ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସବୁ କିଛି ବଦଳି ଯାଇଛି। ଟ୍ରମ୍ପ ଶପଥ ନେବାର ପ୍ରଥମ ଦିନରେ ପ୍ରାୟ ୧୦ଟି କାର୍ଯ୍ୟନିର୍ବାହୀ ଉପରେ ଦସ୍ତଖତ କରିଛନ୍ତି। ଆମେରିକାରେ ପ୍ରଚଳିତ ଏକାଧିକ ନିୟମରେ ଟ୍ରମ୍ପ ପ୍ରଶାସନ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଏହାବାଦ ଟ୍ରମ୍ପ ୧୯୬୮ରୁ ଆମେରିକାରେ ପ୍ରଚଳିତ ଜନ୍ମାଧିକାର ନାଗରିକତାକୁ ମଧ୍ୟ ବିଲୋପ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଟ୍ରମ୍ପଙ୍କ ଏପରି ଘୋଷଣା ପରେ ଆମେରିକାରେ ରହୁଥିବା ଭାରତୀୟଙ୍କ ଚିନ୍ତା ବଢ଼ି ଯାଇଛି। ସେମାନେ ଆମେରିକାର ଅସ୍ଥାୟୀ ନାଗରିକ ହୋଇଥିବାରୁ ଟ୍ରମ୍ପ ସେମାନଙ୍କ ସହ କ’ଣ କରିବେ, ସେଚିନ୍ତା ସମସ୍ତଙ୍କୁ ଘାରିବାରେ ଲାଗିଛି। ଟ୍ରମ୍ପ ଦସ୍ତଖତ କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆମେରିକାରେ ଜନ୍ମ ହେଉଥିବା ପିଲାକୁ ଆପେଆପେ ନାଗରିକତା ମିଳି ପାରିବ ନାହିଁ।
ଯଦି ପିଲାଟିର ବାପା ମା’ଙ୍କ ମଧ୍ୟରୁ ଜଣେ ଆମେରିକାର ନାଗରିକ ହୋଇଥିବେ କିମ୍ବା ସେମାନଙ୍କ ପାଖରେ ଆଇନଗତ ସ୍ଥାୟୀ ଠିକଣା(ଗ୍ରୀନ କାର୍ଡଧାରୀ) ଥିବ କିମ୍ବା ଆମେରିକା ସେନାର ସଦସ୍ୟ ଥିବା ଲୋକ ଠାରୁ ଜନ୍ମିତ ପିଲାଙ୍କୁ ହିଁ ନାଗରିକତା ମିଳିବ।
ଜନ୍ମାଧିକାର ନାଗରିକତା କ’ଣ?
ଜନ୍ମାଧିକାର ନାଗରିକତାର ଅର୍ଥ ଯିଏ ଆମେରିକା ମାଟିରେ ଜନ୍ମ ଗ୍ରହଣ କରିବେ, ସେ ଆପେଆପେ ସେଠାକାର ନାଗରିକତା ପାଇବେ। ତାଙ୍କ ବାପା ମା’ ପାଖରେ ଯଦି ଆମେରିକାର ନାଗରିକତା ନଥିବ କିମ୍ବା ସେମାନେ ଶରଣାର୍ଥୀ ହୋଇଥିଲେ ବି ପିଲାମାନଙ୍କୁ ଆମେରିକାର ନାଗରିକତା ମିଳିବ। ଏହି ପ୍ରାବଧାନ ୧୮୬୮ ମସିହାରୁ ଆମେରିକାରେ କାର୍ଯ୍ୟକାରୀ ହେଉଛି। ଆମେରିକାରେ ଜନ୍ମିତ ପିଲାଙ୍କୁ ନାଗରିକତା ସହ ସମସ୍ତ ପ୍ରକାରର ସୁବିଧା ଦେବାକୁ ଏହାକୁ ପ୍ରଣୟନ କରାଯାଇଥିଲା।
ପିଲାମାନେ ଆମେରିକାର ଯେକୌଣସି ପ୍ରାନ୍ତରେ ଜନ୍ମ ହୋଇଥିବେ, ସେମାନଙ୍କୁ ସେଠାକାର ନାଗରିକତା ଭାବେ ବିଚାରକୁ କରିବାକୁ ସମ୍ବିଧାନର ୧୪ତମ ସଂଶୋଧରେ ବ୍ୟବସ୍ଥା କରାଯାଇଛି। ୩ ବର୍ଷ ଧରି ଆମେରିକାରେ ଚାଲିଥିବା ଗୃହଯୁଦ୍ଧ ପା ୧୮୬୮ରେ ଏପରି ନିୟମ ଲାଗୁ କରାଯାଇଥିଲା।
ଡେଡ୍ଲାଇନ ଜାରି କଲେ ଟ୍ରମ୍ପ
ରାଷ୍ଟ୍ରପତି ଟ୍ରମ୍ପ ଜନ୍ମାଧିକାର ନାଗରିକତା ଲୋପ କରିବାକୁ ଚାହୁଁଥିଲେ ହେଁ ସମସ୍ତଙ୍କ ପାଇଁ ଗୋଟିଏ ଡେଡଲାଇନ ବା ସମୟସୀମା ଧାର୍ଯ୍ୟ କରିଛନ୍ତି। ଟ୍ରମ୍ପଙ୍କ ଡେଡଲାଇନ ପରେ ଭାରତୀୟ ଦମ୍ପତି ସମସ୍ତ ପୂର୍ବରୁ ନିଜ ଛୁଆକୁ ଆମେରିକାରେ ଜନ୍ମ ଦେବାକୁ ଚାହୁଁଛନ୍ତି। ସେମାନେ ୨୦ ତାରିଖ ପୂର୍ବରୁ ପ୍ରସବ କରିବା ପାଇଁ ବିଭନ୍ନ ଡାକ୍ତର ଓ କ୍ଲିନକରେ ଧାଡ଼ି ଲଗାଇବା ଆରମ୍ଭ କରିଛନ୍ତି। ସମସ୍ତେ ଫେବୃଆରୀ ୨୦ ପୂର୍ବରୁ ସର୍ଜରୀ ବା ସି-ସେକସନ ଦ୍ୱାରା ଛୁଆକୁ ଜନ୍ମ କରିବାକୁ ଚାହୁଁଛନ୍ତି।
କିନ୍ତୁ ଫେବୃଆରୀ ୨୦ କାହିଁକି? ଏହାର କାରଣ ହେଲା ଜନ୍ମାଧିକାର ନାଗରିକତା ଶେଷ କରିବା ପାଇଁ ଟ୍ରମ୍ପ ଦସ୍ତଖତ କରିଥିବା ନିର୍ଦ୍ଦେଶନାମାରେ ଶେଷ ତାରିଖ ୨୦ ଫେବୃଆରୀ ରହିଛି। ଏଥିରେ କୁହାଯାଇଛି ଯେ ଫେବୃଆରୀ ୧୯ ଯାଏ ଅଣ ଆମେରିକୀୟଙ୍କ ଠାରୁ ଜନ୍ମିତ ପିଲାଙ୍କୁ ପୂର୍ବ ନିୟମ ଅନୁସାରେ ଆପେଆପେ ଆମେରିକାର ନାଗରିକତା ମିଳିବ। ୨୦ ତାରିଖରୁ ଜନ୍ମାଧିକାର ନାଗରିକତା ନିୟମ ରହିବ ନାହିଁ। ତେଣୁ ଅଣ ଆମେରିକୀୟ ଦମ୍ପତିଙ୍କ ଠାରୁ ଜନ୍ମିତ ପିଲାଙ୍କୁ ଆଉ ଆପେଆପେ ଆମେରିକାର ନାଗରିକତା ମିଳିବ ନାହିଁ। ତେଣୁ ଗର୍ଭତୀ ଥିବା ଭାରତୀୟମାନେ ସମୟ ପୂର୍ବରୁ ସି-ସେକସନ ଦ୍ୱାରା ଫେବୃଆରୀ ୨୦ ପୂର୍ବରୁ ସେମାନଙ୍କ ଛୁଆଙ୍କୁ ଜନ୍ମ ଦେଇ ଜନ୍ମାଧିକାର ନାଗରିକତାର ଫାଇଦା ହାସଲ କରିବାକୁ ଚାହୁଁଛନ୍ତି।
ଏବେ ଆମେରିକାରେ ହଜାର ହଜାର ଭାରତୀୟ ଅସ୍ଥାୟୀ ଏଚ-୧ବି ଓ ଏଲ-୧ ଭିସାରେ କାମ କରୁଛନ୍ତି। ସେମାନେ ଆମେରିକାର ସ୍ଥାୟୀ ନାଗରିକ ପାଇଁ ଗ୍ରୀନ କାର୍ଡ ଅପେକ୍ଷାରେ ରହିଛନ୍ତି। ବାପା ମା’ଙ୍କ ମଧ୍ୟରୁ ଜଣେ ଆମେରିକୀୟ ହୋଇ ନଥିବେ କିମ୍ବା ସେମାନଙ୍କ ପାଖରେ ଗ୍ରୀନ କାର୍ଡ ନ ଥିବ, ତା’ହେଲେ ସେମାନଙ୍କ ଠାରୁ ଜନ୍ମିତ ପିଲାଙ୍କୁ ଫେବୃଆରୀ ୨୦ ଠାରୁ ଆଉ ଆପେଆପେ ଆମେରିକୀୟ ନାଗରିକତା ମିଳିବ ନାହିଁ।
ଆଗୁଆ ପ୍ରସବ ପାଇଁ ବିକଳ ଭାରତୀୟ
ଶତାଧିକ ଭାରତୀୟ ଦମ୍ପତି ୨୦ ତାରିଖ ପୂର୍ବରୁ ସି-ସେକସନ ଦ୍ୱାରା ଆମେରିକାରେ ଛୁଆକୁ ଜନ୍ମ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ବିଭିନ୍ନ ଡାକ୍ତର ଓ କ୍ଲିନକ ସହ ଯୋଗାଯୋଗ ମଧ୍ୟ ଆରମ୍ଭ କରିଦେଇଛନ୍ତି। ନ୍ୟୁଜର୍ସିରେ ଥିବା ଡାକ୍ତର ଏସଡି ରାମା ମାତୃତ୍ୱ କ୍ଲିନ ଅସ୍ୱାଭାବିକ ଭାବେ ସି-ସେକ୍ସନ ପ୍ରସବ ପାଇଁ କଲ ପାଇବାରେ ଲାଗିଛି। ୮ରୁ ୯ ମାସ ଗର୍ଭଧାରଣ କରିଥିବା ମହିଳା ଫେବୃଆରୀ ୨୦ ପୂର୍ବରୁ ସର୍ଜରୀ ପାଇଁ କ୍ଲିନକ ସହ ଯୋଗାଯୋଗ କରିଛନ୍ତି। ସେହିପରି ଆଉ କିଛି ମହିଳା ଗର୍ଭଧାରଣର ସମୟ ପୂରା କରି ନଥିଲେ ହେଁ ଆଗୁଆ କେମିତି ଛୁଆ ଜନ୍ମ ହୋଇ ପାରିବ, ସେ ବାବଦରେ କ୍ଲିନକ ସହ କଥା ହୋଇଛନ୍ତି।
ଡାକ୍ତର ରାମା କହିଛନ୍ତି, “ଫେବୃଆରୀ ୨୦ ପୂର୍ବରୁ ସି-ସେକ୍ସନ ଦ୍ୱାରା ପ୍ରସବ କରିବା ପାଇଁ ପ୍ରାୟ୩୦ ଜଣ ଆମ ସହ ଯୋଗାଯୋଗ କରିଛନ୍ତି। ଜଣେ ୭ ମାସର ଗର୍ଭବତୀ ତାଙ୍କ ସ୍ୱାମୀଙ୍କ ସହ ଏଠାକୁ ଆସି ସମୟ ପୂର୍ବରୁ ଡେଲିଭରୀ କରିବାକୁ ଦସ୍ତଖତ କରିଛନ୍ତି। ତାଙ୍କ ପ୍ରସବ ସମୟ ମାର୍ଚ୍ଚ ପୂର୍ବରୁ ନଥିଲେ ହେଁ ସେ ଫେବୃଆରୀ ୨୦ରୁ ଛୁଆ ଜନ୍ମ କରିବାକୁ ଚାହୁଁଛନ୍ତି।
ଆମେରିକାରେ ଜନ୍ମିତ ପିଲାମାନେ ଯଦି ଜନ୍ମାଧିକାର ନାଗରିକତା ହାସଲ କରିପାରିବେ ନାହିଁ, ତା’ହେଲେ ୨୧ ବର୍ଷ ବୟସ ହେବା ପରେ ସେମାନେ ନିଜର ବାପା ମା’ଙ୍କୁ ନିଜ ପାଖକୁ ଆଣିବା ପାଇଁ କରୁଥିବା ଆବେଦନରୁ ମଧ୍ୟ ବଞ୍ଚିତ ହେବେ। ଏହାଦ୍ୱାରା ପରିବାର ଭାଗଭାଗ ହେବେ ଓ ଅନେକ ଆଇନଗତ ସମସ୍ୟା ଦେଖାଯିବ। ତେଣୁ ସେମାନେ ତରବରିଆ ଭାବେ ପିଲାଙ୍କୁ ଆମେରିକାରେ ଜନ୍ମ ଦେବାକୁ ଚାହୁଁଥିବା ଡାକ୍ତର ରାମା କହିଛନ୍ତି।
ଆଗୁଆ ପ୍ରସବରେ ରହିଛି ବିପଦ
ସମୟ ପୂର୍ବରୁ ପ୍ରସବ ଯୋଗୁ ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରିଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ଏସଜି ମୁକ୍କାଲା। ତାଙ୍କ କହିବା କଥା ଯେ ସମୟ ପୂର୍ବରୁ ପ୍ରସବ କରିବାକୁ ଚାହୁଁଥିବା ପ୍ରାୟ ୨୫ ଜଣ ମହିଳାଙ୍କ ସହ ସେ ଗତ ଦୁଇ ଦିନ ମଧ୍ୟରେ କଥା ହୋଇଛନ୍ତି।
ସେ କହିଛନ୍ତି, “ଫେବୃଆରୀ ୨୦ ପୂର୍ବରୁ ପ୍ରସବ କରାଇବାକୁ ଚାହୁଁଥିବା ଦମ୍ପତିଙ୍କୁ ମୁଁ ସବୁ କଥା ବୁଝାଇଛି। ଆଗୁଆ ପ୍ରସବ ଯଦିଓ ସମ୍ଭବ। ତଥାପି ଏହି ପ୍ରକ୍ରିୟା ଉଭୟ ପିଲା ଓ ମା’ର ଜୀବନ ପ୍ରତି ବିପଦ ସୃଷ୍ଟି କରିବ। ଆଗୁଆ ପ୍ରସବ କଲେ ଅଣବିକଶିତ ଫୁସଫୁସ, ଫିଡିଂ ସମସ୍ୟା, କମ ଓଜନ, ସ୍ନାୟୁଗତ ସମସ୍ୟା ଓ ଆହୁରି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।”
