Advertisment

ଆମେରିକାକୁ ଇରାନର ସିଧା ଟାର୍ଗେଟ, ୱାଶିଂଟନର ହସ୍ତକ୍ଷେପକୁ ରୁଷର ବିରୋଧ

ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଇସ୍ରାଏଲ ଓ ପଶ୍ଚିମ ଦେଶଗୁଡ଼ିକରେ ପ୍ରକାଶ ପାଇଥିବା ଚିନ୍ତାର କୂଟନୀତିକ ସମାଧାନ ପାଇଁ ରୁଷ ମଧ୍ୟସ୍ଥତା ସାଜିବାକୁ ରାଜିଥିବା ପୁଟିନ କହିଛନ୍ତି।

author-image
Hemant Lenka
Khameni

Khameni

ଇସ୍ରାଏଲ ସହ ଲଢ଼େଇ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ବାର୍ତ୍ତା ଦେଇଛି ଇରାନ। ଦେଶର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନି ଆଜି ସିଧା କହିଛନ୍ତି ଯେ ଇରାନ କେବେ ହେଲେ ବି କାହା ପାଖରେ ଆତ୍ମସମର୍ପଣ କରିବ ନାହିଁ। ସେହିପରି ଇସ୍ରାଏଲ ସହ ଲଢ଼େଇରେ ଆମେରିକା ସେନାର ଯେକୌଣସି ପ୍ରକାରର ହସ୍ତକ୍ଷେପ କେବଳ ଅକଳ୍ପନୀୟ କ୍ଷତି ଆଣିବ ବୋଲି ଖାମେନି ସତର୍କ କରାଇଛନ୍ତି। 

Advertisment

ମଙ୍ଗଳବାର ଟ୍ରମ୍ପ ଇରାନକୁ କଡ଼ା ବାର୍ତ୍ତା ଦେଇ ନିଃସର୍ତ୍ତ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦେଇଥିଲେ। କିନ୍ତୁ ଏହା ସମ୍ଭବଃ ନୁହେଁ ବୋଲି ଖାମେନି ଆଜି ଘୋଷଣା କରିଛନ୍ତି। ବୁଧବାର ଦେଶବାସୀଙ୍କୁ ସମ୍ବୋଧନ କରି ଖାମେନି ସ୍ପଷ୍ଟ କରିଛନ୍ତି ଯେ ଇରାନ ଉପରେ ଲଦା ଯାଇଥିବା ଯୁଦ୍ଧ ବିରୋଧରେ ତେହରାନ କଠୋର ଭାବେ ଛିଡ଼ା ହେବ।

ସେ କହିଛନ୍ତି, “ଇରାନକୁ, ଇରାନୀୟ ଦେଶକୁ ଓ ଏହାର ଇତିହାସକୁ ଭଲ ଭାବେ ବୁଝିଥିବା ବୁଦ୍ଧିମାନ ଲୋକମାନେ କେବେ ହେଲେ ବି ଏହି ଦେଶ ସହ ଧମକପୂର୍ଣ୍ଣ ଭାଷାର ବ୍ୟବହାର କରି କଥାବାର୍ତ୍ତା କରିପାରିବେ ନାହିଁ। କାରଣ ଇରାନୀୟ ଦେଶ କେବେ ହେଲେ ଆତ୍ମସମର୍ପଣ କରିବ ନାହିଁ। ଆମେରିକୀୟମାନେ ଜାଣିବା ଦରକାର ଯେ ଆମେରିକାର ଯେକୌଣସି ସାମରିକ ଶକ୍ତିର ହସ୍ତକ୍ଷେପ ନିଃସନ୍ଦେହ ଭାବେ ଅକଳ୍ପନୀୟ କ୍ଷତି ଆଣିବ।”

