ଇରାନ ସୁପ୍ରିମ ଲିଡର୍
ଇରାନରେ ଶାସନ ପରିବର୍ତ୍ତନ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନ(Iran Protest) ତୀବ୍ର ହେବାରେ ଲାଗିଛି। ଇରାନ ଅନ୍ୟତମ ବଡ଼ ବିକ୍ଷୋଭର ସାମ୍ନା କରୁଥିବା ବେଳେ ଦେଶର ସୁପ୍ରିମ ଲିଡର ଅୟୋତୁଲ୍ଲା ଅଲୀ ଖାମେନେଇ ବାସ୍ତବରେ ଗାଦିଚ୍ୟୁତ ହେବେ ବୋଲି ଆଲୋଚନା ଆରମ୍ଭ ହୋଇ ଯାଇଛି। ମିଡିଆ ରିପୋର୍ଟରେ ଆକଳନ କରାଯାଇଛି ଯେ ଶିହା ନେତା ଖାମେନେଇ ବିକ୍ଷୋଭ ଦେଖି ପୂରା ଛାନିଆ ହୋଇଯାଇଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ଯୋଗୁ ସେ ଦେଶ ଛାଡ଼ିବାର ଯୋଜନା କରୁଛନ୍ତି। ଟ୍ରମ୍ପଙ୍କ ସେନା ନିକଟରେ ଭେନେଜୁଏଲାରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ପଣବନ୍ଦୀ କରି ନିଜ ସହ ନେଇ ଯାଇଥିଲା। ସମାନ ପଦକ୍ଷେପ ଇରାନରେ ଘଟିବା ପରେ ବୋଲି ଖାମେନେଇ ଆଶଙ୍କା କରିଛନ୍ତି। ଏଥିପାଇଁ ସେ ଇରାନ ଛାଡ଼ି ରୁଷ ଚାଲିଯିବାକୁ ଯୋଜନା କରୁଛନ୍ତି।
ଶୁକ୍ରବାର ଖାମେନେଇ ଦେଶବାସୀଙ୍କୁ ଏକାଠି ହେବାକୁ କହିଥିଲେ ହେଁ ତାଙ୍କ ମନରେ ଟ୍ରମ୍ପଙ୍କ ପ୍ରତି ଭୟ ଥିବା ସ୍ପଷ୍ଟ ହୋଇଛି। ସେ କହିଛନ୍ତି, ଇସଲାମିକ ରିପବ୍ଲିକ କେବେ ହେଲେ ବି ବିଦେଶୀ ଶକ୍ତି ଦ୍ୱାରା ଆତଙ୍କରାଜ କରୁଥିବା ବ୍ୟକ୍ତିବିଶେଷଙ୍କୁ ସହ୍ୟ କରିପାରିବ ନାହିଁ। ପ୍ରିୟର ଯୁବକମାନେ ନିଜର ପ୍ରତିବଦ୍ଧତା ଓ ଏକତା ବଜାୟୀ ରଖନ୍ତୁ। ଏକାଠି ରହୁଥିବା ଦେଶ ନିଶ୍ଚିତ ଭାବେ ଶତ୍ରୁକୁ ମାତ ଦେଇପାରିବ ବୋଲି ସେ ଆହ୍ୱାନ ଦେଇଛନ୍ତି।
ତାଙ୍କର ଏହି ଆହ୍ୱାନ ପରେ ବି ଇରାନରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ ସତ୍ତ୍ୱେ ଆଜି ୧୩ତମ ଦିନରେ ପହଞ୍ଚିଛି। ଲକ୍ଷାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇ ଖାମେନେଇଙ୍କ ବିରୋଧରେ ନରାବାଜୀ ଜାରି ରଖିଛନ୍ତି। ସ୍ଥିତି ଏପରି ହୋଇଛି ଯେ ଆମେରିକୀୟ କ୍ରିପ୍ଟୋକରେନ୍ସି ଭିତ୍ତିକ ଆକଳନରେ ବଡ଼ ବେଟ ଆରମ୍ଭ ହୋଯାଇଛି।
ଏହି ୱେବସାଇଟରେ ଅଧିକାଂଶ ଲୋକ ଇରାନର ସୁପ୍ରିମ ଲିଡର ଜାନୁଆରୀ ୩୧ ସୁଦ୍ଧା ଗାଦିଚ୍ୟୁତ ହେବେ ବୋଲି ମତ ରଖିଛନ୍ତି। ୫୬% ଲୋକ ଏଥିରେ ସହମତ ପ୍ରକାଶ କରି ସାରିଲେଣି। ବିବାଦୀୟ ପରିସ୍ଥିତି ମଧ୍ୟରେ ଲୋକମାନେ ଖାମେନେଇଙ୍କ ଗାଦିଚ୍ୟୁତ ସପକ୍ଷରେ ଲକ୍ଷାଧିକ ଡଲାର ନିବେଶ ମଧ୍ୟ କରିଛନ୍ତି।
