Advertisment

ଯୁଦ୍ଧ ବିରତି ପରେ ବି ଇରାନର ହମଲା, ଜବାବ ଦେବାକୁ ଅଣ୍ଟା ଭିଡ଼ିଲା ଇସ୍ରାଏଲ

ଇସ୍ରାଏଲର ଉତ୍ତର ପ୍ରାନ୍ତକୁ ଇରାନ ମିସାଇଲ ଦ୍ୱାରା ଟାର୍ଗେଟ କରିବାରୁ ତେଲ ଅଭିଭ ପୁଣି ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଛି। ଇରାନ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିଥିବାରୁ ଏହାର ପରିଣାମ ତେହରାନକୁ ଭୋଗିବାକୁ ପଡ଼ିବ ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିଛନ୍ତି।

author-image
Hemant Lenka
Iran

Iran

ଯୁଦ୍ଧ ବିରତି ପରେ ବି ଇସ୍ରାଏଲକୁ ଟାର୍ଗେଟ କରି ହମଲା କରିଛି ଇରାନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧ ବିରତିକୁ ପ୍ରଥମେ ଇରାନ ଓ ପରେ ଇସ୍ରାଏଲ ଗ୍ରହଣ କରୁଥିବା ଘୋଷଣା କରିଥିଲେ। କିନ୍ତୁ ଏହି ଯୁଦ୍ଧ ବିରତିର ସ୍ଥାୟୀତ୍ୱ ଏବେ ସଙ୍କଟରେ। କାରଣ ଇରାନ ପକ୍ଷରୁ ଇସ୍ରାଏଲକୁ ଟାର୍ଗେଟ କରି ପୁଣି ମିସାଇଲ ମାଡ଼ କରାଯାଇଛି। ଇରାନ ପକ୍ଷରୁ ମାଡ଼ କରାଯାଇଥିବା ୨ଟି ବାଲାଷ୍ଟିକ ମିସାଇଲକୁ ଇସ୍ରାଲଏଲ ଏୟାର ଡିଫେନ୍ସ ଚିହ୍ନଟ କରିବା ସହ ଆକାଶ ପଥରେ ନଷ୍ଟ କରି ଦେଇଛି।

Advertisment

ଇରାନ ହମଲା କରୁଥିବାରୁ ଇସ୍ରାଏଲର ବିଭିନ୍ନ ସହରରେ ଯୁଦ୍ଧ ସାଇରନ ଶୁଣିବାକୁ ମିଳିଛି। ଲୋକଙ୍କୁ ସୁରକ୍ଷିତ ବଙ୍କରରେ ରହିବାକୁ ଇସ୍ରାଏଲ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଦେଶର ସେନା ବାହିନୀକୁ ଇରାନ ହମଲାର ଉପଯୁକ୍ତ ଜବାବ ଦେବାକୁ ପୁଣି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ଇସ୍ରାଏଲ ସେନା ପୂରା ହାଇ ଆଲର୍ଟରେ ରହିଛି। ଯୁଦ୍ଧ ବିରତି ପରେ ଏପରି ଛକାପଞ୍ଝା ପୁଣି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଟ୍ରମ୍ପଙ୍କ ଯୁଦ୍ଧ ବିରତିକୁ ଇରାନ ମାନିଥିଲେ ହେଁ ଆଇଆରଜିସି କମାଣ୍ଡର ମେଜେର ଜେନେରାଲ ମହମ୍ମଦ ପାକପୌର ଆମେରିକାକୁ କଡ଼ା ଚେନାବନୀ ଦେଇଛନ୍ତି। ସେ କହିଛନ୍ତି, “ଯଦି ଆମେରିକା ପକ୍ଷରୁ ଇରାନ ବିରୋଧରେ ପୁଣି କୌଣସି ଉତ୍ତେଜନା ସୃଷ୍ଟି କରିବା ଭଳି ପଦକ୍ଷେପ ନିଆଯାଏ, ତା’ହେଲେ ତେହରାନ ଏହାର ଜବାବରେ ୱାଶିଂଟନକୁ ଐତିହାସିକ ଶିକ୍ଷା ଦେବ।”

Advertisment

ଯୁଦ୍ଧ ବିରତିର ଚର୍ଚ୍ଚା ଭିତରେ ଇରାନର ଏପରି ଧମକ ଓ ଉତ୍ତର ଇସ୍ରାଏଲ ବିଭିନ୍ନ ସହରକୁ ମିସାଇଲ ମାଡ଼ କରିବା ମଧ୍ୟପ୍ରାଚ୍ୟ ସ୍ଥିତିକୁ ଆହୁରି ବିପଦ ମଧ୍ୟକୁ ଠେଲି ଦେଇଛି। ଜୁନ ୧୩ରୁ ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଶନିବାର ରାତିରେ ଏଥିରେ ଆମେରିକା ସିଧା ହସ୍ତକ୍ଷେପ କରିଥିଲା। ଇସ୍ରାଏଲ ସମର୍ଥନରେ ଆମେରିକା ସେନା ଇରାନର ୩ଟି ପରମାଣୁ କାର୍ଯ୍ୟକ୍ରମ ଠିକଣାରେ ବୋମା ମାଡ଼ କରିବାରୁ ସ୍ଥିତି ଆହୁରି ଭୟଙ୍କର ରୂପ ନେଇଥିଲା।

