ଅକ୍ଟୋବର ୭ ତାରିଖରେ ହମାସ ସଂଗଠନ ପକ୍ଷରୁ ଇସ୍ରାଏଲ ଉପରେ ଭୟଙ୍କର ହମଲା କରାଯାଇଥିଲା। ଏହି ସମୟରେ ଇସ୍ରାଏଲ ସେନାର ଜଣେ ମହିଳା ସୈନ୍ୟଙ୍କ ଉପରେ ୧୨ ଥର ଗୁଳିମାଡ଼ ହୋଇଥିଲା।
ତଥାପି ସେ ଜୀବନ ଯୁଦ୍ଧରେ ହାରି ନଥିଲେ। ଏବେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ଧୀରେଧୀରେ ଚାଲିବା ଆରମ୍ଭ କରିଥିବାରୁ ଘଟଣା ଦିନର ଛାତି ଥରା କାହାଣୀ ସମସ୍ତଙ୍କୁ କହିଛନ୍ତି। ପ୍ରଥମ ଲ୍ୟୁଟନାଣ୍ଟ ଇଡେନ ରାମଙ୍କ କଥା ଗୋଟିଏ ୱେବସାଇଟରେ ପ୍ରକାଶ ପାଇଛି।
ସେ କେମିତି ତାଙ୍କ ବନ୍ଧୁମାନଙ୍କ ମୃତଦେହଗୁଡ଼ିକ ଭିତରେ ପଡ଼ି ରହି ଶେଷ ଗୁଳି ପାଇଁ ଅପେକ୍ଷା କରିଥିଲେ ଓ ୪ ଘଣ୍ଟା ଧରି ହମାସ ଆତଙ୍କବାଦୀଙ୍କ ଆଗରେ ମୃତ ଭାବେ ନାଟକ କରିଥିଲେ, ସେକଥା ସାର୍ବଜନୀନ କରିଛନ୍ତି।
ହମାସ ଆତଙ୍କୀମାନେ ଅକ୍ଟୋବର ୭ରେ ସୀମାନ୍ତ କିବ୍ବୁଜିମ ଓ ଗୋଟିଏ ମ୍ୟୁଜିକ କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରିଥିଲେ। ଏଥିରେ ୧୨ ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୦ରୁ ଅଧିକ ଲୋକଙ୍କୁ ହମାସ ଆତଙ୍କୀମାନେ ପଣବନ୍ଦୀ କରି ଗାଜା ନେଇ ଯାଇଥିଲେ।
ସେହିଦିନ ଇଡେନ ରାମ ମଧ୍ୟ ଗୁଳି ମାଡ଼ରେ ଲହୁଲୁହାଣ ହୋଇଥିଲେ। ସେ ପୋଷ୍ଟ କରି କହିଛନ୍ତି ଯେ “ଏହା ମୋ ଷ୍ଟୋରୀ। ଅକ୍ଟୋବର ୭ ତାରିଖ ଶନିବାର ମୁଁ ସାମ୍ନା କରିଥିବା ହରର ଫିଲ୍ମ।”
ପ୍ରଥମ ଲ୍ୟୁଟନାଣ୍ଟ କହିଛନ୍ତି, ସେ ତାଙ୍କର ଆଉ ୬ ଜଣ ବନ୍ଧୁଙ୍କ ସହ ଗୋଟିଏ ରୁମରେ ଫସି ଯାଇଥିଲେ। ଗୋଡ଼ରେ ଗୁଳି ବାଜିବା ପରେ ସମସ୍ତେ ଗୋଟିଏ ରୁମରେ ଲୁଚି ଯାଇଥିଲେ। ଶହଶହ ସଂଖ୍ୟାରେ ହମାସ ଆତଙ୍କୀ ଥିବାରୁ ୭ ଜଣ ସୈନ୍ୟ ଚାହିଁଥିଲେ ମଧ୍ୟ କିଛି କରିପାରି ନଥାଆନ୍ତେ। ତେଣୁ ସେମାନେ ଆତ୍ମଗୋପନ କରିବାକୁ ଶ୍ରେୟସ୍କର ମଣିଥିଲେ। ହେଲେ ହମାସ ଆତଙ୍କବାଦୀମାନେ ସେମାନଙ୍କ ରୁମରେ ପହଞ୍ଚି ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ତଥାପି ଇଡେନ ରାମ ଓ ତାଙ୍କର ଜଣେ ସହଯୋଗୀ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।
