁ ମିଳିଥିଲା। ଏହାକୁ ୬ ଜଣ ସଶସ୍ତ୍ର ଥାଇ ସୈନ୍ୟ ପିଛା କରିଥିଲେ।
ସେମାନଙ୍କୁ ଟାର୍ଗେଟ କରି ଗୁଳି ମାଡ଼ କରିଥିଲା କମ୍ବୋଡିଆ ସେନା। ଏହାର ଜବାବ ଥାଇଲ୍ୟାଣ୍ଡ ପକ୍ଷରୁ ଦିଆଯାଇଛି। ତେବେ କମ୍ବୋଡିଆ ଏହାକୁ ଖଣ୍ଡନ କରିଛି। ଥାଇଲ୍ୟାଣ୍ଡର ସଶସ୍ତ୍ର ଆକ୍ରମଣରୁ ଜାତୀୟ ଟେରିଟୋରୀ ବା ନିଜ ଅଞ୍ଚଳକୁ ରକ୍ଷା କରିବା ପାଇଁ କମ୍ବୋଡିଆ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Thai_1753435233.jpg)