ଇରାନ ଏହାର ଜବାବରେ ଇରାକ ଓ କତାରରେ ଥିବା ଆମେରିକାର ସେନା ବେସ ଉପରେ ହମଲା କରିଥିଲା। ଇସ୍ରାଏଲ ମଧ୍ୟ ତେହରାନର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରିଥିଲା। ଏସବୁ ଭିତରେ ଟ୍ରମ୍ପ ମଙ୍ଗଳବାର ଭୋରରୁ ଗୋଟିଏ ବଡ଼ ଘୋଷଣା କରିଥିଲେ। ଇରାନ ଓ ଇସ୍ରାଏଲ ମଧ୍ୟରେ ପୂର୍ଣ୍ଣକାଳୀନ ଯୁଦ୍ଧ ବିରତି ଲାଗୁ ହୋଇଛି। ଯୁଦ୍ଧ ବିରତିକୁ ଦୁଇ ଦେଶ ଗ୍ରହଣ କରିଥିବା ସେ ଘୋଷଣା କରିଥିଲେ।

ଏହାକୁ ପ୍ରଥମେ ଇରାନ ଖଣ୍ଡନ କରି ଇସ୍ରାଏଲର ଏକାଧିକ ସହରକୁ ମିସାଇଲ ଦ୍ୱାରା ଟାର୍ଗେଟ କରିଥିଲା। ବୀରଶେବା ଅଞ୍ଚଳରେ ଇରାନ ମିସାଇଲ ମାଡ଼ କରିବାରୁ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଇରାନ ସଫେଇ ଦେଇଥିଲା ଯେ ଯୁଦ୍ଧ ବିରତି ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରୁ ଲାଗୁ ହେଉଥିବା ବେଳେ ଏହାପୂର୍ବରୁ ମିସାଇଲ ମାଡ଼ କରାଯାଇଥିଲା। ବ୍ୟାପକ କ୍ଷୟକ୍ଷତି ସହିଥିଲେ ହେଁ ଆମେରିକାର ଯୁଦ୍ଧ ବିରତି ପ୍ରସ୍ତାବରେ ଇସ୍ରାଏଲ ରାଜି ଥିବା ନିଜେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିଥିଲେ।

ସେ କହିଥିଲେ ଯେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦେଇଥିବେ ଯୁଦ୍ଧ ବିରତି ପ୍ରସ୍ତାବକୁ ଇସ୍ରାଏଲ ଗ୍ରହଣ କରୁଛି। ଇସ୍ରାଏଲ ଯେଉଁ ଲକ୍ଷ୍ୟ ରଖିଥିଲା, ତା’କୁ ବେଶ ସଫଳତା ପୂର୍ବକ ହାସଲ କରିଛି। କିନ୍ତୁ ଇରାନ ଯଦି ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିବ, ତା’ହେଲେ ଏହାର ଜବାବ ଦୃଢ଼ ଭାବେ ଦିଆଯିବ। ଇରାନର ଆଣବିକ ଓ ବାଲାଷ୍ଟିକ ମିସାଇଲ କାର୍ଯ୍ୟକ୍ରମକୁ ନଷ୍ଟ କରି ଦିଆଯାଇଛି। ଏଥିସହ ଇସ୍ରାଏଲ ସେନା ଇରାନର ସାମରିକ ନେତୃତ୍ୱ ଓ ଏକାଧିକ ସରକାରୀ ପ୍ରତିଷ୍ଠାନକୁ ଧ୍ୱଂସ କରି ତେହରାନ ଆକାଶରେ ନିଜର ଦବଦବା ଦେଖାଇଛି। ଏବେ ଯୁଦ୍ଧ ବିରତିକୁ ଇସ୍ରାଏଲ ଗ୍ରହଣ କରୁଥିବା ସେ ଘୋଷଣା କରିଥିଲେ।

ତାଙ୍କର ଏହି ଘୋଷଣା ପରେ ଇସ୍ରାଏଲର ଉତ୍ତର ପ୍ରାନ୍ତକୁ ଇରାନ ମିସାଇଲ ଦ୍ୱାରା ଟାର୍ଗେଟ କରିବାରୁ ତେଲ ଅଭିଭ ପୁଣି ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଛି। ଇରାନ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିଥିବାରୁ ଏହାର ପରିଣାମ ତେହରାନକୁ ଭୋଗିବାକୁ ପଡ଼ିବ ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିଛନ୍ତି।

ସେ କହଛନ୍ତି, “ଇରାନ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିଛି। ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇସ୍ରାଏଲ ଭୟଙ୍କର ଢଙ୍ଗରେ ଏହାର ଜବାବ ଦେବ। ଆମେରିକା ରାଷ୍ଟ୍ରପତି ଘୋଷଣା କରିଥିବା ଯୁଦ୍ଧ ବିରତିକୁ ଉଲ୍ଲଙ୍ଘନ କରି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ବାଲାଷ୍ଟିକ ମିସାଇଲ ମାଡ଼ କରାଯାଇଛି।

ଇସ୍ରାଏଲ ସରକାର ପୂର୍ବରୁ କହି ସାରିଥିଲେ ଯେ ଯୁଦ୍ଧ ବିରତିର ଉଲ୍ଲଙ୍ଘନ କଲେ ଏହାର ଜବାବ ଦିଆଯିବ। ଏହି ନୀତି ଅନୁସାରେ ମୁଁ ଆଇଡିଏଫକୁ ତେହରାନରେ ଥିବା ଶାସକ କଳ ଓ ଟେରର ଭିତ୍ତିକୁ ଭୟଙ୍କର ଢଙ୍ଗରେ ଟାର୍ଗେଟ କରିବାକୁ ନିର୍ଦ୍ଦେଶ ଦେଇଛି।”

Iran Israel Conflict Iran Israel War