ବିକ୍ଷୋଭ ବଢ଼ୁଥିବାରୁ ଇରାନର ଖାମେନେଇ ସରକାର ପୁଲିସ୍ ପ୍ରଶାସନକୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିକ୍ଷୋଭକୁ ଦମକ କରିବା ପାଇଁ ପୁଲିସ୍ ପକ୍ଷରୁ ମଧ୍ୟ ବଳପ୍ରୟୋଗ କରାଯାଉଛି। ଖାସ ଏଥିପାଇଁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି।
କିଛି ସ୍ଥାନରେ ପୁଲିସ୍ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରାଯାଇଛି। ୧୩ ଦିନ ହେଲା ବିକ୍ଷୋଭ ଚାଲିଥିବା ବେଳେ ପ୍ରାୟ ୪୫ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ୩ ହଜାର ଜଣ ଅଟକ ରହିଥିବା ମଧ୍ୟ ବିଭିନ୍ନ ଏଜେନ୍ସି ରିପୋର୍ଟ କରିଛନ୍ତି।
ଗତବର୍ଷ ଜୁନ ମାସରେ ଇସ୍ରାଏଲ ପକ୍ଷରୁ ଇରାନରେ ଅପରେସନ ରାଇଜିଂ ଲାୟନ କରାଯାଇଥିଲା। ଏହି ୧୨ ଦିନିଆ ଯୁଦ୍ଧରେ ଇରାନର ବରିଷ୍ଠ ସାମରିକ କମାଣ୍ଡରମାନେ ପ୍ରାଣ ହରାଇଥିଲେ। ଆମେରିକା ସମର୍ଥନରେ ଇସ୍ରାଏଲ ଏପରି କରିଥିଲା।
ସେହିପରି ଆମେରିକା ମଧ୍ୟ ଇରାନର ଆଣବିକ ପ୍ରତିଷ୍ଠାନକୁ ଧ୍ୱଂସ କରି ଦେଇଥିଲା। ସେବେଠାରୁ ଇରାନର ଆର୍ଥିକ ସ୍ଥିତି ବିଗିଡ଼ିବା ସହ ଖାମେନେଇ ଶାସନ ବିରୋଧରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଟ୍ରମ୍ପ ମଧ୍ୟ ଇରାନରେ ଶାସକ ବଦଳାଇବାର ମତ ରଖିଛନ୍ତି।
ଗୋଟିଏ ପଟେ ଇରାନରେ ବିକ୍ଷୋଭ ତୀବ୍ର ହେଉଥିବା ବେଳେ ଆମେରିକାର ଘାତକ ଡେଲ୍ଟା ଫୋର୍ସ ନର୍ଦ୍ଦନ ଇରାକରେ ଥିବା ଅଲ ହାରିର ଏୟାର ବେସରେ ପହଞ୍ଚିଛନ୍ତି। ଇରାକୀ କୁର୍ଦିସ୍ତାନର ଇରବିଲ ସହରରେ ଏୟାରବର୍ଣ୍ଣ ୟୁନିଟର ଉପସ୍ଥିତି ଇରାନର ଚିନ୍ତା ବଢ଼ାଇ ଦେଇଛି। ଚିନ୍ତାରେ ଥିବା ଇରାନ ଏବେ ଦେଶରେ ବଢ଼ୁଥିବା ବିକ୍ଷୋଭ ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛି। ତଥାପି ଖାମେନେଇ ଏକାକୀ ମୂଷା ଭଳି ଲୁଚି ରହିଥିବା ଇରାନୀୟ-ଆମେରିକୀୟ ସାମ୍ବାଦିକ ମସିହ ଅଲୀନେଜାଦ କହିଛନ୍ତି।
ଗତ ସପ୍ତାହରେ ଗୁଇନ୍ଦା ବିଭାଗ ହାସଲ କରିଥିବା ଦସ୍ତାବିଜରେ ଖାମେନେଇ ଦେଶ ଛାଡ଼ିବା ଯୋଜନାରେ ରହିଥିବା ମଧ୍ୟ ଉଲ୍ଲେଖ ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/09/khamenei-2026-01-09-16-46-23.jpg)