Advertisment

ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର; ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ

ଆମେରିକାରେ ଗତ ମାସକରେ ୪ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ଜଣେ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଗୁରୁତର ହୋଇଥିବା ଛାତ୍ରଜଣକ ହେଲେ ହାଇଦ୍ରାବାଦର ସଇଦ ମଜହିର ଅଲ୍ଲୀ।

author-image
Niharika Rout
ଅଦ୍ୟତନ ହୋଇଛି
Attack

Attack

ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। କେତେବେଳେ ହତ୍ୟାର ଶିକାର ହେଉଛନ୍ତି ତ କେତେବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି। ଆମେରିକାରେ ଗତ ମାସକରେ ୪ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ଜଣେ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଗୁରୁତର ହୋଇଥିବା ଛାତ୍ରଜଣକ ହେଲେ ହାଇଦ୍ରାବାଦର ସଇଦ ମଜହିର ଅଲ୍ଲୀ।

Advertisment

ସଇଦ ମଜହିର ଅଲ୍ଲୀ ଚିକାଗୋର ଏକ ୟୁନିଭରସିଟିରେ ମାଷ୍ଟର ଡିଗ୍ରୀ ପାଠ ପଢ଼ୁଛନ୍ତି। ଗତ ୪ ତାରିଖରେ ସେ ନିଜ ଆପାର୍ଟମେଣ୍ଟ ବାହାରେ ଚାଲି ଚାଲି ଯାଉଥିବା ବେଳେ ଏକ କାର୍‌ରେ ମାରଣାସ୍ତ୍ର ଧରି ଆସିଥିବା କିଛି ଯୁବକ ତାଙ୍କୁ ଅଚାନକ ଆକ୍ରମଣ କଲେ। ଏଥିସହ ସେମାନେ ତାଙ୍କ ମୁହଁକୁ ଗୋଇଠା ମାରି ରକ୍ତାକ୍ତ କରି ଦେଇଥିଲେ। ସଇଦଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଚୋଟ ଲାଗିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଫୋନ୍‌ ଓ ପର୍ସ ଧରି ଫେରାର ହୋଇ ଯାଇଥିଲେ।

ଏହାପରେ ଏକ ଭିଡିଓ କରି ସାହାଯ୍ୟ ପାଇଁ ଅପିଲ୍‌ କରିଛନ୍ତି ସଇଦ । ଏଥିସହ ସେ କହିଛନ୍ତି, ଆମେରିକା ହେଉଛି ମୋ’ ସ୍ୱପ୍ନର ସହର । ମୁଁ ମୋ’ ସ୍ୱପ୍ନକୁ ପୂରଣ କରିବାକୁ ଏଠାକୁ ଆସିଥିଲି। କିନ୍ତୁ ଏହି ଘଟଣା ମୋତେ ଗଭୀର ଧକ୍କା ଦେଇଛି।

Advertisment

ଏହି ଘଟଣା ସାମନାକୁ ଆସିବା ପରେ ହାଇଦ୍ରାବାଦରେ ଥିବା ସଇଦଙ୍କ ପରିବାର ଭୟଭୀତ ହୋଇ ପଡ଼ିଛନ୍ତି। ସଇଦଙ୍କ ପତ୍ନୀ ଓ ୩ ଛୋଟ ଛୋଟ ପିଲା ଥିବା ଜଣାଯାଇଛି। ତାଙ୍କୁ ଉପଯୁକ୍ତ ଚିକିତ୍ସା ତଥା ସୁରକ୍ଷା ଯୋଗାଇ ଦେବାକୁ ସଇଦଙ୍କ ପତ୍ନୀ ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ଅପିଲ୍‌ କରିଛନ୍ତି।

ଏନେଇ ଆମେରିକାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଘଟଣାର ତଦନ୍ତ କରୁଥିବା ସୁରକ୍ଷା ଏଜେନ୍ସି ସହ ଯୋଗାଯୋଗ କରାଯାଇଛି। ଏଥିସହ ସଇଦଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ତାଙ୍କ ପରିବାରକୁ ପ୍ରତିଶ୍ରୁତି ଦିଆଯାଇଛି।

USA Indian Student