Advertisment

ଚୀନ୍‌ ନୁହେଁ, ଏବେ ଭାରତର ଜନସଂଖ୍ୟା ସବୁଠୁ ଅଧିକ

ବର୍ଷ ବର୍ଷ ଧରି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ ତାଲିକାରେ ଚୀନ୍‌ ନାଁ ସବୁଠୁ ଉପରେ ରହୁଥିବା ବେଳେ ଏବେ ଭାରତ ସେହି ସ୍ଥାନ ଅଧିକାର କରିଛି।

ଅଦ୍ୟତନ ହୋଇଛି
Population

Population

Advertisment

ଚୀନ୍‌କୁ ପଛରେ ପକାଇଲା ଭାରତ । ବର୍ଷ ବର୍ଷ ଧରି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ ତାଲିକାରେ ଚୀନ୍‌ ନାଁ ସବୁଠୁ ଉପରେ ରହୁଥିବା ବେଳେ ଏବେ ଭାରତ ସେହି ସ୍ଥାନ ଅଧିକାର କରିଛି। ଅର୍ଥାତ ଏବେ ଭାରତ ବିଶ୍ୱର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର। ଦ୍ୱିତୀୟ ତାଲିକାରେ ରହିଛି ଚୀନ । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ବିଭିନ୍ନ ଦେଶର ଜନସଂଖ୍ୟା ଗଣନା କରାଯାଇ ଏପରି ରିପୋର୍ଟ ପ୍ରକାଶ ପାଇଛି।

Advertisment

ଚଳିତ ବର୍ଷ ପ୍ରାରମ୍ଭରେ ହିଁ ଭାରତ ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ ବୋଲି ଗ୍ଲୋବାଲ ଏକ୍ସପର୍ଟ୍ସ ନାମକ ସଂସ୍ଥା ଅନୁମାନ କରିଥିଲା, ଯେଉଁଥିରେ ସଂଯୁକ୍ତ ରାଷ୍ଟ୍ର ଏବେ ମୋହର ମାରିଛି। ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶିତ ରିପୋର୍ଟରେ ଭାରତ ଚୀନ୍‌ଠୁ ୨୯ ଲକ୍ଷ ଆଗରେ ରହିଛି। କିନ୍ତୁ ପ୍ରକୃତରେ ଭାରତ କେବେ ଚୀନ୍‌ ଜନସଂଖ୍ୟାକୁ ଅତିକ୍ରମ କରି ଆଗକୁ ବଢ଼ିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ।

ୟୁନାଇଟେଡ ନ୍ୟାସନାଲ ପପୁଲେଶନ ଫଣ୍ଡ ଅନୁଯାୟୀ, ସମଗ୍ର ବିଶ୍ୱର ଜନସଂଖ୍ୟା ଏବେ ୮ଶହ କୋଟିରୁ ଅଧିକ ଅଟେ। ଏହି ରିପୋର୍ଟ ଅନୁଯାୟୀ, ଭାରତର ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ ଅଟେ। ଅପରପକ୍ଷେ, ଚୀନ୍‌ର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ଅଟେ। ଏପରି କ୍ଷେତ୍ରରେ ୨ ଦେଶର ଜନସଂଖ୍ୟାରେ ୨୯ ଲକ୍ଷ ପାର୍ଥକ୍ୟ ରହିଛି।

Advertisment

ଗତ ୧୯୫୦ ମସିହାରୁ ସଂଯୁକ୍ତ ରାଷ୍ଟ୍ର ବିଶ୍ୱର ବିଭିନ୍ନ ଦେଶର ଜନସଂଖ୍ୟା ରେକର୍ଡ ରଖୁଛି। ଏହାର ମିଡିଆ ପରାମର୍ଶଦାତା ଅନ୍ନା ଜେଫରିଜ କହିଛନ୍ତି, ଜନସଂଖ୍ୟା ମାମଲାରେ ଭାରତ କେବେ ଚୀନ୍‌କୁ ପଛରେ ପକାଇଲା, ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ତେବେ ୨ ଦେଶ ମଧ୍ୟରେ ଜନସଂଖ୍ୟା ଅନ୍ତର ଖୁବ୍‌ କମ୍‌ ରହିଛି।

