Advertisment

ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ! ଦୂରେଇ ରହିବାକୁ ଆମେରିକାକୁ ପରାମର୍ଶ

ମଧ୍ୟପ୍ରାଚ୍ୟରେ ଇରାନ ସମର୍ଥନରେ କାମ କରୁଥିବା ହେଜବୋଲ୍ଲା ମଧ୍ୟ ଇସ୍ରାଏଲ ସହ ଯୁଦ୍ଧ କରିବାକୁ ପୂରା ପ୍ରସ୍ତୁତ ବୋଲି କହିଛି।

author-image
Hemant Lenka
Iran

Iran

ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକର ବଦଲା ନେବାକୁ ଇରାନର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଦୁଇ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

ଏହାର ପ୍ରତିଶୋଧ ନେବାକୁ ଇରାନ ଘୋଷଣା କରିଛି। ଏଥିପାଇଁ ଇରାନ ପକ୍ଷରୁ ଇସ୍ରାଏଲର ସହଯୋଗୀ ଆମେରିକାକୁ ପୂରା ବିବାଦରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମଧ୍ୟପ୍ରାଚ୍ୟରେ ଇରାନ ସମର୍ଥନରେ କାମ କରୁଥିବା ହେଜବୋଲ୍ଲା ମଧ୍ୟ ଇସ୍ରାଏଲ ସହ ଯୁଦ୍ଧ କରିବାକୁ ପୂରା ପ୍ରସ୍ତୁତ ବୋଲି କହିଛି।

ଇରାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଛି। ଇରାନ ଲେଖିଥିବା ଚିଠିରେ ଆମେରିକା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କଥାରେ ବିବାଦ ଭିତରେ ଆଦୌ ହସ୍ତକ୍ଷେପ ନ କରୁ। ଇରାନ ରାଷ୍ଟ୍ରପତିଙ୍କ ରାଜନୀତିକ ବ୍ୟାପାର କଥା ବୁଝୁଥିବା ଉପ ମୁଖ୍ୟ ମହମ୍ମଦ ଜାମଶିଦିଙ୍କ ପକ୍ଷରୁ ଚିଠି ଲେଖା ଯାଇଛି।

Advertisment

ଜାମଶିଦି ଏକ୍ସରେ କହିଛନ୍ତି ଯେ “ବିବାଦ ମଧ୍ୟରୁ ଆମେରିକା ଦୂରେଇ ରହୁ। ଏହାଦ୍ୱାରା ଆମେରିକାର କୌଣସି ପ୍ରକାରର କ୍ଷତି ହେବନି। ଆମେ ଏକଥା କହିବା ପରେ ଆମେରିକା ଜବାବ ଦେଇଛି ଯେ ଇରାନ ଆମେରିକାନ ଟାର୍ଗେଟକୁ ହିଟ ନ କରୁ।” ତେବେ ଏ ସମ୍ପର୍କରେ ଆମେରିକାର କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ।

ଅନ୍ୟପକ୍ଷରେ ସିଏନଏନରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ ଇରାନର ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ଦୃଷ୍ଟିରେ ରଖି ଆମେରିକା ହାଇଆଲର୍ଟ ଜାରି କରିଛି। ଇରାନ କାଳେ ଇସ୍ରାଏଲ କିମ୍ବା ଆମେରିକାର କୌଣସି ଟାର୍ଗେଟକୁ ହିଟ କରିବ, ସେ ଭୟ ୱାଶିଂଟନକୁ ଘାରିଛି।

