Advertisment

Murder Case: କୁକୁର ଭୋକିବାରୁ ମହିଳାଙ୍କୁ ମାରି ପୋତି ଦେଇଥିଲେ, ୭ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେଲେ

ଭାରତୀୟ ବ୍ୟକ୍ତି ଜଣଙ୍କ ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଛୋଟିଆ କାରଣ ପାଇଁ ୨୦୧୮ରେ ହତ୍ୟା କରିଥିଲେ। ୭ ବର୍ଷ ତଳେ ମହିଳାଙ୍କ ମୃତଦେହକୁ କ୍ୱିନସଲ୍ୟାଣ୍ଡ ସ୍ଥିତ ସମୁଦ୍ର କୂଳରୁ ଅଧା ପୋତା ହୋଇଥିବା ଅବସ୍ଥାରେ ମିଳିଥିଲା।

author-image
Hemant Lenka
Toyah-Cordingley

କୋର୍ଡିଙ୍ଗଲେ ଓ ରାଜୱିନ୍ଦର (ଫାଇଲ ଫଟୋ)

ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ଅଷ୍ଟ୍ରେଲିଆର ଗୋଟିଏ କୋର୍ଟ ଏକଦା ନର୍ସ ଭାବେ କାମ କରୁଥିବା ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଭାରତୀୟ ବ୍ୟକ୍ତି ଜଣଙ୍କ ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଛୋଟିଆ କାରଣ ପାଇଁ ୨୦୧୮ରେ ହତ୍ୟା(Murder) କରିଥିଲେ। ୭ ବର୍ଷ ତଳେ ମହିଳାଙ୍କ ମୃତଦେହକୁ କ୍ୱିନସଲ୍ୟାଣ୍ଡ ସ୍ଥିତ ସମୁଦ୍ର କୂଳରୁ ଅଧା ପୋତା ହୋଇଥିବା ଅବସ୍ଥାରେ ମିଳିଥିଲା। 

Advertisment

୨୦୧୮ ମସିହା ଅକ୍ଟୋବର ୨୨ରେ କାଇର୍ନସ ଠାରୁ ୪୦ କିମି ଦୂର ୱାଙ୍ଗେଟ୍ଟି ବିଚ୍ଚର ଗୋଟିଏ ପରିତ୍ୟକ୍ତ ସ୍ଥାନରୁ ଅଷ୍ଟ୍ରେଲୀୟ ମହିଳା ଟୋୟାହ କୋର୍ଡିଙ୍ଗଲେଙ୍କ ମୃତଦେହକୁ ଅଧା ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଅଧିକାରୀଙ୍କ କହିବା କଥା ଭାରତୀୟ ବଂଶୋଦ୍ଭବ ରାଜୱିନ୍ଦର ସିଂହ ଘଟଣା ଦିନ ପତ୍ନୀଙ୍କ ସହ ଝଗଡ଼ା କରି ସମୁଦ୍ର କୂଳକୁ ଯାଇଥିଲେ। ଏହି ସମୟରେ ସେ ନିଜ ସହ କିଛି ଫଳ ଓ ରୋଷେଇ ଘରେ ବ୍ୟବହୃତ ଛୁରୀକୁ ନେଇଥିଲେ। 

ଫାର୍ମାସୀ ଭାବେ କାମ କରୁଥିବା କୋର୍ଡିଙ୍ଗଲେ ଠିକ ଏହି ସମୟରେ ନିଜ କୁକୁର ସହ ସମୁଦ୍ର କୂଳରେ ବୁଲୁଥିଲେ। ରାଜୱିନ୍ଦର ସେଠାରେ ପହଞ୍ଚିବା କ୍ଷଣୀ କୋର୍ଡିଙ୍ଗଲେଙ୍କ କୁକୁର ତାଙ୍କୁ ଭୋକିବାକୁ ଲାଗିଥିଲା। ଏଥିରେ ପତ୍ନୀଙ୍କ ସହ ଝଗଡ଼ା କରିଥିବା ଶ୍ରୀ ସିଂହ ପୂରା ରାଗି ଯାଇଥିଲେ। ଏହାକୁ ନେଇ ରାଜୱିନ୍ଦର ଓ କୋର୍ଡିଙ୍ଗଲେଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

