/odisha-reporter/media/post_attachments/uploadimage/library/16_9/16_9_0/asim_munir_1748429370.jpg)
asim munir
ଅପରେସନ ସିନ୍ଦୂର ପରେ ଭାରତ ସହ ବିବାଦ ସୃଷ୍ଟି କରି ଧୂଳି ଚାଟିଥିବା ପାକିସ୍ତାନ ସମ୍ପର୍କରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଭାରତର ପ୍ରଚଣ୍ଡ ହମଲାକୁ ସାମ୍ନା କରି ନ ପାରି ପାକିସ୍ତାନ ଯୁଦ୍ଧ ବିରତି ଲାଗୁ କରିବାକୁ ଦୁଇ ଥର ଗୁହାରୀ କରିଥିଲା। ମେ’ ୭ ସନ୍ଧ୍ୟାରେ ପାକିସ୍ତାନର ଡିଜିଏମଓ ଗୋଟିଏ ମେସେଜ ଜରିଆରେ ଭାରତକୁ ଯୋଗାଯୋଗ କରିଥିଲେ। ୬ ତାରିଖ ବିଳମ୍ବିତ ରାତିରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏହି ଘଟଣା ପରେ ପାକିସ୍ତାନ ଡିଜିଏମଓ ଭାରତକୁ ମେସେଜ ପଠାଇ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବୋଲି ଜଣାପଡ଼ିଛି।
ପାକିସ୍ତାନ ଡିଜିଓମ ମେ’ ୭ ତାରିଖ ସନ୍ଧ୍ୟାରେ ଯୋଗାଯୋଗ କରି ବିବାଦ ହ୍ରାସ କରିବାକୁ କହିଥିଲେ ହେଁ ଏଥିରେ ସନ୍ଦେହ ରହିଥିଲା। କାରଣ ମେସେଜ ପଠାଇବାର କିଛି ଘଣ୍ଟା ପରେ ପାକିସ୍ତାନ ପକ୍ଷରୁ ଭାରତୀୟ ସେନାର ପ୍ରତିଷ୍ଠାନ ଓ ଜନବସତିକୁ ଟାର୍ଗେଟ କରାଯାଇଥିଲା।
ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା। ଏଥିଯୋଗୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ପ୍ରାୟ ୧୦୦ ଘଣ୍ଟା ଧରି ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା। ଭାରତର ଆକ୍ରମଣର ସାମ୍ନା କରି ନ ପାରି ପାକିସ୍ତାନ ଡିଜିଏମଓ ପୁଣି ଭାରତକୁ ଯୋଗାଯୋଗ କରିଥିଲେ। ମେ’ ୧୦ ତାରିଖ ଅପରାହ୍ନ ୩.୩୫ରେ ଦୁଇ ଦେଶ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ସାମରିକ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ଯୁଦ୍ଧ ବିରତି ଲାଗୁ ହୋଇଥିଲା। ଆମେରିକା ଏଥିରେ ମଧ୍ୟସ୍ଥତା କରି ନଥିଲା ବୋଲି ଏବେ ସାମ୍ନାକୁ ଆସିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ଏହାପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସୱାଲ କହିଥିଲେ ଯେ ପାକିସ୍ତାନ ଡିଜିଏମଓ ତାଙ୍କ ଭାରତ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିବା ପରେ ଯୁଦ୍ଧ ବିରତି ଲାଗୁ ହୋଇଥିଲା। ପାକିସ୍ତାନୀ ବେସ୍ଗୁଡ଼ିକରେ ଭାରତୀୟ ବାୟୁ ସେନାର ପ୍ରଭାବୀ ଆକ୍ରମଣ ଯୋଗୁ ପାକିସ୍ତାନ ଡିଜିଏମଓ ଯୁଦ୍ଧ ବିରତି ପାଇଁ ଆଗେଇ ଆସିଥିଲେ।