Advertisment

ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ଅଲୀ ଖାମେନି ଇସ୍ରାଏଲକୁ ଆକ୍ରମଣ ପାଇଁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ଇସ୍ରାଏଲ ବହୁତ ବଡ଼ ଭୁଲ କରିଛି। ଏଥିପାଇଁ ତା’କୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ। ଲୋକମାନେ କେବେ ହେଲେ ସହିଦଙ୍କ ରକ୍ତକୁ ଓ ଦେଶରେ ଉପରେ ହୋଇଥିବା ଆକ୍ରମଣକୁ ଭୁଲିବେ ନାହିଁ। ଆମ ଉପରେ ଲଦା ଯାଇଥିବା ଯୁଦ୍ଧ ବିରୋଧରେ ଇରାନୀୟମାନେ ବେଶ ଦୃଢ଼ ଭାବେ ଛିଡ଼ା ହେବେ। ଏହି ଦେଶ କଟକଣା ଭୟରେ କାହା ଆଗରେ କେବେ ହେଲେ ବି ଆତ୍ମସମର୍ପଣ କରିବ ନାହିଁ।”

ଅନ୍ୟପକ୍ଷରେ ଇରାନ-ଇସ୍ରାଏଲ ଲଢ଼େଇରେ ଆମେରିକା ହସ୍ତକ୍ଷେପ କରିବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ରୁଷ କଡ଼ା ଭାଷାରେ ବିରୋଧ କରିଛି। ରୁଷର ଡେପୁଟି ବୈଦେଶିକ ମନ୍ତ୍ରୀ ସେରଗେଇ ରୟାବକୋଭ କହିଛନ୍ତି ଯେ ଯଦି ଆମେରିକା ସିଧାସଳଖ ଇସ୍ରାଏଲକୁ ସାମରିକ ସହାୟତା ଯୋଗାଇ ଦେବ, ତା’ହେଲେ ମଧ୍ୟପ୍ରାଚ୍ୟର ସ୍ଥିତି ଭୟଙ୍କର ଢଙ୍ଗରେ ଅସ୍ଥିର ହୋଇଯିବ। ଏଥିପାଇଁ ରୟାବକୋଭ ଆମେରିକାକୁ ଏଥିପ୍ରତି ସତର୍କ କରାଇଛନ୍ତି। ଇସ୍ରାଏଲ ଓ ଇରାନ ଲଢ଼େଇରୁ ଆମେରିକା ଦୂରେଇ ରହୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ସେହିପରି ଇରାନ ଓ ଇସ୍ରାଏଲକୁ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ରୁଷ ଏବଂ ୟୁଏଇ ପ୍ରସ୍ତାବ ଦେଇଛନ୍ତି। ଏପରି କି ବିବାଦର ସାମାଧନ ପାଇଁ ରୁଷ ମଧ୍ୟସ୍ଥି ସାଜିବାକୁ ପ୍ରସ୍ତୁତ ଥିବା ଖୋଦ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗ୍ରହ ଦେଖାଇଛନ୍ତି। ମଧ୍ୟପ୍ରାଚ୍ୟର ସ୍ଥିତି ଦିନକୁ ଦିନ ବିଗୁଡ଼ୁ ଥିବାରୁ ଆଜି ରୁଷ ରାଷ୍ଟ୍ରପତି ପୁଟିନ ଓ ତାଙ୍କ ୟୁଏଇ ପ୍ରତିପକ୍ଷ ଶେଖ ମହମ୍ମଦ ବିନ ଜାୟଦ ଅଲ ନହୟାନ ଫୋନରେ କଥା ହୋଇଛନ୍ତି। ଉଭୟ ଦେଶ ତୁରନ୍ତ ଇରାନ-ଇସ୍ରାଏଲ ବିବାଦର ସମାଧାନର ଆବଶ୍ୟକତା ରହିଥିବା କଥାରେ ଏକମତ ହୋଇଛନ୍ତି। 

ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଇସ୍ରାଏଲ ଓ ପଶ୍ଚିମ ଦେଶଗୁଡ଼ିକରେ ପ୍ରକାଶ ପାଇଥିବା ଚିନ୍ତାର କୂଟନୀତିକ ସମାଧାନ ପାଇଁ ରୁଷ ମଧ୍ୟସ୍ଥତା ସାଜିବାକୁ ରାଜିଥିବା ପୁଟିନ କହିଛନ୍ତି। 

Donald Trump Iran Israel Conflict Ayatollah Ali Khamenei