Trump
କତର ଓ ଇରାକରେ ଥିବା ଆମେରିକାର ସାମରିକ ବେସ୍ ଉପରେ କରିଥିବା ଆକ୍ରମଣ କଥାକୁ ଦୋହରାଇବା ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ଧମକ ଦେଇଛି ଇରାନ। ଆମେରିକା ଆର୍ମି ବେସ୍ ଉପରେ ପୁଣି ଆକ୍ରମଣ କରିବାକୁ ଇରାନ କେବେ ହେଲେ ପଛାଇବ ନାହିଁ ବୋଲି କହିଛି। ଭାରତରେ ଅବସ୍ଥାପିତ ଇରାନ ରାଷ୍ଟ୍ରଦୂତ ଡକ୍ଟର ଇରାଜ ଇଲାହି କହିଛନ୍ତି, ତିକ୍ତତା ଚାଲିଥିବା ବେଳେ ଇସ୍ରାଏଲ ପାଇଁ ଆମେରିକା ସାମ୍ନାକୁ ଆସିବ ବୋଲି ଇରାନ ଭଲ ଭାବେ ଜାଣିଥିଲା ଓ ସେହି ଅନୁସାରେ ପ୍ରସ୍ତୁତି ମଧ୍ୟ କରିଥିଲା।
ବିଶ୍ୱର କୌଣସି ରାଷ୍ଟ୍ର କେବେ ହେଲେ ଆମେରିକାର ସାମରିକ ବେସଗୁଡ଼ିକୁ ଟାର୍ଗେଟ କରି ନଥିଲେ। ଇରାନ ଏହା କରି ଦେଖାଇଛି। ଏହାକୁ ଆପଣମାନେ ସାଙ୍କେତିକ ଜବାବ ଭାବେ ବିଚାର କରିପାରନ୍ତି। କିନ୍ତୁ ଯଦି ଆଗକୁ ଆମେରିକା କୌଣସି ବେଆଇନ ପଦକ୍ଷେପ ନେବ, ତା’ହେଲେ ତା’କୁ ସମାନ ଜବାବ ମିଳିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଶନିବାର ଆମେରିକା ପକ୍ଷରୁ ଇରାନର ୩ଟି ପରମାଣୁ କାର୍ଯ୍ୟକ୍ରମ ଠିକଣାରେ ବୋମା ବର୍ଷଣ କରାଯାଇଥିଲା। ଏହାର ଜବାବରେ ଇରାନ ସୋମବାର କତର ଓ ଇରାକରେ ଥିବା ଆମେରିକା ସାମରିକ ଘାଟିକୁ ଟାର୍ଗେଟ କରିଥିଲା। ଅବଶ୍ୟ ଇରାନର ଅଧିକାଂଶ ମିସାଇଲକୁ ଚିହ୍ନଟ କରାଯିବା ସହ ଆକାଶ ପଥରେ ସେଗୁଡ଼ିକୁ ନଷ୍ଟ କରି ଦିଆଯାଇଥିଲା। ସେହିପରି ଇରାନ ହମଲାରେ ଆମେରିକା ସେପରି କୌଣସି ବଡ଼ କ୍ଷତି ମଧ୍ୟ ସହି ନାହିଁ।
ଇରାନର ଏପରି ଆକ୍ରମଣର କିଛି ଘଣ୍ଟା ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ତେହରାନ ଓ ତେଲ ଅଭିଭ ଯୁଦ୍ଧ ବିରତି ପାଇଁ ବୁଝାମଣା କରିଛନ୍ତି। କିନ୍ତୁ ଇଲାହି ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲର ଆଗାମୀ ପଦକ୍ଷେପର ଦୃଢ଼ ଜବାବ ଦେବାକୁ ଇରାନ ପ୍ରସ୍ତୁତ ରହିଛି।
ସେ କହିଛନ୍ତି, “ବେଞ୍ଜାମିନ ନେତାନ୍ୟାହୁ ଆଦୌ ବିଶ୍ୱାସଯୋଗ୍ୟ ନୁହନ୍ତି। ସେ ଇରାନ ବିରୋଧରେ ସାମରିକ ଉତ୍ତେଜନା ଆରମ୍ଭ କରିଥିଲେ। ସେ ଆବାସିକ ଅଞ୍ଚଳ, ଆମ୍ବୁଲାନ୍ସ ଓ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରିଥିଲେ। ସେ ଅନ୍ତର୍ଜାତୀୟ କିମ୍ବା ମାନବୀୟ ଆଇନକୁ ଆଦୌ ଖାତିର କରନ୍ତି ନାହିଁ। ଆମେ ଇସ୍ରାଏଲର ଯେକୌଣସି କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ପ୍ରସ୍ତୁତ।”
ଇରାନ ବିପଦଜନକ ଭାବେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିବା ଦାବି କରି ଜୁନ ୧୩ରେ ଇସ୍ରାଏଲ ପକ୍ଷରୁ ତେହରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ବାସ ଏହାପରେ ଇରାନ ମଧ୍ୟ ଏହାର ଜବାବ ଦେବାରୁ ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା।