ତାଙ୍କ କହିବାନୁଯାୟୀ, ଚୀନ୍‌ର ଜନସଂଖ୍ୟା ଗତବର୍ଷ ପିକ୍‌ରେ ପହଞ୍ଚିଥିବା ବେଳେ ଏହାପରେ ଗ୍ରାଫ ତଳମୁହାଁ ହୋଇଥିଲା। ହେଲେ ଭାରତର ଜନସଂଖ୍ୟା ଗ୍ରାଫ୍‌ ଏବେ ବି ଉପରମୁହାଁ ରହିଛି। ହେଲେ ଭାରତର ଗ୍ରୋଥ୍‌ ରେଟ୍‌ ୧୯୮୦ ମସିହା ତୁଳନାରେ କମ୍‌ ରହୁଛି। ଏହା ଅର୍ଥ ଭାରତର ଜନସଂଖ୍ୟା ବଢ଼ୁଛି, କିନ୍ତୁ ଗ୍ରୋଥ୍‌ ରେଟ୍‌ ପୂର୍ବ ତୁଳନାରେ କମ୍‌ ରହୁଛି।

ରିପୋର୍ଟ ଅନୁଯାୟୀ, ଭାରତର ୨୫% ଜନସଂଖ୍ୟା ୦ରୁ ୧୪ ବର୍ଷ ମଧ୍ୟରେ ରହିଛି। ଏହାବାଦ ୧୮% ଜନସଂଖ୍ୟା ୧୦ରୁ ୧୯ ବର୍ଷ ମଧ୍ୟରେ ରହୁଛି। ୧୦ରୁ ୨୪ ବର୍ଷ ବୟସର ଲୋକ ୨୬% ପାଖାପାଖି ଅଛନ୍ତି । ହେଲେ ଚୀନ୍‌ରେ ୬୫%ରୁ ଅଧିକ ବୟସର ଲୋକ ୧୪% ରହିଛି।

ରିପୋର୍ଟ ଅନୁଯାୟୀ, ଚୀନ୍‌ ନାଗରିକଙ୍କ ଆୟୂଷ ଭାରତୀୟଙ୍କ ଆୟୂଷଠାରୁ ଅଧିକ ରହୁଛି। ଚୀନରେ ମହିଳାଙ୍କ ଆୟୂଷ ୮୨ ଓ ପୁରୁଷଙ୍କର ୭୬ ବର୍ଷ ପର୍ଯ୍ୟନ୍ତ ରହୁଥିବା ବେଳେ ଭାରତରେ ମହିଳାଙ୍କ ଆୟୂଷ ୭୪ ଓ ପୁରୁଷଙ୍କର ୭୧ ବର୍ଷ ରହୁଛି।

ବିଗତ ବହୁ ବର୍ଷ ଧରି ଚୀନ୍‌ରେ ଏକ ଶିଶୁ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଥିବାରୁ ତାହା ଜନସଂଖ୍ୟା କମିବାର କାରଣ ବୋଲି କହୁଛନ୍ତି ବିଶେଷଜ୍ଞ। ଏହାର ପ୍ରଭାବ ଏପରି ପଡ଼ିଲା ଯେ, ଏବେ ୨ କିମ୍ବା ତା’ଠୁ ଅଧିକ ଶିଶୁ ଜନ୍ମ କଲେ ଚୀନ୍‌ ସରକାର ଆକର୍ଷଣୀୟ ଅଫର୍‌ ଦେବାକୁ ଘୋଷଣା କରୁଛନ୍ତି। ହେଲେ ଭାରତରେ ସେପରି କିଛି କଡ଼ାକଡ଼ି ନିୟମ ଲାଗୁ କରାଯାଇନି ।

China India Population Policy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe