ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳି କରି ହତ୍ୟା

ସେ ଛୋଟ ଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ତିନି ବର୍ଷ ପୂର୍ବେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା।

ମୃତ ଅମରନାଥ ଘୋଷ

  • Published: Friday, 01 March 2024
  • , Updated: 01 March 2024, 08:02 PM IST

କୋଲକାତାର ଭାରତନାଟ୍ୟମ ଓ କୁଚୁପୁଡ଼ି ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଆମେରିକାରେ ଗୁଳି କରି ହତ୍ୟା କରାଯାଇଛି। ‘ସାଥ୍ ନିଭାନା ସାଥିୟା’ ଫେମ୍ ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟ ସୋଶାଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଅମରନାଥ ଘୋଷ ତାଙ୍କର ଜଣେ ବନ୍ଧୁ ଥିଲେ ବୋଲି କହିଛନ୍ତି ଦେବୋଲୀନା ଭଟ୍ଟାଚାର୍ଯ୍ୟ।

ତାଙ୍କ ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଅମରନାଥ ଘୋଷ ଆମେରିକାର ମିସୌରୀର ସେଣ୍ଟ୍ ଲୁଇସ୍ ସହରରେ ସାନ୍ଧ୍ୟ ଭ୍ରମଣରେ ବାହାରିଥିବା ବେଳେ ତାଙ୍କୁ ଜଣେ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ଏକାଧିକ ଥର ଗୁଳି କରାଯାଇଥିଲା। ସେ ସେଠାରେ ୱାଶିଂଟନ ବିଶ୍ୱବିଦ୍ୟାଳୟରେ ଏମ୍‌ଏମ୍‌ଏ (ମାଷ୍ଟର ଅଫ୍ ଫାଇନ ଆର୍ଟସ) କରୁଥିଲେ।

ସେ କହିଛନ୍ତି ଯେ ଆମେରିକାରେ ଥିବା ଅମରନାଥ ଘୋଷଙ୍କ ବନ୍ଧୁମାନେ ତାଙ୍କ ମୃତଦେହକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। କିନ୍ତୁ ଏ ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ।

ସେ କହିଛନ୍ତି, ଅମରନାଥ ଘୋଷ ତାଙ୍କ ବାପାମା’ଙ୍କର ଏକମାତ୍ର ସନ୍ତାନ। ତିନି ବର୍ଷ ତଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ଅମରନାଥ ଛୋଟ ଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। କିଛି ବନ୍ଧୁଙ୍କୁ ଛାଡ଼ିଦେଲେ ତାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପରିବାରରେ ଆଉ କେହି ନାହାନ୍ତି।

ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଦେବୋଲୀନା ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି। ଅତିକମ୍‌ରେ କାହିଁକି ତାଙ୍କୁ ହତ୍ୟା କରାଗଲା, ସେ କଥା ଜଣାପଡ଼ୁ ବୋଲି ଦେବୋଲୀନା ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଟ୍ୟାଗ୍ କରିଛନ୍ତି।

Related story