/odisha-reporter/media/media_files/2026/01/05/jd-vance-2026-01-05-18-14-04.jpg)
ପତ୍ନୀଙ୍କ ସହ ଜେଡି ଭାନ୍ସ
ଆମେରିକାର ଉପ ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଓହିଓ ସ୍ଥିତ ଘର ଉପରେ ହୋଇଛି ଆକ୍ରମଣ। ବିଳମ୍ବିତ ରାତିରେ ଜଣେ ଅନୁପ୍ରବେଶକାରୀ ସୁରକ୍ଷା ବଳୟ ଭେଦ କରି ଆକ୍ରମଣ କରିବାକୁ ସକ୍ଷମ ହୋଇଛି। ଏଥିଯୋଗୁ ଭାନ୍ସଙ୍କ ଘରର ଏକାଧିକ ଝରକା ମଧ୍ୟ ଭାଙ୍ଗି ଯାଇଛି। ବିଳମ୍ବିତ ରାତିରେ ଭାନ୍ସଙ୍କ ଘର ପାଖରେ ଅନୁପ୍ରବେଶକାରୀକୁ ଦେଖିବା ମାତ୍ରେ ଆକ୍ସନ ମୋଡକୁ ଆସିଥିଲେ ଆମେରିକା ସିକ୍ରେଟ ସର୍ଭିସ ଓ ସିନସିନ୍ନାଟି ପୁଲିସ୍।
ଭାନ୍ସ(JD Vance)ଙ୍କ ଘର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ୍ ଉକ୍ତ ଅନୁପ୍ରବେଶକାରୀକୁ ଗିରଫ କରିଛି। ଘଟଣା ବେଳେ ଭାନ୍ସ କିମ୍ବା ତାଙ୍କ ପରିବାର ଲୋକ ଉପସ୍ଥିତ ନଥିଲେ। ସେହିପରି ଅନୁପ୍ରବେଶକାରୀ ଜଣଙ୍କ ଝରକା ଭାଙ୍ଗିଥିଲେ ହେଁ ଘର ଭିତରେ ପଶିବାକୁ ସକ୍ଷମ ହୋଇନାହିଁ। ସାମ୍ନାକୁ ଆସିଥିବା ଫଟୋରେ ଭାନ୍ସଙ୍କ ଘରର ଝରକା ଭାଙ୍ଗି ଯାଇଥିବା ଦେଖାଯାଉଛି। କିନ୍ତୁ ବାସ୍ତବରେ ଏହା କେମିତି ଭାଙ୍ଗିଲା ଓ ପୂରା ଘଟଣା କ’ଣ ସେକଥା ସ୍ପଷ୍ଟ ହୋଇନାହିଁ।
ତଦନ୍ତ ଚାଲିଥିବା ବେଳେ ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଇଷ୍ଟ ୱାଲନଟ ହିଲ୍ସ ନିକଟରେ ଥିବା ୱିଲିୟମ ହାୱାର୍ଡ ଟ୍ରାଫ୍ଟ ଡ୍ରାଇଭ ସ୍ଥିତ ଭାନ୍ସଙ୍କ ଘରେ ପୂରା ଘଟଣା ଘଟିଛି। ପ୍ରଥମେ ଆମେରିକା ସିକ୍ରେଟ ସର୍ଭିସ ରାତି ପ୍ରାୟ ୧୨.୧୫ରେ ଜଣେ ବ୍ୟକ୍ତି ଭାନ୍ସଙ୍କ ଘର ନିକଟରେ ପୂର୍ବ ଦିଗକୁ ଦୌଡ଼ୁଥିବା ଦେଖିବାକୁ ପାଇଥିଲା।
ଏହାପରେ ଏହି ଖବର ସ୍ଥାନୀୟ ସିନସିନ୍ନାଟି ପୁଲିସ୍କୁ ଦିଆଯାଇଥିଲା। ପୁଲିସ୍ ଅଧିକାରୀ ଓ ସିକ୍ରେଟ ସର୍ଭିସ ଏଜେଣ୍ଟମାନେ ତୁରନ୍ତ ଉକ୍ତ ଅଞ୍ଚଳରେ ମୁତୟନ ହୋଇଥିଲେ। ସେମାନେ ଅନୁପ୍ରବେଶକାରୀକୁ ଗିରଫ କରିଛନ୍ତି।
ଗିରଫ ହୋଇଥିବା ବ୍ୟକ୍ତିର ପରିଚୟକୁ ସାର୍ବଜନୀନ କରାଯାଇ ନାହିଁ। ସେହିପରି ଆକ୍ରମଣ ପଛର କାରଣ ସମ୍ପର୍କରେ ମଧ୍ୟ ପୁଲିସ୍ କିଛି କହି ନାହିଁ। କେବଳ ଘଟଣାର ତଦନ୍ତ ଚାଲିଛି ଓ ଏହା ଶେଷ ହେବା ପରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ପୁଲିସ୍ କହିଛି। ଏହାବାଦ ସାଧାରଣ ଲୋକମାନେ ଘଟଣାକୁ ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
