/odisha-reporter/media/media_files/2026/03/01/khamenei-2026-03-01-11-55-34.jpg)
ଆକାଶମାର୍ଗରୁ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।
ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁ ନେଇ ପ୍ରଥମେ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହିଭଳି ଟ୍ରମ୍ପଙ୍କ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ ଯେ ସଙ୍କେତ ମିଳୁଛି ଯେ ଖାମେନେଇ ଆଉ ଜୀବିତ ନାହାନ୍ତି। ତାଙ୍କ ବାସଭବନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। କିନ୍ତୁ ଇରାନ ପ୍ରଥମେ ଏହାକୁ ଅଗ୍ରାହ୍ୟ କରି ଦେଇଥିଲା। ମାନସିକ ସ୍ତରରେ ଦୁର୍ବଳ କରିଦେବାକୁ ଆମେରିକା ଓ ଇସ୍ରାଏଲ ଏମିତି ଗୁଜବ ପ୍ରଚାର କରୁଛନ୍ତି ବୋଲି କୁହାଯାଇଥିଲା। କିନ୍ତୁ ପରେ ଇରାନର ସରକାରୀ ଗରମାଧ୍ୟମ ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁ ହୋଇଥିବା କହିଥିଲା।
ଇରାନର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଥିଲା ଯେ ଆମେରିକା ଓ ଇରାନର ମିଳିତି ଏୟାର ଷ୍ଟ୍ରାଇକ୍ରେ ଶନିବାର ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁ ଘଟିଛି। ଇରାନର ବରିଷ୍ଠ ନେତୃବର୍ଗ ଓ ସାମରିକ ଅନୁଷ୍ଠାନକୁ ଲକ୍ଷ୍ୟ କରି ଆମେରିକା ଓ ଇରାନ ଏୟାର ଷ୍ଟ୍ରାଇକ୍ କରିଥିଲେ।
ଏହା ପୂର୍ବରୁ ଇସ୍ରାଏଲର ଜଣେ ଅଧିକାରୀ ରଏଟର୍ସକୁ ସୂଚନା ଦେଇ କହିଥିଲେ ଯେ ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତଦେହ ତାଙ୍କର ଧ୍ୱସ୍ତ ହୋଇଯାଇଥିବା ବାସଭବନର ଭଗ୍ନାବଶେଷ ମଧ୍ୟରୁ ମିଳିଥିଲା।
ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁ ଖବର ଆସିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେ ଇସ୍ରାଏଲ ସହିତ ମିଶି ଖାମେନେଇଙ୍କୁ ଟାର୍ଗେଟ କରିବାକୁ ଯୋଜନା ପ୍ରସ୍ତୁତ କରୁଛୁ।
ଖାମେନେଇଙ୍କ ପରିବାରର ବହୁ ସଦସ୍ୟ ନିହତ
ଇସ୍ରାଏଲ ଓ ଆମେରିକାର ଏୟାରଷ୍ଟ୍ରାଇକ୍ରେ କେବଳ ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁ ହୋଇନାହିଁ, ତାଙ୍କ ପରିବାରର ବହୁ ସଦସ୍ୟ ନିହତ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଖାମେନେଇଙ୍କ ଝିଅ, ଜ୍ୱାଇଁ, ବୋହୂ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ଖାମେନେଇଙ୍କ ଜ୍ୱାଇଁ ଓ ବୋହୂଙ୍କ ମୃତ୍ୟୁ ଘଟିଥିବା ନେଇ ଇରାନର ସରକାରୀ ଗଣମାଧ୍ୟମ ସ୍ପଷ୍ଟ କରିଥିଲା। ଏହା ପରେ ଇରାନର ସରକାରୀ ଗଣମାଧ୍ୟମର ରିପୋର୍ଟ ଆଧାରରେ ରଏଟର୍ସ ପକ୍ଷରୁ ଖବର ପ୍ରସାରଣ କରାଯାଇଛି ଖାମନେଇଙ୍କ ଝିଅ ଓ ନାତୁଣୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ବହୁ ବଡ଼ ନେତା ଓ ଅଧିକାରୀଙ୍କ ମୃତ୍ୟୁ
ଆମେରିକା ଓ ଇସ୍ରାଏଲର ମିଳିତ ଘନ ଘନ ଆକ୍ରମଣରେ କେବଳ ଖାମେନେଇ କିମ୍ବା ତାଙ୍କ ପରିବାର ଲୋକଙ୍କ ମୃତ୍ୟୁ ହୋଇନାହିଁ, ଇରାନର ପ୍ରତିରକ୍ଷା ମନ୍ତ୍ରୀ ଓ ଟପ୍ କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନରେ ହେଡ୍ ଅଫ୍ ମିଲିଟାରୀ ବ୍ୟୁରୋ ଏବଂ ସୁପ୍ରିମ ଲିଡରଙ୍କ ପରାମର୍ଶଦାତାଙ୍କ ମୃତ୍ୟୁ ଘଟିଛି। ସେହିଭଳି ରିଭୋଲ୍ୟୁସୋନାରୀ ଗାର୍ଡର କମାଣ୍ଡର ଓ ଗୁଇନ୍ଦା ବିଭାଗର ମୁଖ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି।
