ଇସ୍ରାଏଲ ସହ ଟକରାଟକରି ସ୍ଥିତିରେ ଥିବା ଇରାନ ଆଜି ତା’ର ପଡ଼ୋଶୀ ଆରବ ଓ ଗଲ୍ଫରେ ଥିବା ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଖୋଲା ଧମକ ଦେଇଛି। ଯଦି ସେମାନଙ୍କ ଏୟାର ସ୍ପେଶ କିମ୍ବା ଅଞ୍ଚଳକୁ ଇରାନ ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲକୁ ବ୍ୟବହାର କରିବାକୁ ଦିଆଯାଏ, ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ଇରାନ କହିଛି।
ଏନେଇ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି। ଇରାନ ତା’ର ୱାର୍ଣ୍ଣିଂକୁ ଗୁପ୍ତ ଭାବେ କୂଟନୀତିକ ଚ୍ୟାନେଲ ମାଧ୍ୟମରେ ପଡ଼ୋଶୀ ଦେଶଗୁଡ଼ିକୁ ଜଣାଇ ଦେଇଛି। ତୈଳ ଗଚ୍ଛିତ ସାଉଦି ଆରବ, ୟୁଏଇ, ଜୋର୍ଡାନ ଓ କତାର ଭଳି ରାଷ୍ଟ୍ରକୁ ଇରାନ ଏପରି ଚେତାବନୀ ଦେଇଛି।
ଏମାନେ ସମସ୍ତେ ଆମେରିକା ସହଯୋଗୀ ରାଷ୍ଟ୍ର। ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରୁଛି। ତେଣୁ ଆମେରିକା କଥାରେ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟ ଇସ୍ରାଏଲକୁ ସହଯୋଗ କରିବାର ଆଶଙ୍କା ଥିବା ଇରାନ ଭାବୁଛି। ଏଥିପାଇଁ ଇରାନ ପଡ଼ୋଶୀମାନଙ୍କୁ ସତର୍କ କରାଇଛି।
ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ କୁହାଯାଇଛି ଯେ ଇସ୍ରାଏଲ ଓ ଇରାନ ଲଢ଼େଇ ଭିତରେ ଆରବ ଦେଶଗୁଡ଼ିକୁ ନ ଟାଣିବା ପାଇଁ ସେମାନେ ବାଇଡେନ ପ୍ରଶାସନକୁ ଜଣାଇ ଦେଇଛନ୍ତି। ଇସ୍ରାଏଲକୁ ଯଦି ସେମାନେ ଇରାନ ଉପରେ ଆକ୍ରମଣ କରିବା ପାଇଁ ଭିତ୍ତିଭୂମି କିମ୍ବା ଏୟାରସ୍ପେଶ ଯୋଗାଇ ଦେବେ, ତା’ହେଲେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି।
ଗଲ୍ଫ ଦେଶଗୁଡ଼ିକ ଆଶଙ୍କା କରିଛନ୍ତି ଯେ ଇସ୍ରାଏଲ ଯଦି ସେମାନଙ୍କ ଦେଶରୁ ଇରାନ ଉପରେ ଆକ୍ରମଣ କରିବ, ତେବେ ତେହରାନ ମଧ୍ୟ ଏହାର ପ୍ରତିଶୋଧ ନେବାକୁ ପଛାଇବ ନାହିଁ। ସେମାନଙ୍କ ତୈଳ ଡିପ ଗୁଡ଼ିକର ସୁରକ୍ଷା ପାରମ୍ପରିକ ଭାବେ ଆମେରିକା ହାତରେ ରହିଛି। ଏପରି ସ୍ଥିତିରେ ଆମେରିକା ଉପରେ ପ୍ରତିଶୋଧ ନେବାକୁ ଇରାନ ତୈଳ ଡିପକୁ ହିଁ ଟାର୍ଗେଟ କରିବ।
ଏପରି ସ୍ଥିତିରେ ବିବାଦ ଆହୁରି ବଢ଼ିବ ବୋଲି ଗଲ୍ଫ ରାଷ୍ଟ୍ରଗୁଡ଼ିକ ଆଶଙ୍କା କରିଛନ୍ତି। ଆମେରିକାର ଅନେକ ଯବାନ ଗଲ୍ଫ ରାଷ୍ଟ୍ରରେ ମୁତୟନ ହୋଇଛନ୍ତି। ଇରାନର ଆକ୍ରମଣ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିବାଦ ସୃଷ୍ଟ କରିବ। ବିବାଦ ବଢ଼ିଲେ ବିଶ୍ୱ ତୈଳ ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।
ସେହିପରି ଇସ୍ରାଏଲ ଓ ଇରାନ ମଧ୍ୟରେ ଲଢ଼େଇ ଆରମ୍ଭ ହେଲେ Strait of Hormuz ଦେଇ ପୂରା ବିଶ୍ୱକୁ ରପ୍ତାନୀ ହେଉଥିବା ଚେକପଏଣ୍ଟ ମଧ୍ୟ ବନ୍ଦ ହୋଇଯିବ। ତୈଳ ଯୋଗାଣରେ ଯେକୌଣସି ବିଭ୍ରାଟ ଦରକୁ ଆକାଶ ଛୁଆଁ କରିବ। କେବଳ ଏହି ଅଞ୍ଚଳ ନୁହେଁ, ବରଂ ପୂରା ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହେବ।
ରିପୋର୍ଟରେ କୁହାଯାଇଛି ଯେ ସାଉଦି ଓ ୟୁଏଇର ଅଧିକାରୀମାନେ କୌଣସି ପ୍ରକାରର ଆକ୍ରମଣ ନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।