ହେଜବୁଲ୍ଲା ମୁଖ୍ୟଙ୍କ ବୟାନ ପରେ ପୂରା ଲେବାନନରେ ଆକ୍ରମଣ କଲା ଇସ୍ରାଏଲ

ହେଜବୁଲ୍ଲା ସକ୍ରିୟ ରହିଥିବା ଲେବାନନରେ ଇସ୍ରାଏଲ ଆଜି ବଡ଼ଧରଣର ଆକ୍ରମଣ କରିଦେଇଛି। ଦୁଇ ଦିନ ଧରି ଲେବାନନରେ ହେଜବୁଲ୍ଲା ବ୍ୟବହାର କରୁଥିବା ପେଜର ଓ ୱାକି ଟକିରେ ବିସ୍ଫୋରଣ ହୋଇଥିଲା।

ଆକ୍ରମଣର ଦୃଶ୍ୟ

  • Published: Thursday, 19 September 2024
  • , Updated: 19 September 2024, 09:13 PM IST

ବିଦ୍ରୋହୀ ସଂଗଠନ ହେଜବୁଲ୍ଲା ବିରୋଧରେ ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ହେଜବୁଲ୍ଲା ସକ୍ରିୟ ରହିଥିବା ଲେବାନନରେ ଇସ୍ରାଏଲ ଆଜି ବଡ଼ଧରଣର ଆକ୍ରମଣ କରିଦେଇଛି। ଦୁଇ ଦିନ ଧରି ଲେବାନନରେ ହେଜବୁଲ୍ଲା ବ୍ୟବହାର କରୁଥିବା ପେଜର ଓ ୱାକି ଟକିରେ ବିସ୍ଫୋରଣ ହୋଇଥିଲା।

ଏଥିରେ ଅନେକ ହେଜବୁଲ୍ଲା ସଦସ୍ୟଙ୍କ ସମେତ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହାପରେ ହେଜବୁଲ୍ଲା ମୁଖ୍ୟ ଗୋଟିଏ ଟେଲିଭିଜନ ବାର୍ତ୍ତାରେ ବିସ୍ଫୋରଣ ପାଇଁ ଇସ୍ରାଏଲକୁ ଦାୟୀ କରି ପ୍ରତିଶୋଧର ନାରା ଦେଇଥିଲେ। ହେଜବୁଲ୍ଲାର ଏହି ଟିଭି ବାର୍ତ୍ତା ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ପକ୍ଷରୁ ସମଗ୍ର ଲେବାନନରେ ଆକ୍ରମଣ ଆରମ୍ଭ କରାଯାଇଛି। ସେହିପରି ଲେବାନନ ସୀମାରେ ହେଜବୁଲ୍ଲାର ପାଲଟା ଆକ୍ରମଣରେ ୨ ଜଣ ଇସ୍ରାଏଲ ସୈନ୍ୟ ପ୍ରାଣ ହରାଇଛନ୍ତି। 

ଆକ୍ରମଣ ସମ୍ପର୍କରେ ଆଇଡିଏଫ ଗୋଟିଏ ସୋଶାଲ ମିଡିଆ ପୋଷ୍ଟରେ କହିଛି ଯେ ବର୍ତ୍ତମାନ ଆଇଡିଏଫ ପକ୍ଷରୁ ଲେବାନନରେ ଥିବା ହେଜବୁଲ୍ଲା ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଉଛି। ସେମାନଙ୍କର ଭିତ୍ତିଭୂମିକୁ ନଷ୍ଟ କରାଯାଇଛି। ଦୀର୍ଘ ଦଶନ୍ଧି ଧରି ହେଜବୁଲ୍ଲା ସାଧାରଣ ଲୋକଙ୍କ ଘରକୁ ଅସ୍ତ୍ର ଭାବେ ବ୍ୟବହାର କରି ଆସିଛି।

ସାଧାରଣ ଲୋକଙ୍କୁ ଢାଲ କରି ଦକ୍ଷିଣ ଲେବାନନକୁ ଯୁଦ୍ଧ କ୍ଷେତ୍ରରେ ପରିଣତ କରିଛି। ଏବେ ଆଇଡିଏଫ ଇସ୍ରାଏଲ ଉତ୍ତର ସୀମାକୁ ସୁରକ୍ଷିତ ରଖିବା ପାଇଁ ଅପରେସନ କରୁଛି। ଫଳରେ ଲୋକମାନେ ନିଜ ଘରକୁ ଫେରିବାକୁ ସକ୍ଷମ ହେବେ ବୋଲି ଇସ୍ରାଏଲ ସେନା କହିଛି। ସେହିପରି ୨ ଜଣ ଯବାନ ଲେବାନନ ସୀମାରେ ପ୍ରାଣ ହରାଇଥିବା କଥା ମଧ୍ୟ ଆଇଡିଏଫ ସ୍ୱୀକାର କରିଛି। 

ଇରାନ ସମର୍ଥିତ ହେଜବୁଲ୍ଲାର ମୁଖ୍ୟ ସୟିଦ ହାସନ ନସରଲ୍ଲା ପେଜର ଓ ୱାକି ଟକି ବିସ୍ଫୋରଣକୁ ନେଇ ପ୍ରଥମଥର ନିଜ ବୟାନ ରଖିବା ପରେ ଇସ୍ରାଏଲ ଏପରି ଆକ୍ରମଣ କରିଛି। ନସରଲ୍ଲା ଭାଷଣ ଦେଉଥିବା ବେଳେ ଲେବାନନର ରାଜଧାନୀ ବେରୁଟରେ ଇସ୍ରାଏଲର ଯୁଦ୍ଧ ବିମାନ ବୋମା ମାଡ଼ କରିଥିଲା।

ତଥାପି ନସରଲ୍ଲା କହିଛନ୍ତି ଯେ ନିକଟରେ ହୋଇଥିବା ଆକ୍ରମଣକୁ ଆମେ ଯୁଦ୍ଧ ଡାକରା କହିପାରିବା। ଇସ୍ରାଏଲ ହଜାର ହଜାର ପେଜର ବିସ୍ଫୋରଣ କରି ରେଡ ଲାଇନ ଅତିକ୍ରମ କରିଛି। ଏବେ ଇସ୍ରାଏଲ କରିଥିବା ନରସଂହାରର ଜବାବ ଦିଆଯିବ।

ଗତବର୍ଷ ଅକ୍ଟୋବର ମାସରୁ ଇସ୍ରାଏଲ ଗାଜାରେ ଆକ୍ରମଣ କରି ଚାଲିଛି। ସେବେଠାରୁ ହେଜବୁଲ୍ଲା ସହ ମଧ୍ୟ ଇସ୍ରାଏଲର ତିକ୍ତତା ଆରମ୍ଭ ହୋଇଯାଇଛି।

Related story