କିନ୍ତୁ ଡକ୍ଟର ଇଲାହିଙ୍କ କହିବା କଥା ଯେ ଇରାନ ପରମାଣୁ ଅପ୍ରସାର ଚୁକ୍ତି ବା ଏନପିଟିରେ ଦସ୍ତଖତ କରିଛି ଓ ତେହରାନ ପାଖରେ କୌଣସି ଆଣବିକ ଯୁଦ୍ଧାସ୍ତ୍ର ନାହିଁ। ସେ କହିଛନ୍ତି, “ଇରାନ ହେଉଛି ଏନପିଟିର ସଦସ୍ୟ। ଇରାନ ପାଖରେ କୌଣସି ଆଣବିକ ଯୁଦ୍ଧାସ୍ତ୍ର ନାହିଁ। ଇସ୍ରାଏଲର ବେଆଇନ ଶାସକ ଇରାନ ୟୁରାନିୟମ ଗଚ୍ଛିତ କରିଥିବା ଆଳରେ ଆକ୍ରମଣ କରିଛନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଏହି ଅଞ୍ଚଳରେ ଦେଖାଯାଇଥିବା ସ୍ଥିରତା ଯୋଗୁ ଇସ୍ରାଏଲ ବିଚଳିତ ହୋଇ ଆକ୍ରମଣ କରିଛି।”
ଟ୍ରମ୍ପ ଓ ଷ୍ଟ୍ରେଟ ଅଫ ହରମୁଜ ସମ୍ପର୍କରେ ମଧ୍ୟ ଡକ୍ଟର ଇଲାହି ମତ ରଖିଛନ୍ତି। ମଧ୍ୟପ୍ରାଚ୍ୟରେ ଆମେରିକା ଗୋଟିଏ ଅବିଶ୍ୱସ୍ତ ସଦସ୍ୟ। ଆମେରିକା ଓ ପଶ୍ଚିମ ଦେଶ ପକ୍ଷରୁ ଇସ୍ରାଏଲର କାର୍ଯ୍ୟକୁ ସମର୍ଥନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ଆମେରିକା ଓ ଅନ୍ୟ ପଶ୍ଚିମ ଦେଶଗୁଡ଼ିକର ସମର୍ଥନ ବିନା ଇସ୍ରାଏଲ ନିଜେ କିଛି ବି କରିପାରିବ ନାହିଁ। ଇରାନରେ ଶାସନ ପରିବର୍ତ୍ତନ ପାଇଁ ଆମେରିକାର ଦୀର୍ଘକାଳୀନ ଯୋଜନା ସବୁବେଳେ ଗୋଟିଏ ସ୍ୱପ୍ନ ହୋଇ ରହିବ। ଟ୍ରମ୍ପଙ୍କୁ ଆକଳନ କରାଯାଇ ପାରିବ ନାହିଁ। ଟ୍ରମ୍ପ କିଛି କରିଥିବା ଦେଖାଇବାକୁ ଚେଷ୍ଟା କରୁଛନ୍ତି। ସେ ଗାଜାରେ ଶାନ୍ତି ପ୍ରତିଷ୍ଠା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗାଜାରେ ନରସଂହାର ଚାଲିଛି। ଯୁଦ୍ଧ ଅପରାଧ ଭଳି ସାଂଘାତିକ ସ୍ଥିତିରେ ନେତାନ୍ୟାହୁ ରହିଛନ୍ତି। ଯଦି ଇସ୍ରାଏଲ ଓ ଗାଜା ଯୁଦ୍ଧ ବନ୍ଦ ହୋଇଯିବ, ତା’ହେଲେ ସେ ନିଜର ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଯିବେ।”
ଇରାନ ଉପରେ ଆମେରିକାର ବୋମା ମାଡ଼ ପରେ ଇରାନ ବିଶ୍ୱର ୨୦% ତୈଳ ରପ୍ତାନୀ ହେଉଥିବା ମାର୍ଗ ଷ୍ଟ୍ରେଟ ଅଫ ହରମୁଜକୁ ବନ୍ଦ କରି ଦେବାକୁ ଧମକ ଦେଇଥିଲା। ଏହି ପ୍ରସଙ୍ଗରେ ଡକ୍ଟର ଇଲାହି କହିଛନ୍ତି ଯେ ନିଜର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଇରାନ ସବୁ ପ୍ରକାରର ବିକଳ୍ପକୁ ଆପଣାଇବ। ତଥାପି ଇରାନ ଅନ୍ୟ ଦେଶଗୁଡ଼ିକୁ ସମସ୍ୟାରେ ପକାଇବାକୁ ଚାହୁଁ ନାହିଁ। ଏହି କାରଣ ପାଇଁ ଇସ୍ରାଲଏଲ ସହ ବିବାଦକୁ ଇରାନ ସୀମିତ ରଖିବାକୁ ଚାହୁଁଥିବା ରାଷ୍ଟ୍ରଦୂତ ଡକ୍ଟର ଇଲାହି ସ୍ପଷ୍ଟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Trump_1750761549.jpg)