ପତ୍ନୀଙ୍କ ସହ ବିଜୟ କୁମାର
ଘର ଭିତରେ ନିଜର ପତ୍ନୀ ଓ ୩ ଜଣ ସମ୍ପର୍କୀୟଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା(Murder) କରିଛନ୍ତି ଜଣେ ବ୍ୟକ୍ତି। ଆମେରିକାରେ ଏହି ଘଟଣା ଘଟିଥିବା ବେଳେ ହତ୍ୟା ଅଭିଯୁକ୍ତ ଭାରତୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ସ୍ଥାନୀୟ ପୁଲିସ୍। ପୁଲିସ୍ର କହିବା କଥା ଯେ ଘରୋଇ ହିଂସା ଯୋଗୁ ଏତେ ବଡ଼ ଘଟଣା ଘଟିଛି।
ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ୫୧ ବର୍ଷୀୟ ବିଜୟ କୁମାର। ଘଟଣା ବେଳେ ଘର ଭିତରେ କୁମାରଙ୍କ ୧୨ ବର୍ଷୀୟ ପୁଅଙ୍କ ସମେତ ଆଉ ୨ ଜଣ ଛୋଟ ପିଲା ରହିଥିଲେ। ସେମାନେ ଗୁଳି ମାଡ଼ ଦେଖି ଲୁଚି ଯାଇଥିବାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।
ଆମେରିକାର ଅଟଲାଣ୍ଟାରେ ଥିବା ଭାରତୀୟ କମିଶନ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ମିଶନ ପକ୍ଷରୁ କୁହାଯାଇଛି ଯେ “ଘରୋଇ ହିଂସା ସହ ଜଡ଼ିତ ଗୁଳି କାଣ୍ତ ଘଟଣାରେ ଆମେ ଗଭୀର ଭାବେ ମର୍ମାହତ। ହତ୍ୟା ଅଭିଯୁକ୍ତକୁ ପୁଲିସ ଗିରଡ଼ କରିଛି ଓ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ଯଥାସମ୍ଭବ ସହାତା ଯୋଗାଇ ଦିଆଯାଉଛି।”
ଶୁକ୍ରବାର ରାତି ପ୍ରାୟ ୨.୩୦ରେ ପୁଲିସ୍ ଘଟଣା ସମ୍ପର୍କରେ ଖବର ପାଇଥିଲା। ବ୍ରୁକ ଇଭୀ କୋର୍ଟର ବ୍ଲକ ନମ୍ବର ୧୦୦୦ରେ ଗୁଳି କାଣ୍ତର ଖବର ପାଇ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚିଥିଲା। ପୁଲିସ୍ ସେଠାରେ ପହଞ୍ଚି ଯାଞ୍ଚ କରିବା ସମୟରେ ଗୋଟିଏ ରୁମରୁ ୪ ଜଣ ପ୍ରାପ୍ତ ବୟସ୍କଙ୍କ ମୃତଦେହ ମିଳିଥିଲା। ଘଟଣା ସ୍ଥଳରେ ଗୁଳି ମାଡ଼ କରିଥିବା ବ୍ୟକ୍ତିଙ୍କ ଗାଡ଼ି ନଥିବାରୁ ଅଧିକାରୀମାନେ ସେମାନଙ୍କ କେ-୯ ସହକର୍ମୀମାନଙ୍କୁ ଆଖପାଖ ଅଞ୍ଚଳକୁ ପଠାଇଥିଲେ।
ଗୋଟିଏ ସନ୍ଧାନୀ କୁକୁର ଶେଷରେ ସଫଳତାର ସହ ନିକଟସ୍ଥ ଉଡଲାଇନରୁ କୁମାରଙ୍କୁ ଠାବ କରିଥିଲା। ପୁଲିସ୍ ଅଧିକାରୀମାନେ ସେଠାରେ କୁମାରଙ୍କୁ କାବୁ କରିବା ସହ ଗିରଫ କରି ଥାନାକୁ ନେଇଛନ୍ତି।
ଗୱିନ୍ନେଟ କାଉଣ୍ଟୀ ପୁଲିସ୍ କହିଛି ଯେ ମୃତକମାନେ ହେଲେ କୁମାରଙ୍କ ୪୩ ବର୍ଷୀୟ ପତ୍ନୀ ମେମୁ ଡୋଗ୍ରା, ସମ୍ପର୍କୀୟ ଗୌରବ କୁମାର, ୩୭ ବର୍ଷୀୟ ନିଧି ଚନ୍ଦ୍ର ଓ ୩୮ ବର୍ଷୀୟ ହରିଶ ଚନ୍ଦ୍ର। କୁମାର ଓ ଡୋଗ୍ରାଙ୍କ ୧୨ ବର୍ଷୀୟ ପିଲାଟି ହିଁ ୯୧୧କୁ ଫୋନ କରିଥିଲେ ଓ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ଏଥିଯୋଗୁ ପୁଲିସ୍ ଟିମ ମାତ୍ର କିଛି କ୍ଷଣ ମଧ୍ୟରେ ଘଟଣା ସ୍ଥଳରେ ପହଞ୍ଚି କୁମାରଙ୍କୁ ଧରିବାକୁ ସକ୍ଷମ ହୋଇଥିଲା। ଘରେ ଥିବା ୩ ପିଲା ଅକ୍ଷତ ରହିଛନ୍ତି ଓ ସେମାନକୁ ପରିବାରର ଅନ୍ୟ ସଦସ୍ୟମାନେ ନେଇ ଯାଇଛନ୍ତି।
ଶୁକ୍ରବାର ରାତିରେ କୁମାରଙ୍କ ଅଟଲାଣ୍ଟା ସ୍ଥିତ ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ କୁମାର ଓ ଡୋଗ୍ରା ନିଜର ପିଲାକୁ ଧରି ବ୍ରୁକ ଇଭୀ କୋର୍ଟ ସ୍ଥିତ ଘରକୁ ଚାଲି ଯାଇଥିଲେ। ସେଠି ଗୌରବ କୁମାର, ନିଧି ଚନ୍ଦ୍ର ଓ ହରିଶ ଚନ୍ଦ୍ର ସେମାନଙ୍କର ଦୁଇ ଛୋଟ ପିଲାଙ୍କ ସହ ରୁହନ୍ତି। ସେଠାରେ ପୁଣି ପାଟିତୁଣ୍ଡ ହେବାରୁ ବିଜୟ କୁମାର ଏତେ ବଡ଼ ଘଟଣା ଘଟାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/24/usa-2026-01-24-12-15-30.jpg)