ଇଣ୍ଡୋନେସିଆର ଗ୍ରାମାଞ୍ଚଳରେ ଏକ ଅଜବ ବ୍ୟବସ୍ଥା ଚର୍ଚ୍ଚାର ପରିଧିକୁ ଆସିଛି। ଏଠାରେ ଗରିବ ଶ୍ରେଣୀର ଝିଅ ଟଙ୍କା ପାଇଁ ଟେମ୍ପରାରୀ ମ୍ୟାରେଜ୍ ବା ଅସ୍ଥାୟୀ ବିବାହ କରୁଛନ୍ତି, ତାହା ପୁଣି ପର୍ଯ୍ୟଟକଙ୍କ ସହ। ଯେଉଁ ବିବାହ ମାସ କି ବର୍ଷ ନୁହେଁ, ବରଂ ଚାରି-ପାଞ୍ଚ ଦିନ ପରେ ଶେଷ ହୋଇଯାଉଛି।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଏହି ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଅନେକ ଲୋକ ଏପରି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ, ପଶ୍ଚିମ ଇଣ୍ଡୋନେସିଆର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପୁଙ୍କାକରେ ଏହି ବ୍ୟବସ୍ଥା ପ୍ରଚଳିତ ହେଉଛି। ଏହି ଅଞ୍ଚଳକୁ ଅଧିକ ଆରବ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଅସ୍ଥାୟୀ ବିବାହର ବ୍ୟବସ୍ଥା କରାଯାଇଛି।
କୋଟା ବୁଙ୍ଗା ନାମକ ଏକ ରିସର୍ଟ ଏଜେନ୍ସି ଏହି ବ୍ୟବସ୍ଥା କରିଛି। ଏହା ମାଧ୍ୟମରେ ଗରିବ ପରିବାରର ଝିଅମାନେ ଟଙ୍କା ପାଇଁ ପର୍ଯ୍ୟଟକଙ୍କୁ ବିବାହ କରୁଛନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକ ତାଙ୍କ ମନ ପସନ୍ଦର ଯୁବତୀଙ୍କୁ ବିବାହ କରନ୍ତି। ଉଭୟ ପକ୍ଷ ରାଜି ହେବା ପରେ ୫-୧୦ ମିନିଟ୍ ମଧ୍ୟରେ ବିବାହ ସରିଯାଏ। ବିବାହ ସମୟରେ ପର୍ଯ୍ୟଟକ କନ୍ୟାଦେୟ ଦେଇଥାନ୍ତି। ଏହାପରେ ଯୁବତୀଙ୍କ ସହ ପତ୍ନୀ ଭଳି ଶାରୀରିକ ସମ୍ପର୍କ ରଖିବା ସହ ଘରୋଇ ସେବା ପାଆନ୍ତି। ବୁଲାବୁଲି କରନ୍ତି, ଆଉ ସେଠାରୁ ଚାଲି ଯାଆନ୍ତି।
ପର୍ଯ୍ୟଟକ ଚାଲିଗଲେ ବିବାହ ମଧ୍ୟ ଶେଷ ହୋଇଯାଏ। ଆଉ ବାହାଘରର କୌଣସି ନାମନିଶାନା ରହେନି। ପୁଣି ନୂଆ ପର୍ଯ୍ୟଟକ ଆସନ୍ତି, ପୁଣି ନୂଆ ବିବାହ ହୁଏ। ଏଥିପାଇଁ ପର୍ଯ୍ୟଟକଙ୍କୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡ଼େ। ପର୍ଯ୍ୟଟକ ଦେଉଥିବା ଟଙ୍କାର ଅଧା ଯୁବତୀଙ୍କୁ ମିଳେ, ବାକି ଟଙ୍କା ରିସର୍ଟ ଏଜେନ୍ସି ନେଇଯାଏ।