ଅନ୍ୟପକ୍ଷରେ ପହଲଗାମ ନରସଂହାରର ବଦଲା ନେବାକୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ଜନିତ ମୃତ୍ୟୁସଂଖ୍ୟା ପାକିସ୍ତାନରେ ବଢ଼ି ଚାଲିଛି। ସୂତ୍ର ଅନୁସାରେ, ଏହି ସଂଖ୍ୟା ଏବେ ୧୬୦ରେ ପହଞ୍ଚିଛି। ଅପରେସନ ସିନ୍ଦୂରରେ ଆତଙ୍କବାଦୀ, ସେମାନଙ୍କ ସହଯୋଗୀ ଓ ପାକିସ୍ତାନୀ ସାମରିକ କର୍ମଚାରୀଙ୍କ ମୃତ୍ୟୁ ସଂଖ୍ୟା ୧୬୦ରେ ପହଞ୍ଚିଥିବା ଜଣାପଡ଼ିଛି।
ଜୈଶ-ଇ-ମହମ୍ମଦର ଗଡ଼ କୁହାଯାଉଥିବା ବାହାବଲପୁରରେ ହୋଇଥିବା ଷ୍ଟ୍ରାଇକରେ ୨୦ରୁ ଅଧିକ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀ ପ୍ରାଣ ହରାଇଛନ୍ତି। ଏଠାରେ ପ୍ରାଣ ହରାଇଥିବା ଅଧିକାଂଶ ଲୋକ ଜୈଶ ମୁଖିଆ ମୌଲାନା ମସୁଦ ଆଝାରର ସମ୍ପର୍କୀୟ। ଏହାବାଦ ମୁର୍ଦିକେ ସମେତ ପିଓକେର ବିଭିନ୍ନ ସ୍ଥାନରେ ସକ୍ରିୟ ଥିବା ଅନେକ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକ ଭାରତୀୟ ସେନାର ଗୁଳିରେ ଟଳିଛନ୍ତି।
ଆତଙ୍କବାଦୀମାନଙ୍କ ରକ୍ଷାକବଚ ସାଜୁଥିବା ପାକିସ୍ତାନ ସେନା ମଧ୍ୟ ଭାରତର କାଉଣ୍ଟର ଆଟାକରେ ବ୍ୟାପକ୍ଷ କ୍ଷତି ସହିଛି। ପାକିସ୍ତାନ ସେନା ୩୫ରୁ ୪୦ ଜଣ ସଦସ୍ୟଙ୍କୁ ହରାଇଛି। କିନ୍ତୁ ପାକିସ୍ତାନ ଏହି ସଂଖ୍ୟା ୧୧ ବୋଲି ସଫେଇ ଦେଇଛି ଓ ୭୮ ଜଣ ଆହତ ହୋଇଥିବା ସ୍ୱୀକାର କରିଛି।
ପାକିସ୍ତାନ ସହ ଯୁଦ୍ଧ ବିରତି ଲାଗୁ ହୋଇଥିଲେ ହେଁ ଭାରତୀୟ ସେନା ସତର୍କ ରହିଛନ୍ତି। କାରଣ ପାକିସ୍ତାନ ପୂର୍ବରୁ ଅନେକ ଥର ଭାରତର ବିଶ୍ୱାସରେ ବିଷ ଦେଇଛି। ଭାରତ ଠାରୁ ମାତ ଖାଇ ମଧ୍ୟ ପାକିସ୍ତାନ ବିଜୟ ହାସଲ କରିଥିବା ଡାହା ମିଛର ପ୍ରଚାର କରୁଛି।
ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଭାରତର ମୁକାବିଲା କରିବାରେ ବିଫଳ ହୋଇଥିଲେ ହେଁ ଇସଲାମାବାଦ ପକ୍ଷରୁ ତାଙ୍କୁ ପ୍ରମୋସନ ଦିଆଯାଇ ଫିଲ୍ଡ ମାର୍ଶଲ କରାଯାଇଛି। ଏହା ପାକିସ୍ତାନର ସର୍ବୋଚ୍ଚ ସାମରିକ ପଦ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
