attack
ଇସ୍ରାଏଲ ବାୟୁ ସେନା ପକ୍ଷରୁ ଇରାନ ଉପରେ ପ୍ରଚଣ୍ଡ ହମଲା କରାଯାଇଛି। ଇରାନର ଆଣବିକ, ମିସାଇଲ, ଜନବସତି ଓ ସାମରିକ ଘାଟି ଉପରେ ଶୁକ୍ରବାର ଭୋର ସମୟରେ ଇସ୍ରାଏଲ ସେନା ଘନଘନ ମିସାଇଲ ମାଡ଼ କରିଛି। ଏହି ଅପ୍ରତ୍ୟାଶିତ ଏୟାର ଷ୍ଟ୍ରାଇକରେ ଇରାନ ନିଜର ଅନେକ ବରିଷ୍ଠ ସାମରିକ କମାଣ୍ଡରଙ୍କୁ ହରାଇଛି। ସେହିପରି ଇରାନର ଏକାଧିମ ସାମରିକ ଘାଟି ଛିନଛତ୍ର ହୋଇ ଯାଇଛି। ଇସ୍ରାଏଲ ଷ୍ଟ୍ରାଇକରେ ସାଧାରଣ ଲୋକ ମଧ୍ୟ ମୃତାହତ ହୋଇଥିବା ଜଣାପଡ଼ିଛି।
ଇସ୍ରାଏଲ ଓ ଇରାନ ମଧ୍ୟରେ ବିବାଦ ବହୁ ପୁରୁଣା। ଏବେ ଇରାନ ଆଣବିକ କାର୍ଯ୍ୟକ୍ରମ ଓ ବରିଷ୍ଠ କମାଣ୍ଡରମାନଙ୍କୁ ଇସ୍ରାଏଲ ଟାର୍ଗେଟ କରିବା ମଧ୍ୟପ୍ରାଚ୍ୟକୁ ଭୟଙ୍କର ଯୁଦ୍ଧ ମଧ୍ୟକୁ ଠେଲି ଦେଇଛି। ଇସ୍ରାଏଲର ଆକ୍ରମଣ ପରେ ଇରାନ ମଧ୍ୟ ପ୍ରତିଶୋଧ ନେବାକୁ ପଣ କରିଛି। ଇସ୍ରାଏଲ ଉପରେ ଇରାନ ପକ୍ଷରୁ ୧୦୦ରୁ ଅଧିକ ଡ୍ରୋନ ଦ୍ୱାରା ଆଟାକ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ ତା’ର ସମସ୍ତ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭେଟ କରି ଦେଇଛି। ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ଇସ୍ରାଏଲ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଦେଶକୁ ସମ୍ବୋଧନ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ସାମରିକ ଅପରେସନ ଦ୍ୱାରା ଇରାନର ଆଣବିକ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି। ନାତାଞ୍ଜରେ ଥିବା ଇରାନର ପ୍ରମୁଖ ସାମରିକ ଘାଟି, ଇରାନୀୟ ଆଣବିକ ବୈଜ୍ଞାନିକ ଓ ଇରାନର ବାଲାଷ୍ଟିକ ମିସାଇଲ କାର୍ଯ୍ୟକ୍ରମକୁ ନଷ୍ଟ କରାଯାଇଛି। ଅପରେସନ ରାଇଜିଂ ଲାୟନ ଜରିଆରେ ଇରାନ ପଟୁ ଇସ୍ରାଏଲକୁ ରହିଥିବା ବିପଦର ଜବାବ ଦିଆଯାଇଛି। ଏହି ଅପରେସନ ବେଶ କିଛି ଦିନ ଜାରି ରହିବ। ସମସ୍ତ ପ୍ରକାରର ବିପଦକୁ ସଂପୂର୍ଣ୍ଣ ଭାବେ ଖତମ ନ କରିବା ଯାଏ ଏହା ବନ୍ଦ ହେବ ନାହିଁ ବୋଲି ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି।
