Advertisment

ଘନେଇଲା ଯୁଦ୍ଧ ଆଶଙ୍କା: ୪୮ ଘଣ୍ଟା ଭିତରେ ଇସ୍ରାଏଲ ଉପରେ ହମଲା କରିବ ଇରାନ!

ଇସ୍ରାଏଲ ଏବେ ହମାସ ସହ ଗାଜାରେ ଯୁଦ୍ଧ କରୁଛି। ଏପରି ସ୍ଥିତିରେ ଇରାନ ଯଦି ଇସ୍ରାଏଲ ଉପରେ ହମଲା କରେ, ତା’ହେଲେ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

author-image
Hemant Lenka
Israel

Israel

ଇସ୍ରାଏଲ ଓ ଇରାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ ହମଲା କରିପାରେ ଇରାନ। ତେବେ ଇରାନ ହମଲାର ମୁକାବିଲା ପାଇଁ ଇସ୍ରାଏଲ ମଧ୍ୟ ପ୍ରସ୍ତୁତ ରହିଛି। ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଶୁକ୍ରବାର ଏପରି ଖବର ପ୍ରକାଶ ପାଇବା ପରେ ମଧ୍ୟପ୍ରାଚ୍ୟରେ ସମସ୍ତଙ୍କ ଛାତି ଧଡ଼ଧଡ଼ ହେବାରେ ଲାଗିଛି।

Advertisment

ଇସ୍ରାଏଲ ଏବେ ହମାସ ସହ ଗାଜାରେ ଯୁଦ୍ଧ କରୁଛି। ଏପରି ସ୍ଥିତିରେ ଇରାନ ଯଦି ଇସ୍ରାଏଲ ଉପରେ ହମଲା କରେ, ତା’ହେଲେ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ଇରାନ ସରକାରଙ୍କ ସହ ଜଡ଼ିତ ଜଣେ ଅଧିକାରୀଙ୍କ ବୟାନକୁ ଆଧାର କରି ଆକ୍ରମଣ ସମ୍ପର୍କରେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ “ଆକ୍ରମଣର ବ୍ଲୁ ପ୍ରିଣ୍ଟ ଇରାନର ସୁପ୍ରିମ ଲିଡରଙ୍କ ଆଗରେ ଉପସ୍ଥାପନ କରାଯାଇଛି। ସେ ଆକ୍ରମଣ ସପକ୍ଷରେ ଥିଲେ ହେଁ ଏବେ ରାଜନୀତିକ ବିପଦ ଓ ସ୍ଥିତି କଥା ଆକଳନ କରୁଛନ୍ତି। ତଥାପି ୪୮ ଘଣ୍ଟା ମଧ୍ୟରେ ସେ ଇସ୍ରାଏଲ ଉପରେ ସିଧାସଳଖ ହମଲା ପାଇଁ ଗ୍ରୀନ ସିଗ୍ନାଲ ଦେଇ ପାରନ୍ତି।” 

Advertisment

ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଇରାନ ଆସନ୍ତା ୨୪ରୁ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆକଳନ କରିଛି। ସେପଟେ ଇରାନରେ ଇସ୍ରାଏଲ ବିରୋଧୀ ଆନ୍ଦୋଳନ ମଧ୍ୟ ତୀବ୍ର ହେବାରେ ଲାଗିଛି। ଲୋକମାନେ ବିଭିନ୍ନ ସ୍ଥାନରେ ଇସ୍ରାଏଲ ପତାକା ପୋଡ଼ିଛନ୍ତି। ସେହିପରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କୁଶପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଝୁଲାଇ ଛନ୍ତି। 

ଏପ୍ରିଲ ୧ରେ ସିରିଆର ଡାମସକସରେ ଥିବା ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନି ଏଥିପାଇଁ ଇସ୍ରାଏଲ ଯେମିତି ହେଲେ ବି ଦଣ୍ଡ ପାଇବ ବୋଲି କହି ସାରିଛନ୍ତି।

ସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ଜର୍ମାନୀ ଏୟାରଲାଇନ୍ସ ଲୁଫଥାନାସା ଏପ୍ରିଲ ୧୩ ଯାଏ ତେହରାନରୁ ଓ ତେହରାନକୁ ଯାଉଥିବା ବିମାନର ଉଡ଼ାଣକୁ ବନ୍ଦ କରି ଦେଇଛି। ରୁଷ ପକ୍ଷରୁ ମଧ୍ୟ ନିଜର ନାଗରିକଙ୍କୁ ମଧ୍ୟପ୍ରାଚ୍ୟ ବିଶେଷ କରି ଇସ୍ରାଏଲ, ଲେବାନନ ଓ ପାଲେଷ୍ଟାଇନକୁ ନ ଯିବାକୁ କୁହାଯାଇଛି। ସେହିପରି ଉକ୍ତ ଅଞ୍ଚଳରେ ଥିବା ରୁଷ ନାଗରିକଙ୍କୁ କ୍ରେମଲିନ ଅତ୍ୟନ୍ତ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛି।

ଆଜି ଆମେରିକା ମଧ୍ୟ ଇସ୍ରାଏଲରେ ରହୁଥିବା ଓ ଇସ୍ରାଏଲ ଯିବାକୁ ଚାହୁଁଥିବା ନିଜ ଦେଶର ଲୋକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି।

Israel-Palestine War Iran