ଇରାନରେ ବିକ୍ଷୋଭ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକରେ ଛାନିଆ ହୋଇ ଯାଇଛି ଇରାନ। ଦେଶରେ ହିଂସାତ୍ମକ ବିକ୍ଷୋଭ(Iran Protest) ଘଟଣାରେ ଇରାନ ସରକାର ନିଜର ଫାଶୀ ଦଣ୍ଡ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ବିକ୍ଷୋଭ ଘଟଣାରେ ୮୦୦ ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କରିବାକୁ ଇରାନ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଟ୍ରମ୍ପଙ୍କ ଭୟରେ ଏହା ଉପରେ ତେହରାନ ରୋଗ ଲଗାଇ ଦେଇଛି।
ବୁଧବାର ଓ ଗୁରୁବାର ଏପରି ସାମୂହିକ ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲା ଇରାନ। ହେଲେ ସାମୂହିକ ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କଲେ ଏହାର କଡ଼ା ଜବାବ ଆମେରିକା ଦେବ ବୋଲି କହିଥିଲା। ଏପରି ଚେତାବନୀ ପରେ ୮୦୦ ଫାଶୀ ଦଣ୍ଡର କାର୍ଯ୍ୟକାରୀ ଉପରେ ଇରାନ ରୋକ ଲଗାଇ ଦେଇଥିବା ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଇରାନରେ ପ୍ରାୟ ୨୦ ଦିନ ହେଲା ସରକାରୀ ବିରୋଧୀ ବିକ୍ଷୋଭ ଚାଲିଛି। ଏହାକୁ ଦମନ କରିବା ପାଇଁ ଇରାନ ସରକାର ଉଦ୍ୟମ କରୁଥିବା ବେଳେ ପ୍ରାୟ ୩୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ସେହିପରି ୨୦ ହଜାର ଲୋକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୮୦୦ ଜଣଙ୍କୁ ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଇରାନର ଖାମେନେଇ ସରକାର ଫାଶୀ ଖୁଣ୍ଟରେ ଝୁଲାଇବାକୁ ନିଷ୍ପତ୍ତି ନେଇଥିଲେ।
ହେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ବିରୋଧ କରିବା ସହ ଇରାନକୁ ସାମାରିକ କାର୍ଯ୍ୟାନୁଷ୍ଠାନର ନାଲି ଆଖି ଦେଖାଇଥିଲେ। ଏହାପରେ ହିଁ ଫାଶୀ ଦଣ୍ଡ ଉପରେ ରୋକ ଲଗାଇଛି। ଏ ସମ୍ପର୍କରେ ହ୍ୱାଇଟ ହାଉସ ପ୍ରେସ ସଚିବ କାରୋଲାଇନ ଲେଭିଟ୍ଟ କହିଛନ୍ତି ଟ୍ରମ୍ପ ଓ ତାଙ୍କ ଟିମ ଗୋଟିଏ ସିଧାସଳ ଚେତାବାନୀ ଇରାନ ଅଧିକାରୀଙ୍କୁ ଦେଇଥିଲେ।
ଏବେ ରାଷ୍ଟ୍ରପତି ଜାଣିବାକୁ ପାଇଛନ୍ତି ଯେ ୮୦୦ ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ ଟାଳି ଦିଆଯାଇଛି। ପୂର୍ବରୁ ଏଥିପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା ଓ ଗୁରୁବାର ଏହାକୁ କାର୍ଯ୍ୟକାରୀ କରାଯିବାର ଥିଲା। ୮୦୦ ଫାଶୀ ଦଣ୍ଡକୁ ଟାଳି ଦିଆଯାଇଥିଲେ ହେଁ ରାଷ୍ଟ୍ରପତିଙ୍କ ଟେବୁଲରେ ସମସ୍ତ ବିକଳ୍ପ ଏବେ ବି ଖୋଲା ରହିଥିବା ଲେଭିଟ୍ଟ କହିଛନ୍ତି।
ହ୍ୱାଇଟ ହାଉସ ପକ୍ଷରୁ ଏପରି ସୂଚନା ଦିଆଯିବା ପୂର୍ବରୁ ଆମେରିକା ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଷଡ଼ଯନ୍ତ୍ର ଅଭିଯୋଗରେ ଇରାନର ୫ ଅଧିକାରୀଙ୍କ ଉପରେ ନୂଆ କଟକଣା ଲାଗୁ କରାଯାଇଥିଲା।
ଇରାନର ରାଜନେତାମାନେ ବିଭିନ୍ନ ବିଦେଶ ବ୍ୟାଙ୍କକୁ ନିଜର ଅର୍ଥକୁ ହସ୍ତାନ୍ତର କରୁଥିବା ଆମେରିକା ଜାଣିବାକୁ ପାଇଛି। ଏହା ଉପରେ ମଧ୍ୟ ଆମେରିକା ନଜର ରଖି ତେହରାନ ଉପରେ ଚାପ ପ୍ରୟୋଗ କରିବାକୁ ଚାହୁଁଥିବା ରିପୋର୍ଟ ପ୍ରକାଶ ପାଇଛି।
ଲେଭିଟ୍ଟଙ୍କ କହିବା କଥା ଯେ ଟ୍ରମ୍ପ ବେଶ ଯତ୍ନର ସହ ଇରାନରେ ଘଟୁଥିବା ଘଟଣା ଉପରେ ନଜର ରଖିଛନ୍ତି। ଏଥିସହ ଫାଶୀ ଦଣ୍ଡର କାର୍ଯ୍ୟକାରୀ ଓ ହତ୍ୟାକାଣ୍ଡକୁ ବନ୍ଦ କରିବା ପାଇଁ ଇରାନୀୟ ଅଧିକାରୀମାନେ ଟ୍ରମ୍ପଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/16/trump1-2026-01-16-13-59-21.jpg)