ହମଲା ପାଇଁ ଇସ୍ରାଏଲକୁ ଭୟଙ୍କର ଦଣ୍ଡ ମିଳିବ ବୋଲି ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନି ଚେତାବନୀ ଦେଇଛନ୍ତି। ଏଥିସହ ଇସ୍ରାଏଲ ଆକ୍ରମଣରେ ଏକାଧିକ ଇରାନୀୟ କମାଣ୍ଡର ଓ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିବା ସେ ନିଶ୍ଚିତ କରିଛନ୍ତି। ଆକ୍ରମଣରେ ଆମେରିକାର ହାତ ନଥିବା ୱାଶିଂଟନ ସ୍ପଷ୍ଟ କରିଥିଲେ ହେଁ ଇରାନ ସଶସ୍ତ୍ର ବଳର ମୁଖପାତ୍ର ଏହାକୁ ଗ୍ରହଣ କରି ନାହାନ୍ତି। ଆକ୍ରମଣର ଭୟଙ୍କର ରୂପ ଉଭୟ ଇସ୍ରାଏଲ ଓ ଆମେରିକା ଭୋଗିବେ ବୋଲି ଇରାନ ପକ୍ଷରୁ କୁହାଯାଇଛି।
କୁହାଯାଉଛି ଯେ ଇସ୍ରାଏଲ ଆକ୍ରମଣରେ ଇରାନର ସବୁଠାରୁ କ୍ଷମତାଶାଳୀ ଚେହେ ଜେନେରାଲ ହୁସେନ ସଲାମି ପ୍ରାଣ ହରାଇଛନ୍ତି। ସେ ଦେଶର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସ ବା ଆଇଆରଜସିର ମୁଖ୍ୟ ଭାବେ କାମ କରୁଥିଲେ। ଏୟାର ଷ୍ଟ୍ରାଇକରେ ଦେଶ ତା’ର ସେନା ମୁଖ୍ୟଙ୍କୁ ହରାଇଥିବା ଆଇଆରଜିସି ନିଶ୍ଚିତ କରିଛି। ସେହିପରି ଇରାନ ସଶସ୍ତ୍ର ବଳର ମୁଖ୍ୟ ତଥା ଦେଶର ସର୍ବୋଚ୍ଚ ସେନା କମାଣ୍ଡର ମେଜର ଜେନେରାଲ ମହମ୍ମଦ ବାଘେରିଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଇରାନ ସରକାରଙ୍କ ଦ୍ୱାରା ପରିଚାଲିତ ଟିଭି ଇରିନ ସ୍ପଷ୍ଟ କରିଛନ୍ତି।
ଇରାନର ପୂର୍ବତନ ଜାତୀୟ ସୁରକ୍ଷା ମୁଖ୍ୟ ଅଲୀ ଶାମଖାନି ସୁପ୍ରିମ ଲିଡରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ସେ ଜାତୀୟ ସୁରକ୍ଷା ପରିଷଦର ସଚିବ ମଧ୍ୟ ରହିଥିଲେ। ଇସ୍ରାଏଲ ଷ୍ଟ୍ରାଇକରେ ଶାମଖାନିଙ୍କ ମଧ୍ୟ ଜୀବନ ଯାଇଛି। ବରିଷ୍ଠ ରେଭ୍ୟୁଲେସନାରୀ ଗାର୍ଡ କମାଣ୍ଡର ଗୁଲାମ ଅଲୀ ରଶିଦ ଏୟାର ଷ୍ଟ୍ରାଇକରେ ନିହତ ହୋଇଛନ୍ତି। ତାସନିମ ନ୍ୟୁଜ ଏଜେନ୍ସି କହିଛି ଯେ ଆଣବିକ ବୈଜ୍ଞାନିକ ମହମ୍ମଦ ମେହଦି ଓ ଫ୍ରେୟଦୋନ ଆବ୍ବାସିଙ୍କ ସମେତ ଇରାନର ୬ ଜଣ ଆଣବିକ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି।
ଦୀର୍ଘ ଦଶନ୍ଧି ହେଲା ଇରାନର ଆଣବିକ ଓ ବାଲାଷ୍ଟିକ ମିସାଇଲ କ୍ଷମାକୁ ମାଟିରେ ମିଶାଇବାକୁ ଇସ୍ରାଏଲ ଉଦ୍ୟମ କରୁଥିଲା। ଶୁକ୍ରବାର ଅପ୍ରତ୍ୟାଶିତ ଆଟାକ ଦ୍ୱାରା ଇସ୍ରାଏଲ ନିଜ ଲକ୍ଷ୍ୟକୁ କିଛି ମାତ୍ରାରେ ହାସଲ କରିପାରି ଥିବା କୁହାଯାଉଛି। ଇସ୍ରାଏଲର କହିବା କଥା ଯେ ଇରାନ ୧୫ଟି ଆଣବିକ ଯୁଦ୍ଧାସ୍ତ୍ର ତିଆରି କରିବାକୁ ବିଭିନ୍ନ ଜିନିଷ ଏକାଠି କରୁଥିଲା। ଏହା ଇସ୍ରାଏଲ ସମେତ ପୂରା ବିଶ୍ୱ ପ୍ରତି ବିପଦ ସୃଷ୍ଟି କରୁଥିଲା। ତେଣୁ ଅପରେସନ ରାଇଜିଂ ଲାୟନ ଦ୍ୱାରା ଏହାର ଜବାବ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/attack_1749802297.jpg)