Advertisment

ଏହି ସମୟରେ ଶ୍ରୀ ସିଂହ ନିଜ ପାଖରେ ରଖିଥିବା ଛୁରୀ ଦ୍ୱାରା କୋର୍ଡିଙ୍ଗଲେଙ୍କୁ ଆକ୍ରମଣ କରିଥିଲେ। କୋର୍ଡିଙ୍ଗଲେ ଘଟଣା ସ୍ଥଳରେ ପ୍ରାଣ ହରାଇବାରୁ ତାଙ୍କୁ ସେହି ଠାରେ ହିଁ ଅଧା ଅଧୁରା ଭାବେ ପୋତି ଦେଇ ଶ୍ରୀ ସିଂହ ଫେରାର ହୋଇଯାଇଥିଲେ। ନିକଟସ୍ଥ ଗଛରେ ସେ କୋର୍ଡିଙ୍ଗଲେଙ୍କ କୁକୁରକୁ ବି ବାନ୍ଧି ଦେଇଥିଲେ। 

ଆଜି କାଇର୍ନସ ସୁପ୍ରିମକୋର୍ଟ ରାୟ ଶୁଣାଇବା ବେଳେ କୋର୍ଡିଙ୍ଗଲେଙ୍କ ବାପା ସେଠାରେ ଉପସ୍ଥିତ ରହିଥିଲେ। ସେ ପୂରା ରାଗି ଯାଇ ରାଜୱିନ୍ଦରଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ତେବେ ଶ୍ରୀ ସିଂହ ପୂରା ଶାନ୍ତର ସହ ଛିଡ଼ା ହୋଇଥିଲେ। 

ହତ୍ୟାର ୨ ଦିନ ପରେ ଶ୍ରୀ ସିଂହ ଅଷ୍ଟ୍ରେଲିଆ ଛାଡ଼ି ଦେଇଥିଲେ। ନିଜର ଚାକିରି ସହ ପତ୍ନୀ ଓ ୩ ପିଲାଙ୍କ କଥା ଚିନ୍ତା ନ କରି ସେ ଭାରତ ଚାଲି ଆସିଥିଲେ। ପ୍ରାୟ ୪ ବର୍ଷ ଧରି ତାଙ୍କର କୌଣସି ଖୋଜ ଖବର ମିଳି ନଥିଲା। ଏପରି କି ସେ ପରିବାର ଲୋକଙ୍କ ସହ ମଧ୍ୟ ୪ ବର୍ଷ ହେଲା କୌଣସି ଯୋଗାଯୋଗ କରି ନଥିଲେ। 

ସେପଟେ ହତ୍ୟାକାଣ୍ଡର ୩ ସପ୍ତାହ ପରେ ହିଁ ପୁଲିସ୍‌ ଶ୍ରୀ ସିଂହଙ୍କ କାରର ଉପସ୍ଥିତି ଓ କୋର୍ଡିଙ୍ଗଲେଙ୍କ ମୋବାଇଲ ଫୋନ ଲୋକେସନକୁ ଯାଞ୍ଚ କରି ପୂରା ଘଟଣାର ମୂଳରେ ପହଞ୍ଚିଥିଲା। ଶ୍ରୀ ସିଂହଙ୍କୁ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା। ହେଲେ ତାଙ୍କର କୌଣସି ଖୋଜ ଖବର ମିଳି ନଥିଲା। ଏଥିପାଇଁ କ୍ୱିନସଲ୍ୟାଣ୍ଡ ପୁଲିସ୍‌ ୧ ମିଲିୟନ ଅଷ୍ଟ୍ରେଲୀୟ ଡଲାର ପୁରସ୍କାର ବାବଦରେ ଘୋଷଣା କରିଥିଲା। 

୨୦୨୨ ନଭେମ୍ବର ମାସରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ପକ୍ଷରୁ ଶ୍ରୀ ସିଂହଙ୍କୁ ଦିଲ୍ଲୀର ଗୋଟିଏ ଗୁରୁଦ୍ୱାରରୁ ଗିରଫ କରାଯାଇଥିଲା। ୨୦୨୩ରେ ଭାରତ ପକ୍ଷରୁ ତା’କୁ ଅଷ୍ଟ୍ରେଲିଆ(Australia)କୁ ପ୍ରତ୍ୟର୍ପଣ କରାଯାଇଥିଲା। ୨୦୨୪ରୁ ଶୁଣାଣି ଆରମ୍ଭ ହୋଇଥିବା ବେଳେ ଆଜି ଶ୍ରୀ ସିଂହ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତାକାଲି କୋର୍ଟ ତାଙ୍କୁ ଦଣ୍ଡବିଧାନ କରିବେ। 

Murder Australia