ମୁଜତାବା ନୂଆ ସୁପ୍ରମ ଲିଡର
ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ନୂଆ ସୁପ୍ରିମ୍ ଲିଡର ଘୋଷଣା କରାଯାଇଛି। ଇରାନର ନୂଆ ସୁପ୍ରିମ୍ ଲିଡର ହୋଇଛନ୍ତି ମୁଜତାବା ଖାମେନେଇ। ସେ ହେଉଛନ୍ତି ମୃତ ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ପୁଅ।
କିଏ ଖୁସି ତ କିଏ ଦୁଃଖୀ
ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁରେ ଇରାନର ଅନେକ ଅଞ୍ଚଳରେ ଲୋକେ ବହୁତ ଖୁସି ହୋଇଛନ୍ତି। ସେମାନେ ରାଜରାସ୍ତାକୁ ଆସି ସେମାନଙ୍କ ଖୁସି ଜାହିର କରିଛନ୍ତି। ତେହରାନ, କରଜ ଓ ଇସଫହାନ ଆଦି ଅଞ୍ଚଳରେ ଲୋକେ ରାସ୍ତାକୁ ଆସି ଖାମେନେଇଙ୍କ ମୃତ୍ୟୁରେ ଉତ୍ସବ ପାଳିଛନ୍ତି। ଏମିତି କିଛି ଭିଡିଓ ସୋଶାଲ ମିଡିଆରେ ଏବେ ଘୂରି ବୁଲିଛି। ଏନେଇ କିଛି ସ୍ପଷ୍ଟ ହୋଇପାରିନାହିଁ। ତେବେ କିଛି ମାସ ତଳେ ଖାମେନେଇଙ୍କ ବିରୋଧରେ ଇରାନରେ ଆନ୍ଦୋଳନ କରାଯାଇଥିବାରୁ ତାଙ୍କ ବିରୋଧୀ ଗୋଷ୍ଠୀ ଏହି ଖବରରେ ଉଲ୍ଲାସିତ ହୋଇଥିବେ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ରାତିସାରା ବୋମାମାଡ଼ ହେଉଥିବାରୁ ବହୁ ଲୋକ ଭୟଭୀତ ହୋଇ ରହିଛନ୍ତି। ଗତକାଲି ଇରାନର ମିନାବ ସହରରେ ଏକ ବାଳିକା ସ୍କୁଲରେ ଉପରେ ମିସାଇଲ ମାଡ଼ ହେବାରୁ ପ୍ରାୟ ୬୦ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିଲେ।
ଆକ୍ରମଣ ଜାରି ରଖିଛି ଇରାନ
ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ସମେତ ନିଷ୍ପତ୍ତି ନେଉଥିବା ବହୁ ଶୀର୍ଷ ନେତା ଓ ଅଧିକାରୀଙ୍କ ମୃତ୍ୟୁ ସତ୍ତ୍ୱେ ଲଢ଼େଇ ଜାରି ରଖିଛି ଇରାନ। ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁ ପ୍ରତିଶୋଧ ନିଆଯିବ କହି ଏହା ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକ ସହିତ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଡ୍ରୋନ୍ ଓ ମିସାଇଲରେ ଇରାନ ଏହି ଆକ୍ରମଣ କରିଛି। ଇସ୍ରାଏଲର ରାଜଧାନୀ ତେଲ ଅଭିଭରେ ଗତକାଲି ରାତିରେ ମିସାଇଲ ମାଡ଼ କରିଛି ଇରାନ। ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ଇସ୍ରାଏଲକୁ ଚେତାବନୀ ଦେଇଛି ଇରାନ। କୁର୍ଦିସ୍ତାନର ଆମେରିକା ସେନା ଶିବିର ଉପରେ ଆକ୍ରମଣ କରିଛି ଇରାନ।
ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ଗଣମାଧ୍ୟମରେ ଆସିଥିବା ରିପୋର୍ଟ ଅନୁଯାୟୀ, ଦୁବାଇ ଓ କତାରର ରାଜଧାନୀ ଦୋହାରେ ଘନ ଘନ ଆକ୍ରମଣ କରିଛି ଇରାନ। ୟୁଏଇ ଓ କତାର ଆମେରିକା ସହିତ ଅଛନ୍ତି। ଏହି ଆକ୍ରମଣ କରି ଇରାନ ତା’ର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ବାର୍ତ୍ତା ଦେଇଛି ଯେ ସେ କେବେ ବି ତା’ର ଶତ୍ରୁମାନଙ୍କୁ ଛାଡ଼ିବ ନାହିଁ।
ଦୁବାଇ ବିମାନ ବନ୍ଦରରେ ଆକ୍ରମଣ କରିଛି ଇରାନ। ଦୁବାଇ ବିମାନ ବନ୍ଦର ହେଉଛି ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ବିମାନ ବନ୍ଦର। ଆମେରିକା-ଇସ୍ରାଏଲ ସହିତ ଇରାନର ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଦୁବାଇ ତା’ର ବିମାନ ବନ୍ଦରକୁ ବନ୍ଦ କରି ଦେଇଥିଲା। ଦୁବାଇ ବିମାନ ବନ୍ଦର ପୂର୍ବରୁ ଇରାନ ଏହାର ଏକ ଦ୍ୱୀପ ପାମ୍ ସହିତ ଲକଜୁରୀ ହୋଟେଲ ବୁର୍ଜ ଅଲ ଆରବ ଉପରେ ଆକ୍ରମଣ କରିଥିଲା। ଇରାନ ଶନିବାର ଦୁବାଇ ବିମାନ ବନ୍ଦରକୁ ଆକ୍ରମଣ କରିଥିବା ବେଳେ ରବିବାର ପୁଣି ଆକ୍ରମଣ କରିଛି। ଏଥିରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
ଯାତ୍ରୀ ହନ୍ତସନ୍ତ
ଏହି ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଦୁବାଇ ସହିତ ଅନ୍ୟ ମଧ୍ୟପ୍ରାଚୀର ଦେଶକୁ ଯାଇଥିବା ଅନେକ ଭାରତୀୟ ସେଠାରେ ଫସି ଯାଇଛନ୍ତି। ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଯୋଗୁ ସେମାନେ ଆସିପାରୁ ନାହାନ୍ତି। ସେହିପରି ଇରାନରେ ରହୁଥିବା ବହୁ ଭାରତୀୟ ଫସି ଯାଇଛନ୍ତି। ଅନ୍ୟପକ୍ଷରେ ଭାରତରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡ଼ିଛି। ଭାରତର ବିମାନ ବନ୍ଦରରଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ବିମାନ ଚଳାଚଳ ବନ୍ଦ ହୋ଼ଇଯାଇଥିବାରୁ ଦୁବାଇ ଓ ଅନ୍ୟ ମଧ୍ରପ୍ରାଚ୍ୟ ଦେଶ ସହିତ ଆମେରିକା ଆଦି ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ଭାରତ ଗତକାଲି ୪୧୦ ବିମାନ ବାତିଲ କରିଥିବା ବେଳେ ଆଜି ୪୪୪ ବିମାନ ବାତିଲ କରିପାରେ ବୋଲି ଆଶଙ୍କା ରହିଛି।
୧୧ଟି ସ୍ଥାନକୁ ବିମାନ ସେବାକୁ ବାତିଲ୍ କରିଛି ଏୟାର୍ ଇଣ୍ଡିଆ। ମୁମ୍ବାଇ-ହିଥ୍ରୋ, ଦିଲ୍ଲୀ-ବର୍ମିଂହାମ, ଦିଲ୍ଲୀ-ଆମଷ୍ଟରଡାମ୍, ଦିଲ୍ଲୀ-ଜୁରିଚ୍, ଦିଲ୍ଲୀ-ମିଲାନ, ଦିଲ୍ଲୀ-ଭିଏନା, ବେଙ୍ଗାଲୁରୁ-ହିଥ୍ରୋ, ଦିଲ୍ଲୀ-କୋପେନହେଗେନ, ଦିଲ୍ଲୀ-ହିଥ୍ରୋ ଓ ଦିଲ୍ଲୀ-ଫ୍ରାଙ୍କଫର୍ଟ ବିମାନ ବାତିଲ୍ କରିଛି ଏୟାର ଇଣ୍ଡିଆ।
ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ବାତିଲ କରାଯାଇଥିବା ଏୟାର ଇଣ୍ଡିଆ କହିଛି।
ଫସିଛନ୍ତି ସେଲେବ୍ରିଟୀ
ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଭିତରେ ଦୁବାଇରେ ଫସିଛନ୍ତି କିଛି ସେଲେବ୍ରିଟୀ। ଦୁଇ ଥର ଅଲିମ୍ପିକ୍ସ ପଦକ ଜିତିଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଦୁବାଇରେ ଫସିଛନ୍ତି। ଏ ନେଇ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ପିଭି ସିନ୍ଧୁ। ବିମାନଯାତ୍ରା ଉପରେ ରୋକ ଲାଗିଥିବାରୁ ଦୁବାଇରେ ଏକ ପ୍ରକାର ଅଟକି ରହିଛନ୍ତି ସିନ୍ଧୁ। ତେବେ ସେ ସେଠାରେ ସୁରକ୍ଷିତ ଅଛି ବୋଲି ଲେଖିଛନ୍ତି। ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଅକ୍ଳାନ୍ତ ପ୍ରୟାସ ଯୋଗୁଁ ଆମେ ଅଧିକ ସୁରକ୍ଷିତ ଥିବା ସିନ୍ଧୁ ଉଲ୍ଲେଖ କରିଛନ୍ତି। ସେହିଭଳି ବଲିଉଡ୍ ଅଭିନେତ୍ରୀ ସୋନାଲ ଚୌହ୍ୱାନ ମଧ୍ୟ ଦୁବାଇରେ ଫସିଛନ୍ତି। ଭାରତ ଯିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ସହାୟତା ମାଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