ଆଗୁଆ ପ୍ରସବରେ ସମସ୍ୟା ରହିଥିବା ଦମ୍ପତି ଭଲ ଭାବେ ଜାଣିଛନ୍ତି। ତଥାପି ସେମାନେ ଡେଡଲାଇନ ପୂର୍ବରୁ ସି-ସେକ୍ସନ ପାଇଁ କାହିଁକି ବ୍ୟାକୁଳ ହେଉଛନ୍ତି, ସେକଥା ମଧ୍ୟ ଡାକ୍ତରମାନଙ୍କୁ କହିଛନ୍ତି। ସେହିପରି ଗ୍ରୀନ କାର୍ଡ ପାଇଁ ଦୀର୍ଘ ବର୍ଷ ହେଲା ଅପେକ୍ଷା କରି ଭାରତୀୟଙ୍କୁ ନିରାଶ ହେବାକୁ ପଡ଼ିଛି। ଏପରି ସ୍ଥିତିରେ ସେମାନେ କୌଣସି ଉପାୟ ନ ପାଇ ନିଜ ପିଲାଙ୍କୁ ସମୟ ପୂର୍ବରୁ ପ୍ରସବ କରିବାକୁ ମଧ୍ୟ ଚାହୁଁଛନ୍ତି।
ମାର୍ଚ୍ଚ ମାସରେ ଛୁଆ ଜନ୍ମ କରିବାକୁ ଥିବା ପ୍ରିୟା ନିଜର ପରିସ୍ଥିତି ସମ୍ପର୍କରେ କହିଛନ୍ତି ଯେ “ଆମେ ଆମର ପିଲା ଏଠାରେ ଜନ୍ମ ହେଉ ବୋଲି ଚାହୁଁଛୁ। ଆମେ ୬ ବର୍ଷ ହେଲା ଗ୍ରୀନ କାର୍ଡ ପାଇଁ ଅପେକ୍ଷା କରିଥିଲେ ହେଁ କିଛି ବି ଲାଭ ମିଳୁନି। ତେଣୁ ପରିବାରର ସ୍ଥିରତା ପାଇଁ ଏହା ହିଁ ଆମ ପାଖରେ ଏକମାତ୍ର ଉପାୟ। ଆମେ ଅସ୍ଥିରତାକୁ ନେଇ ପୂରା ଚିନ୍ତିତ। ତେଣୁ ଆଗୁଆ ଛୁଆ ଜନ୍ମ ଛଡ଼ା ଆମ ପାଖରେ କୌଣସି ଉପାୟ ନାହିଁ।”
ଆମେରିକାରେ ୮ ବର୍ଷ ହେଲା ରହୁଥିବା ଜଣେ ବ୍ୟକ୍ତି ମଧ୍ୟ ଟ୍ରମ୍ପଙ୍କ ଡେଡ ଲାଇନରେ ଛାନିଆ। ସେ ନିଜ ନାଁ ଗୋପନ ରଖି କହିଛନ୍ତି, ସେ ଓ ତାଙ୍କ ପତ୍ନୀ ୮ ବର୍ଷ ହେଲେ ଆମେରିକାକୁ ବେଆଇନ ଭାବେ ପ୍ରବେଶ କରି ରହିଛନ୍ତି। ତାଙ୍କ ପତ୍ନୀ ଏବେ ୭ ମାସର ଗର୍ଭବତୀ। ପ୍ରସବ ପାଇଁ ଅନେକ ଦିନ ବାକି ରହିଛି। ଏସବୁ ଭିତରେ ଟ୍ରମ୍ପ ପ୍ରଶାସନ ଜନ୍ମାଧିକାର ନାଗରିକତା ପାଇଁ ଡେଡଲାଇନ ଜାରି କରିଛନ୍ତି। ଏହା ଶୁଣି ବ୍ୟକ୍ତି ଓ ତାଙ୍କ ପତ୍ନୀ ପୂରା ମର୍ମାହତ। ସେମାନେ ଭାବିଥିଲେ ଯେ ରାଜନୀତିକ ଆଶ୍ରୟ ନେବେ। କିନ୍ତୁ ପତ୍ନୀ ଗର୍ଭବତୀ ଥିବାରୁ ସେମାନଙ୍କ ଓକିଲ କହିଲେ ଯେ ଛୁଆ ଜନ୍ମ ପରେ ଦମ୍ପତିଙ୍କୁ ଆପେଆପେ ନାଗରିକତା ମିଳିଯିବ। ଏହି ଶୁଣି ଦମ୍ପତି ଆଶ୍ୱସ୍ତି ହୋଇଥିଲେ ହେଁ ଏବେ ସେମାନଙ୍କ ଚିନ୍ତା ବଢ଼ିଛି।
କାହିଁକି ଚିନ୍ତାରେ ରହିଛନ୍ତି ଭାରତୀୟ?
ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ସଂଖ୍ୟା ୱାଶିଂଟନରେ ଦ୍ରୁତଗତିରେ ବଢ଼ି ଚାଲିଛି। ଟ୍ରମ୍ପଙ୍କ ନୂଆ ନିର୍ଦ୍ଦେଶ ଦ୍ୱାରା ଏମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ। ୨୦୨୪ର ତଥ୍ୟ ଅନୁସାରେ ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ୫.୪ ମିଲିୟନ। ଏହା ଆମେରିକାର ମୋଟ ଜନସଂଖ୍ୟାର ୧.୪୭%। ଏମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଶରଣାର୍ଥୀ। ସେହିପରି ୩୪% ହେଉଛନ୍ତି ଆମେରିକାର ଜନ୍ମିତ।
ଯଦି ଟ୍ରମ୍ପଙ୍କ ନିର୍ଦ୍ଦେଶନାମା ଅନୁସାରେ ନାଗରିକତା ନୀତିରେ ପରିବର୍ତ୍ତନ ହେବ, ତା’ହେଲେ ଏଚ୍-୧ବି ଭିସା ଭଳି ଅସ୍ଥାୟୀ ଭିସାରେ ଆମେରିକାରେ ରହୁଥିବା ଭାରତୀୟଙ୍କ ଠାରୁ ଜନ୍ମିତ ପିଲାମାନଙ୍କୁ ଆଉ ଆପେଆପେ ଆମେରିକାର ନାଗରିକ ଭାବେ ବିବେଚନା କରାଯିବ ନାହିଁ। ପ୍ରତି ଆମେରିକାରେ ଭାରତୀୟ ଶରଣାର୍ଥୀଙ୍କ ଠାରୁ ଜନ୍ମ ହେଉଥିବା ହଜାର ହଜାର ପିଲା ନୂଆ ନୀତି ଦ୍ୱାରା ପ୍ରଭାବିତ ହେବେ।
ଏବେ ଆମେରିକାର ଜନ୍ମଗତ ପର୍ଯ୍ୟଟନ ଶବ୍ଦ ବେଶ ବ୍ୟବହାର ହେଉଛି। ଟ୍ରମ୍ପଙ୍କ ନୂଆ ନୀତି ଦ୍ୱାରା ଏହା ହ୍ରାସ ପାଇବ। କିଛି ମହିଳା ଗର୍ଭବତୀ ଥିବା ବେଳେ ଆମେରିକାକୁ ବୁଲିବାକୁ ଆସୁଛନ୍ତି। ସେମାନେ ଏଠାରେ କିଛି ଦିନ ରହିବା ପରେ ଜନ୍ମ କରୁଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଲା ନିଜ ପିଲାଙ୍କୁ ଆମେରିକାର ନାଗରିକତା ପ୍ରଦାନ କରିବା। ଯଦି ପିଲା ଆମେରିକାରେ ଜନ୍ମ ହେଉଛି, ତା’ହେଲେ ତା’କୁ ଆପେଆପେ ନାଗରିକତା ମିଳିବାର ପ୍ରାବଧାନ ଏବେ ପ୍ରଚଳିତ ହେଉଛି। ଏହି କାମକୁ ରୋକିବା ପାଇଁ ଟ୍ରମ୍ପ ଜନ୍ମାଧିକାର ନାଗରିକତାକୁ ବନ୍ଦ କରିବାକୁ ଚାହୁଁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।