ଲସ୍ ଆଞ୍ଜେଲସ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଏହି ‘ପ୍ଲେଜର ମ୍ୟାରେଜ୍’ ବା ଆନନ୍ଦ ବିବାହ ବ୍ୟବସାୟରେ ପରିଣତ ହୋଇଛି। ପର୍ଯ୍ୟଟନ ତଥା ସ୍ଥାନୀୟ ଅର୍ଥନୀତିକୁ ବଳ ଦେଉଛି ଏ ବ୍ୟବସ୍ଥା।
ଏହି ବିବାଦୀୟ ବ୍ୟବସ୍ଥାରେ ଛନ୍ଦି ହୋଇ ଯାଇଥିବା ଜଣେ ଯୁବତୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ମଧ୍ୟପ୍ରାଚ୍ୟର ପର୍ଯ୍ୟଟକଙ୍କୁ ୧୫ ଥର ବିବାହ କରିଛନ୍ତି। ପ୍ରଥମ ଥର ଯାହାଙ୍କୁ ବିବାହ କରିଥିଲେ, ସେ ଜଣେ ୫୦ ବର୍ଷୀୟ ସାଉଦି ଆରବର ପର୍ଯ୍ୟଟକ ଥିଲେ। ସେ ବିବାହ ପାଇଁ ୮୫୦ ଡଲାର (୭୧,୪୧୨ ଟଙ୍କା) ଦେଇଥିଲେ। କିନ୍ତୁ ଏଜେଣ୍ଟ ଏବଂ ଅଧିକାରୀମାନେ ସେମାନଙ୍କ ଭାଗ ନେଇଯିବା ପରେ ସେ କେବଳ ଅଧା ଟଙ୍କା ପାଇଥିଲେ।
ସେ ଆହୁରି କହିଛନ୍ତି, ଏପରି ବିବାହ କରି ୩୦୦ରୁ ୫୦୦ ଡଲାର ରୋଜଗାର କରିଥାଆନ୍ତି। ଆଉ ଏହି ଟଙ୍କାରେ ପରିବାର ଚଳାଇବା ସହ ଅସୁସ୍ଥ ଜେଜେବାପାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତି।
ସେହିପରି ଅନ୍ୟ ଜଣେ ମହିଳା କହିଛନ୍ତି, ସେ ୨୦ ଥର ବିବାହ କରିବା ପରେ ଏ ବ୍ୟବସ୍ଥାରୁ ମୁକ୍ତି ପାଇଥିଲେ। ଇଣ୍ଡୋନେସିଆର ଜଣେ ଇମିଗ୍ରେସନ ଅଧିକାରୀ ତାଙ୍କୁ ବିବାହ କରି ନୂଆ ଜୀବନ ଦେଇଥିଲେ। ସେ ବର୍ତ୍ତମାନ ଏକ ପୁଅ ଏବଂ ସ୍ୱାମୀ ସହ ସୁଖର ସଂସାର କରିଛନ୍ତି। ତାଙ୍କ ଅତୀତକୁ ଆଉ କେବେ ଫେରିବେ ନାହିଁ ବୋଲି ଶପଥ ନେଇଥିବା କହିଛନ୍ତି।
ଏହି ଅସ୍ଥାୟୀ ବିବାହ ନିକାହ ମୁତହ ନାମରେ ମଧ୍ୟ ଜଣାଶୁଣା। ଏହା ମୁଳତଃ ଶିଆ ଇସଲାମ ସଂସ୍କୃତିରେ ପ୍ରଚଳିତ। ତଥାପି, ଅଧିକାଂଶ ବୁଦ୍ଧିଜୀବୀ ଏପରି ବିବାହକୁ 'ଗ୍ରହଣୀୟ ନୁହେଁ' ବୋଲି କହିଛନ୍ତି। ଏହି ଅସ୍ଥାୟୀ ବ୍ୟବସ୍ଥା ଇଣ୍ଡୋନେସିଆ ଆଇନ ଦ୍ୱାରା ମଧ୍ୟ ସ୍ୱୀକୃତିପ୍ରାପ୍ତ ନୁହେଁ, କାରଣ ଏହା ବିବାହର ମୌଳିକ ଉଦ୍ଦେଶ୍ୟକୁ କ୍ଷୁର୍ଣ୍ଣ କରେ ବୋଲି ସେମାନେ କହନ୍ତି।