Advertisment

ଇରାନର ୬ ସାମରିକ ବିମାନ ଘାଟି ଓ ୧୫ ଯୁଦ୍ଧ ବିମାନକୁ ଧ୍ୱଂସ କଲା ଇସ୍ରାଏଲ

ଏଫ-୧୪, ଏଫ-୫ ଓ ଏଏଚ୍‌-୧ ଭଳି ଇରାନ ଯୁଦ୍ଧ ବିମାନ ଏୟାର ଷ୍ଟ୍ରାଇକରେ ନଷ୍ଟ ହୋଇଛି। ଆକ୍ରମଣରେ ସାମରିକ ଘାଟିର ରନୱେ ଓ ଅଣ୍ଡର ଗ୍ରାଉଣ୍ଡ ଆପାର୍ଟମେଣ୍ଟ ମଧ୍ୟ ମାଟିରେ ମିଶି ଯାଇଛି।

author-image
Hemant Lenka
Iran

Iran

ଦିନ ବିତିବା ସହ ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଭୟଙ୍କର ରୂପ ନେବାରେ ଲାଗିଛି। ଶନିବାର ରାତିରେ ଆମେରିକା ଏଥିରେ ହସ୍ତକ୍ଷେପ କରି ଇରାନର ୩ ଆଣବିକ କାର୍ଯ୍ୟକ୍ରମ ଠିକଣାରେ ହମଲା କରିବା ପରେ ପୂରା ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ସାଇରନ ବାଜିବା ଆରମ୍ଭ ହୋଇଛି। ଏସବୁ ଭିତରେ ଇରାନ ବିରୋଧରେ ଇସ୍ରାଏଲ ତା’ର ଆକ୍ରମଣକୁ ତୀବ୍ର କରିଛି। ଇରାନ ମଧ୍ୟ ଇସ୍ରାଏଲର ତେଲ ଅଭିଭ ଠାରୁ ଆରମ୍ଭ କରି ଜେରୁଜେଲମ ସହରରେ ରକେଟ ମାଡ଼ କରିଛି। ଜେରୁଜେଲମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଇସ୍ରାଏଲ ଆକ୍ରମଣ ଇରାନରେ ତାଣ୍ଡବ ରଚିଛି।

Advertisment

ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫ ଆଜି ଦାବି କରିଛି ଯେ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ଇରାନର ୬ଟି ସାମରିକ ଘାଟି ଓ ୧୫ଟି ଯୁଦ୍ଧ ବିମାନ ଧ୍ୱଂସ ହୋଇଯାଇଛି। ସେହିପରି ଏକାଧିକ ଲଢ଼ୁଆ ହେଲିକପ୍ଟର ମଧ୍ୟ ମାଟିରେ ମିଶିଛି। ଏହି ଯୁଦ୍ଧ ବିମାନ ଗୁଡ଼ିକ ଜରିଆରେ ଇରାନ ସେନା ଇସ୍ରାଏଲ ଉପରେ ଆକ୍ରମଣ କରୁଥିଲା। ତେଣୁ ଏବେ ସେଗୁଡ଼ିକୁ ଧ୍ୱଂସ କରାଯାଇଥିବା ଇସ୍ରାଏଲ କହିଛି।

ଆଇଡିଏଫର କହିବା କଥା ଯେ ଏଫ-୧୪, ଏଫ-୫ ଓ ଏଏଚ୍‌-୧ ଭଳି ଇରାନ ଯୁଦ୍ଧ ବିମାନ ଏୟାର ଷ୍ଟ୍ରାଇକରେ ନଷ୍ଟ ହୋଇଛି। ଆକ୍ରମଣରେ ସାମରିକ ଘାଟିର ରନୱେ ଓ ଅଣ୍ଡର ଗ୍ରାଉଣ୍ଡ ଆପାର୍ଟମେଣ୍ଟ ମଧ୍ୟ ମାଟିରେ ମିଶି ଯାଇଛି। ଇରାନ ଆକାଶ ଏବେ ଇସ୍ରାଏଲ ନିୟନ୍ତ୍ରଣରେ ରହିଛି। ପଶ୍ଚିମ, ପୂର୍ବ ଓ କେନ୍ଦ୍ରୀୟ ଇରାନରେ ଥବା ସାମରିକ ଘାଟିଗୁଡ଼ିକୁ ଇସ୍ରାଏଲ ସେନା ଟାର୍ଗେଟ କରିଥିଲା।

Advertisment

ସ୍ଥାନୀୟ ଅଞ୍ଚଳରେ ଥିବା ଇସ୍ରାଏଲର ଗୁଇନ୍ଦା ତଥ୍ୟ ଆଧାରରେ ପୂରା ଅପରେସନକୁ କାର୍ଯ୍ୟକାରୀ କରାଯାଇଥିଲା। ସେନା ପକ୍ଷରୁ ଏକାଧିକ ମିସାଇଲ ଲଞ୍ଚ ପ୍ୟାଡ ଓ ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରାଯାଇଥିବା ଆଇଡିଏଫ ସୂଚନା ଦେଇଛି।

