Advertisment

US-Iran Conflict: ଆଣବିକ ଡିଲ୍‌ରେ ବୁଝାମଣା କରିବାକୁ ଇରାନ ରାଜି!

ପ୍ରସ୍ତାବି ଡିଲ ସମ୍ପର୍କରେ ଆମେରିକା ଓ ଇରାନ ପରୋକ୍ଷ ଭାବେ ଓମାନରେ ଆଲୋଚନା ଆରମ୍ଭ କରିଥିଲେ। ମଙ୍ଗଳବାର ଜେନେଭାରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ବୈଠକ ମଧ୍ୟ ହେବ। ପ୍ରଥମ ଆଲୋଚନା ସକାରାତ୍ମକ ଦିଗରେ ଯାଇଥିବା କୁହାଯାଉଛି।

author-image
Hemant Lenka
Trump

ଟ୍ରମ୍ପ ଓ ଖାମେନେଇ

ନିଜର ଆଣବିକ କାର୍ଯ୍ୟକ୍ରମରେ ବୁଝାମଣା କରିବାକୁ ଇରାନ ରାଜି ହୋଇଛି। ଆମେରିକା ସହ ଆଣବିକ ଡିଲ କରିବାକୁ ଇରାନ (US-Iran Conflict)ଆଗ୍ରହ ଦେଖାଇଛି। କିନ୍ତୁ ଆଣବିକ ଡିଲ କରିବା ପୂର୍ବରୁ ଆମେରିକା ଆଗରେ ତେହରାନ ଉପରେ ଲାଗିଥିବା କଟକଣାକୁ ହଟାଇବାକୁ ସର୍ତ୍ତ ରଖିଛି ଇରାନ। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଓ ସାମରିକ ବିପଦ ମଧ୍ୟରେ ଇରାନ ପକ୍ଷରୁ ଏପରି ବୟାନ ସାମ୍ନାକୁ ଆସିଛି। 

Advertisment

ବିବିସି ସହ ଗୋଟିଏ ସାକ୍ଷାତକାରରେ ଇରାନ ଡେପୁଟି ବୈଦେଶିକ ମନ୍ତ୍ରୀ ମାଜିଦ ତାଖତ ରବଞ୍ଚି କହିଛନ୍ତି ଯେ ଆମେରିକା ଡିଲ କରିବାକୁ ଚାହୁଁଥିବା ପ୍ରମାଣ କରୁ ।କାରଣ ବଲ ଏବେ ୱାଶିଂଟନର କୋର୍ଟରେରେ ରହିଛି। ସେ କହିଛନ୍ତି, “ଯଦି ସେମାନେ ଯତ୍ନବାନ, ତା’ହେଲେ ମୁଁ ନିଶ୍ଚିତ ଯେ ଆମେ ଗୋଟିଏ ବୁଝାମଣା ରାସ୍ତାରେ ରହିବୁ। ଯଦି ଆଲୋଚନା ଟେବୁଲରେ କଟକଣା ଆଶ୍ୱସ୍ତି ପ୍ରସ୍ତାବ ରହିବ, ତେବେ ଇରାନ ନିଶ୍ଚିତ ଭାବେ ନିଜର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ସୀମିତ ଆଲୋଚନା କରିବାକୁ ରାଜି ହେବ।” 

ଇରାନ ପ୍ରସ୍ତାବିତ ବୁଝାମଣା ଦିଗରେ ବିଲମ୍ବ କରୁଥିବା ଆମେରିକା ଅଧିକାରୀ କହିବା ପରେ ମାଜିଦ ଏପରି ମତ ରଖିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ଡିଲ ଚାହୁଁଛନ୍ତି। କିନ୍ତୁ ଇରାନ ସହ ଗୋଟିଏ ଡିଲ କରିବା ଅତ୍ୟନ୍ତ କଠିନ। 

Advertisment

ଇରାନର ଆଣବିକ ଆଭିମୁଖ୍ୟ ଉପରେ ରୋକ ଲଗାଇବା ପାଇଁ ଆମେରିକା ଡିଲ ସପକ୍ଷରେ ରହିଛି। ଯଦି ଡିଲ କରିବାକୁ ଇରାନ ରାଜି ନ ହେବ, ତା’ହେଲେ ଟ୍ରମ୍ପ ତେହରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବେ ନାହିଁ ବୋଲି ଧମକ ଦେଇଛନ୍ତି। ଇରାନ ଉପରେ ଚାପ ସୃଷ୍ଟି କରିବା ପାଇଁ ଆମେରିକା ପକ୍ଷରୁ ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ତୋପ ଓ ଯୁଦ୍ଧ ବିମାନ ମଧ୍ୟ କ୍ରମାଗତ ଭାବେ ପଠାଯାଉଛି। ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଭୟ ମଧ୍ୟ ସୃଷ୍ଟି ହୋଇଛି।

ଏସବୁ ଭିତରେ ଇରାନ ପକ୍ଷରୁ ପ୍ରଥମଥର ପାଇଁ ଆଣବିକ ଡିଲରେ ବୁଝାମଣା କରିବାକୁ ରାଜି ଥିବା ମତ ପ୍ରକାଶ ପାଇଛି। ହେଲେ ଆମେରିକା କଟକଣା ଉଠାଉଛି କି ନାହିଁ, ତା’ ଉପରେ ବି ସମସ୍ତଙ୍କ ନଜର ରହିଛି। 

ପ୍ରସ୍ତାବି ଡିଲ ସମ୍ପର୍କରେ ଆମେରିକା ଓ ଇରାନ ପରୋକ୍ଷ ଭାବେ ଓମାନରେ ଆଲୋଚନା ଆରମ୍ଭ କରିଥିଲେ। ମଙ୍ଗଳବାର ଜେନେଭାରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ବୈଠକ ମଧ୍ୟ ହେବ। ପ୍ରଥମ ଆଲୋଚନା ସକାରାତ୍ମକ ଦିଗରେ ଯାଇଥିବା କୁହାଯାଉଛି। କିନ୍ତୁ ଇରାନ ରଖିଥିବା ସର୍ତ୍ତ ଉପରେ ଆମେରିକା ଚୂଡ଼ାନ୍ତ ନିଷ୍ପତ୍ତି ନ ନେବା ଯାଏ ଡିଲ ଅସମ୍ଭବ ବୋଲି କୁହାଯାଉଛି। 

Iran US