Advertisment

ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ସର୍ବୋଚ୍ଚ ଇରାନୀ ନେତାଙ୍କ ନିର୍ଦ୍ଦେଶ

ହମାସ ମୁଖ୍ୟଙ୍କ ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଛି ଇରାନ।

author-image
Debibandita Barick
ଅଦ୍ୟତନ ହୋଇଛି
Israel PM & Iran's Leader

Israel PM & Iran's Leader

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ପ୍ରତିଶୋଧ ପରାୟଣ ହୋଇଛି ଇରାନ। ହମାସ ମୁଖ୍ୟ ଇସମାଇଲ ହାନିୟାର ମୃତ୍ୟୁ ପରେ ଇସ୍ରାଏଲ ଉପରେ ସିଧା ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇରାନ ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନେଇ। 

Advertisment

ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ହମାସ ମୁଖ୍ୟଙ୍କ ହତ୍ୟା ପରେ ଇରାନ ସର୍ବୋଚ୍ଚ ନେତା ଜରୁରୀ ବୈଠକ ଡାକିଥିଲେ। ଏହି ଆକ୍ରମଣ ପାଇଁ ଇରାନ ସିଧାସଳଖ ଇସ୍ରାଏଲକୁ ଦାୟୀ କରିବା ସହ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ବନ୍ଧୁଙ୍କୁ ହତ୍ୟା କରିବାର ମୂଲ୍ୟ ଇସ୍ରାଏଲକୁ ଦେବାକୁ ପଡ଼ିବ ବୋଲି ଇରାନ ସର୍ବୋଚ୍ଚ ନେତା କହିଛନ୍ତି। 

କେବଳ ଇରାନ ନୁହେଁ, ଏହାର ସମର୍ଥିତ ସଂଗଠନ ମଧ୍ୟ ଏଥିପାଇଁ ଇସ୍ରାଏଲକୁ ଭାରି ମୂଲ୍ୟ ଦେବାକୁ ପଡ଼ିବ ବୋଲି ଧମକ ଦେଇଛନ୍ତି। ଲେବାନାନର ହିଜବୁଲ, ଇରାକର ଇସଲାମିକ ଜିହାଦ, ୟେମେନର ହୁତି ଏବଂ ସିରିଆର ଶିଆ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଧମକ ଦେଇଥିବା କୁହାଯାଉଛି।

Advertisment

ଇରାନ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଏହି ଆକ୍ରମଣ ଇରାନ ନିଜର ସମର୍ଥିତ ସଂଗଠନଙ୍କ ସହଯୋଗରେ କରିପାରେ।

ପ୍ରକାଶ ଥାଉ କି, ଗତକାଲି ଇରାନର ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା କରାଯାଇଥିଲା। ସେ ନବ ନିର୍ବାଚିତ ଇରାନ୍ ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ଯୋଗଦେବା ପରେ ଘରେ ପଶି ହତ୍ୟା କରା ଯାଇଥିଲା। ଏହି ହତ୍ୟା ପାଇଁ ଇରାନ ସମେତ ସମର୍ଥିତ ସଙ୍ଗଠନ ଇସ୍ରାଏଲକୁ ଦାୟୀ କରୁଛନ୍ତି।

କିନ୍ତୁ ଇସ୍ରାଏଲ ଏଥିପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ଅଭିଯୋଗକୁ ବି ଖଣ୍ଡନ କରି ନାହିଁ। ଇରାନର ଧମକ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଆମ ବିରୁଦ୍ଧରେ ଯେକୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ଇରାନକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। 

Iran Israel Conflict Iran Israel War