ଇଡେନ କହିଛନ୍ତି, “ପୂରା ଘଟଣା ବେଳେ ମୁଁ ଜାଣି ନଥିଲି କି ବଞ୍ଚିଛି ନା ମରିଯାଇଛି। ମୁଁ ମରି ଯାଇଥିବା ଅନୁଭବ କରିଥିଲି। କିନ୍ତୁ ତଥାପି ମୁଁ ଦେଖିପାରୁ ଥିଲି, ଶୁଣି ପାରୁଥିଲି ଓ ଅନୁଭବ କରିପାରୁ ଥିଲି। ମୁଁ ଶେଷ ବୁଲେଟକୁ ଅପେକ୍ଷା କରିଥିଲି। ଏହି ଗୁଳି ମୋ ଦେହରେ ବାଜିବ ଓ ମୁଁ ମରିବି ବୋଲି ଭାବି ନେଇଥିଲି।
କିନ୍ତୁ ସେମିତି କିଛି ବି ହେଲାନି। ଗୁଳିମାଡ଼ ପରେ ଆତଙ୍କବାଦୀମାନା ଆମେମାନେ ମୃତ କି ଜୀବିତ ଚେକ କରିଥିଲେ। ମୁଁ ପୂରା ନିର୍ଜୀବ ହୋଇ ପଡ଼ି ରହିଥିଲି। ୪ ଘଣ୍ଟା କାଳ ଗୁଳି ମାଡ଼ର ଯନ୍ତ୍ରଣା ଓ ରକ୍ତସ୍ରାବ ମଧ୍ୟରେ ମୁଁ ସମୟ କାଟିଥିଲି।
ମୁଁ ଭାବିଥିଲି ଯେ ମୋର ସବୁ ସହଯୋଗୀ ପ୍ରାଣ ହରାଇ ସାରିଛନ୍ତି। କିନ୍ତୁ ହଠାତ୍ ସାହାର ବଞ୍ଚିଥିବା ଜାଣିବାକୁ ପାଇଲି। ସେ ନିଜର କପଡ଼ା ବଦଳାଇ ମୋତେ ପ୍ରାଥମିକ ଚିକତ୍ସା ଯୋଗାଇ ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ମୁଁ ମୋର ଶରୀରରେ ହାତ ମାରି କେଉଁଠି ସବୁ ଗୁଳି ବାଜିଛି, କେତେ ରକ୍ତ ବୋହିଛି ଓ ମୁଁ କେତେ ସମୟ ବଞ୍ଚିବି, ସେକଥା ଜାଣିବାକୁ ଚାହିଁଥିଲି।
ମୁଁ ଭାବିଥିଲି ଯେ ଖୁବଶୀଘ୍ର ମୋ ଜୀବନ ଚାଲିଯିବ। ଏପରି ଭାବେ ପ୍ରାୟ ୪ ଘଣ୍ଟା ଧରି ମୁଁ ମୃତ ଭାବେ ପଡ଼ି ରହିଥିଲି। ମୋତେ ପ୍ରବଳ ଯନ୍ତ୍ରଣା ହେଉଥିଲେ ମଧ୍ୟ ମୋ ପାଟିରୁ ଶବ୍ବ ବାହାରୁ ନଥିଲା। ଶେଷରେ ପରୀ ମୋତେ ବଞ୍ଚାଇବାକୁ ଆସିଥିଲେ। ସେମାନେ ମୋତେ ସୋରୋକା ହସ୍ପିଟାଲ ନେଇଥିଲେ। ହସ୍ପିଟାଲ ଯିବା ବାଟରେ ମୁଁ ମୋ ପରିବାର ଲୋକଙ୍କୁ ଫୋନ କରିବାକୁ କହିଥିଲି।”
ହସ୍ପିଟାଲର ପ୍ରଥମ ୪୮ ଘଣ୍ଟାରେ ଇଡେନ ରାମଙ୍କ ଦୁଇଟି ଜୀବନ ରକ୍ଷାକାରୀ ଅପରେସନ ହୋଇଥିଲା। ଏହାପରେ ୩ ଦିନ କାଳ ଡାକ୍ତର ତାଙ୍କୁ ଭେଣ୍ଟିଲେଟର୍ରେ ରଖିଥିଲେ। ଏବେ ସେ ସୁସ୍ଥ ହେବା ଆରମ୍ଭ କରିଛନ୍ତି। ସେ ଧୀରେଧୀରେ ପୁଣି ଚାଲିବାକୁ ଲାଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।