Iran
ତତଲା ପାଣିରେ ଟକଟକ ହୋଇ ଫୁଟିବାରେ ଲାଗିଛି ମଧ୍ୟପ୍ରାଚ୍ୟ। ଇସ୍ରାଏଲ ଓ ଇରାନ ଲଢ଼େଇ ମଧ୍ୟପ୍ରାଚ୍ୟକୁ ଭୟଙ୍କର ଯୁଦ୍ଧ ମଧ୍ୟକୁ ଠେଲି ଦେଇଛି। ଶୁକ୍ରବାର ଇସ୍ରାଏଲ ଅପରେସନ ରାଇଜିଂ ଲାୟନ ଜରିଆରେ ଇରାନର ୧୦୦ରୁ ଅଧିକ ଠିକଣାରେ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଜବାବରେ ଇରାନ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ଟ୍ରୁ ପ୍ରମିଜ। ଏହି ଅପରେସନ ଜରିଆରେ ଶନିବାର ଇରାନ ପକ୍ଷରୁ ତେଲ ଅଭିଭ ଉପରେ ମିସାଇଲ ଓ ରକେଟ ବର୍ଷା କରାଯାଇଛି। ଜେରୁଜେଲମ ସମେତ ଇସ୍ରାଏଲର ବିଭିନ୍ନ ପ୍ରମୁଖ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।
ଇରାନର ଅଧିକାଂଶ ମିସାଇଲ ଓ ରକେଟକୁ ଇସ୍ରାଏଲ ଆକାଶ ପଥରେ ନଷ୍ଟ କରିଥିଲେ ହେଁ କିଛି ଟାର୍ଗେଟକୁ ହିଟ କରିଛି। ଏଥିଯୋଗୁ ଇସ୍ରାଏଲର ତେଲ ଅଭିଭ ଓ ଜେରୁଜେଲମ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଇସ୍ରାଏଲ ଭଳି ଇରାନ ମଧ୍ୟ ତେଲ ଅଭିଭର ଏକାଧିକ ଜନବସତିକୁ ଟାର୍ଗେଟ କରି ହମଲା କରିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
ଇରାନର ମିସାଇଲ ଓ ରକେଟ ମାଡ଼ରେ ଇସ୍ରାଏଲର ସେନା ମୁଖ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଶୁକ୍ରବାର ଇରାନ ବିରୋଧରେ ସବୁଠାରୁ ବଡ଼ ହମଲା କରିଥିଲା ଇସ୍ରାଏଲ। ଇରାନର ଆଣବିକ ପ୍ରତିଷ୍ଠାନକୁ ଇସ୍ରାଏଲ ନଷ୍ଟ କରିବା ସହ ୨୦ରୁ ଅଧିକ ଇରାନ ସମାରିକ ଅଧିକାରୀଙ୍କୁ ହତ୍ୟା କରିଥିଲା। ଏମାନଙ୍କ ମଧ୍ୟରେ ଇରାନର ସେନା ମୁଖ୍ୟ ମଧ୍ୟ ରହିଥିଲେ।
ଇସ୍ରାଏଲର ଏପରି ଭୟଙ୍କର ଆକ୍ରମଣର ବଦଲା ନେବାକୁ ପଣ କରିଥିବା ଇରାନ ଏବେ ଅପରେସନ ଟ୍ରୁ ପ୍ରମିଜ ଆରମ୍ଭ କରିଛି। ଏଥିରେ ୩ ଜଣ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି। ସେହିପରି ଇସ୍ରାଏଲ ସେନା ଇରାନରେ ଜାରି ରଖିଥିବା ଅପରେସନ ରାଇଜିଂ ଲାୟନରେ ୭୮ ଜଣ ପ୍ରାଣ ହରାଇଥିବା ବେଳେ ୩୨୦ରୁ ଅଧିକ ଆହତ ହୋଇଛନ୍ତି।
ଆଜି ସକାଳୁ ଇରାନ ଅପରେସନ ଟ୍ରୁ ପ୍ରମିଜ ଜରିଆରେ ମିସାଇଲ ଓ ରକେଟ ବର୍ଷା କରିବାରୁ ଇସ୍ରାଏଲ ମଧ୍ୟ ଏହାର ଜାବବ ଦେଇଛି। ତେହରାନ ଉପରେ ଇସ୍ରାଏଲ ଆଉ ଗୋଟିଏ ରାଉଣ୍ଡ ଷ୍ଟ୍ରାଇକ କରିଛି। ଇରାନର ରାଜଧାନୀର ଏକାଧିକ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇରାନର ମେହରାବାଦ ଏୟାରପୋର୍ଟରେ ୨ଟି ପ୍ରୋଜେକ୍ଟାଇଲ ମାଡ଼ ହୋଇଛି। ଏହି ଏୟାରପୋର୍ଟ ନିକଟରେ ଇରାନୀୟ ନେତୃବୃନ୍ଦଙ୍କ ଘର, ଦେଶର ପ୍ରମୁଖ ଏୟାରବେସ ମଧ୍ୟ ରହିଛି। ପ୍ରୋଜେକ୍ଟାଇଲମାଡ଼ ଯୋଗୁ ଏୟାରପୋର୍ଟରେ ନିଆଁ ଲାଗିଯାଇଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପୁଣିଥରେ ଇରାନକୁ ଚେତାବନୀ ଦେଇ ଆଗକୁ ବହୁତ କିଛି ଆସୁଥିବା କହିଛନ୍ତି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ମାଟିରେ ମିଶାଇବା ପାଇଁ ଏହା ଏକ ଆରମ୍ଭ। ଇରାନ ଲୋକଙ୍କ ସ୍ୱରକୁ ଚାପି ଦେଇଥିବା ସରକାର ବିରୋଧରେ ଅପରେସନ ବନ୍ଦ ହେବନି ବୋଲି ସେ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଇସ୍ରାଏଲ ସେନା କରିଥିବା ହମଲାର ଜବାବ ଦିଆଯିବ। ଇସ୍ରାଏଲ ପୂରା ଛିନଛତ୍ର ହୋଇଯିବ। ଇସ୍ରାଏଲକୁ ସହଯୋଗ କରୁଥିବା ରାଷ୍ଟ୍ର ଉପରେ ମଧ୍ୟ ହମଲା କରିବାକୁ ଇରାନ ପଛାଇବ ନାହିଁ ବୋଲି ସେ କହିଛନ୍ତି। ତାଙ୍କର ଏପରି ଘୋଷଣା ପରେ ଇରାନ ତା’ର ଆକ୍ରମଣକୁ ଜୋରଦାର କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us