/odisha-reporter/media/post_attachments/uploadimage/library/16_9/16_9_0/IMAGE_1750240389.jpg)
Air Defense
ଇରାନର ସାମରିକ ପ୍ରତିଷ୍ଠାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ନେଇ ଦାବି କରୁଥିବା ଇସ୍ରାଏଲ ସମ୍ପର୍କରେ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ପୂରା ବିଶ୍ୱରେ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ସବୁ ଠାରୁ ଶକ୍ତିଶାଳୀ। ତଥାପି ଇରାନ ମାଡ଼ କରୁଥିବା ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକୁ ସଂପୂର୍ଣ୍ଣ ଭାବେ ରୋକିବାରେ ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମ କ୍ରମାଗତ ବିଫଳ ହେବାରେ ଲାଗିଛି।
ଏୟାର ଡିଫେନ୍ସ ସିଷ୍ଟମ ଦୁର୍ବଳ ହେଉଥିବାରୁ ଇରାନ ମାଡ଼ କରୁଥିବା ମିସାଇଲ ଓ ଡ୍ରୋନ ତେଲ ଅଭିଭର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇବାରେ ସକ୍ଷମ ହେଉଛି। ଏବେ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ଦୁର୍ବଳ ହୋଇ ପଡ଼ିଥିବା ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ଗୁଇନ୍ଦା ସଂସ୍ଥାର ତଥ୍ୟକୁ ଆଧାର କରି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟ ପ୍ରକାଶ କରିଥିବା ଦାବି କରିଛି।
ଏହି ରିପୋର୍ଟ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଶୁକ୍ରବାର ଠାରୁ ଇରାନ ବିରୋଧରେ ଇସ୍ରାଏଲ ଅପରେସନ ରାଇଜିଂ ଲାୟନ ଆରମ୍ଭ କରିଛି। ଏହାର ଜବାବରେ ଇରାନ ପ୍ରାୟ ୪୦୦ଟି ବାଲାଷ୍ଟିକ ମିସାଇଲ ଇସ୍ରାଏଲକୁ ଟାର୍ଗେଟ କରି ମାଡ଼ କରିଛି। ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ବିଶେଷ କରି ଆରୋ ସିଷ୍ଟମ ଅଧିକାଂଶ ମିସାଇଲକୁ ନଷ୍ଟ କରିଥିଲେ ହେଁ କିଛି ପ୍ରୋଜେକ୍ଟାଇଲ ଟାର୍ଗେଟକୁ ହିଟ କରିବାକୁ ସକ୍ଷମ ହୋଇଛି। ଏଥିରୁ ଇସ୍ରାଏଲ ଡିଫେନ୍ସ ସିଷ୍ଟମ ଦୁର୍ବଳ ହୋଇଥିବା ସ୍ପଷ୍ଟ ଅନୁମେୟ ହେଉଛି।
ତେଲ ଅଭିଭ ପକ୍ଷରୁ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ କୁହାଯାଇଛି ଯେ ଇରାନ ପକ୍ଷରୁ ମାଡ଼ କରାଯାଇଥିବା ମୋଟ ମିସାଇଲର ଏକ ତୃତୀୟାଂଶ ମିସାଇଲକୁ ନଷ୍ଟ କରି ଦିଆଯାଇଛି। ଇରାନ ଆକାଶ ପଥରେ ଇସ୍ରାଏଲ ତା’ର ପରାକ୍ରମ ଦେଖାଇଛି। ଇସ୍ରାଏଲ ଏପରି ଦାବି କରୁଥିଲେ ହେଁ ଇରାନର ଅଧିକାଂଶ ମିସାଇଲ ଇସ୍ରାଏଲ ଆକାଶରେ ଅକ୍ଷତ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏଥିସହ ସେଗୁଡ଼ିକ ତେଲ ଅଭିଭ ଠାରୁ ଆରମ୍ଭ କରି ଜେରୁଜେଲମ ଯାଏ ତାଣ୍ଡବ ରଚିଛି।
ଇସ୍ରାଏଲ ପାଖରେ ଆଇରନ ଡୁମ, ଡାଭିଡସ ସ୍ଲିଙ୍ଗ, ଆରୋ ସିଷ୍ଟିମ ଓ ଆମେରିକା ଦେଇଥିବା Patriots and THAAD batteries ଭଳି ଏୟାର ଡିଫେନ୍ସ ସିଷ୍ଟମ ରହିଛି। ଏସବୁ ଧୀରେଧୀରେ ଦୁର୍ବଳ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନ୍ୟପକ୍ଷରେ ଇରାନ ଦୈନିକ ଶହଶହ ମିସାଇଲ ମଧ୍ୟ ଇସ୍ରାଏଲକୁ ମାଡ଼ କରୁଛି। ଏହାକୁ ପ୍ରତିହତ କରିବାକୁ ଇସ୍ରାଏଲ ମଧ୍ୟ ଏୟାର ଡିଫେନ୍ସ ମିସାଇଲର ମାଡ଼ କରୁଛି। ଧୀରେ ଧୀରେ ଏହାର ଷ୍ଟକ ସରିବାକୁ ବସିଲାଣି। ଯଦି ଆମେରିକା ପକ୍ଷରୁ ଦ୍ରୁତ ଯୋଗାଣ ନ କରାଯିବ, ତା’ହେଲେ ଇସ୍ରାଏଲର ମିସାଇଲ ଡିଫେନ୍ସ ୧୦ରୁ ୧୨ ଦିନ ମଧ୍ୟରେ ଶେଷ ହୋଇଯିବ। ଇରାନ ଏବେ ହାର ମାନିବା ମୁଡରେ ନାହିଁ। ତେଣୁ ଇସ୍ରାଏଲକୁ ଯେମିତି ହେଲେ ବି ଡିଫେନ୍ସ ମିସାଇଲ ଆବଶ୍ୟକ। ଏପରି ସ୍ଥିତିରେ ଆମେରିକା ଉପରେ ସମସ୍ତଙ୍କର ନଜର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