ଶନିବାର ରାତିରେ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ କରି ତା’ର ୩ଟି ପରମାଣୁ କାର୍ଯ୍ୟକ୍ରମ ଠିକଣାକୁ ନଷ୍ଟ କରି ଦିଆଯାଇଥିଲା। ‘ଅପରେସନ ମିଡ୍‌ନାଇଟ୍ ହାମର’ ଜରିଆରେ ଆମେରିକା ମାତ୍ର ୨୫ ମିନିଟ୍‌ରେ ବେଶ ସଫଳତାର ସହିତ ପୂରା ଅପରେସନକୁ ସଫଳ ରୂପ ଦେଇଥିଲା। ଇରାନ ବିରୋଧରେ ଆମେରିକାର ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ୭ଟି ଷ୍ଟିଲ୍‌ଥ B-2 ‍ବୋମାବର୍ଷଣକାରୀ ଯୁଦ୍ଧବିମାନକୁ ନିୟୋଜିତ କରାଯାଇଥିଲା। ଏହି ଯୁଦ୍ଧବିମାନଗୁଡ଼ିକ ଫୋର୍ଦୋ ଓ ନତାଞ୍ଜର ପରମାଣୁ କେନ୍ଦ୍ରରେ ପ୍ରାୟ ୧୩,୬୦୮ କିଲୋଗ୍ରାମର ବୋମା ପକାଇଥିଲେ।

ସେହିପରି ଇସଫହାନ ପରମାଣୁ କେନ୍ଦ୍ରରେ ଟୋମହାକ୍‌ ମିସାଇଲ ମାଡ଼ କରାଯାଇଥିଲା। ଅପରେସନରେ ୧୨୫ଟି ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା। ଇରାନକୁ ଚକମା ଦେବାକୁ ବିଶେଷ କୌଶଳର ବ୍ୟବହାର କରାଯାଇଥିଲା। କିଛି ବୋମା ବର୍ଷଣକାରୀ ଯୁଦ୍ଧ ବିମାନକୁ ପ୍ରଶାନ୍ତ ମହାସାଗରରେ ମୁତୟନ କରାଯାଇଥିଲା। ଯାହାଦ୍ୱାରା ଇରାନ ଯେଉଁ ଦିଗରୁ ଆକ୍ରମଣ ହେବ ବୋଲି ଆକଳନ କରିଥିଲା ତା’ର ବିପରୀତ ଦିଗରୁ ଆକ୍ରମଣ କରାଯାଇଥିଲା।

ମିଜୋରୀ ବେସ୍‌ରୁ ଉଡ଼ାଣ ଭରିଥିଲେ ୭ଟି ଯାକ ଷ୍ଟିଲ୍‌ଥ B-2 ‍ବୋମାବର୍ଷଣକାରୀ ଯୁଦ୍ଧବିମାନ। ୨୦୦୨ ସେପ୍ଟେମ୍ବର ୧୧ ଆକ୍ରମଣ ପରେ ଏହା ଥିଲା ବି-୨ର ସବୁଠାରୁ ଲମ୍ବା ମିଶନ। ଭାରତୀୟ ସମୟ ଅନୁସାରେ ଭୋର ପ୍ରାୟ ୪ଟା ବେଳେ ଇରାନରେ ଏହି ଆକ୍ରମଣ ହୋଇଥିଲା ଓ ୨୫ ମିନିଟ୍ ଭିତରେ ୩ଟି ଯାକ ପରମାଣୁ କେନ୍ଦ୍ର ଧ୍ୱଂସ ହୋଇଯାଇଥିଲା।

ଆମେରିକା ପକ୍ଷରୁ ଆକ୍ରମଣରେ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା, ସେଥିରେ ୧୪ଟି ବଙ୍କର-ବଷ୍ଟର ବୋମା ରହିଥିଲା। ତା’ ସହିତ ଦୁଇ ଡଜନରୁ ଅଧିକ ଟୋମହାକ୍‌ ମିସାଇଲ ବ୍ୟବହାର କରାଯାଇଥିଲା। ପ୍ରଥମ ଥର ପାଇଁ ଇରାନ ବିପକ୍ଷରେ ଆମେରିକା ଏଗୁଡ଼ିକୁ ବ୍ୟବହାର କରିଛି। ପ୍ରତ୍ୟେକ ଯୁଦ୍ଧ ବିମାନରେ ଦୁଇ ଜଣ ଲେଖାଏ ପାଇଲଟ ଥିଲେ। ୧୮ ଘଣ୍ଟାର ଉଡ଼ାଣ ପରେ ସେମାନେ ଟାର୍ଗେଟ ସ୍ଥାନରେ ପହଞ୍ଚିଥିଲେ। ବାଟରେ ସେଗୁଡ଼ିକରେ ଏକାଧିକ ଥର ଆକାଶମାର୍ଗରେ ହିଁ ଇନ୍ଧନ ଭର୍ତ୍ତି କରାଯାଇଥିଲା।

ଆମେରିକାର ଏହି ଅପରେସନ ପରେ ଇରାନ ପକ୍ଷରୁ ଇସ୍ରାଏଲ ବିରୋଧରେ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଛି। ଇସ୍ରାଏଲ ମଧ୍ୟ ଏହାର ଜବାବ ଦେଉଛି।

Iran Israel Conflict Iran Israel War