Advertisment

ଇରାନ ସୁପ୍ରିମ ଲିଡରଙ୍କ ବଡ଼ ବୟାନ: ବେଶୀ ଦିନ ତିଷ୍ଠିବନି ଇସ୍ରାଏଲ

ଇସ୍ରାଏଲ ସହ ତିକ୍ତତା ଆରମ୍ଭ ହେବା ଦିନ ଠାରୁ ଖାମେନେଇଙ୍କୁ ଗୁପ୍ତ ସ୍ଥାନରେ ରଖାଯାଉଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଇରାନ ପ୍ରଶାସନ କହିଛି। ତଥାପି ଏହାକୁ ଖାତିର ନ କରି ଆଜି ସେ ମସଜିଦର ଛାତରେ ଛିଡ଼ା ହୋଇ ଲୋକଙ୍କୁ ସମ୍ବୋଧନ କରିଛନ୍ତି।

author-image
Hemant Lenka
Khamenei

Khamenei

ଇରାନ ସୁପ୍ରିମ ଲିଡର ଅୟାତୋଲ୍ଲା ଅଲି ଖାମେନେଇ ଆଜି ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଶୁକ୍ରବାର ପୂରା ବିଶ୍ୱକୁ ସମ୍ବୋଧନ କରିଛନ୍ତି। ଏହାକୁ ଇରାନ ପକ୍ଷରୁ ଖାମେନେଇଙ୍କ ଧାର୍ମିକ ପ୍ରବଚନ ଭାବେ ଅବିହିତ କରାଯାଇଛି। ଏହି ଭାଷଣରେ ସେ ଇସ୍ରାଏଲ ବିରୋଧରେ ରଣହୁଙ୍କାର ଦେଇଛନ୍ତି।

Advertisment

ସେ ପାଲେଷ୍ଟାଇନ ଓ ଲେବାନନରେ ଇସ୍ରାଏଲ ବିରୋଧରେ ଚାଲିଥିବା ଅଭିଯାନକୁ ସମର୍ଥନ କରିଛନ୍ତି। ଏଥିସହ ଇସ୍ରାଏଲ ବେଶୀ ଦିନ ତିଷ୍ଠିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି। ଏହାବାଦ ସେ ବିଶ୍ୱର ସମସ୍ତ ମୁସଲିମ ରାଷ୍ଟ୍ରଗୁଡ଼ିକୁ ଏକାଠି ଇସ୍ରାଏଲ ବିରୋଧରେ ଛିଡ଼ା ହେବାକୁ ଆହ୍ୱାନ ଦେଇଛନ୍ତି।

ଇସ୍ରାଏଲ ସହ ତିକ୍ତତା ଚାଲିଥିବା ବେଳେ ତେହରାନରେ ଥିବା ଗୋଟିଏ ମସଜିଦ ନିକଟରେ ଏକାଠି ହୋଇଥିବା ହଜାର ହଜାର ଲୋକଙ୍କୁ ସମ୍ବୋଧନ କରି ଖାମେନେଇ ତେଲ ଅବିବ ବିରୋଧରେ ହୋଇଥିବା ମିସାଇଲ ମାଡ଼କୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ଲୋକଙ୍କ ସେବା ବା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ମାଡ଼ ହୋଇଥିବା ସେ କହିଛନ୍ତି।

Advertisment

ସମ୍ବୋଧନ କରିବା ବେଳେ ନିଜ ପାଖରେ ବନ୍ଧୁକ ରଖିଥିବା ଖାମେନେଇ ଘୋଷଣା କରିଛନ୍ତି ଯେ ହମାସ ଓ ହେଜବୁଲ୍ଲା ବିରୋଧରେ ଇସ୍ରାଏଲର କୌଣସି ସତ୍ତା ରହିବ ନାହିଁ। ଏହି ସମୟରେ ମସଜିଦ ସାମ୍ନାରେ ଉପସ୍ଥିତ ଥିବା ଲୋକମାନେ ‘ଆମେ ଆପଣଙ୍କ ସହ ରହିଛୁ’ ବୋଲି ନାରା ଦେଇଥିଲେ।

ଇସ୍ରାଏଲ ସହ ତିକ୍ତତା ଆରମ୍ଭ ହେବା ଦିନ ଠାରୁ ଖାମେନେଇଙ୍କୁ ଗୁପ୍ତ ସ୍ଥାନରେ ରଖାଯାଉଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଇରାନ ପ୍ରଶାସନ କହିଛି। ତଥାପି ଏହାକୁ ଖାତିର ନ କରି ଆଜି ସେ ମସଜିଦର ଛାତରେ ଛିଡ଼ା ହୋଇ ଲୋକଙ୍କୁ ସମ୍ବୋଧନ କରିଛନ୍ତି।

ନିଜର ଭାଷଣରେ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ହେଜବୁଲ୍ଲାର ମୁଖ୍ୟ ହାସନ ନସ୍ରଲ୍ଲାଙ୍କୁ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ସୟିଦ ହାସନ ନସ୍ରଲ୍ଲା ଆଉ ଆମ ସହ ନାହାନ୍ତି। କିନ୍ତୁ ତାଙ୍କ ଚେତନା ଓ ରାସ୍ତା ସବୁବେଳେ ଆମକୁ ପ୍ରେରଣା ଦେବ। ସେ ସବୁବେଳେ ଇହୁଦୀ ଶତ୍ରୁଙ୍କ ବିରୋଧରେ ଛିଡ଼ା ହୋଇଥିଲେ। ତାଙ୍କ ବିଳିଦାନ ଏହି ବୀରତାକୁ ଆହୁରି ବଢ଼ାଇ ଦେଇଛି।

ନସ୍ରଲ୍ଲାଙ୍କ ବଳିଦାନ ବୃଥା ଯିବ ନାହିଁ। ବିଶ୍ୱାସକୁ ସଶକ୍ତ କରି ଆମକୁ ଶତ୍ରୁପକ୍ଷ ବିରୋଧରେ ଦୃଢ଼ ଭାବେ ଛିଡ଼ା ହେବାକୁ ପଡ଼ିବ। ହେଜବୁଲ୍ଲା ହେଉଛି ଆଶୀର୍ବାଦ ପାଇଥିବା ଗୋଟିଏ ଗଛ। ଏହା ନସ୍ରଲ୍ଲାଙ୍କ ନେତୃତ୍ୱରେ ଆଗକୁ ବଢ଼ିଛି। ଲେବାନନରେ ଥିବା ଲୋକଙ୍କୁ ସହଯୋଗ କରିବା ଦାୟିତ୍ୱ ସମସ୍ତ ମୁସଲିମମାନଙ୍କର। ଲେବାନନ ଜିହାଦକୁ ଆମକୁ ସମର୍ଥନ କରିବାକୁ ପଡ଼ିବ। ଅଲ ଅକସା ମସଜିଦ ପାଇଁ ଚାଲିଥିବା ଯୁଦ୍ଧରେ ଲଢ଼ିବାକୁ ପଡ଼ିବ।”

ଅକ୍ଟୋବର ୭ରେ ପାଲେଷ୍ଟାଇନର ହମାସ ଗ୍ରୁପ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହାକୁ ବୈଧ ବୋଲି ଦର୍ଶାଇଛନ୍ତି ଇରାନର ସୁପ୍ରିମ ଲିଡର। ସେ କହିଛନ୍ତି, “ଏପରି ଆକ୍ରମଣକୁ ବିରୋଧ କରିବାର ଅଧିକାର କୌଣସି ଅନ୍ତର୍ଜାତୀୟ ଆଇନ ନାହିଁ। ବେଆଇନ ଜବରଦଖଲ ବିରୋଧରେ ଲେବାନନ ଓ ପାଲେଷ୍ଟାଇନବାସୀ ସବୁବେଳେ ରହିଛନ୍ତି।

ଇସ୍ରାଏଲ ହେଉଛି ଆମେରିକା ଗୋଟିଏ ଅସ୍ତ୍ର। ଆମେରିକା ଏହି ଅଞ୍ଚଳର ସମସ୍ତ ସମ୍ପଦ ଓ ଜମିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି। ଇହୁଦୀ ଓ ଆମେରିକା ସ୍ୱପ୍ନ ଦେଖୁଛନ୍ତି ବୋଲି କୌଣସି ସନ୍ଦେହ ନାହିଁ। ଇହୁଦୀମାନଙ୍କୁ ପୂରା ମୂଳରୁ ଉପାଡ଼ି ଦିଆଯିବ। ତାଙ୍କର କୌଣସି ମୂଳ ନଥିଲା। ସେମାନେ କେବଳ ଆମେରିକା ବଳରେ ବଳିଆନ ହୋଇଛନ୍ତି। ଇସ୍ରାଏଲ ବୋଲି କୌଣସି ଦେଶ ନଥିଲା। ଆଗକୁ ମଧ୍ୟ ଏହି ଦେଶ ରହିବ ନାହିଁ।”

ଖାମେନେଇ ନିକଟରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ କରାଯାଇଥିବା ମିସାଇଲ ମାଡ଼କୁ ଆଇନସମତ ଓ ବୈଧ ବୋଲି କହିଛନ୍ତି। ଇସ୍ରାଏଲ କରିଥିବା ଅପରାଧ ବିରୋଧରେ ଏପରି ଦଣ୍ଡ କିଛି ନୁହେଁ ବୋଲି ମଧ୍ୟ ସେ କହିଛନ୍ତି।

ସେ କହିଛନ୍ତି, “ଏହି ଅଞ୍ଚଳରେ ପ୍ରତିରୋଧ ଶକ୍ତି ଏହାର ପ୍ରମୁଖ ନେତାଙ୍କ ମୃତ୍ୟୁ ପରେ ବି ଭାଙ୍ଗି ଯିବ ନାହି। ପ୍ରତିରୋଧ ପୂରା ଦମରେ କରାଯିବ।” ହେଜବୁଲ୍ଲା ଓ ହମାସର ପ୍ରମୁଖ ନେତାଙ୍କୁ ଇସ୍ରାଏଲ ହତ୍ୟା କରୁଥିବାରୁ ଖାମେନେଇ ଏପରି କହିଛନ୍ତି।

ଇସ୍ରାଏଲ ଦଖଲରେ ଥିବା ପାଲେଷ୍ଟାଇନ ଅଞ୍ଚଳରେ ମଧ୍ୟ ଦରକାର ପଡ଼ିଲେ ଆକ୍ରମଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ନିଜର ସୁରକ୍ଷା ପାଇଁ ଇରାନ ପାଖରେ ସବୁ ପ୍ରକାରର ଅଧିକାର ରହିଛି। ଇହୁଦୀ ଦେଶ ପକ୍ଷରୁ ଯେକୌଣସି ଆକ୍ରମଣର କଡ଼ା ଜବାବ ଦେବାକୁ ଇରାନ ପ୍ରସ୍ତୁତ ଥିବା ମଧ୍ୟ ସେ କହିଛନ୍ତି।

Iran Israel Conflict Iran Israel War Ayatollah Khamenei