ଇରାନ ପକ୍ଷରୁ ଇସ୍ରାଏଲରେ ହମଲା କରାଯାଇ ପାରେ। ଆକ୍ରମଣ ସର୍ବସାଧାରଣ ସ୍ଥାନରେ ନୁହେଁ, ବରଂ ଇସ୍ରାଏଲର କୌଣସି ମିଲିଟାରୀ କିମ୍ବା ଗୁଇନ୍ଦା ସଂସ୍ଥା ଉପରେ ହୋଇପାରେ। ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ନେଇ ବେଶ ଚିନ୍ତାରେ ଅଛନ୍ତି ବୋଲି ଏନବିସି ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟରେ କୁହାଯାଇଛି ଯେ ଆମେରିକା ଓ ଇରାନ ମଧ୍ୟରେ ଭଲ ସମ୍ପର୍କ ନାହିଁ। ତଥାପି ସୋମବାର ସିରିଆର ଡାମସକସରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଆମେରିକା କିଛି ଜାଣି ନାହିଁ ବୋଲି ଇରାନକୁ ଜଣାଇ ଦେଇଛି। କୁହାଯାଉଛି ଯେ ଏପରି କରି ଆମେରିକା ମଧ୍ୟପ୍ରାଚ୍ୟରେ ଥିବା ନିଜର ସେନା ଓ ବେସ୍‌କୁ ଇରାନ ହମଲାରୁ ରକ୍ଷା କରିବାକୁ ଚାହୁଁଛି।

ଇରନ କହି ସାରିଛି ଯେ ଇସ୍ରାଏଲକୁ ଦେଶ ସଶକ୍ତ ଝଟକା ଦେବ। କିନ୍ତୁ ଇରନା ସିଧାସଳଖ ହମଲା କରିବ ନା ଲେବାନନରେ ଥିବା ଦେଶର ପ୍ରକ୍ସି ହେଜବୋଲ୍ଲା ଦ୍ୱାରା ଟାର୍ଗେଟ କରିବ, ସେକଥା ସ୍ପଷ୍ଟ ହୋଇନି।

ସୋମବାର ଇସ୍ରାଏଲ ପକ୍ଷରୁ ସିରିଆରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ୨ ଜଣ ଇରାନ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନ ଡିପ୍ଲୋମାଟ କପାଉଣ୍ଡରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଇରାନର କ୍ୟୁଡସ ଫୋର୍ସର କମାଣ୍ଡର ଜେନେରାଲ ମହମ୍ମଦ ରାଜା ଜାହେଦିଙ୍କ ମୃତ୍ୟୁ ହୋଇଛି। ୨୦୨୦ରେ ସମାନ କ୍ୟୁଡସ ଫୋର୍ସର କମାଣ୍ଡର ମେଜର ଜେନେରାଲ କସୀମ ସୋଲେମାନିଙ୍କ ମୃତ୍ୟୁ ଆମେରିକା ଏୟାର ଷ୍ଟ୍ରାଇକରେ ହୋଇଥିଲା।

ଏବେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବାରୁ ଇରାନ କ୍ଷୁବ୍ଧ ହୋଇଛି। ଏହାର ପ୍ରତିଶୋଧ ନେବାକୁ ଇରାନ ଆକ୍ରମଣ କରିପାରେ ବୋଲି ଖବର ପ୍ରକାଶ ପାଇବା ବେଳେ ଇସ୍ରାଏଲ ମଧ୍ୟ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ସେନା ଜିପିଏସ୍‌ ଜାମିଂକୁ ତ୍ୱାରାନ୍ୱିତ କରିଛି।

ପୂରା ଦେଶରେ ନାଭିଗେସନ ସେବାକୁ ବନ୍ଦ କରାଯାଇଛି। ମିସାଇଲ ଓ ଡ୍ରୋନ ଆଟାକକୁ ପ୍ରତିହତ କରିବାକୁ ଏପରି କରାଯାଇଛି। ତେଲ ଅଭିଭ ଓ ଜେରୁଜେଲମ ସୀମାନ୍ତ ଅଞ୍ଚଳକୁ ଯଥେଷ୍ଟ ଦୂରରେ ଥିଲେ ମଧ୍ୟ ସେଠାରେ ମଧ୍ୟ ନାଭିଗେସନ ସେବା ପ୍ରଭାବିତ ହୋଇଛି।

ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଅସ୍ଥାୟୀ ଭାବେ ସମସ୍ତ କମ୍ବାଟ ୟୁନିଟର ଛୁଟି ବାତିଲ କରିଛି। ଯବାନମାନଙ୍କୁ ଇସ୍ରାଏଲର ସମସ୍ତ ସୀମାରେ ମୁତୟନ କରାଯାଇଛି ଓ ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଆକ୍ଟିଭ କରାଯାଇଛି।

Joe Biden USA Israel Iran Israel Conflict