/odisha-reporter/media/media_files/2026/03/03/iran1-2026-03-03-14-47-05.jpg)
ଇସ୍ରାଏଲ ସେନା
Middle East War Updates: ଇରାନ ସହ ଲଢ଼େଇ କରୁଥିବା ଇସ୍ରାଏଲ ସେନା ଏବେ ସ୍ଥଳ ଭାଗ ଦେଇ ଦକ୍ଷିଣ ଲେବାନନରେ ପ୍ରବେଶ କରିଛି। ସ୍ଥଳ ଭାଗରେ ଅପରେସନ ଆରମ୍ଭ କରିବାକୁ ଇସ୍ରାଏଲ ସେନାକୁ ଅନୁମତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ।
ପ୍ରଧାନମନ୍ତ୍ରୀ ନେତ୍ୟାନହୁଙ୍କ ଅନୁମତି ମିଳିବା କ୍ଷଣି ଇସ୍ରାଏଲ ସେନା ସ୍ଥଳ ଭାଗ ଦେଇ ଲେବାନନରେ ଯୁଦ୍ଧାସ୍ତ୍ର ସହ ପ୍ରବେଶ କରିଛନ୍ତି। ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଥିବା କଥାକୁ ଲେବାନନ ସରକାର ମଧ୍ୟ ନିଶ୍ଚିତ କରିଛନ୍ତି।
ଲେବାନନ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ପକ୍ଷରୁ ଗ୍ରାଉଣ୍ଡ ଅପରେସନ ଆରମ୍ଭ ହୋଇଛି। ଏଥିପାଇଁ ୭ଟି ଫରୱାର୍ଡ ଲାଇନରୁ ଲେବାନନ ସ୍ଥଳ ସେନାକୁ ପ୍ରତ୍ୟାହାର କରି ନିଆଯାଇଛି। ଲେବାନନ ସେନା ଯବାନଙ୍କୁ ସେଠାରୁ ସୁରକ୍ଷିତ ଅନ୍ୟତ୍ର ସ୍ଥାନକୁ ନିଆଯାଇଛି।
ଲେବାନନ ସେନା ପଛକୁ ହଟିବା ପରେ ଇସ୍ରାଏଲ ଯବାନମାନେ ଯୁଦ୍ଧାସ୍ତ୍ର ସହ ଦକ୍ଷିଣ ପ୍ରାନ୍ତରେ ପ୍ରବେଶ କରିଛନ୍ତି। ଯୁଦ୍ଧାସ୍ତ୍ର ମଧ୍ୟରେ ଟ୍ୟାଙ୍କ ଓ ସଶସ୍ତ୍ର ଯୁଦ୍ଧ ଗାଡ଼ି ରହିଛି। ଲେବାନନରେ ପ୍ରବେଶ କରିବା ପରେ ସେମାନେ ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ହେଜବୋଲ୍ଲାର ବିଭିନ୍ନ ଠିକଣାକୁ ଖୋଜିଖୋଜି ଟାର୍ଗେଟ କରୁଛନ୍ତି। ସେହିପରି ଲେବାନନରେ ଥିବା ହେଜବୋଲ୍ଲାର ଗୁଇନ୍ଦା ମୁଖ୍ୟାଳୟକୁ ମଧ୍ୟ ଇସ୍ରାଏଲ ସେନା ଉଡ଼ାଇ ଦେଇଛି।
ଇରାନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଲେବାନନରେ ସକ୍ରିୟ ହେଜବୋଲ୍ଲା ଇସ୍ରାଏଲ ଉପରେ ଡ୍ରୋନ ଓ ମିସାଇଲ ମାଡ଼ କରିଥିଲା। ଏହାର ଜବାବ ମଧ୍ୟ ଇସ୍ରାଏଲ ମିସାଇଲ ଦ୍ୱାରା ଦେଇଥିଲା। କିନ୍ତୁ ହେଜବୋଲ୍ଲା ନିଜର ଆକ୍ରମଣ ବନ୍ଦ ନ କରିବାରୁ ଇସ୍ରାଏଲ ସେନା ପ୍ରଥମଥର ପାଇଁ ସ୍ଥଳ ଭାଗ ଦେଇ ଲେବାନନରେ ପ୍ରବେଶ କରିଛନ୍ତି। ଏହାପରେ ହେଜବୋଲ୍ଲାର ମୂଳପୋଛ କରିବାକୁ ଅଭିଯାନ ଜାରି ରଖିଛନ୍ତି।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଦକ୍ଷିଣପୂର୍ବ ଲେବାନନରେ ଗୋଟିଏ ଗ୍ରାଉଣ୍ଡ ଆସଲ୍ଟ ପାଇଁ ଅନୁମତି ମିଳିଥିବା ଘୋଷଣା କରିଛନ୍ତି। କାଟଜ କହିଛନ୍ତି ଯେ ସେ ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ ସେନାକୁ ଆଗକୁ ବଢ଼ିବା ଓ ଲେବାନନରେ ଅତିରିକ୍ତ ଅଞ୍ଚଳରେ ନିଜର ପ୍ରଭାବ ଦେଖାଇବାକୁ ଅନୁମତି ଦେଇଛନ୍ତି।
ଇସ୍ରାଏଲ ଲୋକଙ୍କ ଉପରେ ହେବାକୁ ଥିବା ସମ୍ଭାବ୍ୟ ସିଧା ଆକ୍ରମଣକୁ ରୋକିବା ପାଇଁ ଏପରି ଅନୁମତି ଦିଆଯାଇଥିବା ସେ କହିଛନ୍ତି। ୨୦୨୪ ଯୁଦ୍ଧ ବିରତି ବେଳେ ୫ଟି ସ୍ଥାନ ନିଜ ଦଖଲକୁ ଆଣିଥିଲା ଇସ୍ରାଏଲ। ଏବେ ଦକ୍ଷିଣପୂର୍ବ ଲେବାନନର ଅତନ୍ତ ଭିତର ଇଲାକରେ ମଧ୍ୟ ଇସ୍ରାଏଲ ଯବାନମାନେ ପହଞ୍ଚି ଅପରେସନ କରୁଥିବା ସେନା ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
